ହାଣ୍ଡିଶାଳରୁ ରାଜଦରବାର

 

 

 

 

 

 

 

 

 

 

 

ହାଣ୍ଡିଶାଳରୁ ରାଜଦରବାର

ମନୋରମା ମହାପାତ୍ର

 

ଓଁ

ମୋ ବୋଉ ହାତରେ

 

ବୋଉ,

 

ତୋରି ତୁଣ୍ଡରୁ ପିଲାଟି ଦିନରୁ ଯେଉଁ ସବୁ ଢଗ ଢମାଳି ଶୁଣିଛି, ଶିଖିଛି ଯାହାର ଚିରନ୍ତନ ମୂଲ ଓ ଗଭୀରତା ଅତୁଳନୀୟ, ତା’ରି ପ୍ରୟୋଗ ମୋ ଅନ୍ତରର ଭାଷା ସାଥିରେ ମିଳେଇ ଯେଉଁ ରମ୍ୟରଚନା ପୁସ୍ତକଟି ଲେଖିଛି ତା’ ଚୋରି ହାତରେ ଦେଲି । ତୋ ଆଶୀର୍ବାଦ ମୋ ଜୀବନର ପାଥେୟ ।

 

ତୋର

ବାୟାଣୀ ଝିଅ

ସୁଲୁ

✽✽✽

 

ସୂଚିପତ୍ର

 

୧.

ହାଣ୍ଡିଶାଳରୁ ରାଜଦରବାର

୨.

ବିବାହ ବିଜ୍ଞାପନ

୩.

ଉତ୍ସବ ନ କରୁ ଉଚ୍ଛନ୍ନ

୪.

ଦୂର ପରବତ ସୁନ୍ଦର

୫.

ଅବୁଝା ରାଜା

୬.

ଘରର ଶିରୀ ଶାଶୁବୋହୂ

୭.

କହିଲେ କୁଳ କୁଟୁମ୍ବଙ୍କୁ ଲାଜ

୮.

ଅତି ସମ୍ପଦ ଏବେ ହେଲା ବିଷମ

୯.

କ୍ଷମତା ଉପାଖ୍ୟାନ

✽✽✽

 

କଥନିକା

 

ଦିନଥିଲା, ବିଜ୍ଞ ବିଦୂଷକମାନେ ହାସ୍ୟରସ ପରିବେଷଣ ଛଳରେ, ଶାଣିତ ବ୍ୟଙ୍ଗ ମାଧ୍ୟମରେ, ଅନନ୍ୟ ସାଧାରଣ ମଧୁର, ରସାଳ ରୀତିରେ ଶାସକବର୍ଗଙ୍କର ହିତପାଇଁ ଉପଦେଶ ଦେଉଥିଲେ, ଆତ୍ମ–ସମୀକ୍ଷା କରିବାର ସୁଯୋଗ ଦେଉଥିଲେ । ଅନ୍ତରଙ୍ଗ ହୋଇ ବୟସ୍ୟ ଭୂମିକାରେ ଥାଇ ସେମାନଙ୍କ ହାତରେ ସନ୍ତର୍ପଣରେ, କୌଶଳରେ ଦର୍ପଣଟି ଧରେଇ ଦେଉଥିଲେ, ଯେଉଁଥିରେ ଦିଶିଯାଉଥିଲା ଶାସକର କ୍ଷମତା ଲାଳସାରେ ଝଳଝଳ ଅବିକଳ ମୁହଁଟି । ହାସ୍ୟରସର ପ୍ରଲେପ ଦେଇ ହିତାକାଂକ୍ଷୀ ବିଦୂଷକ ରାଜାଙ୍କର କ୍ଷମତା ବ୍ୟାଧି ଦୂର କରିବା ନିମନ୍ତେ ତିକ୍ତ ଔଷଧ ମଧ୍ୟ ନିଜସ୍ଵ ରୀତିରେ ପରିବେଷଣ କରି ସଫଳ ହେଉଥିଲେ । ଏହି ମଧୁମିଶ୍ରିତ, ହିତକାରୀ, ତିକ୍ତ ଶ୍ଳେଷୋକ୍ତି ଶାସକଙ୍କୁ ତାଙ୍କର ଦୋଷତ୍ରୁଟି ସମ୍ପର୍କରେ ସଚେତନ କରାଉଥିଲା, ରାଜାଙ୍କ ଦୃଷ୍ଟିଭଙ୍ଗୀ ବଦଳାଇ ଦେଉଥିଲା, ପୁଣି ପରିଚ୍ଛନ୍ନ, ହାସ୍ଵୋଜ୍ଜ୍ଵଳ ଆନନ୍ଦ ପରିବେଷଣ କରୁଥିଲା । ତାକୁ ଗଳାଧଃକରଣ କରିସାରିଲା ପରେ ରାଜା ଏକ ଅଭିନବ ଆତ୍ମସମୀକ୍ଷାର ସମ୍ମୁଖୀନ ହେଉଥିଲେ, ନିଜକୁ ନିରେଖିବା ପାଇଁ ମାନସିକ ପ୍ରସ୍ତୁତି ଆପେଆପେ ହୋଇଯାଉଥିଲା । ଯଥାର୍ଥରେ ଭାରବୀ କହିଛନ୍ତି–“ହିତଂ ମନୋହାରୀ ଚ ଦୁର୍ଲଭ ବଚ ।’ ମନୋମୁଗ୍ଧକର ହୋଇଥିବ, ଅଥଚ ବ୍ୟକ୍ତି ଓ ସମାଜପାଇଁ ସମ୍ପୂର୍ଣ୍ଣ ହିତକାରକ ହୋଇଥିବ । ଏଭଳି ବଚନ ବାସ୍ତବରେ ଦୁର୍ଲଭ । ଗୁଣଗ୍ରାହୀ ରାଜା ବିଜ୍ଞ ବିଦୂଷକଙ୍କୁ ଯଥେଷ୍ଟ ସ୍ନେହ ଓ ସମ୍ମାନ କରୁଥିଲେ । ହାସ୍ୟରସ, ଶ୍ଳେଷ ଓ ବ୍ୟଙ୍ଗ ସମାଜର ଚଳଣିକୁ ବଦଳାଇ ଦେଉଥିଲା । ସମ୍ପ୍ରତି ସେ ମଣିଷ ନାହାନ୍ତି, ସେ ଯୁଗ ନାହିଁ ।

 

ମଣିଷ ଆଜି ହସିବାକୁ ବେଳ ପାଇନାହିଁ । ପରିବର୍ତ୍ତିତ ଯୁଗରେ, ଗଣତନ୍ତ୍ରରେ ବିଜ୍ଞାନ ସହ ଦ୍ରୁତ ଯୁଗ ପରିବର୍ତ୍ତନରେ କେତେବେଳେ କିଏ ଶାସକ କିଏ ଶାସିତ, କିଏ ଶୋଷିତ, କିଏ ପ୍ରଚାରିତ–କେତେବେଳେ କାହା ପାଳି । ହାଣ୍ଡିଶାଳରୁ ରାଜଦରବାର ଯାଏଁ ସର୍ବତ୍ର କାହା ହାତରେ କ୍ଷମତା ରଜ୍ଜୁ କେତେବେଳେ ରହୁଛି ତା’ର ଠିକ୍‌ଠିକଣା ନାହିଁ । ତେବେ ସ୍ଵାର୍ଥସିଦ୍ଧି ପାଇଁ, ଆଶୁ ଲାଭପାଇଁ ଇଚ୍ଛୁକ ସ୍ତାବକଙ୍କ ସଂଖ୍ୟା ଏଠି କ୍ରମାନ୍ୱୟରେ ବଢ଼ି ବଢ଼ି ଚାଲିଛି । ବେଳେବେଳେ କୌଶଳେ କାର୍ଯ୍ୟସିଦ୍ଧି–ପରିଣାମ ପ୍ରତି ନିଘା ନାହିଁ । କିଏ ଏଠି ହାସ୍ୟରସିକ ଯଦୁମଣିଙ୍କ ଭଳି ଚେତାଇବ ଶାସକଙ୍କୁ ?

 

“ଅନ୍ଧ ଦେଶକୁ ଗଲି ଦର୍ପଣ ବିକି

କନ୍ଧ ହସ୍ତରେ ଦେଲି ଗୋଧନ ଟେକି

ଜଡ଼ା ମଧୁରେ ଖଡ଼ା କଲି ରନ୍ଧନ

କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ

ହେ ରାଜା ! କି କଲ ? କି କଲ ?

ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ !”

 

ପ୍ରତିପତ୍ତି ସହ ବିପତ୍ତିକୁ ମସ୍ତକରେ ଧାରଣ କରିଥିବା ଶାସକପାଇଁ ମନଖୋଲା ହସ, ଟିକିଏ ଜଞ୍ଜାଳରୁ ବିରତି ଯେ ଅତିମାତ୍ରାରେ ଲୋଡ଼ା, ହସେଇ ରସେଇ ମଧୁର ରସାଳ ବ୍ୟଙ୍ଗ ମାଧ୍ୟମରେ ଚମତ୍କାର ରୀତିରେ ମରମ କଥାଟି କହି ଚେତାଇ ଦେବାର ନୈତିକ ଦାୟିତ୍ୱ ପରିବର୍ତ୍ତିତ ସମାଜରେ ସରସ୍ଵତୀଙ୍କ ଉପାସକ ଲେଖକ ସମାଜ ଉପରେ ନ୍ୟସ୍ତ ସେ ମଙ୍ଗଳ ଆଡ଼କୁ ରାଜ୍ୟକୁ ମୁହାଁଇ ଆଣିବେ । ତେଣୁ ଏ ଯୁଗରେ ରମ୍ୟରଚନାର ଆଦର, ଆବଶ୍ୟକତା, ଉପଯୋଗିତା ଓ ଗୁରୁତ୍ଵ ବହୁଗୁଣରେ ବଢ଼ିଛି । ସ୍ଵାଭାବିକ ଜୀବନଯାତ୍ରା ଏତେ ବେଶୀ ଜଟିଳ, କର୍ମମୁଖର ହୋଇଯାଉଛି ଯେ କୁହା ନଯାଏ । କୌତୁକ, ହାସ୍ୟରସ, ଥଟା ପରିହାସ, ମନଖୋଲା ହସପାଇଁ ପ୍ରାଣ ଆକୁଳ ହୋଇ ଉଠୁଛି । ଟିକିଏ ମୁକ୍ତ ପବନରେ ନିଃଶ୍ୱାସ ନେବା ଆଃ କି ଆଶ୍ଵାସ ! ଟିକିଏ ଆସ୍ଵସ୍ତି, ମନଖୋଲା ବିମଳ ରସଭରା ହସଟିଏ ହସିଦେଲେ । ନିଜକୁ ନିଜେ ସଜାଡ଼ିଦେଲେ ଶ୍ରଦ୍ଧାହିଁ ରାଜତ୍ଵ କରେ, ରାଗଦ୍ଵେଷ ଘୃଣା କୁଆଡ଼େ ଉଡ଼ିଯାଏ । ସେ ସ୍ଵଚ୍ଛ ହସ, ନିର୍ମଳ ପ୍ରାଣଖୋଲା ହସ ବ୍ୟସ୍ତତା ଦୂରେଇଦିଏ । ହାସ୍ୟରସର ଶକ୍ତି ଅତୁଳନୀୟ । ଏହି ସର୍ବବ୍ୟାଧି ବିନାଶକ ଅବ୍ୟର୍ଥ ଔଷଧ-। ଅଦ୍ଭୁତ ଶକ୍ତିଶାଳୀ ହାସ୍ୟରସାତ୍ମକ ରମ୍ୟରଚନା ।

 

ଆଧୁନିକ ଯୁଗର ଏହି ସାହିତ୍ୟିକ ବିଭାଗଟି ଅବ୍ୟର୍ଥ ସର୍ବରୋଗ ନିବାରକ, ଚିତ୍ତ ବିଶୋଧକ, ଆତ୍ମସମୀକ୍ଷକ, ଅତି ମଧୁର ପୁଟଦିଆ ଔଷଧ ପରିବେଷଣ ଦାୟିତ୍ଵ ନେଇଛି । ଅହଂକାର, କ୍ଷମତା ମଦମତ୍ତ ଲଢ଼େଇ ଯୁଗରେ ହାସ୍ୟରସାତ୍ମକ ରଚନା ବେଳେବେଳେ ବେଶ୍‌ ସହଜରେ କାଟୁ କରେ, ଉଭେଇ ଯାଏଁ ଭୁଲ୍‌ ବୁଝାମଣାଜନିତ ଅଯଥା ଯନ୍ତ୍ରଣା, ସମାଜର କୁସଂସ୍କାର, ସଂଘର୍ଷ, ଦୁରାରୋଗ୍ୟ ବ୍ୟାଧି, ଅତ୍ୟାଚାର, ଅନୀତି, ନିର୍ମମ ନିଷ୍ଠୁରତା, ସ୍ୱେଚ୍ଛାଚାରିତା, ଅଭିନୟପଣିଆ–ସବୁ ଊଣା ହୋଇଯାଏ । ମୁଖା ଫିଟିପଡ଼େ । ସମାଜର ଜଡ଼ପିଣ୍ଡରେ ଆଘାତ କରେ ରମ୍ୟରଚନା । ଅଥଚ ଅଲଗା ତା’ର କୋପ–ସେ ଆଘାତ ବେଶ୍‌ ସୁନ୍ଦର, ସତେଜ, ହସଫୁଲ ତୋଡ଼ାର ଲୋଭନୀୟ ଆଘାତ । ସୁଖ ଲାଗେ ଦେହକୁ, ବାଧେ ନାହିଁ । କିନ୍ତୁ ମନକୁ ବାଧେ, ମନକୁ ଦୋହଲାଇ ଦିଏ ନୀରବରେ । ନିରୋଳାବେଳାରେ ସେ କାମ ଆରମ୍ଭ କରେ । ସେ ପଦର ଅର୍ଥ ଗଭୀର । ରୋମନ୍ଥନ କଲେ, ଅନୁଶୀଳନ କଲେ ଠିକ୍‌ ଜାଗାରେ ବାଜିଯାଏ, ଚେତା ପଶେ, ପାଠକକୁ ତା’ର ଦୋଷ ଦେଖାଇ ସଚେତନ କରାଇଦିଏ ରମ୍ୟରଚନା । ଚେତାଇଦିଏ–ଏଇ ଯେଉଁ ନୂଆ ଚଲାବାଟ ତାହା ଖାତ, ବିରାଟ ଖାଲ, ସାବଧାନ, ସତର୍କ ହୁଅ । ନିଜକୁ ସଂଶୋଧନ କର, ଦୂରଦୃଷ୍ଟି ସହ ବିଚାର କର, ସୁଅ ମୁହଁରେ ଭାସିଯାଅ ନାହିଁ । ଆଗକୁ ପଛକୁ ଚାହିଁ । ସମାଜ କୁଆଡ଼କୁ ଯାଉଛି ଦେଖ । ଖାଲି ସମାଜରେ ନୁହେଁ–ପରିବାରରେ–ବ୍ୟକ୍ତିବିଶେଷର ଜୀବନରେ–ହାଣ୍ଡିଶାଳରୁ ରାଜଦରବାର ଯାଏଁ ଏଇ ଦିଆନିଆ, ଘେନାଘେନି, ରାଗରୁଷାର ଲଢ଼େଇ ଚାଲିଛି । ବୁଝାମଣାର ଅଭାବ, ପଡ଼ିଶାଘର ଚଳଣିର ପ୍ରଭାବ । ପୁଣି ଦେଖାଶିଖା ଓଡ଼ିଶା, ବୁଦ୍ଧି ଶିଖେ ପଡ଼ିଶା-। ନୂଆ ମୋହରେ ଆଗପଛ ନ ବିଚାରି ଭୋଗ ପଛରେ ଧାଇଁବାର ସର୍ବଗ୍ରାସୀ ନିଶା ବଢ଼ି ଚାଲିଛି ଯେ ।

 

କେତେ ସୁନ୍ଦର, କୋମଳ, ଜୀବନକୁ ପରସ୍ପର ସମ୍ପର୍କକୁ ତିକ୍ତ କରିଦେଉଛି ଏହି ନିଶା ପରିବର୍ତ୍ତିତ ଯୁଗକୁ ଅବାଟ ଆଡ଼କୁ ମୁହାଁଇ ନେବାରେ ସାହାଯ୍ୟ କରୁଛି । ଶ୍ରଦ୍ଧାରେ ଆକଟ କରି, ବୋଲ ବତେଇ, ତିଆରି, ସ୍ନେହରେ ଦିପଦ କହି ହସି ହସି ଆଖିରୁ ଏ ପରଳ ପୋଛିଦେବା ପାଇଁ ପ୍ରୟାସ କରିଛି ଅତି ସନ୍ତର୍ପଣରେ । ମୋର ଓ ଘର ବାହାରକୁ ସଜାଡ଼ି ନେବାର ଐକାନ୍ତିକ ଆଗ୍ରହ ରୂପାୟିତ ହୋଇଛି କେତୋଟି ରମ୍ୟରଚନାରେ । ମୋ ଶାଶୁକୁ ମୁଁ ଚିହ୍ନିଛି–ଚିହ୍ନିଛି ମୋ ନାତୁଣୀକୁ–ଚିହ୍ନେଇବାର ଚେଷ୍ଟା କରିଛି । ପ୍ରାଚୀନ ସରି ସରି ଆସୁଥ‌ିବା ଯୁଗ, ଆଉ ନୂଆ ଯୁଗ ପୂରା ଅତ୍ୟାଧୁନିକ ଯୁଗ–ତା’ ଭିତରେ ଥିବା ବ୍ୟବଧାନକୁ ଯୋଡ଼ିବାର ପ୍ରୟାସ କରିଛି ।

 

ଖାଲି ବୁଝାମଣାର ଅଭାବ–ସବୁ ଅଛି ଜୀବନରେ କିଛି ହଜିଯାଇନି–ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଲୋଡ଼ା । ହାସ୍ୟରସର ପୁଟ ଦେଇ ବୋଉ ତୁଣ୍ଡରୁ, ଶୁଣିଥିବା ଢଗ ମିଳେଇ ଥୋଇଦେଇଛି ସମୃଦ୍ଧ ଓଡ଼ିଆ ଭାଷାର ଲୋକ ଅନୁଭବରୁ ଜାତ କେତେକ ବିଚାର । ସାହିତ୍ୟ, ପ୍ରବାଦ ଓଡ଼ିଆ ଢଗଢ଼ମାଳି, ଲୋକଗୀତ ଢାଞ୍ଚାରେ ତରଳ ପରିବେଷଣବି କରିଛି । ତା’ରି ଆଶ୍ରା ନେଇ ମୁଁ ଯୁଗଯନ୍ତ୍ରଣାକୁ ଊଣା କରିବାପାଇଁ କଲମ ଧରିଛି–ପରଶିଛି ମନକଥା–ମିଠା ଔଷଧ–ଭଲ ହୋଇଯାଉ ମୋ ସମାଜର ବ୍ୟାଧି–ପଦୁଟିଏ ଢଗରେ । ସର୍ବୋପକାରକ୍ଷମ ଔଷଧ ରମ୍ୟରଚନା କେତେ ଶିକ୍ଷା ସେ ଦିଏ– ଏତେ କଥା ଛପିଛି ଯେ ବୁଝିବା ଶୁଝିବା ମଣିଷକୁ ଇସାରାବି ଯଥେଷ୍ଟ–ଏଇ ସତ୍ୟଟି ଉକୁଟି ଉଠେ ମା’, ବୁଢ଼ୀମା'ଙ୍କ ତୁଣ୍ଡରୁ ଶୁଣିଥିବା ଚିରନ୍ତନ ସତ୍ୟଧର୍ମୀ ଅଗଣିତ ଚଳନ୍ତି ଢଗଢ଼ମାଳି ଭିତରେ ।

 

ସମାଜ, ପରିବାର ଓ ବିଭୁଦତ୍ତ ସୁନ୍ଦର ଜୀବନ ଯୋଡ଼ିଯାଡ଼ି ଦେଲେ କେତେ ସତେଜ ! ତାକୁ ନିରାମୟ କରିବାର ଶୁଦ୍ଧ ଆକାଂକ୍ଷା ନେଇ ୧୯୫୫ରୁ ମୁଁ ବ୍ୟଙ୍ଗାତ୍ମକ ଲଘୁ–ସାହିତ୍ୟର ଅଙ୍ଗ ରମ୍ୟରଚନାରେ ହାତ ଦେଇଛି । ଆକାଶବାଣୀରେ ପ୍ରଚାରିତ ହୋଇଛି ମୋର ବହୁ ରମ୍ୟରଚନା, ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ତତୋଽଧିକ । କେତେ ସହୃଦୟ ପାଠକ–ପାଠିକା ପ୍ରସ୍ତାବ ଦେଇଛନ୍ତି ବହି କରି ଛାପିବାପାଇଁ । ୪୦ ବର୍ଷର ସୃଷ୍ଟି ମୋର ପୁସ୍ତକ ରୂପରେ ଆତ୍ମପ୍ରକାଶ କରିବ, ସେ ସୌଭାଗ୍ୟ ହୋଇ ନଥିଲା ଆଜିଯାଏ । ଅବଶ୍ୟ ମୋର ହେଲା ଏହାର ମୁଖ୍ୟ କାରଣ । ସମୟ ଆସିଲା, ପରିଶେଷରେ ପ୍ରକାଶକ ବନ୍ଧୁ ଚନ୍ଦ୍ରଶେଖରବାବୁ ବାରମ୍ବାର ତାଗିଦ ଦେଇ ଦେଇ ମୋ’ଠାରୁ ରମ୍ୟରଚନା ସଂକଳନ ପାଇଁ ଲେଖା ନେଇପାରିଛନ୍ତି–ପୁସ୍ତକ ଆକାରରେ ଛାପିଛନ୍ତି, ଏହା ତାଙ୍କର କୃତିତ୍ଵ । କୃତଜ୍ଞତା ତାଙ୍କୁ ଜଣେଇବେ ପାଠକ–ପାଠିକା, ମୋତେ ନୁହେଁ, ଯେଉଁମାନେ ଗୋଟିଏ ବହିରେ ମୋ ଲେଖାଗୁଡ଼ିକୁ ଦେଖିବାକୁ ଚାହୁଁଥିଲେ । କେତୋଟି ସମଧର୍ମୀ ରମ୍ୟରଚନାର ସଂକଳନ “ହାଣ୍ଡିଶାଳରୁ ରାଜଦରବାର” ମୋର ହାଣ୍ଡିଶାଳର ଭଉଣୀମାନଙ୍କ ପାଇଁ, ରାଜଦରବାରରେ ଆତଯାତ ହେଉଥ‌ିବା ସବୁ ମଣିଷଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ । ଯଦି ଆମ ସାମାଜିକ ଚଳଣିରେ, ବୁଝାମଣାରେ କିଛି ପରିବର୍ତ୍ତନ ଆସେ, ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ପରିବେଶ ପ୍ରଦୂଷଣମୁକ୍ତ ହୁଏ, ପାଠକ–ପାଠିକା କିଛି ମନଖୋଲା ଆନନ୍ଦ ପାଆନ୍ତି ତେବେ ସେହି ହେବ ମୋର ନିଜସ୍ଵ ପ୍ରାପ୍ତି । ସଂସ୍କୃତି, ମୂଲ୍ୟବୋଧ ସହ ଯୋଗସୂତ୍ର ରଖି ଆଧୁନିକ ଯୁଗର ଅଗ୍ରଗତିରେ ଆପଣାକୁ ମିଳେଇଦେଇ ଆଗକୁ ସାହସର ସହ ମାଡ଼ିଚାଲିଲାବେଳେ ଯଦି କିଛି ଖଟ୍‌କା ଲାଗିବ, ପ୍ରତିବନ୍ଧକ ଆସିବ, ଯଦି ଅବାଟରେ କଣ୍ଟା ଫୋଡ଼ିହେବ, ସେ ଯନ୍ତ୍ରଣା ଊଣା କରିବାରେ ମୋ ରଚନା ସାହାଯ୍ୟ କରିପାରିଲେ ମତେ ସୁଖ ଲାଗିବ, ମୋ ମନ ଭରିଯିବ । ସମବେଦନାର ଢେଉରେ ଆପଣାକୁ ଓ ଆଖପାଖର ସମସ୍ତଙ୍କୁ ଭିଜାଇ ଦେବାରେ ‘ହାଣ୍ଡିଶାଳରୁ ରାଜଦରବାର’ ଟିକିଏ ସାହାଯ୍ୟ କରୁ । ସୁନ୍ଦର ହେଉ ସମସ୍ୟାବହୁଳ ଜୀବନ, ଭୂମିରୁ ଭୂମା ଭିତରେ ସ୍ଥାପନ ହେଉ ଯାଗସୂତ୍ର !

 

କାର୍ଟୁନିଷ୍ଟ୍‌ ଆୟୁଷ୍ମାନ୍‌ ଜ୍ଞାନ ପ୍ରଚ୍ଛଦପଟ ଓ ଚିତ୍ରାବଳୀ ସନ୍ନିବେଶିତ କରିଛନ୍ତି, ସଜାଡ଼ି ଥୋଇଛନ୍ତି, ସହାୟତା କରିଛନ୍ତି । ପାଠକ–ପାଠିକା ପଢ଼ନ୍ତୁ, ସେମାନଙ୍କୁ ଭଲ ଲାଗିଛି ଜାଣିଲେ ମୋର ଆଉ ଖେଦ ନାହିଁ । ମୋ ରଚନାର ଶ୍ଳେଷ ସମାଜରୁ ଓ ଜୀବନରୁ କ୍ଳେଶ ଲିଭାଇବାରେ କିଞ୍ଚିତ୍‌ ସାହାଯ୍ୟ କରିପାରିଲେ ମୋର ଲେଖନୀ ସାର୍ଥକ ହେବ ।

 

–ଲେଖିକା

✽✽✽

 

ହାଣ୍ଡିଶାଳରୁ ରାଜଦରବାର

 

କ୍ଷମତା କଥାଟିକୁ ନେଇ କାଳେ କାଳେ ହାଣ୍ଡିଶାଳରୁ ରାଜଦରବାର ଯାଏଁ ଲଢ଼େଇ ଚାଲିଆସିଛି । କ୍ଷମତା ବୋଇଲେ ଠିକ୍‌ କେଉଁ କଥାକୁ ବୁଝାଏ, ତାହା ନେଇ ହୁଏତ ମତଭେଦ ଦେଖାଦେଇପାରେ । ଏହି କ୍ଷମତା କେମିତି ଜିନିଷ କେଜାଣି, ତାକୁ ଜାବୁଡ଼ି ଧରିବାକୁ ସବୁ ଲୋକଙ୍କ ଲୋଭ । ଶାଶୁ–ବୋହୂ ଲଢ଼େଇ ମଝିରେ ଏଇ କ୍ଷମତାହିଁ ଲୁଚିକରିଥାଏ ।

ଘରର ମାଲିକାଣୀ ଶାଶୁ, ତାଙ୍କର ଅଖଣ୍ଡ କ୍ଷମତା । ସିଏ କହିଲେ ଚକୁଳି ହେବ, ସିଏ ମନା କଲେ ଏଣ୍ଡୁରି କରିବାକୁ, ବୋହୂର ଚାରା ନାହିଁ । ମୁଗ ଡାଲି ପଡ଼ିବ, ହରଡ଼ ଡାଲି କି ମସୁର ଡାଲି ହେବ, ସେ ଡିସିସନ ବା ନିଷ୍ପତ୍ତି ଖୋଦ୍‌ ଶାଶୁଙ୍କ ହାତରେ । ସେ ଘରର ଉପରେ ଘରଣୀ । ରୋଷେଇଶାଳ ତାଙ୍କ ଇଲାକା । କଲରା ଚେକିଚେକି ହୋଇ କଟା ହେବ ନା ଲମ୍ବା ଲମ୍ବା ହୋଇ କଟା ହେବ, ତହିଁରେ ଆଳୁ ପଡ଼ିବ କି ନାହିଁ, ସିଝା ହୋଇ ଅଳପ ତେଲରେ ଖୁଡ଼ୁଖୁଡ଼ା ହେବ ନା ଛଣା ହେବ, ଏସବୁ ସିଦ୍ଧାନ୍ତ ନେବେ ଶାଶୁ, କିନ୍ତୁ ସବୁ କାମ କରିବ ବୋହୂ । କଥା କଥାକେ ଗାଁ ମାଇପିମାନେ କହନ୍ତି–ଆଲୋ ମୁଣ୍ଡ ଉପରକୁ ଶାଶୁ ଅଛନ୍ତି । ସେ ମାରିଲେ ମାରିବ, ତାରିଲେ ତାରିବ । ମାଡ଼ିମୁଡ଼ି ହୋଇ ସଢ଼ିସାଢ଼ି ଯିବ । ତା’ରି ହାତଟେକାକୁ ଚାହିଁଥିବ । ଫିଟିଫାଟି ଚଳିବ କିମିତି ? “ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର ହୋଇ କାହାକୁ ମାରିବ ମାରୁଥାଏ ଚୁଲି ମୁହଁକୁ-।” ଅଧିକାର ନାହିଁ ମନଇଚ୍ଛାରେ ପଞ୍ଚଫୁଟଣ ଟିକିଏ ଅଧିକ ଫୁଟେଇଦେବ । ଚାଉଳବଟା ଗୋଳେଇ ଛୁଇଁ ମସମସ କରି ଭାଜିବ; ଯଦିଓ ବାଡ଼ିପଟ ଗଛ ଛୁଇଁରେ ଫାଟିପଡ଼ୁଛି । ହେଲେ ଛୁଇଁ ଭଜା ହେବ କି ସନ୍ତୁଳା ହେବ କି ଆମ୍ବୁଲ ପଡ଼ି ବେସର ପାଣି ହେବ ତାହା ଠିକ୍ କରିବା ମଣିଷ ଯାହା ହାତରେ କ୍ଷମତା I ସିଏ ମାଲିକିଆଣୀ, ତାକୁ ମୁରବି କୁହ ବା ହାକିମ କୁହ ବା ସର୍ବେସର୍ବା କୁହ । ତାଙ୍କର ହାତରେ ଦଉଡ଼ି, ସିଏ ଯେପରି ଟାଣିବେ ସେପରି ନାଚିବ । ତମକୁ ଭଲ ନାଚି ଆସୁଥିଲେବି ଚାରା ନାହିଁ । ଆପଣା ମନ ଅନୁସାରେ ବୁଦ୍ଧି ବିଚାର ଖଟେଇ କାମଟି କରିବ–ସେ ଭାତ ତିଅଣ ରନ୍ଧା ହେଉ, ଘର ସଜା ହେଉ, ଦାଣ୍ଡରୁ ହାଟରୁ ବିକାକିଣା କଥା ହେଉ ବା ରାଜ୍ୟ ଚଳେଇବା ହେଉ, ସବୁ ସେଇ ଗୋଟିଏ ବିନ୍ଦୁଙ୍କୁ କେନ୍ଦ୍ର କରି । ଯାହା ନାମ କ୍ଷମତା, ଯାହାର ବ୍ୟାସାର୍ଦ୍ଧ ବଢ଼ି ବଢ଼ି ଏଡ଼ିକିରୁ ଏଡ଼ିକି ହୁଏ । ଛୋଟିଆ ବୃତ୍ତିରୁ ବିରାଟ ହୁଏ, ପରିସର ବଢ଼େ-। ଗୋଟିଏ ଘରେ ଗୋଟିଏ ଗାଁ, ଗୋଟିଏ ଗାଁରୁ ଗୋଟିଏ ରାଜ୍ୟ, ପୁଣି ରାଜ୍ୟରୁ ଦେଶ ଓ ଦେଶରୁ ପୃଥିବୀ । ଯାହା ହାତରେ କ୍ଷମତା ସେଇ ସମସ୍ତଙ୍କୁ ବାଟକଢ଼େଇବ, ତା’ରି କଥାରେ ସମସ୍ତେ ଚାଲିବେ । କ୍ଷମତା ଶବ୍ଦଟା ଗୋଳମାଳିଆ । କୁଆଡ଼େ ପୁରାକାଳରେ ଉତ୍ତରାଧିକାରୀ ସୂତ୍ରରୁ କ୍ଷମତା ଆସୁଥିଲା ।

“ଶାଶୁ ପାଳି ଶାଶୁ ପାଳି

ଯେବେ ଆସିବ ବୋହୂ ପାଳି

ତେବେ ଶାଶୁ ବସି ଗଡ଼ଉଥିବ ମାଳି ॥”

କଥାଟିର ଅର୍ଥ ହେଲା–ସାମର୍ଥ୍ୟ ବା ଯୋଗ୍ୟତା, ଯାହା ଉପରେ କ୍ଷମତା ନିର୍ଭର କରେ-। ସେ ଚିରସ୍ଥାୟୀ ନୁହେଁ । ଆଜି ଯାହାର ଅପରିସୀମ କ୍ଷମତା ଅଛି, କାଲି ତାକୁ ଆଡ଼ଆଖିରେ କେହି ଚାହୁଁ ନାହାନ୍ତି । ସେଇ ମଣିଷ ରହିଛି, ଅଥଚ ସେହି ଅଦୃଶ୍ୟ ଶକ୍ତି ଟିକକ ତା’ଠାରୁ କିଏ କାଢ଼ି ନେଇଛି; ଯାହା ବଳରେ ସିଏ ମାନସମ୍ମାନ ପାଉଥିଲା, ସମସ୍ତେ ତାକୁ ଡରିଥରି ରହୁଥିଲେ, ତା’ରି କଥାରେ ବସଉଠ ହଉଥିଲେ । “ତ୍ରିଗୁଣ ରଜ୍ଜୁ ହସ୍ତେ ଧରି, ମୃଗୀ ନଚାଏ ନରହରି” ଭଳି କେଡ଼େ କେଡ଼େ ଲୋକଙ୍କୁ ସିଏ ଆଙ୍ଗୁଠି ଅଗରେ ନଚାଉଥିଲା । ଆହାଃ ! ଏବେ କେଉଁ କଣରେ ପଡ଼ିଛି-। ମଣିଷଟେ ବୋଲି କେହି ବିଚାରୁ ନାହାନ୍ତି । ସିଏ କେତେ ଲୋକଙ୍କୁ ହାତଟେକି ଦେଉଥିଲା- ଏବେ ସେ ପରା ପରହାତ ଟେକାକୁ ଚାହିଁ ପଡ଼ିରହିଛି । ଆଲୋ, ଆଉ ସେ ତେଜ ନାହିଁ । ଏବେ ପେଜ ମିଳୁନାହିଁ । ମୁରବିପଣିଆ ସରିଲାଣି, ସେକାଳ ପଖାଳ ଗଲାଣି । କ’ଣ କହନ୍ତିନି–, ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା ଥାଇ ବୋଇଲା ମୋ ଦିନ କାଳ ଆସୁଛି । ଶାଶୁଙ୍କ ମାମଲତ୍‌କାରପଣିଆରେ ଛଟପଟ ହୋଇ ଯାଉଥିବା ବୁଦ୍ଧିମତୀ ବୋହୂକୁ ତାଙ୍କ ଜନମ କଲା ଜନନୀ ବୋଧ ଦିଅନ୍ତି– “ଆଲୋ ତୁନି ହଅ, ଏବେ ଚାବି ଲେନ୍ଥାକ ତା’ ହାତରେ । ସିଏ ପରା ସର୍ବେସର୍ବା ହୋଇଛି । ଟିକିଏ ଥୟଧର ଆଉ କେତେ କାଳ । ଏ ବେଳ ରହିବ ନାହିଁ କି ଏ କାଳ ରହିବ ନାହିଁ । ସେଇ ଦେଖିବୁ ମାଡ଼ିମୁଡ଼ି ସାତ ଚଉତ ହୋଇ ତୋରି ଆଶ୍ରାରେ ପଡ଼ିବ-। ତୋ ହାତଓଠ ଧରିବ । ସେତେବେଳେ ତୁ ହେବୁ ଘରଣୀ । ତୋଠି କ୍ଷମତା ରହିବ । କ୍ଷମତା ସବୁଦିନ ଶାଶୁ ହାତରେ ନଥିବ । ସେ ବି ଦିନେ ବୋହୂ ଥିଲା । ଏବେ ତା’ପାଳି ପଡ଼ିଛି । ଶାଶୁ ହୋଇ ଓରମାନ ମେଣ୍ଟାଉଛି । ବଳ ଖସିଗଲେ ଆଣ୍ଟପଣ ଆପେଆପେ ଭାଜିବ । ନା କାହା ମୁହଁକୁ ନା ଗୋସେଇଁ ମୁହଁକୁ ।

ଏ ଗୋସେଇଁଟି କିଏ ? ଏଇ ହେଲେ କ୍ଷମତାର ଉତ୍ସ । ଯେଉଁଠୁ କ୍ଷମତା ଝରେ । କୁଆଡ଼େ କୁହାଯାଇଛି ପତିତପାବନୀ ଗଙ୍ଗାଙ୍କ ଉତ୍ସ ହେଲା ମହାଦେବଙ୍କ ଜଟା । ଜଟାରେ ସ୍ଥାନ ପାଇଛନ୍ତି ବୋଲି କଳକଳ ଛଳଛଳ ହୋଇ କିଛି ବାଧା ନ ମାନି କେତେ ପାହାଡ଼ ପର୍ବତ ଡେଇଁ ବହି ଯାଉଛନ୍ତି କଲ୍ୟାଣମୟୀ ମନ୍ଦାକିନୀ । କେତେ କ୍ଷେତକୁ ଶସ୍ୟଶ୍ୟାମଳ କରୁଛନ୍ତି । ଉତ୍ସ ହେଲା କଲ୍ୟାଣମୟ ଶିବଙ୍କର ଜଟା । ତେବେ ପ୍ରଶ୍ନ ଉଠୁଛି କ୍ଷମତାର ଉତ୍ସ କିଏ ? କାହାର ଜଟା ? ତାଙ୍କ ନାଁ କ’ଣ ? ତା’ର ସଂଜ୍ଞା କ’ଣ ? ରୂପରେଖ କ’ଣ ? ବଡ଼ ଗୋଳମାଳିଆ ପ୍ରଶ୍ନ । ଅବଶ୍ୟ ଆମ ଗାଁଗହଳରେ କହନ୍ତି– ଆଲୋ ତାକୁ ତ ତା’ ବର ମୁଣ୍ଡେଇଛି, ସେ କିଆଁ କାହାକୁ ମାନିବ ? ମାଡ଼ିମକଚି ସବୁଥିରେ ଆଗକୁ ପଳାଉଛି । ଜବରୀ ହୋଇ ଶାଶୁପଣିଆ କରୁଛି । ଖୁଣ୍ଟ ବଳ ଥିଲେ ଗାଈ କୁଦେଇ ହୋଇ ଆଣ୍ଟପଣ ଦେଖାଏ । ଖୁଣ୍ଟ ଦମ୍ଭିଲା ନଥିଲେ ଦି’ଥର କୁଦେଇ ହେଲେ ଖୁଣ୍ଟ ଭୁଶୁଡ଼ି ପଡ଼ିବ, ପଘା ଛିଡ଼ିପଡ଼ିବ, ଖାସା କଚଡ଼ାଟେ ଖାଇବ । ଆଲୋ, ସବୁରି ମୂଳରେ ଦମ୍ଭିଲା ଖୁଣ୍ଟ । ବରମୁଣ୍ଡରେ ଥାନ ପାଇଛି ବୋଲି ପାଞ୍ଚଖଣ୍ଡ ହୋଇ ଚାଲୁଛି । ଏଇ ବୋଧେ ଗଙ୍ଗା ପ୍ରତୀକର ଅପଭ୍ରଂଶ ଲୋକ ମୁଖରେ ପ୍ରଚଳିତ ଅସଲ କଥାର ମଞ୍ଜି । ହେଲେ ଇଏବି ସବୁବେଳେ ଠିକ୍ ନୁହେଁ । ବିଧବା ଶାଶୁ, ଶାଶୁପଣିଆ ଦେଖାନ୍ତି କେମିତି । କାହା ବଳରେ କ୍ଷମତାକୁ ଧରି ରଖନ୍ତି-? ଏତେବେଳେ କ୍ଷମତାର ଉତ୍ସ ଜଟା ନ ହୋଇ ହୁଏ ଟଙ୍କା । ଟଙ୍କାବଳ ଯାହାର, ଧନବଳ ଯାହାର, ରାଜ୍ୟ ତାହାର । ଶାଶୁଙ୍କ ହାତରେ ମହାଲକ୍ଷ୍ମୀ ପେଡ଼ି । ସୁନା ଜମି ସବୁ ତାଙ୍କରି ନାଆଁରେ କରି ଦେଇଛନ୍ତି । ବୋହୂମାନଙ୍କ ମଧ୍ୟରେ ବାଦବୁଦିଆ ଚାଲେ । କିଏ ଶାଶୁଙ୍କୁ ପଟକାପଟକି କରି ଦିପଇସା ହାତପଇଠ କରିପାରିବ । “କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର, ରାନ୍ଧି ଜାଣିଲେ ତିଅଣ ସୁନ୍ଦର ।” ଚହଟଚିକଣ ମନଭୁଲାଣିଆ କଥା କହି ଶାଶୁଙ୍କୁ ତୋଷ କରିବା ସହଜ ନୁହେଁ । ତୋଷ କରିବାର ସହଜ ଉପାୟ ହେଲା, ତୁମ ଆଗ ସୁନ୍ଦର, ତୁମ ପଛ ସୁନ୍ଦର, ତୁମ୍ଭେ ହର୍ତ୍ତାକର୍ତ୍ତା ଦୈବ ବିଧାତା, ତୁମ ତୁଣ୍ଡ କଥାକୁ ତଳେ ପକାଇବାକୁ ଜଗତରେ କେହି ଜନମି ନାହିଁ । ଅର୍ଥାତ୍ ତମ ହାତରେ କ୍ଷମତା ଜନମି ଅଛି, କ୍ଷମତା ଆଉ । ତୁମେହିଁ କ୍ଷମତାର ଅଧିକାରୀ ହେବାକୁ ଯୋଗ୍ୟ । ତେଣୁ ବୋହୂର ଶାଶୁଙ୍କୁ ଦଣ୍ଡବତ, ବେଳେବେଳେ ଗୁରୁଜନଙ୍କୁ ଦଣ୍ଡବତ ନ ହୋଇ କ୍ଷମତାକୁ ଦଣ୍ଡବତ ହୋଇଥାଏ ।

“କ୍ଷମତା ବଡ଼ ପାରିବାର

ଚରଣେ କର ତୁ ଜୁହାର ।

କ୍ଷମତା ବଳେ ସର୍ବସିଦ୍ଧି

ତରଇ ସଂସାର ବାରିଧି ।

କ୍ଷମତା ବଳେ ସବୁ ଶାସ୍ତ୍ର

ନ ପଢ଼ି ହୁଏ ଜ୍ଞାନବନ୍ତ ।

କେ ବର୍ଣ୍ଣେ କ୍ଷମତା ମହିମା

ଅପରିସୀମ ତା’ର ସୀମା ।”

 

ଚତୁରୀ ବୋହୂ କ୍ଷମତା ଖିଅ ଧରିବାପାଇଁ ବାଟ ସଫା କରେ, ଯାଉଣୁ ଆସୁଣୁ ଶାଶୁଙ୍କୁ ଟେକାଟେକି କରୁଥାଏ–‘ତମପରି କିଏ ହେବ, ଉଡ଼ିଯାଉଥିବା ସୁବର୍ଣ୍ଣ ଚଢ଼େଇ ଧରିଆଣି କିଏ ଦେବ ?’ ତମେ ବିଚାରିଲେ ଘଡ଼ିକେ ଗୋଟାରାଇଜ ଥରହର କମ୍ପିବ । ଉଷୁନା ଧାନ ଗଜା ହେବ । ତମକୁ ଦେଖିଲେ ଗର୍ଭିଣୀ ଗାଈ ବାଟ ଛାଡ଼ିଦେବ । ତମେ ମାରିଲେ ମାରିବ, ତମେ ତାରିଲେ ତାରିବ, ଉଦ୍ଧାରିଲେ ଉଦ୍ଧାରିବ । ତମେ ନ ଚାହିଁଲେ ରାଇଜ ଭାସିଯିବ । ସବୁ ତମର, ଏଇହେଲା ଅସଲ ଔଷଧ : କ୍ଷମତାରୁ ଝରୁଥିବା ମହୁ ପାଇବାପାଇଁ । ଯିଏ ଏମିତି ମନ କିଣି କଥା ନ କହି ପାରିଲା, ବେଳ କାଳ ଉଣ୍ଡି ଶାଶୁଙ୍କ ଗୋଡ଼ ଘଷି ନ ପାରିଲା, ସିଏ କ୍ଷମତା ଲଢ଼େଇରେ ହାରିଗଲା-। ଶାଶୁ କହିଲେ, ଆଲୋ, ସେଇଟା କି ମଣିଷ, ଘୁଷୁରିଟେ । ପିଲା ମେଞ୍ଚେ ଜନମ କରିଛି, ଦିନରାତି ଖଟୁଛି । ଘୁଷୁରିକୁ ପଙ୍କ ସୁଖ । ହେଲେ ଘରଣୀ ହେବ ମୋର ସାନ ବୋହୂ । ସାନ ହେଲେ କ’ଣ ହେଲା, ତା’ଠିକଣାପଣିଆ କହିଲେ ସରିବ ନାହିଁ-। ଚାରିଆଡ଼କୁ ଆଖି । ପାନରୁ ଚୂନ ଖସିବ ନାହିଁ-। ମୋ ଗୋଡ଼କୁ ଚାହିଁଥିବ । ଝୁଣ୍ଟିପଡ଼ିଲେ ତୋଳି ଆଣିବ । ଗଲାଅଇଲା ତାକୁ କିଛି ଅଛପା ନାହିଁ । ମତେ ନ ପଚାରି ଠାଆଟେ କରିବ ନାହିଁ । ମୋ ପିଛା ଧରିଥିବ । ଗୋଡ଼େଇ ଗୋଡ଼େଇ ସବୁ ଶିଖିବ । କ’ଣ କହିବି ତା’ କଥା । କୋଉ ପୁରାଣ ବହିପଢ଼ି, କୋଉ ଜ୍ୟୋତିଷଠୁ ବୁଝି ମୋତେ ଏତେବଡ଼ ଏକାଦଶୀରେ ଚାହା ପିଆଇ ଦେଲାନା । ଜୀବନ ପଶିଲା । ମୁଁ ତ ନିୟମିତ କାଷ୍ଠା ଉପାସ କରେ ।”

 

ଶୁଣୁ ଶୁଣୁ ବୁଦ୍ଧିମତୀ, କ୍ଷମତାକୁ ଧରିବାରେ କୁଶଳୀ ବୋହୂ କଥା ପଡ଼ିଶା ଘର କାନକୁ ଗଲା । “ଆଲୋ ପାଠ ପଢ଼ିବ ତ ଇମିତି ! ଦେଖୁନ, ଧନ ସାରି ତା’ ବୋପା ମାଆ ପାଠ ପଢ଼େଇଥିଲେ ବୋଲି ମହତ୍‌ ରଖିଲା । କଥାରେ କହିଛି ପରା ‘ଦୁହିତା ଦୁଇ କୁଳକୁ ହିତା, ନହେଲେ ଦୁଇ କୁଳକୁ ପିତା ।” ହେଲେ ଏ ଝିଅ ବକଟକ ହେଲା ଜଗତ୍‍ଜିତା । ଯୋଉ ରାଢ଼ ଶାଶୁ, ତୁଣ୍ଡରେ ବାଡ଼ବତା ନାହିଁ, ରାଗିଗଲେ ରଣଚଣ୍ଡୀ ଘଡ଼ିକେ । ଘରେ ନିଆଁ ଲଗାଇଦେବ । ପୁଣି ହାତରେ ଅଛି ଧନ । ତାକୁ ସମ୍ଭାଳିବା କ'ଣ ପାଖରେ ପଡ଼ିଛି ? କାଷ୍ଠା ଉପାସ କରି ଭୋକରେ ବୁଢ଼ୀର ପେଟ ଜଳିଲାଣି । ସବୁରି ଉପରେ ଟାଙ୍କେ ଲେଖା ଶୋଧା ବରଷି ଦେଲା । ଘରଟା ପକେଇଲା ଉଠେଇଲା । ଅଣ୍ଡିରିପୁଅ କେତେ ସହିବ ? ମାଆ ପୁଅଙ୍କର ହାତାହାତି ହୋଇଯାଇଥାନ୍ତା, ବରକୁ ବୁଝାଶୁଝା କରି କୁସଜରେ ଦାଣ୍ଡକୁ ପଠେଇଦେଲା କେଜାଣି, ମାନ ରହିଗଲା ! ଆଲୋ କି ସୁନ୍ଦର ଏବ ଯୁଗର ଭାଗବତ ବୋଲି ଶାଶୁକୁ ବୁଝାଇଲା । କଥାରେ କହିଛି ପରା ଯୁଗଧର୍ମ । ଯୁ ଯୁଗକୁ ଯୁ କଥା, ଭିଆଣ କରିଛି ବିଧାତା । ସେ କାଳେ ନଥିଲା, ହେଲେ ଏ କାଳେ ଇଲିଆଲି ଲୋକଠୁ ଆରମ୍ଭ କରି, ରାଜରାଜୁଡ଼ା ପର୍ଯ୍ୟନ୍ତ କିଏ ଭଲା ଚା’ ନ ପିଇଛି ? ସିଏ ତ ଗଙ୍ଗାଜଳ ହେଲାଣି । ସକାଳୁ ଆଗ ଚାହା ପୂଜା, ତା’ପରେ ଯାହା ପୂଜା ।

 

ସତକଥା ଚହଳ ପକାଇବା କଥା । ବୁଦ୍ଧିମତୀ ବୋହୂ ଶାଶୁଙ୍କୁ କହିଲେ, ଏବେ କଳିଯୁଗରେ ଭାଗବତରେ ନୂଆ ଅଧ୍ୟାୟଟେ ଯୋଡ଼ା ହେଲାଣି । ଉପାସରେ କିଛି ନଖାଇଲେବି ଚାହା ପିଇବାକୁ ପଡ଼ିବ; ତାହା ବିଧି । ଏହା କହି ନୂଆ ଭାଗବତରୁ ଅଧ୍ୟାୟେ ବୋଲି ଦେଲେ । ବୁଢ଼ୀ ତ ଖୁସ୍‌ । “ମଳୁ ଖୋଜୁଥିଲା କାକର ପାଣି, ବଇଦ କହିଲା ଦିଅ ତୋରାଣି” । ବୁଢ଼ାଙ୍କ ମନ–କିଏ ହେଲେ କହିଦିଅନ୍ତା ଚାହା ଟିକିଏ ପିଇଦିଅ । ସକାଳୁ ପଥୁରିଏ ଚାହା ତାଙ୍କର ଲୋଡ଼ା । ଶାଶୁଙ୍କ ମନ ଜାଣି ବୋହୂ ବୋଇଲେ–ଚା’ ଭାଗବତ !

 

‘ହସି କହିଲେ ପୀତବାସ

ଚାହା ପିଇଲେ ନାହିଁ ଦୋଷ ।

ଯେ ନାରୀ ନିତି ପିଏ ଚାହା

ଜଗଦୀଶ ଯେ ତା’ର ସାହା ।

ସକାଳୁ ଉଠି ଯେଉଁନାରୀ

ଚାହା କରିବ ଯତ୍ନ କରି

ଶାଶୁ ଶଶୁରଙ୍କୁ ଯେ ଦେବ

ପତିଙ୍କୁ ତହୁଁ ପରଶିବ ।

ତା’ପରେ ଆପଣେ ପିଇବ

ମନେ ବିକାର ନ ଘେନିବ ।

ଉପବାସରେ ଯେଉଁ ନାରୀ

ନ ପିଏ ଚାହା ଜିଦ୍‌କରି

ତା'ଠାରେ ଦିଅଁ ନୁହେଁ ତୋଷ

ଚାହା ଯେ ପ୍ରଭୁଙ୍କ ଆଶିଷ ।

ଶୁଣହେ ଚାହାର ମହିମା

ଉଦ୍ଧବ ମାନିବ ମେ। ମନା ।

ଚାହାକୁ ହେୟ ନ ମଣିବ

ଚେତନ ସତ୍ତା ସେ ଜାଣିବ ।

ଏସନ ଭାଷି ଚକ୍ରପାଣି

ଉଦ୍ଧବେ ଚାହା ଦେଲେ ଆଣି ।

ଉଦ୍ଧବେ ପିଇ ଗଦଗଦ

ବିନୟେ କହିଲେ ମାଧବ ।

ଚାହାର ଗୁଣ କରି ଗାନ

କେବେହୁଁ ହେଲା ଏ ପ୍ରଧାନ ।

କେ ପାନ କରି କିସ କଲେ

ମେଣ୍ଟାଅ ମୋର କୁତୂହଳେକ ।”

 

ତା’ପରେ କୁଆଡ଼େ କେଉଁ ମହାତ୍ମାଙ୍କଠାରୁ ଶୁଣିଥିବା ଚାମୁଣ୍ଡା ଉପାଖ୍ୟାନ ଭକ୍ତି ଗଦ୍‌ଗଦ୍‌ ଚିତ୍ତରେ ନୂଆ ଭାଗବତ ଶୁଣୁଥିବା ଶାଶୁଙ୍କୁ ବୋହୂ ଶୁଣାଇଲେ ।

ଦେବ ଦେବ ମହାଦେବ ଯେଭଳି ଆଶୁତୋଷ, ସେଭଳି ବେଳେବେଳେ ମହାରୋଷ । ସେ ପ୍ରଳୟର ଠାକୁର, ସେ କଲ୍ୟାଣର ଠାକୁର । ସର୍ବଦା ଧ୍ୟାନସ୍ଥ । କୈଳାସ ଶିଖରେ ପୃଥ‌ିବୀବାସୀଙ୍କର ସମସ୍ୟାସବୁ ବିଚାର କରିବାକୁ ସେ ଫାଇଲ୍‍ପତ୍ର ନେଇ ବସିଛନ୍ତି । ଆଖିରେ ପଲକ ପଡ଼ୁନାହିଁ । ଫାଇଲ୍ ନିବଦ୍ଧ ଦୃଷ୍ଟି । ସମୟ ଗଡ଼ିଗଲାଣି । ପାର୍ବତୀ ଦଶଥର ଆସି ଦୂରରୁ ଚାହିଁ ଗଲେଣି । ଭରସା ପାଉନାହିଁ ତାଙ୍କ ଧ୍ୟାନଭଙ୍ଗ କରିବାକୁ । ବେଳ ଆସି ଗଡ଼ିଗଲାଣି, ତୁଣ୍ଡରେ କିଛି ଦେଇ ନାହାନ୍ତି । ପାର୍ବତୀ ଶେଷରେ ସମ୍ଭାଳି ନ ପାରି ଅତି ଯତ୍ନରେ ଅଦାରସରେ କଡ଼ା କରି ଚାହା କଲେ । କଳାରଙ୍ଗର ପଥୁରି ପାତ୍ରରେ ଚାହା ଧରି ଅତି ସନ୍ତର୍ପଣରେ ସ୍ଵାମୀଙ୍କ ପାଖରେ ଆସି ଠିଆହେଲେ । ପର୍ବତ ଉପରେ ବସିଛନ୍ତି ପ୍ରଭୁ । ସମ୍ମୁଖ ଉଚ୍ଚଶିଳାରେ ଥୁଆହୋଇଛି ଫାଇଲ୍‍ପତ୍ର । ଅଭିନିବେଶ ସହକାରେ କାର୍ଯ୍ୟ କରୁଛନ୍ତି । ଅତି ସାବଧାନତାର ସହ ପାର୍ବତୀ କହିଲେ, ‘ଚାହା ଆଣିଛି, କେଉଁଠି ରଖିବି ?' ମହାଦେବ ନିରୁତ୍ତର । ପାର୍ବତୀ ପୁଣି ପ୍ରଶ୍ନ କଲେ–‘ଏଇଠି ରଖିବି କି-?’ ମହାଦେବ ନିରୁତ୍ତର । ପାର୍ବତୀ ଅନୁନୟ କଲେ ‘ଟିକିଏ ପିଇଦିଅନ୍ତୁ । ଆପଣଙ୍କ ପ୍ରିୟ ଚା’ ଆଣିଛି, କେଉଁଠି ଥୋଇବି ?’

ଘଡ଼ଘଡ଼ି ନାଦରେ ସତେ ଯେପରି ଖସିଗଲା ପାହାଡ଼ । ଗର୍ଜିଉଠିଲେ ଶିବ । ଜଟାଜୂଟ କମ୍ପିଉଠିଲା । ବଜ୍ରଗମ୍ଭୀର ସ୍ଵର–ମୁଣ୍ଡରେ ଥୁଅ । ପତି ଆଜ୍ଞା ଶିରୋଧାର୍ଯ୍ୟ । ଲାବଣ୍ୟମୟୀ ପତିବ୍ରତା ପାର୍ବତୀ ଚା’ ପାତ୍ରଟିକୁ ନିଜ ମସ୍ତକରେ ଧାରଣକରି ଅବିଚଳିତଭାବେ ଠିଆ ହେଲେ । ଘନ କଳା ପ୍ରସ୍ତରପାତ୍ରରୁ ସୁଗନ୍ଧ ଧୂମ ନିର୍ଗତ ହେଉଥାଏ ।

ମହାଦେବଙ୍କ ଫାଇଲ୍ କାମ ସରିଗଲା । ଆଖିଟେକି ଚାହିଁଲେ–ସମ୍ମୁଖରେ ଏ କିଏ ? ଅପୂର୍ବ ସୁନ୍ଦର କାନ୍ତିମୟୀ ଅନନ୍ୟା ନାରୀ ପାର୍ବତୀ । ମସ୍ତକରେ ଧରିଛନ୍ତି ଚା’ ପାତ୍ର । ସେ ରୂପର ପଟାନ୍ତର ନାହିଁ । ମୁଗ୍ଧ ବିହ୍ଵଳିତ ନେତ୍ର କ୍ରମଶଃ ସ୍ଥିର ହେଲା । ମହାଦେବଙ୍କ ମୁଖରୁ ଉଚ୍ଚାରିତ ହେଲା ‘ଆଜିଠାରୁ ସମଗ୍ର ବିଶ୍ଵରେ ତୁମେ ଚାମୁଣ୍ଡା ନାମରେ ଖ୍ୟାତି ଲାଭ କରିବ । ତା’ ମୁଣ୍ଡେ ଯସ୍ୟା ସା ଚାମୁଣ୍ଡା । ମସ୍ତକରେ ଚା’ ପାତ୍ର ଧରି ତୁମର ଏ ଶୋଭା ଅବର୍ଣ୍ଣନୀୟ ।’ ତା’ପରେ ଦୁହେଁ ବୋଧହୁଏ ଚା’ ପାନ କରିଥିବେ । ଏକଥା ଆମକୁ ଜଣା ନାହିଁ । କିନ୍ତୁ ସେହି ଦିନଠାରୁ ପାର୍ବତୀ ଚାମୁଣ୍ଡା ରୂପରେ ପୃଥ‌ିବୀରେ ପୂଜିତ ହେଲେ । ‘କହି ବୋଲି ଜାଣେ ଯିଏ, କାମ କରେଇପାରେ ସିଏ ।’ ସତକୁସତ ଏଭଳି ରସାଳ ଚା’ ଉପାଖ୍ୟାନ କହି ବୋହୂ ଆପଣା କାମ କରେଇ ନେଲା । ଶାଶୁଙ୍କ ମନ ହେଲା ତୋଷ । ମନରୁ ଗଲା ରୋଷ । ଚା’ ପିଇ ମନ ହେଲା ଖୁସ୍‌ । ଏଣେ କ୍ଷମତା–ପୂଜାପର୍ବର ଗୋଟିଏ ଅଧ୍ୟାୟ ଭଲରେ ସରିଲା । ହେଲେ କ୍ଷମତାକୁ ତୋଷ କରିବାକୁ ଏଭଳି ଉପାୟ ନିରାପଦ । ଏଥ‌ିରେ କ୍ଷମତାସୀନ ମଣିଷ ଜଣକୁ ତୋଷକରି ଉପକାର କରାଗଲା, ଅନିଷ୍ଟ ନୁହେଁ । ସେ ଖୁସି ହେଲେ । କିନ୍ତୁ ଏଥି ନିମନ୍ତେ ଆଉ କାହାର ଅପକାର ହେଲା ନାହିଁ ।

ଧରନ୍ତୁ କ୍ଷମତାସୀନ ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀ । ଭବିଷ୍ୟତରେ ତାଙ୍କଠାରୁ କ୍ଷମତା ଆଣିବାପାଇଁ ଲାଳାୟିତ ବଧୂରୂପୀ ତାଙ୍କର ଅଧସ୍ତନ ବ୍ୟକ୍ତି । ମାଲିକକୁ ତୋଷକରି କାମ ହାସଲ କରିବା ଓ ତାଙ୍କ ପାଖ ଲୋକ ହେବା ଯାହାଙ୍କ ମୁଖ୍ୟ ଧନ୍ଦା । ଯଦି ଚା’ ଜାଗାରେ ଲାଞ୍ଚ ଖାଇବା ହୁଏ ଏବଂ ତାହା ଦୋଷାବହ ନୁହେଁ ବୋଲି କଳେବଳେ କୌଶଳେ କ୍ଷମତା ପାଇବାକୁ ତାଙ୍କ ଦିନକାଳ ଆସୁଛି ବିଚାରି କ୍ଷେତ୍ର ପ୍ରସ୍ତୁତି କରୁଥିବା କ୍ଷମତା–ଆଶ୍ରିତ ବ୍ୟକ୍ତି ଜଣକ ମାଲିକକୁ ସୁଖ ଲାଗିବା ପରି ଉପାୟ କାଢ଼ିଲେ, ତେବେ ୟା ଫଳ କ’ଣ ହେବ ? ଧରନ୍ତୁ ସିଏ ନଜିର ଦେଖାଇଲେ, ପ୍ରମାଣ ବାଢ଼ିଲେ, ମୁଖରୋଚକ କଥା ସୁନ୍ଦର ଭାବରେ କହିଲେ, ‘‘ଆଜ୍ଞା । ଆପଣ ତ ନିଜପାଇଁ ଲାଞ୍ଚ ନେଉ ନାହାନ୍ତି । ଦଳପାଇଁ ନେଉଛନ୍ତି । ଦଳ ବଞ୍ଚିଲେ ଦେଶ ବଞ୍ଚିବ । ମଣିଷ ବଳରୁ ବଳ ନାହିଁ । ଟଙ୍କା ନଥିଲେ ଗରିବ ଲୋକଙ୍କପାଇଁ କରିବେ କ'ଣ ? ଏ ଯୁଗରେ ରାଜନୀତି ନୂଆ ଅଧ୍ୟାୟ ଯୋଡ଼ା ହେଲାଣି–ଦେଶ, କାଳପାତ୍ରକୁ ଚାହିଁ କାର୍ଯ୍ୟ ହେବା କଥା ।

ରାଜନୀତି ଯେ ଶ୍ରେଷ୍ଠ ନୀତି

ଶ୍ରେଷ୍ଠୀଙ୍କୁ କରିଥିବ ସାଥୀ ।

ସାଧବ ଦେଖି ସଙ୍ଗ ହେବ

ବାଣିଜ୍ୟ ସଂପଦ ଆଣିବ ।

ସେ ଏବେ ହୋଇବ ସଜ୍ଜନ

ଯେତେ ରହିଛି ଚୋରା ଧନ ।

 

ସବୁ ତ ଧୋବ ଧନ ହେବ

ଧୋକା ଦେଲେ କେ ନ ଶୁଣିବ ।

ସୁମରି ଗାନ୍ଧିଙ୍କର ବାଣୀ

କହିବ ଯୋଡ଼ି ବେନି ପାଣି ।

ଖରାପ କଥା ନ ଶୁଣିବି

କାନରେ ହାତ ଦେଉଥ‌ିବି ।

ରାଜନୀତି ଯେ ବାଜନୀତି

ଝାମ୍ପି ଆଣିଲେ ସଦ୍‌ଗତି ।

ଧନର ବଳେ ବଳୀୟାନ

ଏ କଥା ଜଗତ ଭିଆଣ ।

ଧନର ନାହିଁ ଜାତିଗୋତ୍ର

ଅର୍ଥ ଯେ ସର୍ବଦା ପବିତ୍ର ।

ହର୍ଷଦ ହେଉ ବା ବିଷାଦ

ଘାତକ ହେଉ ବା ନିଷାଦ ।

ମୁଖକୁ ନ ଦେଖିବ ଚାହିଁ

ଧନ ଧରିବ ଧ୍ୟାନ ଦେଇ ।

କ୍ଷମତା ଉତ୍ସ ଯେ କ୍ଷମତା

ଧନରେ ରହିଲେ ମମତା ।

ବାହୁବଳରେ ବଳୀୟାନ

ପାଲିଙ୍କି କରିବେ ବହନ ।

ପଛରେ ଥାଇ କୋଟିପତି

ଯା’ଙ୍କର ନାହିଁ ଜାତିପତି ।

ଦୀପ ତେଜିବେ ତେଜି ଲୋଭ

କ୍ଷମତା ବଳୁ ପାଇ ଲାଭ ।

ଆଉ ନ ଭାବି ସାତ ପାଞ୍ଚ

ଦଳ ନିମନ୍ତେ ନିଅ ଲାଞ୍ଚ ।

ପରପାଇଁ ଯେ କର କର୍ମ

ଏ କର୍ମ ଅଟେ ଶ୍ରେଷ୍ଠ ଧର୍ମ ।

ଲାଞ୍ଚର ମହିମା ଅପାର

ସୀମା କେ ବର୍ଣ୍ଣିବ ତାହାର ।

ରାଜନୀତିରେ ଲାଞ୍ଚ ସାର

ବଳସେବୀଙ୍କ କାରବାର

ବଳସେବୀ ଯେ ସର୍ବସାଧି

ଧରିଲେ ଭୋଅଟ ଜଳଧି ।

ଅବଶ୍ୟ ହୋଇବୁ ତୁ ପାରି

ପାରିବୁ ହୋଇ ଚକ୍ରଧାରୀ ।

କ୍ଷମତା ଆଣିବ କ୍ଷମତା

ଢେଉ ଆସିଲେ ପୋତ ମଥା ।

ଅଧିକ କଥା ନ କହିବୁ

ଅପମାନକୁ ବୋହି ନେବୁ ।

ଥୋକେ କରିବେ ତୋର ନିନ୍ଦା

ଝାଡ଼ିଦେ ଦେହୁ ଅପନିନ୍ଦା

ଧନ ବାଣ୍ଟିଲେ ମୁଖ ବନ୍ଦ

କରିବା ନୀତି ଆଦି–କନ୍ଦ ।

ସ୍ଵମ୍ମୁଖେ କହିଛନ୍ତି ଜାଣ

କିମ୍ପା ଡରିବୁ ନରରାଣ ।

ଦଳକୁ କରିବୁ ସବଳ

ଏ ଯେଉଁ ଦୁର୍ନୀତିର କଳ ।

ବସିଛି, ତୋର ଦେଶେ ଯାହା

ରାଜନୀତିର ସେହି ସାହା ।’’

 

“ରାଜନୀତି ନୂତନ ନୀତି” ନବାକ୍ଷରୀ’ରେ ବଖାଣି ନିଜକୁ ନବୀନ ଯୁଗର ଅକ୍ଷୟ ବୋଲାଇ ଏବର ଆଦର୍ଶ ଶାସକଙ୍କୁ ତୋଷିବାର ଏହି ନୀତି ଯଦି ଗୃହୀତ ହୋଇଗଲା, ତେବେ ଫଳ ହେବ କ’ଣ ? କ୍ଷମତାରୁ ରସ ନ ଝରି ବିଷ ଝରିବ । ଆଉ ଦେଶ ହେବ ଶେଷ । ହେ କ୍ଷମତା ପୂଜକଦଳ ! ମନେରଖ ସେ ପୁରୁଣା ପୁଣ୍ୟ ଭାଗବତର ବାଣୀ ।

 

‘ଆପଣା କଲା କର୍ମମାନ

ଆଗୁଁ ହୋଇବ ସାବଧାନ ।

କର୍ମ ମୋହର ନିଜ ଗୁରୁ

ଉଦ୍ଧବ କେତେ ତୁ ପଚାରୁ ?’

 

ବିବାହ ବିଜ୍ଞାପନ

 

କଥାରେ ଅଛି :–

‘କହିଜାଣିଲେ କଥାସୁନ୍ଦର,

ବାନ୍ଧି ଜାଣିଲେ ମଥାସୁନ୍ଦର,

ଚାଲିଜାଣିଲେ ବାଟ ସୁନ୍ଦର,

ଜିଇଁ ଜାଣିଲେ ଘଟ ସୁନ୍ଦର ।’

କଥାଟା ଭାରୀ ସତ । କହି ଜାଣିଲେ ଖାଲି ଯେ କଦଳୀ ମୁଣ୍ଡା ଭଳି ଅଦରକାରୀ ଜିନିଷ ବିକ୍ରିହୁଏ, ତା’, ନୁହେଁ, ଏମିତିକି ମାଗୁର ମାଛ ପରି ଉପକାରୀ ବଢ଼ିଆ ମାଛବି ଚାହିଁରହେ–ବିକ୍ରି ହୁଏ ନାହିଁ । କଥାର ଜୋର କେତେ ଏଥିରୁ ଜାଣ । ଏବେ ଆଉ ଦିପଦ ଯୋଡ଼ିଦେଲେଣି

‘‘ବାନ୍ଧି ଜାଣିଲେ ନେତ ସୁନ୍ଦର

ପିଟି ଜାଣିଲେ ବେତ ସୁନ୍ଦର ।”

ସବୁ ପ୍ରଚାରର କରାମତି । ବିଜ୍ଞାପନର ଯୁଗ–ବଢ଼େଇ କରି କହି ବଡ଼ପଣିଆ ଦେଖାଇବା ଯୁଗ ।

“କହିଜାଣିଲେ କଦଳୀ ମୁଣ୍ଡା ବିକ୍ରିହୁଏ

ମାଗୁର ମାଛ ବଲବଲ କରି ଅନେଇ ଥାଏ”

 

କଥାର ଭିତିରି ଅର୍ଥଟା ହେଲା, କହିବୋଲି ଜାଣିଲେ, ପ୍ରଚାର କରିପାରିଲେ ବିଜ୍ଞାପନ ବଳରେ ଅତି ରଦି ଜିନିଷ ମଧ୍ୟ କିଣିବାପାଇଁ ଗରାଖ ଆଗ୍ରହ ଦେଖାଇ ଆସି ଜମାହୋଇ ଯାଆନ୍ତି । ଆଉ ଯଦି କିଛି ନକହି ତୁନି ହୋଇ ବସିଥିବ, ତେବେ ତଟକା, ଜିଅନ୍ତା, ରୋଗୀର ପଥ୍ୟ, ଦେହକୁ ହିତ, ମାଗୁରମାଛ ମଧ୍ୟ କିଣିବାକୁ ଜମା କେହି ଗରାଖ ମିଳିବେ ନାହିଁ । କେହି ଗୁଣ ଚିହ୍ନି ପାଖକୁ ଏ ଯୁଗରେ ଆପେଆପେ ଆସିବେ ନାହିଁ । ତମେ ଅଣ–ଆଡ଼ିଆରେ ରହିଯିବ, ଏଣେ ଦେଖୁଥା–ପଚା ଚିଙ୍ଗୁଡ଼ି–ଖୋଳ ବାଲୁବାଲୁ–ବାଲି ସାଲୁସାଲୁ, ବାଛିବୁଛି ଦେଲେ ଅଧିକରୁ ଊଣାହୋଇଯିବ, କରେଇରେ ପକେଇଲେ ପାଖ ପଡ଼ିଶା ସାତଘର ଲୋକେ ଜାଣିପାରିବେ, ନାକରେ ଲୁଗାଦେବେ, ହେଲେ କହିବୋଲି ଜାଣିବା ଲୋକ ବିଜ୍ଞାପନ ବଳରେ, ତାକୁ ମଧ୍ୟ ବିକ୍ରିକରି ପଇସାଧରି ଚାଲିଯାଉଛନ୍ତି ବେଶ୍‌ ଆରାମରେ–ସୁରୁଖୁରୁରେ କାମ ବଢ଼ି ଯାଉଛି । କଥାର କରାମତି–, ବିଜ୍ଞାପନର ରାଜୁତି । ସିଏ ଟେକିଛି ଛତି–ସିଏ ନଥିଲେ ଜଳିଯିବ ନାଲିବତୀ ! କୁହାହେଲା “ନିଅ ନିଅ ଖାସା ଚିଙ୍ଗୁଡ଼ି, ଭାତକଂସା ଯିବଟି ଉଡ଼ି ।” (ଖାସା ନୁହେଁ ପଚା ଚିଙ୍ଗୁଡ଼ି ଏଣେ ତାଟିଆରେ ଥିବ)–‘କିଣି ନପାରିଲେ ଆଇଁଷ ଚାଖି କୁଟୁମ୍ବ ଛାଡ଼ିବେ ରଡ଼ି, କୁଣିଆ ଯିବେ ବାହୁଡ଼ି । ଏଣେ ପିଲାଛୁଆ ଯିବେ ଗଡ଼ି, ନିଅ ନିଅ ଚିଙ୍ଗୁଡ଼ି ବଡ଼ପାଟିରେ ଡାକ ପକେଇବ ବେଶ୍‌ ମଧୁର ସ୍ଵରରେ–କେଉଟୁଣୀ ତଟକା ଚିଙ୍ଗୁଡ଼ି, କେଉଟ କହିବ ବେଳକାଳ ଦେଖି–

 

‘‘ନିଅ ଭଉଣୀ, ନିଅ ସମୁଦୁଣୀ

ଅଳପ ପଇସା ନେବିଟି ତୁମରି ମନକୁ ଜାଣି

ଆମ୍ବୁଲ ପକାଇ ଚିଙ୍ଗୁଡ଼ି କରିବୁ ବେସର ପାଣି,

ତାତିଲା ଭାତକୁ ନେବ ସେ ଟାଣି ।”

 

ଏଇମିତି କେତେଭଳି ଥିଲା ସେ ଯୁଗରେ, ଏବେ ଅଧିକ ନୂଆ ନୂଆ ଢଙ୍ଗରେ ପ୍ରଚାର ଚାଲିଛି । ଯାବତୀୟ ଦରବ ବିଜ୍ଞାପନ ବଳରେହିଁ ବିକ୍ରି ହେଉଛି । ବିଜ୍ଞାପନ ନଥିଲେ ଯେତେ ଭଲ ଜିନିଷ ହେଉ, ଯେତେ ଗୁଣବନ୍ତ ଲୋକ ହୁଅନ୍ତୁ ସଚ୍ଚୋଟ ଦକ୍ଷ କର୍ମଚାରୀ ହୁଅନ୍ତୁ, ଯେତେ ଭଲ ଶିକ୍ଷକ ଡାକ୍ତର, ପଣ୍ଡିତ, ଭଲଲେଖକ, କବି ହୁଅନ୍ତୁ–କାରିଗର, ଚିତ୍ର ଶିଳ୍ପୀ ହୁଅନ୍ତୁ, ଯେତେ ସର୍ବଗୁଣସଂପନା ରୂପବତୀ, ଗୁଣବତୀ କନ୍ୟା ହୁଅନ୍ତୁ ସେମାନଙ୍କୁ ଏବେ କେହି ଚିହ୍ନୁନାହାନ୍ତି– କେହି ତୁଣ୍ଡରେ ପଚାରୁ ନାହାନ୍ତି ।

 

ଏବେତ ଇଲେକ୍‌ଟ୍ରୋନିକ୍‍ସ ଯୁଗରେ ‘ବିଜ୍ଞାପନ’ରେ ନିତି କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ମିଳୁଛି ତତୋଽଧିକ । କାହିଁକି ? ଏହାର କାରଣ ହେଲା–ଆଜିର ସମାଜରେ ବିଜ୍ଞାପନ ଜରିଆରେ ସବୁରି ମୂଲ୍ୟ ସ୍ଥିର ହେଉଛି । ଇଏ ପରା ଅଙ୍ଗେ ଲିଭାଇବା କଥା । ଏ ବିଜ୍ଞାପନର ଭେଳିକି ଏଭଳି ହେଲାଣି ଯେ ଖାଲି ଖାଉଟି ଜିନିଷପତ୍ର ବିକାକିଣାରେ ଏହା ଆଉ ସୀମିତ ହୋଇ ନାହିଁ ସବୁଆଡ଼କୁ ଏହାର ଚେର ମାଡ଼ିଗଲାଣି । ରୋଷେଇଶାଳରୁ ରାଇଜଗଢ଼ା–ଢିଙ୍କିଶାଳରୁ ଢେଙ୍କାନାଳ । ଆମଦେଶରେ ଏବେ ଏହି ପ୍ରତିଯୋଗିତାମୂଳକ ବିବାହ ବଜାରରେ ମଧ୍ୟ ସେହି ବିଜ୍ଞାପନ ନିୟମଟା ବେଶ୍‌ ଲାଗୁ ହେଲାଣି । ଭଲପ୍ରଚାର ଯାହାର ହୋଇପାରିଲା, ସେ ଭଲଘର, ଭଲବର ପାଇ ବେଶ୍‌ ସୁରୁଖୁରୁରେ ହାତକୁ ଦି’ହାତ ହେଲା । ପୁଣି ପୁଅମାନେ ଆପଣା ଯୋଗ୍ୟତା କଥା ବିଜ୍ଞାପନ ଦେଲେ ବା ବିଜ୍ଞାପନ ଦେଖି ପ୍ରଚାର କରିପାରିଲେ, ଆହୁରି ବଢ଼େଇକରି ଶାଖାପ୍ରଶାଖା ବିସ୍ତାର କରି–ହଟଚମଟ ବିଦ୍ୟା ବଳରେ କୌଶଳ କରି ବନେଇଚୂନେଇ କଥାରେ ସମସ୍ତଙ୍କୁ ଭଳାଇଦେଇ କହିପାରିଲେ ଯଦି ତେବେ ସେମାନଙ୍କର

 

ଜିତାପଟ ଥୁଆ । କାହିଁ କିଛି ନହେବ ଅଡ଼ୁଆ । ସେମାନେବି ମହାସୁବିଧାରେ ଭଲଘର, ଭଲଝିଅ ବାହା ହୋଇ ଅଧେ ରାଜ୍ୟ ଓ ରାଜକନ୍ୟା ସବୁ ଭୋଗ କରୁଛନ୍ତି । କାରଣ–

 

“ହସି କହିଲେ ପୀତବାସ,

ବିଜ୍ଞାପନରେ ନାହିଁ ଦୋଷ ।

ସଭିଏଁ ବିଜ୍ଞାପନ ବଶ,

ପ୍ରଚାର ଆଣିଦେବ ଯଶ ।

ବିଜ୍ଞାପନରେ କରିଦେବେ ସବୁରି ମନ ତୋଷ,

ତେଣିକି ପଛେ କରୁଥାଅ ମନଇଚ୍ଛା ରୋଷ ।

ହଉଥା କେତେଭଳି ହତାଶ ।”

 

କିଏ ଦେଖୁଛି ? ଏପଟେ ପ୍ରଚାର ଓ ବିଜ୍ଞାପନ ହୋଇ ନ ପାରିଲେ କଥା ସରିଲା ! ଆଚାର ବିଚାର ଜଗି ସଦାଚାର କରି ମଧ୍ୟ ସମ୍ମାନ ମିଳିବ ନାହିଁ । ଆଖିରେ ଦେଖିବା କଥା ! ଗୋଟିଏ ଚାଉଳରେ ଗଢ଼ା ଝିଅ । ସବୁକାମରେ ପାରିବାର, ଧୀରସ୍ଥିର–ଦୁଃଖସୁଖ ସବୁ ସହି ଗୋଟା ଘରର ମର୍ଯ୍ୟାଦାରଖି ପଢ଼ାରେ ଫାଷ୍ଟ, ଏଣେ କେତେ ଗୁଣର । ଭଲବଂଶର ଝିଅ ହେଲେ ବଣମଲ୍ଲୀପରି ଲୋକଲୋଚନର ଅଗୋଚରରେ ରହିଯାଉଛି । କାହାରି ନଜର ପଡ଼ୁନାହିଁ–କେହି ଜାଣୁ ନାହିଁ, ଦୁଃଖ ସହିସହି ଅଭାବରେ ରହି ଅକାଳରେ ମଉଳି ଯାଉଛି, ଖବର ରଖୁଛି କିଏ ?

 

ଚିହ୍ନରା ଗ୍ରାହକ ଏଯୁଗରେ କାହାନ୍ତି ? ସମସ୍ତେ ଚକଚକ ଲାଉଡ଼୍‍ସ୍ପିକର୍ ଦେଖି ଚିହ୍ନିବେ-। ପ୍ରକୃତ ମୂଲ୍ୟ ମାପୁଛିବା କିଏ ? ସମସ୍ତେ ବିଜ୍ଞାପନ ଓ ପ୍ରଚାରରେ ମସଗୁଲ୍‌ । ଭୁଲିଯାଉଛନ୍ତି ଆଉସବୁ କଥା । ପ୍ରଚାର ନିଶାରେ ମାତିଛନ୍ତି । କଥା ସୁଅରେ ଭାସୁଛନ୍ତି । ‘ଅତିବଡ଼ ସୁନ୍ଦରୀକୁ ନମିଳେ ବର, ଅତିବଡ଼ ଘରଣୀକୁ ନମିଳେ ଘର–’ ଏହି ଅବସ୍ଥା ଅଙ୍ଗେ ଲିଭାଇଛନ୍ତି କେତେ ଗୁଣବତୀ !

 

ଏକଥା ସତ ଯେ–ବିବାହ ବିଜ୍ଞାପନର ଅନେକ ଭଲ ଭଲ ଦିଗ ମଧ୍ୟ ରହିଛି–ତେବେ ନୂଆ ଯୁଗରେ ନୂଆ ରୀତିରେ ମଧ୍ୟ ଏଇଟା ହେଲା ବହୁପ୍ରଚଳିତ ସେହି ପୁରୁଣା ବିଜ୍ଞାପନର ମାନମର୍ଯ୍ୟାଦା ବୃଦ୍ଧି, ପୁରୁଣା ଢଗର ନବୀକରଣ । “କହିବୋଲି ଜାଣେ ଯିଏ ବେଳକାଳଦେଖି ମୁକୁଟ ପିନ୍ଧେ ସିଏ :–ନେତା ନିର୍ବାଚନ ମଧ୍ୟ ଠିକ୍‌ ସେହିଭଳି । ସେହି ସୂତ୍ରରେ ନୂଆ କର୍ମ ପ୍ରଚାର ବଳରେ ମୁକୁଟ ମିଳେ ଗାଦିମିଳେ । “କହିଜାଣିଲେ କଦଳୀମୁଣ୍ଡା ବିକ୍ରି ହୁଏ, ମାଗୁର ମାଛ ବଲବଲ କରି ଅନେଇଥାଏ ।” ପ୍ରଚାର ବଳରେ କିଏ ବିଧାୟକତ, କିଏ ଚାତକ ! ତାକୁ ଜଳ ମୁନ୍ଦେ ମିଳେନାହିଁ । ଏହିଭଳି ବିଜ୍ଞାପନ ମୋହରେ ପଡ଼ି ଲୋକେ କେତେ ଯେ ଠକି ଯାଉଛନ୍ତି, ସେ ବିବାହ ବଜାର ହେଉ, କି ରାଜନୀତି ହେଉ କି ଦ୍ରବ୍ୟ ବଜାର ହେଉ ସବୁଠାରେ ଏହି ଅଘଟଣ ଘଟୁଛି । ଏସବୁ ଦେଖି ସରଳ ସାଦାସିଧା ଲୋକଙ୍କର ମଧ୍ୟ ଅବସ୍ଥା ବଡ଼ ସଙ୍କଟଜନକ । ସେମାନେ ଏ କୁହାମୁଣ୍ଡା କପିଳାଙ୍କ ମେଳରେ ଅଚଳନ୍ତି ରୁପା ଟଙ୍କା । ବିଶେଷତଃ ଏହି ବିବାହ ବିଜ୍ଞାପନ ଯୁଗରେ ଦକା ପଶିଗଲାଣି ସବୁ ବାପା ମା’ଙ୍କ ମନରେ କେମିତି ଝିଅକୁ ହାତକୁ ଦି’ହାତ କରିବେ, ଭଲ ମଣିଷଟିଏ ଜୋଇଁ କରିବେ, ଭରସା ଆସୁନାହିଁ । ନାଇଁଲୋ ମା’–କିଏ ଭଲ କିଏ ଭେଲ, କିଏ ଜାଣିବ ? ଏ ବିଜ୍ଞାପନକୁ କି ବିଶ୍ଵାସ ! ବାଳ ଧଳା, ରଙ୍ଗ ଲଗାଇ କଳା । ଦାନ୍ତ ନାହିଁ ଚକ୍‌ଚକ୍ ଦାନ୍ତ-। ଏଇତ

 

ଭେଜାଲ ଯୁଗ–କାହାକୁ ପରତେ ଯିବ ? କିଏ ସତ କିଏ ମାୟା । ଯୁଗ ମାୟା ବଡ଼ ଜଟିଳ !

 

“ଭଲ ଘର ଦେଖି ଆସିଲ ଧାଇଁ,

ହାଣ୍ଡିରେ ଦେଖିଲି ପଖାଳ ନାହିଁ ।”

 

“କାହାକୁ ଆଉ କହିବି ? କପାଳରେ ଖାଲି କର ଥୋଇବି ।” ଲେଡ଼ିଗୁଡ଼ କହୁଣୀକୁ ବୋହି ଆସିଲା ପରେ ଆଉ କି ଉପାୟ ? ସବୁ ଉଡ଼ାରେ ଆଣି ଘର ଘଡ଼ିକେ ସଜାଇ ଦେଉଛନ୍ତି । ଝିଅର ବାପା, ମା’, ଘର, ବର, ଆଡ଼ମ୍ବର, ଗାଡ଼ି ବଡ଼ଲୋକି ଢଙ୍ଗ ଦେଖି ମହାଖୁସି । ଭାଗ୍ୟରେ ଥିଲେ ଏ ଭଳି ବନ୍ଧୁ ମିଳେ ! ମହାଖୁସି ହୋଇଗଲେ । ବିବାହ ବାସି ଦେଖିଲାବେଳକୁ ।

 

‘ଚୁଲି ଚାଳ ନାହିଁ ଅଘର ବାସ,

ସିଏ କରିଥିଲା ପରକୁ ଆସ,

ଭଡ଼ାରେ ଆଣିଛି ଏତକ ଭେଷ

ଛାଡ଼ୁଥାଆ ଝିଅ ଦୀର୍ଘଶ୍ଵାସ–

ଜୀବନଟା ଖାଲି ହା–ହୁତାଶ ।’

 

ହେ ଭଗବାନ୍ କ'ଣ କଲ ? ହାତଗଣ୍ଠି ପଡ଼ିସାରିଲାଣି, ହାୟ ହାୟ ଘରେ ସର୍ବନାଶ ! ସର୍ବନାଶ ! ଡାକ ପଡ଼ିଗଲା । କି ଠକାଠକି ଦେଲା । ଭେଜାଲ ବର । ସିମିତି ମଧ୍ୟ ଭେଜାଲ କନ୍ୟା-। ଡାଳିମ୍ବ ମଞ୍ଜିପରି ଦାନ୍ତ, ମୁଣ୍ଡରେ ଏତିକି କଳାବାଳ । କେତେ ଖୋସା ପକେଇଛି ମ-! ଆହା ଦେବୀ ଦୁର୍ଗାପରି ଦାଉଦାଉ ଜଳୁଛି ରଙ୍ଗ । ଘର ପୂରିଯିବ ଏଝିଅ ଘରକୁ ନେଲେ ! ବୋହୂ ଘରକୁ ଆସିଲାବେଳକୁ ଜଣା ପଡ଼ିଗଲା କି କ'ଣ ହେଲା ନା–ବୋହୂର ପାକୁଆ ପାଟି, ମୁଣ୍ଡରେ ନକଲି ବାଳ, ରଙ୍ଗ କଞ୍ଚା ସୁନା ନୁହେଁମ, ସାବନୀ ଝିଅଟେ । ତେବେ ଏ ରୂପ ଅଇଲା କୁଆଡ଼ୁ, ଏସବୁ ବିଜ୍ଞାପନର କରାମତି । କି ଭେଷ ହୋଇ କି ଭେଟଣା କଲା–ବିଉଟି କି କାରସାଦି କଲା । କପାଳକୁ ନିନ୍ଦ–ଦୁଆର ଦେଇ ମନଇଚ୍ଛା ଅନ୍ଧାରରେ କାନ୍ଦ, କାମତ ସରିଗଲାଣି । ଏବେ କ'ଣ କରୁଛ କର ? ଲୋକହସା ହେବ ? ଏବେ ଥାଉଁଥାଉଁ ତୁନିହ ! ଏବେ ଏସବୁ କଥା ଦେଖି ମାଆମାନେବି ଡରିଗଲେଣି । ସତକଥା ପେଟକୁ କାଟି କେତେ ଦିଅଁଦେବତାଙ୍କୁ ମାନସିକ କରି ବାର ଓଷା ବ୍ରତର ଫଳ ପୁଅଟିଏ ଯିଏ ପାଇଛି ତା’ ମନ କୁନ୍ଥୁକୁନ୍ଥୁ–ଆଲୋ ଭଲ ନା ଭେଲ ? ତା’ ମାଆର କେତେ ଆଶା ପୁଣି ତଳେ ମରି ଉପରେ ମରି ଅପର୍ତ୍ତିଆଣୀ ପୁଅ ଯମକୁ ଭୁଲେଇବାକୁ ନାକ, କାନ ଫୋଡ଼ା ହୋଇସାରିଛି । ଜିଅନ୍ତା ଗଡ଼ିଶା ଗିଳି କେତେ କାଳକେ ପୁଅ । ସେହି ପୁଅ ପାଠଶାଠ ପଢ଼ି ମଣିଷ ହେଲେ ତା’ପାଇଁ ବୋହୂଟିଏ ଖୋଜିବାକୁ ଭଲା କୋଉ ବାପା ମା’ ଘାରି ନହେବେ ? ମାଆକୁ ତ ରାତିନିଦ ହେବନାହିଁ–ତା’ ଦୁଃଖ କିଏ ବୁଝିବ ? ମନଲାଖି ଭଲଘର, ଭଲଝିଅଟିଏ ଆଣିବି–ପୁଅ ମୋର ସୁଖ ପାଇବ । ମାଆର ମନ ଘରକୁ ବୋହୂଟିଏ ଆସିବ । ହାତରୁ ଛଡ଼ାଇ ପାଞ୍ଚପାଇଟି କରିବ । ସୁନ୍ଦର ତ ହୋଇଥିବ । ପୁଅମନଜାଣି ଦି’ଅକ୍ଷର ପାଠବି ପଢ଼ିଥ‌ିବ । ପୁଅ ପୁଣି ଏବେ ଅଫିସର ହୋଇଛି । ପାଞ୍ଚଟା ସାଙ୍ଗରେ ସିଏ ଚଳି ପାରୁଥିବ ସିନା । ଦାଣ୍ଡ ମହତ ଜଗିବ–ପୁଣି ଏ ଯୁଗରେ କେତେ ହାକିମହୁକୁମାଙ୍କ ସାଙ୍ଗରେ ପୁଅର ଯା–ଆସ ଲାଗିଛି । ପାଠଶାଠ ପଢ଼ିଲା ବୋହୂଟିଏ ନହେଲେ ଚଳିବ ଭଲା କେମିତି ? ନିଜ ଘର ସାଙ୍ଗରେ ଚଳିପାରିଲା ଭଳିଆ ବୋହୂଟିଏ ଏଣେ ଯଦି ନ ହେଲା, ବାରବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବସିନା । କି ସୁଖ ଶାଶୁ ହୋଇ ସିଏ ପାଇବ ? –ପୁଅ ମୁହଁ ଚାହିଁ ଏତେ ଦୁଃଖ ସହିଛି–ଏବେ ବୋହୂପରଶା, ଗୋଡ଼ଘସା, ପାଇଁ ମନହେଲେ କ'ଣ ଏମିତି ଭାସିଗଲା ଯେ ।

 

ପଢ଼ିଲାବୋହୂ ନହେଲେ, ସବୁ ପାରିଲା ଭଳି ଝିଅଟିଏ ନହେଲେ ପୁଅ ମୁହଁ ଶୁଖେଇବ-। ବିଭା ପୁଅ ହେବ ଯେ ତା’ ମନକୁ ପାଇବା କଥାଟା ଆଗ । ଏକାଳର ପାଠୁଆପୁଅ-। ସିଏ ବାଛନ୍ତୁଲୋ ମା’–ଆମ କଥା କିଏ ରଖେ । ମାଆ ତୁନି । ପୁଅର ମନ ସୁନ୍ଦର ହୋଇଥିବ, ପାଠପଢ଼ିଥ‌ିବ, ଇଂରାଜୀ କହିବୋଲି ପାରୁଥ‌ିବ । ଶ୍ଵଶୁରଙ୍କ ନାଁ ପଦବୀ ଥିବ । ଦମ୍ଭିଲା ଶଳା ଦୁଇଟା ନିଶ୍ଚେଥିବେ ସବୁ ବଡ଼ବଡ଼ିଆଯାକ ବନ୍ଧୁ ହୋଇଥିବେ । ଆଜିକାଲି ଉପରମହଲରେ ଚିହ୍ନା ପରିଚୟ ନଥିଲେ ଯେତେ ଗୁଣ ଥିଲେ ମଧ୍ୟ ଚାକିରିରେ କ’ଣ ସହଜରେ ଆପେଆପେ ଉନ୍ନତି ହେଇଛି-। ସବୁ ଆଡ଼କୁ ଦେଖି ଚାହିଁ ବାହାଘର କରିବା କଥା ସିନା ଆଗକୁ ପଛକୁ ସବୁ ଦେଖିବା କଥାଟି ।

 

ଦବାନବା କଥାଟା ମଧ୍ୟ ବିଚାରିବାକୁ ପଡ଼ିବଟି । ଯେଉଁ କାଳମହରଗ ଯୁଗ । ତହିଁରେ ଦେଖାଶିଖା ଓଡ଼ିଶା, ସଭିଏଁ ଦେଉଛନ୍ତି ଏ ଯୁଗରେ । ବାପା, ମାଆ, ଖୋଜିବେ କୁଳଶୀଳ, ଭଲଝିଅଟିଏ, ଶାଶୁ, ନଣନ୍ଦ, ଦିଅର ଧରି ଖୁସିରେ ଚଳିବ, ଗର୍ବୀ ହୋଇ ନଥିବ, ଯିଏ ଘରକୁ ଭାଙ୍ଗି ଫଡ଼ାଫଡ଼ା କରିଦେବ ନାହିଁ । ଦାଣ୍ଡକୁ ମୁଣ୍ଡକୁ ଯାଇ କାମକରୁଥିବ– ଏଣେ ଘର ଗୋଟାକର ସବୁ କାମବି ସମ୍ଭାଳିବ, ଦାଣ୍ଡ ସୁନ୍ଦର, ଘର ସୁନ୍ଦର, ହେବ ଘରକୁ ସାର, ଖଞ୍ଜାକୁ ସୁନ୍ଦର ଏମିତି ବିଚାରି ବାପା ମାଆ ଧନ୍ଦି ହୁଅନ୍ତି–କିଏ ତାଙ୍କ ହାଣ୍ଡିରେ ଚାଉଳ ପକେଇଛି ? ଷଠି କାହାକୁ ଖଞ୍ଜିଛି ? ପୁଅ ବାହାପାଇଁ ଚିନ୍ତାରେ ପଡ଼ନ୍ତି । ସବୁରି ମନକୁ ପାଉଥିବା ଝିଅଟିଏ ଏ ଘରକୁ ଦିଅଁଙ୍କ ଦୟାରୁ ସର୍ବଶୁଭରେ ବେଳ ସଅଳରେ ଆସନ୍ତା କି ବୋହୂହୋଇ । କେଉଁ ବାପା ମାଆ ଭଲା ଏକଥା ନବିଚାରନ୍ତି ?

 

ଆଉ ପୁଅରତ ପୁଣି ନିଜର ପସନ୍ଦ ଅଛି ! ଏମିତି ସବୁଥାଇ ପାତ୍ରୀଟିଏ ମିଳିବ କୁଆଡ଼ୁ-? କିଏ ଖବର ଦେବ, କାହାକୁ ପଚାରିବେ ? ସେ ହୁଏ ସମସ୍ୟା । ମଧ୍ୟସ୍ଥି ଲୋଡ଼ାପଡ଼େ-। ଏଣେ କନ୍ୟାର ପିତାମାତାମାନେ ମଧ୍ୟ ନଜର ପକାଇଥାନ୍ତି, ଭଲ ପାତ୍ରଟିଏ କେଉଁଠି ଅଛି, ଯୋଗ୍ୟ–ସଚ୍ଚରିତ୍ର–ଥିବା ଘରର ପିଲା, ରୋଜଗାରିଆ ଜୋଇଁଟିଏ ପାଇଲେ ତା’ ହାତରେ ଝିଅଟିକୁ ଟେକି ଦେବାକୁ ଭଲା କିଏ ନ ଚାହିଁବ ? ପଚରାଉଚୁରା କଲେ ସିନା ଜଣା ପଡ଼ିବ । କାହା ପୁଅ କୁଉଠି ଅଛି । କିମିତି ଝିଅ ଲୋଡ଼ା ! ଏଇଭଳି ମାଇପିମହଲରେ ବିବାହ ବିଜ୍ଞାପନ ପ୍ରଚାର ଖୁବ୍‌ ଜୋର୍‍ସୋର୍‍ରେ ଚାଲେ । ଏ ହେଲା ତୁଣ୍ଡବାଇଦ ସହସ୍ର କୋଶ । ଅନ୍ଦରମହଲର ବିଜ୍ଞାପନ । ସାଇପଡ଼ିଶାଙ୍କ ଆଗରେ ମନଖୋଲି କହିଦିଅନ୍ତି ପୁଅର ମାଆ । ମନକୁ ଚାହିଁ ପାଠୋଇ ଝିଅଟିଏ ଲୋଡ଼ା । ଏ ବର୍ଷ ମୁଁ ନିଶ୍ଚେ ବାହାଘର ଜଞ୍ଜାଳ ତୁଟେଇ ଦେବି । ଚାକିରି ସରିବା ବେଳପରା ଯାହାଙ୍କ ଝିଅ ବା ଝିଆରୀ ବା ବନ୍ଧୁବାନ୍ଧବ ପାଠବେଶୀ ପଢ଼ିନି, ଘରେ ପଢ଼ାଛାଡ଼ି ରହିଅଛି, ଅଥଚ ଟିକିଏ ପଇସା ଥିଲାବାଲା–ସେ ମାଉସୀ ଜଣକ ବେଳଦେଖି ବିଜ୍ଞାପନ ଆରମ୍ଭ କରିଦିଅନ୍ତି । ଉଦ୍ଦେଶ୍ୟ ମହତ୍‌, ହେଇଟି ଭଉଣୀ, ସବୁ ମିଳିବେ । ତୁମ ପୁଅ ଅମୁକକୁ ଭଲା କିଏ ବାଛିବ ? ନା ରୂପରେ ? ନା ଗୁଣରେ ? ଏଭଳି ପୁଅପାଇଁ ତୁମେ କାଳି କୋଚଟି ବୋହୂଟିଏ କଲେ କ'ଣ ଦିଶିବ କହିଲ ? ଖାଲି ପାଠୁଆ ବୋହୂ ବୋଲି ଆଉ କ’ଣ କିଛି ଦେଖିବନି ? ତମେ ଜାଣିନ ଭଉଣୀ । ଏ ପାଠୁଆ ଝିଅଗୁଡ଼ାକ ମଫସଲର ଲୋକଙ୍କୁ ପରା ପାସଙ୍ଗରେ ପକେଇବେ ନାହିଁ । ସେଗୁଡ଼ାକ ମହାକାଳଫଳ । କମ୍ ଗରବକି ? କୁଟା ଖଣ୍ଡକ ଦିଖଣ୍ଡ କରିବେ ନାହିଁ । ଟଙ୍କା ଯୋଗୁଁ ମୁହଁ ଉପରକୁ ତାଙ୍କର । ତାଙ୍କ ନୀତି ହେଲା–

 

“ବିଭାହେଲା ବାସି

ଶାଶୁ ନଣନ୍ଦ ସବୁ ମୋପାଇଁ ଭାର

ମୁଁ ମୋ ବର–ଆଉ ସବୁଯାକ ପର, ସାତପର,

ଆମ ଦିହିଁଙ୍କର ଘର ।

 

କ’ଣ ଶୁଣିବ ତାଙ୍କ ରଙ୍ଗଢ଼ଙ୍ଗ କଥା ! ସେହି ପାଠୁଟିକି ଛାଡ଼ିଦିଅ, ବଢ଼ିଆ ଝିଅ ଅଛି ନଜରରେ ମୋର, ଘର ଭରିଯିବ । ହାତରେ ତମର ପାଣି ଲାଗିବନି । ଲୋଟଣି ପାରା, ବୁଝିଲ ! ଆଉ ଜଣେ ଲଥା ଦେବେ–“ବୋହୂ କ’ଣ ଚାକିରି କରିବକି ? ଦିଅଁଙ୍କ ଦୟାରୁ ତମ ପୁଅତ କିଛି କମ୍‌ ଆୟ କରୁନି, ହଇହେ, ମାଇପେ ଚାକିରି କଲେ ଘର ରହିବଟି ? ମୁଣ୍ଡରେ ଚଢ଼ିବେ, ତୁମର ଘରସଂସାର ସବୁ ଭୁଶୁଡ଼ିଯିବ । ରୋଷେଇ କରିବ କିଏ ? ରୋଜଗାରିଆ ବୋହୂ ବୋଲି ସିଏ କାହାକଥାକୁ ଖାତିର କରିବେ ? ଉପରମୁହାଁ ହୋଇ ସେ କ’ଣ ଶାଶୁ ଶ୍ଵଶୁରଙ୍କୁ ମାନିବେ ନା ଘରର ସବୁ ପାଇଟି ପତର କରିବେ ? ଆପଣା ପିଲାକୁ ତ ଚାହିଁବେ ନାହିଁ । ଖାଲି କହିବେ–ଆରେ ତୁମେ ତ ବି.ଏ. ମୁଁ ତ ବି.ଏ. ବାସନ ମାଜିବ କିଏ ? ରୋଷେଇ କରିବ କିଏ ? ପିଲାକୁ ଧରିବ କିଏ ? ବୁଝୁଥାଅ ଏବେ, କି ହୀନସ୍ତା ହେବ କହ । ପୁଅ ମନଜଗି ପାଞ୍ଚଠାଆ ରାନ୍ଧି ଖୁଆଇ ପାରିବା ବୋହୂ ଖୋଜ ।

 

ହେଲେ ଏ ଯୁଗରେ ଏମିତି ଝିଅ ତପସ୍ୟା କଲେ ମିଳେ । ଅଛନ୍ତି, ଭଲ କୁଳଶୀଳ ସଣ୍ଠଣା ଥିବା ଏମିତି ଝିଅ କୋଟିକେ ପରା ଗୋଟିଏଲୋ ଭଉଣୀ ! ସତ କଥା–ଆଉ ଜଣେ ପାଳି ଧରନ୍ତି ସୁନ୍ଦର ରୂପ ମଲା ଏ ଫିଲ୍ମଷ୍ଟାର୍‍ଙ୍କର କ’ଣ ନାହିଁ ? ହେଲେ ତାଙ୍କ ଢଙ୍ଗ ! ଦେହ ଜଳିଯିବ । ରୂପ କେତେ ମିଳିବ । ଧନ ଦେଇ ଜୋଇଁ କିଣିବାକୁ ଲୋକମାନେ ହମହମ ହେଉଛନ୍ତି ଏବେ । ଏମ୍‌.ଏ. ପାସ୍ ଝିଅବି ଅଭାବ ହେବ ନାହିଁ ଏ ଯୁଗରେ । କଳାଧନ ଦେବେ ପାଠୋଇ ଝିଅ ଦେଇ ମୁହଁ ବାନ୍ଧିଦେବେ । ହେଲେ ତମ ପୁଅ ହାକିମଟି ? ଦାଣ୍ଡକୁ ସୁନ୍ଦର ତୁମ ପୁଅ ଭବିଷ୍ୟତକୁ ସୁନ୍ଦର, କୋଠାକୁ ସୁନ୍ଦର, ସଭାକୁ ସୁନ୍ଦର ଝିଅ ତମର ଲୋଡ଼ା । ଦୁଃଖର ସୁଖର ଝିଅ, ତେନ୍ତୁଳି ଲଗେଇ ପଖାଳ ଖାଇଦେବ, କେବେ ଉଁଚୁ କରିବନି । ଭାରି ଧୀରସ୍ଥିର, ବୋଲମାନିବ । ଏମିତି ଝିଅ ମିଳିବା ଭାରି କଷ୍ଟ । ପୁଣି ତୁନିତୁନି କରି କହିବେ :–ଅଛି ନଜରରେ ଏମିତି ଝିଅଟିଏ, ବୁଝିଲ । (ବହୁତ ଧନ ବାପର ଦେବ ମନବୋଧ କରି–ଗାଡ଼ି, ଫ୍ରିଜ୍, ଗ୍ୟାସ୍ ଚୁଲି, କୁଥିରେ ଊଣା କରିବ ନାହିଁ । କିଏ ମାଗ କି ନ ମାଗ । ଖୁବ୍‌ ଦେଇ ଥୋଇ ଜୋଇଁକୁ ସମ୍ମାନ କରିବ । ଖୁବ୍‌ ଦେଲାବାଲା ହାଁ– ବୁଝିଲଟି-? ତା’ପରେ ଧୀରେ ଧୀରେ ପେଡ଼ି ଖୋଲିବ–ଠିକଣା, ଘର ଗାଁ କଥା କୁହାହେବ । ଏଭଳି ମାଇପି ମହଲରେ ତୁଣ୍ଡ ବିଜ୍ଞାପନ ବେଶୀ ଚାଲେ ।

 

ସବୁ ଯୁଗରେ, ଯୁଗ ଅନୁସାରେ ଚାହିଦା ଭିନ୍ନ । ହେଲେ ରୀତି ଊଣା ଅଧିକେ ଏକା । ଏଣେ ବସିଚାହିଁଥିବେ ଆଉଜଣେ ମହିଳା I ଯାହାଙ୍କ ଝିଅ କି ଝିଆରୀ ଏମ୍‌.ଏ. ପାସ୍, ଚାକିରିବି କରିଛି । ଜଗିଥିବେ, ବେଳକାଳ ଉଣ୍ଡି ସେବି କହିଉଠିବେ–‘ଯାହାକହ ଭଉଣୀ, ଏଯୁଗ ଝିଅଙ୍କ କାମଆଗରେ ଆମେ ସବୁ ହାର ମାନିଯିବା । ଦଶଭୁଜା ଦୁର୍ଗାପାଠରେ ଯିମିତି, ଦାଣ୍ଡମୁଣ୍ଡ ଘରକାମ ବାପ୍‌ରେ ବାପ୍‌ । ଆଖି ଖୋସିହୋଇ ଯିବ । ଯୁଗକୁ ଧନ୍ୟ କହିବ । ଯେଉଁ ପୁରାଣର ଦଶଭୁଜା ଦୁର୍ଗା କଥା ଶୁଣିଥିଲେ ଏବେ ସତକୁସତ ସେଇଆ ଦେଖୁଥାଆ ଆଖିରେ । ଏକାଳ ଝିଅମାନେ ଚାକିରି କରି ଫି–ମାସରେ ଘରକୁ ଧନ ଆଣୁଛନ୍ତି ଚଳନ୍ତି ଟ୍ରେଜେରୀ–ବୁଝିଲ ନା ! ଯୌତୁକ ତ ଥରେ ଆଣିଲେ ସରିଯିବ । ହେଲେ ଜିଇଥିଲା ଯାଏଁ ଟଙ୍କା ସୁଅ ଲାଗିଥିବ । ମାସକୁ ମାସ ଘରକୁ ଆସୁଥ‌ିବ, ଇଏ ଅସରନ୍ତିଟି । ପେନ୍‌ସନ୍‌ବି ମିଳିବ ଯେ, ଚାକିରିଆ ଝିଅ ଭାରୀଭଲ, ବୁଦ୍ଧି ଅଛି ବୟସ ହୋଇଛି, ସବୁଆଡ଼କୁ ଆଖି, ସେମାନେ ଶାଶୁ ଶ୍ଵଶୁର ମନଜାଣି କାମ କରୁଛନ୍ତି ଯିମିତି, କାନ୍ଧକୁ କାନ୍ଧ ମିଶାଇ ରୋଜଗାରିଆ ଭାଇ ପରି ସାହା ହେଉଛନ୍ତି ଆପଣା ବରକୁ ଠିକ୍‌ ସେମିତି ।

 

ଭାଇସିଏ ମନ୍ତ୍ରୀସିଏ, ସାଙ୍ଗସିଏ, ସହଧର୍ମିଣୀ–ଯାହା କୁହନ୍ତି, ଦେଖୁନ–ସାଙ୍ଗ–‘ଟୁଉକୁ ପତର ଦାନା, ନା ଚୁଲିମୁଣ୍ଡକୁ ଅନା !” ଯେଉଁ କାଳମହରଗ ଯୁଗ, ଭଲା ଲକ୍ଷେ ଅର୍ଜିଲେ ପକ୍ଷେ ଅଣ୍ଟୁଛି କି ? କେତେ ପ୍ରକାର ଖର୍ଚ୍ଚ ? ଏଯୁଗରେ ଜଣକ ରୋଜଗାରରେ କ'ଣ ଚଳିହେବ ଯେ ଶାଶୁ ଶ୍ଵଶୁରଙ୍କୁ ଦେବେ ? ପାଠୋଇ ବୋହୂ, ରୋଜଗାରିଆ ବୋହୂ ଆସିଲେ ପୁଅକୁ ଦମ୍ଭ ! ପଇସା ଆଗଟି, ଚାକିରିଆ ବୋହୂଟିଏ ଆଣମ ! ଯୌତୁକ ନନେଲ ବୋଲି କେତେ ବାହାବା ପ୍ରଶଂସା ନାରୀ ସଂଘରୁ ପାଇବ–ଭାଷଣ ଦେବ–ପାଞ୍ଚ ଲୋକଙ୍କ ଆଗେ କହିପାରିବ । ହେଲେ ଅଭାବ ରହିବ–ନାହିଁ ଏଣେ ଜୀବନଯାକ ଦୁହୁଁଥ‌ିବ, ପିଉଥିବ, ସିଏ ହେଲେ ନନ୍ଦିନୀଗାଈ–ଚାକିରି ବୋଇଲେ ଟଙ୍କା–ଚାକିରି ନକଲେ ଏ କାଳରେ ଭାତ ଲୁଗା ଦେଇ ପୋଷି ସାରିଲାବେଳକୁ ବାପା ମା’ଙ୍କୁ ଦେବାକୁ ଆଉ କିଛି ଥିବଟି ?

 

ଆଉଜଣେ ଥାଇ କହିବେ–ହେଇଟି ଯିଏ ଯା’ପାଇଁ ଖଞ୍ଜା, ହେଲେ ଖାଲି ଉପର ଚକ୍‌ଚକ୍‌ ଦେଖି ଘରକୁ ଆଣିଲେ ଠକିଯିବ–ସତ କହୁଛି ଏଯୁଗରେ । କଥାରେ କହିଛି, ବଂଶ ଦେଖି, ବାପ–ମା’ ଦେଖି ଝିଅ ଆଣିବ । ମୁଁ ଆଣିଛି–ଗୋଡ଼ରେ ଗୋଡ଼ ପକେଇ ଆରାମରେ ଅଛି । ଆମ ବୋହୂ ବାପର ପାଞ୍ଚଟା ଝିଅ, ହେଲେ ସଭିଏଁ ରୋଜଗାରିଆ । କିଏ ଭଲା ପ୍ରଶଂସା ନପାଇଛି କହିଲ ? ତେବେ ଏତ ମୋର ଅଙ୍ଗେ ଲିଭେଇବା କଥା । ମୋ ବୋହୂ ଚାକିରି କରିଛି ! ପାଠୁଆ ଝିଅ, ଚାକିରିଆ ଝିଅ କ'ଣ ଭଲ ନାହାନ୍ତି ? ଦିପଟୁ ଲାଭ ଖୁବ୍‌ ଭଲପଡ଼ିବେ ଚାକିରିଆ ଝିଅ ଉଚ୍ଚମନ ! ଛୋଟକଥା ନଜରରେ ପଡ଼ିବନି । ଦି’ ହାତ ଖୋଲି ଶାଶୁଘର ବଉଁଶଙ୍କ ମନଜାଣି ଜିନିଷପତ୍ର ଦେଇଥିବେ । କାହାରି ମନ ଊଣା କରିବେ ନାହିଁ । ମୁଁ ଏମିତି ଭଲ ଚାକିରିଆ ବୋହୂ ଢେର୍ ଢେର୍ ଦେଖି ବୋହୂ କରିଛି । ଆମ ପୁତୁରାବୋହୂ ଅଧ୍ୟାପିକା, ହେଲେ ଯେତେବୋହୂ ଦେଖିଛି ସଭିଏଁ ତା’ ତଳେ । ସିଏ ଫାଷ୍ଟ । ଏହେଲା ବିବାହ ବିଜ୍ଞାପନର ପ୍ରସ୍ତୁତି ପର୍ବ–ପ୍ରଥମ ଅଧ୍ୟାୟ ।

 

ଏତକ ଶୁଣିସାରି ପୁଅମା’ ପଚାରି ବସନ୍ତି–ତୁମ ପୁତୁରାବୋହୂର ଆଉ ଭଉଣୀ ନାହାନ୍ତି-? ହଇହେ–ଚାରୋଟି ? ଡେଙ୍ଗା ଅଛି ? ମୋ ପୁଅର ଡେଙ୍ଗା ଝିଅ ପସନ୍ଦ । ସେପଟୁ ଉତ୍ତର ଆସେ–କାହିଁକି ନଥିବମ ! ସବା ସାନଟା ପରା ଏମ୍‌.ଏ. କେତେ ଭଲରେ ପାସ୍ କଲା l ଫଟ ବାହାରିଥିଲା କାଗଜରେ । ଏବେ ସେ ଲେକ୍‌ଚରର୍‌ । କେତେ ପ୍ରସ୍ତାବ ତା’ପାଇଁ ଆସୁଛି ! ସବୁ ଜୋଇଁଙ୍କୁ ଯାହା ଦେଇଛନ୍ତି–“ସବା ସାନକୁ ତା’ଠୁ ବେଶୀଦେବେ । ଉଉଣୀମାନେ ଏବେ ପରା ଦେଇଛନ୍ତିଲୋ ଏକୁ, ପୁଣି ହିରୋହଣ୍ଡା ଦେବେ-। କିଏ ପୁଣି ୱାସିଙ୍ଗ୍‍ମେସିନ୍‌ ଦେବ– କିଏ ଭି.ସି.ଆର. କହିଦେଲେଣି । ବିଜ୍ଞାପନ ପର୍ବ-। କେତେଭଳି ପ୍ରଚାର ଚାଲିଲା । ବିଚାରି ଗାଉଁଲି ମାଆଟି ଭୁଲିଯାଆନ୍ତି । ଏଁ, ଏଡ଼େ ଭଲ ପ୍ରସ୍ତାବ-! ବୁଝମ, ବୁଝ ଟିକିଏ ! ଅଥଚ ଆପଣା ପଡ଼ିଶା ଘରେ ହୁଏତ ଆଖି ଆଗରେ ନିତି ସବୁ ଆଡ଼ୁ ଗୁଣର, ଭଲଛାତ୍ରୀ, ଭଲ ସ୍ଵଭାବର ଘରୋଇ ଝିଅଟିକୁ ସିଏ ଦେଖି ଆସୁଥ‌ିବେ, ଭାରୀ ସୁନ୍ଦର ଝିଅଟିଏ, ଗୁଣ ଭଲ, ଅଥଚ ତାଙ୍କ ନଜରରେ ଜମା ପଡ଼ୁ ନଥିବ । ସେ ଝିଅର ଭଉଣୀ କି ମାଆ ବା ଅନ୍ୟ କାହାକୁ ଏଯୁଗ ବିଜ୍ଞାପନର କରାମତି ଜଣାନାହିଁ । ସେମାନେ ନିଜ ଝିଅର ପ୍ରଶଂସା କରି ପାରନ୍ତି ନାହିଁ । ମାଡ଼ି ମାଡ଼ି ପଡ଼େ କହିବାକୁ । ହୁଏତ ବିଚାରନ୍ତି–ନାଇଁ ନାଇଁ, ୟାଙ୍କ ପୁଅର ବଡ଼ଚାକିରି, କେତେ ଡିମାଣ୍ଡ୍ ଦେବାକୁ କଥା ଦେଇ ପ୍ରସ୍ତାବ ଆସୁଥ‌ିବ ହୁଏତ ! କେଉଁ ସାହସରେ ଆମେ ପ୍ରସ୍ତାବ ଦେବୁ ? ସକାଳ ପାଇଲେ ଦେଖାଦେଖି–ପିଲାଦିନୁ ଦେଖୁଛନ୍ତି ଆମ ଝିଅକୁ-। ଆମ ଘର କଥା ସବୁତ ଜାଣିଛନ୍ତି । ଆମ ଝିଅ ତାଙ୍କ ମନକୁ ଯାଇଥିଲେ ସେ କ’ଣ କହି ନଥାନ୍ତେ–କିଛି ନହେଲେ ଆଗ ଟିକେ ଟିପ୍ପଣା ମାଗନ୍ତେ ନାହିଁ ? ହଁ, ମ ସମସ୍ତେ ମୁହଁରେ ମୁହଁରେ ପ୍ରଶଂସା କରିବେ ସିନା, ଯାହାର ଧନ ଅଛି ସଭିଏଁ ତାହାରି ଆଡ଼କୁ ମୁହାଁଇବେ । ଭଲ ଝିଅ କଥା ଛାଡ଼-

 

ପଦମର୍ଯ୍ୟାଦା, ଧନ, ବାପର ସାମାଜିକ ପଦମର୍ଯ୍ୟାଦା (ସୋସିଆଲ୍ ଷ୍ଟାଟସ୍) ଏଗୁଡ଼ାକ ଏଯୁଗରେ ବଡ଼ । ଆମରତ ଧନ ନାହିଁ । ଆମେ ମୁହଁଫିଟେଇବା ? ଆମେ ଯୌତୁକ ଦେଇପାରିବୁନି । ସେ କଥା ଭଲା ତୁଣ୍ଡରେ ଧରିବୁ କାହିଁକି ? ପ୍ରସ୍ତାବ ଦେବୁ ଭଲା କୋଉ ସାହସରେ ? ମାଗୁର ମାଛ ବଲବଲ କରି ଅନେଇଥାଏ ।” ଏଭଳି ଘଟଣା ସବୁ ପ୍ରାୟ ଘଟିଯାଏ । ସବୁ ଗୁଣ ଥାଇ, ପ୍ରଚାର ଓ ବିଜ୍ଞାପନ ଅଭାବରୁ ମନକୁ ଚାହିଁ ପ୍ରସ୍ତାବ ମିଳେ ନାହିଁ । Communication gap । କେହି ମନକଥା ଫିଟାଇ କହନ୍ତି ନାହିଁ । ଏଣେ ପୁଅମାଆ ମଧ୍ୟ ବିଚାରନ୍ତି–“ଏଇ ଘର ପାଖ ଝିଅକୁ ଦେଖ‌ିଲେ ଭାରୀ ଭଲ ଲାଗୁଛି । ତା’ ଢଙ୍ଗ, ରଙ୍ଗ, ପାଠ, କାମ ସବୁ ଦେଖ‌ିଲେ ପେଟ ପୂରି ଯାଉଛି । କାହିଁ ତା’ ବୋଉତ ଦିନେ ଟିକିଏ ଅଣ୍ଟେଇ କରି ପଦୁଟିଏ ହେଲେ କହିଲା ନାହିଁତ । କେଜାଣିଲୋ ମାଆ, ପାଠୁଆ ଝିଅ ବୋଲି ଗର୍ବ, ଝିଅ ପଢ଼ାରେ ବୃଦ୍ଧି ପାଇଛି–ଏଣେ ସୁନ୍ଦର–ତେଣୁ ବଡ଼ ଗରବ । ଝିଅ ଘର ଆଗ ସିନା ଗୋଡ଼ ଭାଙ୍ଗି ଆମ ଦୁଆରେ ଠିଆ ହୁଅନ୍ତେ । ସିଏତ ତୁନି । ମୁଁ କାହିଁକି ଝିଅ ନମିଳିଲା ପରି ଆଗଭର ହୋଇ ତୁଣ୍ଡ ଫିଟେଇବି ଯେ । ସତେ ବା ଆଉ ଝିଅ ନାହାନ୍ତି ! ପୁଅ ଘର ହୋଇ ହାତ ପତେଇବି ଆଗ ? କେତେ ଲୋକ ଟିପ୍ପଣା, ରସଗୋଲା ହାଣ୍ଡି, ବଡ଼ ମାଛ ଧରି କାହିଁ କେଉଁ ପୃଥ‌ିବୀରୁ ଆସୁଛନ୍ତି ମୋ ଦୁଆରକୁ । ଏମାନେ ପଡ଼ିଶାରେ ଥାଇ କ’ଣ ଦେଖୁନାହାନ୍ତି କିଛି ? ଆମେ ଗରିବ ଘର ବୋଲି ତାଙ୍କର ଯଦି ମନକୁ ନଗଲା ନଯାଉ । ଆମର ଭାସିଯାଉଛି । ତୁମ ଗରବ ତୁମର ! ମୁଁ ପୁଅର ମାଆ ଜାଣିଥା । ଅଣ୍ଡିରା ପୁଅକୁ କ'ଣ ଭାରିଜା ଅଭାବ ହେବ ? ଆମେ ପୁଅବାଲା । ଆମେ ପୁଣି ଯାଇ ଝିଅ ଦୁଆରେ ହାତ ପତେଇବୁ ?

 

ଏଣେ ସୁନ୍ଦର ଝିଅ ଘରେ, ବାପା ମାଆ ରାତିରେ କଥା ହୁଅନ୍ତି, ଆମ ଭାଗ୍ୟରେ ଏ ସୁଖ କାହିଁ ? ପିଲାଟି ମୋ ମନକୁ ଯାଉଛି ଯେ–ଛାଡ଼.....ଯୌତୁକ ଦେବାକୁ ଆମର ବଳ କାହିଁ ? ଏଣେ ପୁଅର ସାନଭାଇ କି ଭିଣୋଇ ଏପଟେ ଆଗ ପାହୁଣ୍ଡେ ଚାଲିଯାଇ ସେହି ଝିଅ ଚରିତ୍ର ଉପରେ ଆକ୍ଷେପ କରିବାକୁ ପଛାନ୍ତି ନାହିଁ । କଳ୍ପନାର ଦୌଡ଼ କମ୍‌ ନୁହେଁ–ଏ ମାଆ ଶୁଣ ! ସେ ଝିଅ ନିଶ୍ଚେ କାହାକୁ ମନେମନେ ଠିକ୍‌ କରିଛି, ସେଥିପାଇଁ ବାପା ମାଆ ନିଶ୍ଚିନ୍ତ ! ଆଜିକାଲି ସୁନ୍ଦର ଝିଅମାନଙ୍କର ଏଭଳି ଗୁଣ ଆମ୍ଭେ ସବୁ ପ୍ରାୟ ଦେଖୁଛୁଟି ? ସିଧାସଳଖ ଗୋଟିଏ ଘଟଣା କେଉଁଠି ଦେଖି ସବୁ ଝିଅଙ୍କ ଚରିତ୍ର ଉପରେ ଟିପ୍ପଣୀ ଦେବାରେ ଏ ପ୍ରଚାର ଯୁଗର ଲୋକମାନେ ସବୁବେଳେ ପ୍ରସ୍ତୁତ । ଭାରି ପାରିବାର । ଏଠିବି ଇଏ ଏକପ୍ରକାର ତଣ୍ଟିକଟା ପ୍ରତିଯୋଗିତାମୂଳକ ବିବାହ ବିବାଦର ବିପରୀତ ବିଜ୍ଞାପନ ! ପୁଅ ମାଆ ମୁହଁ ଶୁଖାଇ ଦିଅନ୍ତି–କେଜାଣିଲୋ ମାଆ–ସତ ହୋଇଥ‌ିବ । ସେ ପ୍ରସ୍ତାବ ଆଉ । ଏଇଭଳି ବିଜ୍ଞାପନ ଭିତରେ ଯଦି ଖବରକାଗଜରେ ବିଜ୍ଞାପନ ଦେଲ, ତେବେ ଆଉ ଏକ ସମସ୍ୟା ।

 

ବିଜ୍ଞାପନ କାଗଜରେ ସୁନ୍ଦରୀ ସରକାରୀ ସ୍କୁଲ୍ ଶିକ୍ଷୟତ୍ରୀ, ତିରିଶବର୍ଷର କରଣ ଘର ଝିଅପାଇଁ ସୁଶିକ୍ଷିତ ଡାକ୍ତର ଇଞ୍ଜିନିୟର୍ ବା ଅଧ୍ୟାପକ ବରପାତ୍ର ଆବଶ୍ୟକ । ବକ୍‌ସ ନମ୍ବର ଅମୁକ, ପତ୍ରାଳାପ କରନ୍ତୁ–ଏମିତି ଏମିତି ଦେଖିଲାବେଳକୁ ବୁଢ଼ାବର ହୋଇଥିବ, ନହେଲେ ବାହାହୋଇ ଦି’ ଚାରିଟା ଛୁଆ ହୋଇଥିବ…..କ'ଣ ଭୁଲ ହିସାବ ସବୁ ଦେଖାଇ ଆସି ବାହାହୋଇ ଚାଲିଯିବ, ବିଚିତ୍ର ଦୟନୀୟ ଜୀବନ ସୃଷ୍ଟି । ଏଇ ଭଳି ଝିଅଟା ବୁଝିଲାବେଳକୁ ସବୁ ମିଛ ବିଜ୍ଞାପନରୁ ! ଆହା.....ତା’ କପାଳେ ପୁଣି ଏଇଆ ଥିଲା ? ଟୁପୁଟୁପୁ ଭୁଟୁଭୁଟୁ ଚାରିଆଡ଼େ । ଏ କି ବିଜ୍ଞାପନ ଦେଇ ଏତକ ଦୁଃଖ ପାଇଲା । ଟଙ୍କା ସରିଲା, ପୁଣି ଠକାମିରେ ପଡ଼ିଲା ।

 

ବିବାହ ବିଜ୍ଞାପନର ଅନ୍ଧାର ଦିଗ ଇଏ ! ହେଲେ ବିଜ୍ଞାପନର ବହୁତ ଭଲ ଦିଗ ଯେ ନାହିଁ ଏକଥା କହିଲେ ଏକପାଖିଆ ହୋଇଯିବ । ଉଭୟର ଭଲମନ୍ଦ ରହିଛି ।

 

ତଥାପି ଧନ୍ୟ ସେ ପ୍ରଚାର ? ତୁ ନରଖିଲୁ ବାଛବିଚାର । ଭଲମନ୍ଦ ଆଉ ଅସଲି ନକଲି ସବୁ କଲୁ ଏକାକାର । ଲୋକଙ୍କୁ ଭଣ୍ଡେଇ କଲୁ କେତେଭଳି ତୁ ହରବର ! କାମ ସରିଗଲେ ଆଉ ବାଟ ନାହିଁ କି ହାହାକାର ଧନ୍ୟ ସେ ପ୍ରଚାର ! ବିଜ୍ଞାପନର ଭେଳିକି ଦେଖି ଏବେ ଯୁଗର ଭାଗବତ ବାଣୀ ସ୍ମରଣ କରିବା କଥା–“ବୁଝିବିଚାରି କାମ କଲେ ପ୍ରମାଦ ନପଡ଼ଇ ଭଲେ ।”

 

ନଭାବି ନଚିନ୍ତି ଭଲଭାବରେ ନଜାଣି ଜୀବନ ସଉଦା ଜମା କରିବି ନାହିଁ ।

 

କଲେ–‘

ଆପଣା ହସ୍ତେ ଜିହ୍ଵା ଛେଦି–

କେ ଅଛି ତା'ର ପ୍ରତିବାଦୀ ।'

 

ଭଲକରି ବିଚାରପୂର୍ବକ ପାଦଟିଏ ଆଗକୁ ଯାଅ, ଏ ବଡ଼ଲୋକଙ୍କର ମତ !

✽✽✽

 

ହାଣ୍ଡିଶାଳରୁ ରାଜଦରବାର

ଉତ୍ସବ ନ କରୁ ଉଚ୍ଛନ୍ନ

 

ଓଡ଼ିଆରେ ଗୋଟିଏ ଢଗ ଅଛି–

 

‘କଟିରେ କନା ନାହିଁ ମୁଣ୍ଡରେ ଫୁଲ

ଏଇ କନିଆଟିର କେତେଲୋ ମୂଲ ?’

 

ଆଗ ଲୁଗା ଦେହ ଢାଙ୍କିବାକୁ ମିଳୁ, ପରେ ମୁଣ୍ଡରେ ଫୁଲ ପିନ୍ଧିବ । ଅର୍ଥାତ୍ ଆଗ ସବୁଠାରୁ ଅଧ‌ିକ ଲୋଡ଼ା ସୁବିଧାଗୁଡ଼ିକ ଯୋଗାଇ ଦେଇସାରିଲା ପରେ ସଉକି କଥା ପରେ ବିଚାରିବ । ପେଟକୁ ଦାନା, ପିଠିକୁ କନା, ମୁଣ୍ଡକୁ ବାସ, ରୋଗବୈରାଗକୁ ଓଷ’, ଏହି ଚାରୋଟି ହେଲା ଅର୍ଥନୀତି ଭାଷାରେ ଅତ୍ୟନ୍ତ ପ୍ରୟୋଜନୀୟ ଅଭାବ, ଯେଉଁ ଅଭାବସବୁ ସଂସାରରେ ବଞ୍ଚିବାପାଇଁ ପୂରଣ ହେବା ଅତ୍ୟନ୍ତ ଜରୁରୀ । ସମସ୍ତେ ଏତିକି ପାଇ ସାରିବା ପରେ ତେଣିକି କାର୍ଯ୍ୟ ଦକ୍ଷତା ବଢ଼ାଇବା ପାଇଁ ଅନ୍ୟ ଆବଶ୍ୟକ ଅଭାବଗୁଡ଼ିକ ପୂରଣ କରିବା କଥା । ଯଥା–ସୁସ୍ଥ ଘର, ପାଠ ପଢ଼ିବାପାଇଁ ଚଉକି ଟେବୁଲ, ଖାତା କଲମ, ଭଲ ଖାଦ୍ୟ, ଭଲ ପାଣି ଓ ଅନ୍ୟାନ୍ୟ ଦରକାରୀ ଚିଜ । ସେତକ ପୂରଣ ହେଲେ ଦୂରଦୂରାନ୍ତକୁ ଯିବାକୁ ଯାନବାହନ, ଟେଲିଭିଜନ, କ୍ୟାମେରା, ଘରର ସାଜସଜ୍ଜା ଜିନିଷପତ୍ର, ଫ୍ରିଜ୍, ଗ୍ୟାସ୍‍ଚୁଲି, ଏମିତି ତା’ ଉପରକୁ, ଉପରକୁ ଅସୁମାରି ଅଭାବ ରହିଛି । କିନ୍ତୁ ଏଣେ ଘରେ ହାଣ୍ଡି ମାଙ୍କଡ଼ଚିତ୍‌ ମାରୁଥିବ, ଚାଳ ଛପର ହୋଇ ନଥିବ, ଚାଳରେ ଆଣ୍ଟିନା ଦିଶୁଥ‌ିବ, ଭଡ଼ାରେ ଭିସିଆର ଆସି ବୀଭତ୍ସ, ଅଶ୍ଳୀଳ ସିନେମା ସବୁ ରାତିଅଧରେ ଦେଖା ଚାଲିଥିବ, ରୋଗିଣୀ ମା’କୁ ଔଷଧ ପାନେ ନ ଦେଇ ପଇସା ଖର୍ଚ୍ଚ କରି ମଦ ପିଆ ହେଉଥିବ–କ’ଣ ନା ଉତ୍ସବ, ମଉଛବ, ମଉଜ, ପୂଜା ପର୍ବ ହେଉଛି । ଆଚ୍ଛା ! ବର୍ଷକରେ ଥରେ ଗଣେଶ ପୂଜା, ବ୍ୟାଣ୍ଡ୍ ପାର୍ଟି ଭଡ଼ାରେ ଆସିବନି ? ଫୁଲ–ରଜନୀଗନ୍ଧା, ଯେତେ ଖର୍ଚ ହେଉ ପଛେ କଲିକତାରୁ ଆସିବ, ଗୋଟା ଗେଣ୍ଡୁମାଳରେ ଆମ ବିଦ୍ୟାଳୟ ସଜା ହେଉ, କ୍ଲବ୍‍ଘର ଶୋଭା ବଢ଼ୁ । ଆମ ସାଇ, ପାଖ ବିଦ୍ୟାଳୟର ଗଣେଶ ମୂର୍ତ୍ତିଠାରୁ ଆମ ଗଣେଶ ୨ଫୁଟ୍ ଉଚ୍ଚ ହୁଅନ୍ତୁ, ନୂଆ ଷ୍ଟାଇଲ୍‍ରେ ମୂର୍ତ୍ତି ଗଢ଼ା ହେଉ, ପାଞ୍ଚ ପଚିଶ ଯାହା ପଡ଼ୁଛି ପଡ଼ୁ ।

 

ସେଇ ଏକା ଗଣେଶ, ସେଇ ଛୋଟ ମୂଷା ? ବଦଳାଅ ଏହାକୁ, ନୂଆ ଷ୍ଟାଇଲ୍‍ରେ ମୂର୍ତ୍ତିପୂଜା ହେଉ । ଥୋଡ଼ପାହାଡ଼ ଥାଉ, କିଏ ମନା କରୁଛି ? କିନ୍ତୁ ତା’ ସନ୍ଧିରେ ନୂଆ ଢାଞ୍ଚାରେ ସିଗାରେଟଟିଏ ପଶିଗଲେ କ’ଣ ଏମିତି ପ୍ରଳୟ ହୋଇଯିବ ଯେ ? ମୂଷା ବେକରେ ସୁନ୍ଦର ହାରଟିଏ ପିନ୍ଧିଲେ କ୍ଷତି କ’ଣ ? କମକୁଟା ହାର, ଶିଳ୍ପୀ

 

ଦିପଇସା ଅଧିକ ନେବ, କ୍ଷତି କ’ଣ ? ନେଉ, ଗରିବ ଲୋକ । ଉଁହୁଁ, ସେଇ ପୁରୁଣାକାଳିଆ ବାଉଁଶ ବେତାରେ ଖଇଉଖୁଡ଼ା ପୂଜା ? ନା, ନା, ନା, ଗଣେଶ ଲଡ଼ୁ ଭକ୍ତ । ରାଶିଲଡ଼ୁ–ଏ ହେଉଛି ପୁରୁଣା ଫେସନ–କାଜୁ କିସ୍‌ମିସ୍‌ ଦେଇ ବେସନ ଲଡ଼ୁ ବନାଅ–୧୦୮ ଗୋଟା ଲଡ଼ୁ, ନଚେତ ଖାଣ୍ଟି ଗୁଆଘିଅରେ, ମିହିଦାନାରେ ବିରାଟ ବିରାଟ ବୁନ୍ଦି ଲଡ଼ୁ, ଶାଶୁଘରକୁ ଝିଅ ଭାର ନେଲାପରି, ସେଥିରୁ ଗୋଟିଏ ଗଣେଶଙ୍କ ହାତରେ ରହିବ, ସେତିକି ବଡ଼ ହାତପାଇଁ ଯେଡ଼ିକି ମୂର୍ତ୍ତି ଦରକାର, ତାହା ତିଆରି ହେବ ।

 

ଏ ଯୁଗରେ ପୁଣି ବିନା ମାଇକ୍‍ରେ ପୂଜା ! ମାରକ ନ ଥାଇ କେଉଁଠି ଭଲ ପୂଜା ହେଲାଣି ? ଲୋକେ ଜାଣିବେ କେମିତି ସ୍କୁଲ୍, କଲେଜ, କ୍ଲବ୍‍କୁ ଗଣେଶ ଆସୁଛନ୍ତି ବୋଲି ? ଏ ପରା ପ୍ରଚାରର ଯୁଗ, ମାଇକ୍‍ରେ ଲୋକପ୍ରିୟ ସିନେମା ସଙ୍ଗୀତ ପରିବେଷଣ ‘ହିଟ୍‌ ସଙ୍ଗ୍’–ଏଇ ହେଲା ହାଲ୍ ଫେସନ, ଉତ୍ସବ କରିବ ଉଚ୍ଛନ୍ନ ।

 

ଉତ୍ସବ ଦିନରେ ବାଛବିଚାର କ’ଣ ? ଭୋଜି ! ଆଜି ଖାଲି ମିଠା ଭୋଜି, କିନ୍ତୁ ପ୍ରକୃତ ଭୋଜି ତହିଁ ଆରଦିନ, ଉଖୁଡ଼ା ନୁହେଁ–କୁକୁଡ଼ା, ପଞ୍ଚାମୃତ ନୁହେଁ–ସୁରାମୃତ । ବୋତଲ ୪୦।୫୦ଟା ଖଡ଼ଖଡ଼ ହୋଇ ବାଡ଼ି ପଟେ ନ ବାଜିଲେ ଉତ୍ସବ ଭଳି ଲାଗିବ କି ? ଟିକିଏ ମେଢ଼ ଆଗରେ ନାଚ ହେବ, ପ୍ରୋସେସନ ହେବ, ବ୍ୟାଣ୍ଡ୍ ପାର୍ଟି ବାଜିବ, ତେବେ ଯାଇ ଗଣେଶ ବିସର୍ଜିତ ହେବେ, ସେତେବେଳେ ଏବେ ମନଖୁସିରେ ଟିକିଏ ନିଶାପାନ କରିଦେଲେ କ’ଣ ଦୋଷ ଧରାଯିବ-? ଯେଉଁ ଟାଣ ଖରା ଏଥ‌ିରେ ମଦ ଟିକିଏ ପିଇ ମସ୍ତ ନହେଲେ କ’ଣ ମଜ୍ଜା ଆସିବ ? ସିଂହର ବଳ ମାଡ଼ି ଆସିବ, ଚନ୍ଦନ ସିନ୍ଦୂର କଲି ସାଙ୍ଗକୁ ରଜନୀଗନ୍ଧା ମାଳ, ଫିନ୍‌ଫିନ୍‌ ପଞ୍ଜାବିକୁ ଅତର, ତହିଁକୁ ରଙ୍ଗ ଆଖି ସିନା ଶୋଭା ପାଏ, ଯାହାକୁ ଯିଏ, ବିରିକୁ ଚାଉଳ ତିନ୍ତେଇ ଦିଏ । ଯେଉଁ ଯୁଗକୁ ଯେଉଁ କଥା, ଟିଭି ଯୁଗକୁ ନାଚ ବ୍ୟବସ୍ଥା ।

 

ଏ ପ୍ରସ୍ତାବ ଅଧ‌ିକସଂଖ୍ୟକ ଭୋଟରେ ଗୃହୀତ ହେବାପାଇଁ ଭୋଟରଙ୍କ ଅଭାବ ଜମା ପଡ଼େନାହିଁ । ଏ ପରା ଗଣତନ୍ତ୍ର ପଦ୍ଧତି । ବେଶୀ ଲୋକ ଯାହା କହିଲେ ତାହାହିଁ ଠିକ୍‌ । ତିନି ତୁଣ୍ଡରେ ଛେଳି କୁକୁର । ପାଞ୍ଚୁଟା ଯାହା କହିଲେ ତାହା କରିବାକୁ ହେବ । ସାର୍ବଜନୀନ ପୂଜା ।

 

ପୁଞ୍ଜେ ପାଞ୍ଚଟା ବୁଢ଼ାହଡ଼ା କି ମା’ମାଉସୀ କ’ଣ କୁଁ କୁଁ ହେଉଛନ୍ତି ଛାଡ଼ ମ ! କିଏ ସେ କଥା ଶୁଣୁଛି ? ‘ଜୋର ଯା’ର ମୁଲକ ତା’ର’ ନୀତି, ତୁଣ୍ଡବଳ ଯାହାର ରାଜ୍ୟ ତାହାର, ଯେ ଦେଶେ ଯାଇ ସେ ଫଳ ଖାଇ । ସିନେମାରେ ଦେଖୁନ ? ସେଇ ପୁରୁଣାକାଳିଆ କଥାଗୁଡ଼ାକ କହୁଛ ? ଫୁଲ ଗଣ୍ଡିଏ ତୋଳ, ଗୁନ୍ଥ, ଉପାସ ରୁହ, ନଡ଼ିଆ ଭାଙ୍ଗ, ପଞ୍ଚାମୃତ ଖାଅ, ଶ୍ଳୋକ ବୋଲ, ବହି, କଲମ, ଖାତା ପୂଜା କର, ଆରେ, ଆମେତ ସବୁଦିନେ ବହି ପୂଜା କରୁଛୁ, କେବେ ଖୋଲୁନୁ, କି ପଢ଼ୁନୁ, ଆଜି ଆଉ ଅଧିକ କ’ଣ ? ଗୋଟିଏ ଗୋଟିଏ ଉତ୍ସବ ଦିନ, ମଜାଟା ହେଉ, ଗୀତ ବାଜା ଜମେଇ କରି ହେଉ, ପଟୁଆରଟା ଜାକଜକମରେ ଚାଲୁ, ଦେଖିବା–କୋଉ ସାଇ ଟପିଯିବ ? ଲାଗିଲା ପ୍ରତିଯୋଗିତା । ସ୍କୁଲ୍‍ରେ, ଶ୍ରେଣୀ ଶ୍ରେଣୀରେ ଅଲଗାଅଲଗା ଗଣେଶ, କଲେଜରେ ମଧ୍ୟ ପ୍ରତି ବିଭାଗରେ ପ୍ରତିଯୋଗିତାମୂଳକ ପୂଜା, ବେକାର ବୁଲୁଥିବା ବଗୁଲିଆ ପିଲାଙ୍କପାଇଁ ଏହି ଉତ୍ସବ ଗୋଟିଏ ଉପାର୍ଜନର ବେଳା, ମାଧ୍ୟମ । ମାସକ ଆଗରୁ ଚାନ୍ଦା ଖାତା ଛପା ହୋଇଯିବ, ଟିଣ ଡବାରେ ଗୋଟିଏ ବଡ଼ କଣା ହୋଇଯିବ । ଉପରେ ନାଲି ଅକ୍ଷରରେ ଲେଖାହେବ–‘ବିଦ୍ୟାଦାତା ଗଣେଶ ପୂଜା ନିମନ୍ତେ ଚାନ୍ଦା’ । ପିତ୍ତଳ ଥାଳିରେ ଫୁଲଚନ୍ଦନ ସହ ଡବା ସ୍ଥାପନ, ହୋଟେଲରେ ପେଟପୂରା ଭୋଜନ, ତତ୍ପରେ ସଂଘବଦ୍ଧଭାବେ ଭ୍ରମଣ, ଚାନ୍ଦା ସଂଗ୍ରହ ପର୍ବ ଏକ ଉତ୍ସବ ପରା !

 

ଆପଣ ଏମାନଙ୍କୁ ବସ୍‍ରେ ଦେଖିବେ, ରେଳଡ଼ବାରେ ବୁଲୁଥିବାର ଦେଖିବେ । ଗାଡ଼ିରେ ଗଲାବେଳେ ବାଉଁଶ ପକେଇ ଚାନ୍ଦା ମାଗୁଥ‌ିବାର ଦେଖିବେ । ଦେବୁନାହିଁ ବୋଲି ମନାକଲେ ଉତ୍ସବର ଉପକାରିତା ସମ୍ପର୍କରେ ଡିବେଟ୍‌ କମ୍ପିଟେସନ୍‌ର ଜଜ୍‌ ହେବାକୁ ପଡ଼ିବ ଆପଣଙ୍କୁ । ଗଣେଶଙ୍କ ଅପାର ମହିମା, ଯୁବକମାନଙ୍କର ଗଣେଶ ପୂଜା ପ୍ରତି ଆନ୍ତରିକତାର ଜୟଗାନ ଶୁଣିବେ । ନଚେତ୍‌ ଠେଙ୍ଗାବଳ ଯାହାର ରାଜ୍ୟ ତାହାର, ଅନ୍ୟଥା ସବ୍‌ସେ ଭଲା ଚୁପ୍‌ ଭାବି ଉତ୍ସବ ସପକ୍ଷରେ ଭୋଟ୍‌ ଦେବେ, ଅର୍ଥାତ୍‌ ଯଥାଶକ୍ତି ଦାନ ଦେଇ ଉତ୍ସବକୁ ସମର୍ଥନ କରିବେ-

 

ଯଦି ଟିକିଏ ଉପଦେଶ ଦେବାପାଇଁ ଆପଣଙ୍କ ଜିଭ ଛକପକ ହେଉଥାଏ, ଅର୍ଥାତ୍‌ ଆପଣବି ବହୁ କଥନ ରୋଗରେ ପୀଡ଼ିତ, ତେବେ ଦାନ ନେଇସାରି କହିବେ, “ହେ ବାପା ! ଶୁଣ, ଶଙ୍କରାଚାର୍ଯ୍ୟଙ୍କ ଗଣେଶ ସ୍ତୋତ୍ର ସମସ୍ତେ ମୁଖସ୍ଥ କରିବ, ସେଇ କ୍ୟାସେଟ୍‌ ଆଣି ବଜେଇବ, ସିନେମା ଗୀତ ଜମା ବଜେଇବ ନାହିଁ, ଶୁଦ୍ଧପୂତ ଭାବରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବ । ମନ୍ତ୍ର କ’ଣ ଜାଣିଛ ପିଲେ ? ଯାହାଦ୍ଵାରା ମନର ଚିତ୍ତ ବିକ୍ଷୋଭ ଦୂର ହୁଏ ତାହାହିଁ ମନ୍ତ୍ର । ତୁମର ଅଭିନିବେଶ ବଢ଼ିବ, ଏକାଗ୍ରତା ବଢ଼ିବ । ଏତକ କହିସାରି ହଠାତ୍‌ ଆଗକୁ ଚାହିଁ ଦେଖିବେ ଆପଣହିଁ ବକ୍ତା, ଆପଣହିଁ ଶ୍ରୋତା । କିଛି ସମୟ ଆଗରୁ ଭାଷଣ ଦେଉଥ‌ିବା ଓ ଚାନ୍ଦା ମାଗୁଥିବା ଯୁବକମାନେ ଦେ ଚମ୍ପଟ । ଖଣ୍ଡମଣ୍ଡଳରେବି ତାଙ୍କ ଚିହ୍ନବର୍ଣ୍ଣ ଦିଶୁ ନଥିବ । ଆପଣ କ'ଣ କରିବେ ବିଚାରନ୍ତୁ ।

 

ଆପଣା କପାଳକୁ ନିନ୍ଦି, ମନେମନେ ଆପଣ ଘରକୁ ଯିବେ । ଯାହା ସ୍ଵଗତୋକ୍ତି କରିବେ ସିନା, ପାଟି କରି ପଦେ କହିବାକୁ ସାହସ କରିବେ ନାହିଁ, ‘ମୂଢ଼ ସଭାରେ ମୂକ ଯଥା ଧାର୍ମିକ’ ଅବସ୍ଥାହିଁ ହେବ ।

 

ଏବେ ଏହା ହୋଇଛି ଆଜିର ପୂଜା ଓ ଉତ୍ସବର ସ୍ଵରୂପ । ବିବାହବେଳେ ନୂତନ ବିଧି ଯୁଗ ଚଳଣି ଅନୁସାରେ ଯୋଡ଼ା ହୋଇ ସାରିଲାଣି । କ’ଣ ନା ମାଇକି, ଭିଡ଼ିଓ କ୍ୟାସେଟ୍‌, ସିନେମା ଗୀତ, ବ୍ରେକ୍‌ ଡ୍ୟାନ୍‌ସ୍‌, ଜାତିଜାତିକା ଦୂରରୁ ଆସିଥିବା ବ୍ୟାଣ୍ଡ୍‍ପାର୍ଟି, ଅନ୍ୟରାଜ୍ୟରୁ ଆମଦାନୀ ହୋଇଥ‌ିବା ଫୁଲ ଓ ଅନ୍ୟାନ୍ୟ ପ୍ରସାଧାନ ସାମଗ୍ରୀ । ବିବାହ ସ୍ଥାନ ମଧ୍ୟ ହୋଟେଲ, ଆଉ ପଡ଼ିଆ ଦୁହେଁ, ମୁକ୍ତାକାଶ ତଳେ ଛାମୁଣ୍ଡିଆ ନୁହେଁ, ମାଟିବେଦୀ ନୁହେଁ, ସବୁର ଉନ୍ନତ ସଂସ୍କରଣ । ପଣା ଜାଗାରେ ସୋମରସ ହେଲେ କ’ଣ ଏବେ ଭାସିଗଲା ? ଯୁକ୍ତି ମଧ୍ୟ ଭାରିଟାଣ । ଏଇ ଉତ୍ସବ ଆଡ଼ମ୍ବରରେ ଯାହା ଖର୍ଚ୍ଚ ହୁଏ ତାହା ଅର୍ଥନୀତି ଭାଷାରେ ଅନୁତ୍ପାଦନଶୀଳ ଖର୍ଚ୍ଚ । ଗୋଟିଏ ରାତ୍ରିପାଇଁ ସାଜସଜ୍ଜା, ଗାଲିଚା, ବ୍ୟାଣ୍ଡ୍‍ପାର୍ଟି, ରକମ ରକମର ଭୋଜନ ସ୍ଥଳୀ ସୁସଜ୍ଜିତ କରିବାପାଇଁ ମୋଟା ଅଙ୍କର ଖର୍ଚ୍ଚ–ଏସବୁ ବାହ୍ୟ ଆଡ଼ମ୍ବର ପରିପୂର୍ଣ୍ଣ ଉପଭୋଗର ମାତ୍ରା ବିବାହ ଉତ୍ସବର ଜରୁରୀ ଖର୍ଚ୍ଚର ମାତ୍ରାଠାରୁ ଯଥେଷ୍ଟ ଅଧିକ ହେଉଛି । ସରଳ, ନିରାଡ଼ମ୍ବର, ଶୁଦ୍ଧଭାବରେ ଯେତିକି ଏକାନ୍ତ ଆବଶ୍ୟକ, ସେତିକି ଖର୍ଚ୍ଚ କରି ବାକି ଝିଅ ନାଆଁରେ ବ୍ୟାଙ୍କ୍‍ରେ ରଖିଦେଲେ ସେ ମଧ୍ୟ କିଛି ଧନ୍ଦାରେ ଲଗାଇ ଆତ୍ମନିର୍ଭରଶୀଳ ହୋଇପାରନ୍ତା । ବିପଦ ଆପଦକୁ ସଞ୍ଚିତ ଧନ ଥାନ୍ତା–ଏକଥା ବିଚାରିବାକୁ କାହାରି ବେଳ ନାହିଁ । ତା’ ଦେଖାଦେଖି ଇଏ, ୟା ଦେଖାଦେଖି ସିଏ–ଏଭଳି ପ୍ରତିଯୋଗିତାମୂଳକ ଭାବରେ ଉତ୍ସବଜନିତ ଖର୍ଚ୍ଚ ବଢ଼ି ଚାଲିଛି ଓ ଏହା ପରିବାରକୁ ଉଚ୍ଛନ୍ନ କରୁଛି ।

 

ମୁରବିମାନେ କହିବାର ଶୁଣାଯାଏ–ଆରେ ବାବା, ପିଲାଙ୍କ ମନକୁ ପାଇଲା ନାହିଁ, ସାଜସଜ୍ଜା ତାଙ୍କ ମନମାଫିକ ହେବ, ବ୍ୟାଣ୍ଡ୍‍ପାର୍ଟି ହାଇଦ୍ରାବାଦରୁ ଆସିବ, ଫୁଲ କଲିକତାରୁ, ନାମୀ ଡେକୋରେଟର, ଆଉ ଯାହା ସବୁ ଆନୁସଙ୍ଗିକ ଖର୍ଚ୍ଚ ସେଥ‌ିରେ ଆମେ ମୁଣ୍ଡ ନ ପୂରେଇବା ଭଲ ବୋଲି ସେମାନେ ସଫାସଫା କହି ଦେଲେ, ପିଲାଙ୍କ ଉତ୍ସବ, ପିଲେ ଟିକେ ମଉଜ କରିବା କଥା, ବର୍ଷକରେ ଦିନଟାଏ, ବୁଢ଼ାବୁଢ଼ୀମାନେ ଆଖିବୁଜି ଦିଅନ୍ତୁ, ତେଣିକି, ରଙ୍ଗବତୀ.....’’

 

ବୋଲା ହେଉଛି କି “ଚିଜ୍‌ ବଡ଼ି” ବୋଲା ହେଉଛି ସେ ସବୁ ନ ଶୁଣିଲେ ଭଲ । କି ନାଚ ହେଉଛି ? ମାଇପେ ଆଲୁଅ ଧରି ଚାଲିଥିବେ, ଯଦିଓ ରାସ୍ତା ଗୋଟାଯାକ ଆଲୁଅ, କିନ୍ତୁ ତୁଣ୍ଡ ଫିଟେଇବାକୁ ଚାରା କାହାର ? ବହୁ ଭୋଟରେ ପ୍ରସ୍ତାବ ଗୃହୀତ । ଉତ୍ସବ ଜାକଜକମରେ ହେବ । ଗାଁ ଗହଳରେ ପାଠ ନ ପଢ଼ିଥିବା ମାଇପିମାନଙ୍କ ତୁଣ୍ଡରୁ ଶୁଣାଯାଉଛି–ଭଲା ସଂସାରରେ ମାଇକ୍‌ ନଥାଇ ବିଭାଘର ହେଲାଣି ! ମାଇକ୍‌ ବାଜିବ, ବାଜା ବାଜିବ, ଗୀତ ବୋଲା ହେବ, ବର ଆଗରେ ସିନେମା କାଇଦାରେ ଟୋକାମାନେ ନାଚିବେ, ତେବେ ସିନା ବିଭାଘର ପରି ଦିଶିବ ।

 

ବିଭାବେଳେ ଝୋଟି ସୁନ୍ଦର କୁହାଯାଉଥିଲା, ଏବେ କୁହାଯାଉଛି ବିଭାବେଳେ ମାଇକ୍‌ ଭିଡ଼ିଓ କ୍ୟାସେଟ୍‌ ସୁନ୍ଦର । କନ୍ୟା ଆଡ଼କୁ କାହାରି ଲକ୍ଷ୍ୟ ନାହିଁ । ସବୁରି ଲକ୍ଷ୍ୟ ଭିଡ଼ିଓ କ୍ୟାମେରା ଆଡ଼କୁ । କିଏ କେତେ ମାଛ ଖାଇଲା, କିଏ କେଉଁଠି ବସିଲା, କେତେ କୁଣିଆ ଆସିଥିଲେ, କିଏ କ’ଣ ଦେଲେ, ଝିଅ କେତେବେଳେ କାନ୍ଦିଲା, କେତେ କାନ୍ଦିଲେ ଭିଡ଼ିଓ ପରଦାରେ ଭଲ ଦିଶିବ, କେତେବେଳେ କାନ୍ଦ ବନ୍ଦ କରିବ, ଏ ସବୁ ପୂର୍ବରୁ ନିର୍ଦ୍ଧାରିତ । କୁଆଡ଼େ ଏଗୁଡ଼ିକ ନଥିଲେ ବିଭାଘର ପରି ଦିଶିବ ନାହିଁ । ଯଦି ବିଚରା ଗୃହସ୍ଥ ମନା କରିଦେଲେ ଶୁଭଘରେ ଅଶୁଭ କାଣ୍ଡ ହୋଇଯିବ । ସଂଘବଦ୍ଧ ଉଦ୍ୟମ, ମେଳର ବଳ ।

 

ଏ ଯେଉଁ ଦେଖାଶିଖା ଉତ୍ସବ ଚାଲିଛି, ଏସବୁ ବିକାଶଶୀଳ ଦେଶର ଦୁର୍ଗୁଣ ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି । ପ୍ରଫେସର୍ ଡ୍ୟୁଜେନ୍‌ବରୀ ଏହି ଗୁଣକୁ ଗୋଟିଏ ସୁନ୍ଦର ନାଁ ଦେଇଛନ୍ତି–‘Demonstration effect’–ପଡ଼ିଶା ଘର ଚଳଣିର ପ୍ରଭାବ, ତୋ’ର ଦେଖି, ମୋର ଡେଇଁଲା ଡାହାଣ ଆଖି । ତୁମର ଯଦି ଆଡ଼ମ୍ବର କଳ ଆମର ସେମିତି କରିବାକୁ ହେବ, ବଳଥିଲେ ତା’ଠାରୁ ଅଧିକ କରିବାକୁ ହେବ, ତାହାହେଲେ ଯାଇ ଆମ ବଡ଼–ପଣିଆ ରହିବ । ‘ଦେଖାଶିଖା ଓଡ଼ିଶା, ବୁଦ୍ଧି ଶିଖେ ପଡ଼ିଶା ।’ ଯଦି ସେତିକି ସମ୍ବଳ ନାହିଁ କି ଧନବଳ ନାହିଁ ତେବେ ଉଧାର କରି କର । ମାନମହତ କଥା ଠିକ୍ ଏଇ ଦେଖେଇ ହେବା ଖର୍ଚ୍ଚ ଉତ୍ସବରେ ଯେତେ ଅଧିକ ହେବ ପରିବାର ସେତିକି ଉଚ୍ଛନ୍ନ ହେବ । କିନ୍ତୁ କ’ଣ କରିବ ?

 

‘ପଡ଼ିଶା ଘର ପିଠା ଦେଖି, ରବେଇଖବେଇ,

ଘଷି ଖଣ୍ଡେ ଗୁଡ଼ ମଡ଼େଇ ରଡ଼ ଭଡ଼ ଚୋବେଇ ।’

 

ଚକୁଳି ନ ମିଳିଲେ ଚକୁଳି ଭଳି କରି କିଛି ଖାଅ, ମନର ଓରିମାନା ମେଣ୍ଟାଅ, ଅର୍ଥାତ୍‌ ଅନୁକରଣ କର–ତାଙ୍କର ହୋଇଛି, ଆମର କାହିଁ ହେବ ନାହିଁ ? ଏତକ ଖର୍ଚ୍ଚ କରି କି ଲାଭ ? ବିଭା ବାସି ବେଦୀ ମୁହଁ ପୋଡ଼ା, ଯେତିକି ଫୁଲ କିଣିଥିବ କାଲିକି ବାସି, ଯେତିକି କନା ବନ୍ଧା ହୋଇଥିବ କାଲିକି ଫିଟା ହେବ, ଇଏ ହେଲେ ରକ୍ଷା ରକ୍ଷଣ, କିନ୍ତୁ ଯେଉଁ ଅଶ୍ଳୀଳ ଗୀତ ବଜାଗଲା, ଯେଉଁ ମଦ୍ୟପାନ ହେଲା, ସେଥିରେ ଲୋକ ଚରିତ୍ର କ’ଣ ଫେରିଆସିବ ? ଧନ ଗଲେ ପୁଣି ଆସିପାରେ କିନ୍ତୁ ଚରିତ୍ରଗଲେ, ନୀତି ଗଲେ ? ଆଶ୍ଚର୍ଯ୍ୟ କଥା ନୀତି, ସଂସ୍କାର, ସଂସ୍କୃତିକୁ ଆଳ କରି ଗାଁଗହଳଠାରୁ ଆରମ୍ଭ କରି ସହରଯାକ ଯେଉଁ ଉତ୍ସବପାଇଁ ବାଦବୁଦିଆ କଥାସବୁ ଚାଲିଛି, ପୂଜା ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ ଲୁଚିଯାଇ ଶେଷକୁ ଉତ୍ସବ ଗଣ୍ଡଗୋଳ ମାରପିଟ ହଣାକଟାର କାରଣ ହେଉଛି ।

 

ଅଭାବ ବଢ଼ୁଛି ଦିନୁ ଦିନ । ଅଶାନ୍ତି, ଅସନ୍ତୋଷ, ହଣାମରା, ଦୁର୍ଘଟଣାଜନିତ ଅକାଳମରଣ, ନାରୀ ନିର୍ଯାତନା–ଏ ସବୁ ଦୁର୍ଗତିର ଚିହ୍ନ ଯେତିକି ଅଧିକ ଅଧିକ ଆଖିରେ ପଡ଼ୁଛି, ସେତିକି ଅଧିକ ଉତ୍ସବ ପୂଜାପାର୍ବଣର ଆଡ଼ମ୍ବର ମଧ୍ୟ ଆମ ଆଖି ବେଳୁବେଳ ଝଲସାଇ ଦେଉଛି । ସହଜେ ତ ଆମର ବାର ମାସରେ ତେର ପର୍ବ । ତହିଁରେ ଏବେ ପର୍ବଦିନଗୁଡ଼ିକ ଆଉ ଗୋଟିଏ ଦିନରେ ନିର୍ଦ୍ଦିଷ୍ଟ ସମୟ ଭିତରେ ବାନ୍ଧି ହୋଇ ରହୁ ନାହିଁ । ବେଶ୍ ଲମ୍ବି ଲମ୍ବି ଯାଉଛି । ପୂଜା ଆୟୋଜନ ଦିନଠୁ ଆରମ୍ଭ କଲେ ଶେଷ ଦିନ ଯାଏଁ ଉତ୍ସବ ଲାଗି ରହିଛି । ଗଣ୍ଡଗୋଳ, ମାରପିଟ ମଧ୍ୟ ଲାଗି ରହିଛି ।

 

ଜୀବନପାଇଁ ଆନନ୍ଦ, ସୌନ୍ଦର୍ଯ୍ୟ, ବୈଚିତ୍ର୍ୟ ଓ ଉତ୍ସବ ଲୋଡ଼ା । ପୁଣି ଆମର ଉତ୍ସବ ସବୁ ସ୍ଵାସ୍ଥ୍ୟ, ପ୍ରାକୃତିକ ପରିବେଶ, ଋତୁ, ମଣିଷପଣିଆର ବିକାଶ–ଏହି ସବୁ ସଦ୍‌ଗୁଣାବଳୀର ଆବଶ୍ୟକତାକୁ ଆଖି ଆଗରେ ରଖି ବିଧିବିଧାନସହ ଗୋଟିକ ପରେ ଗୋଟିଏ ଖଞ୍ଜା ହୋଇଛି । ଉଦ୍ଦେଶ୍ୟ ପରମ ପୁରୁଷଙ୍କ ଚିନ୍ତା କରିବେ । ନିତି ନୂଆ ନୂଆ ରୂପରେ, ରୀତିରେ ଭଲ ଚିନ୍ତା, ଭଲ କଥା ଶିଖି ପ୍ରକୃତ ଆନନ୍ଦର ପାହାଚଟିଏମାନ ସୁବିଧାରେ ଚଢ଼ି ପାରିବେ । ଏଇଥିପାଇଁ ଆମ ଶାସ୍ତ୍ରକାରମାନେ ବାର ମାସରେ ତେର ପାର୍ବଣ, ବହୁ ଦେବଦେବୀ ନାମରେ ସେହି ପରମେଶ୍ଵରଙ୍କ ନାମ ସୁମରଣା ପାଇଁ ଖଞ୍ଜିଥିଲେ ।

 

ଦଶହରାରେ ମାଆ ଦୁର୍ଗାଙ୍କପୂଜା, ପରେ ଆସିଗଲା ଗଜଲକ୍ଷ୍ମୀ ପୂଜା, ନୃତ୍ୟ ସଙ୍ଗୀତଭରା କୁମାର ପୂର୍ଣ୍ଣିମୀ, ତା’ପରକୁ କାର୍ତ୍ତିକ ମାସ, ଶିବପୂଜା । ପୁଣି ମାଆ କାଳୀ ଆସିଲେ ଦୀପାବଳିର ଆଲୋକ ସଜ୍ଜା ଭିତରେ । ବଡ଼ବଡ଼ିଆଙ୍କୁ ଦୀପଦାନ, ସିଏ ଯାଉ ନ ଯାଉଣୁ କାର୍ତ୍ତିକମେଢ଼, କାର୍ତ୍ତିକ ପୂର୍ଣ୍ଣମୀ ଉତ୍ସବ, ଧର୍ମ ମାସ କାର୍ତ୍ତିକର ପବିତ୍ର ଉତ୍ସବପାଇଁ ଆମ ଓଡ଼ିଶାର ଇତିହାସ, ସଂସ୍କୃତି ମନେ ପକେଇ ନୌବାଣିଜ୍ୟର ପ୍ରଚାରକ ସାଧବ ପୁଅଙ୍କର ବାଲିଦ୍ୱୀପ ଯାତ୍ରାକୁ ଆମେ ସମ୍ମାନ ଦେଉ । କଟକ ସହରର ବାଲିଯାତ୍ରା ଖୁବ୍‌ ବଡ଼ ଉତ୍ସବ । ଆମରି କଟକ ନଗରରେ ଏବେ ବାଲିଯାତ୍ରା ସମାରୋହରେ ହେଉଛି । ଏମିତି ସବୁ କଳା, ସ୍ଥାପତ୍ୟ ସଂଘବଦ୍ଧ ଉଦ୍ୟମ ଲୋଡ଼େ । ଖୁବ୍‌ ଭଲ କଥା । କଳା ସ୍ଥାପତ୍ୟର ଉନ୍ନତି, ସୌନ୍ଦର୍ଯ୍ୟର ଉପାସନା, ତା’ ସାଙ୍ଗକୁ ଆମର ସାଙ୍କେତିକ ପୂଜା ପଦ୍ଧତି ମଧ୍ୟରେ ମାନବଧର୍ମ ପାଳନ, ଉପାଦେୟ ଚିନ୍ତା, ଦରିଦ୍ର ଲୋକଙ୍କର ସେବା ଓ ଦାନଧର୍ମଦ୍ଵାରା ସମସ୍ତଙ୍କର ମଙ୍ଗଳକାମନା ଓ ସୁସମ ବଣ୍ଟନରେ ସମୂହବିକାଶ ସାଧନା ।

 

ଧନୀ ହାତରୁ ଦରିଦ୍ର ପାଖକୁ ଧନ ଯିବ ପୂଜା ମାଧ୍ୟମରେ । କିନ୍ତୁ ବେଳକୁ ବେଳ ଏହାର ଏ ମୁଖ୍ୟ ଉଦ୍ଦେଶ୍ୟ ଛପିଯାଇ ବିପରୀତ ରୀତି ଚାରିଆଡ଼େ ଦିଶିଲାଣି । ଯେଉଁଥିପାଇଁ ଏହି ସବୁ ଉତ୍ସବ ଦେବଦେବୀ ମୂର୍ତ୍ତିପୂଜା ବା ସେହି ସଂହତି, ସଂଯୋଗ, ସଦ୍‌ଭାବ କଥା ପଛକୁ ପଡ଼ିଯାଇଛି । ଦେଉଳକୁ ମୁଖଶାଳା ବଳିପଡ଼ିଲା ଭଳି ଲାଗୁଛି । ସାଇ ପଡ଼ୁଛି ଉଠୁଛି । ଖାଲି ବାଜାରେ ନୁହେଁ; କଜିଆରେ ମଧ୍ୟ । ପାଖପାଖ ସାହିରେ ବାଦବୁଦିଆ ଦିଅଁ ମେଢ଼ ହେଉଛନ୍ତି । ଆମ ଠାକୁରାଣୀ ଆଗ, ତମର ପଛ । ଆମର ଏବାଟେ ଦିଅଁ ଯିବେ, କିଏ କହିଲାଣି ତ ଆର ସାହିବାଲା ରାଗି ନିଆଁ–କାହିଁକି ? ତମ ଦିଅଁ ତମ ବାଟେ ଯାଉ ନାହାନ୍ତି ଅଥଚ ସଂହତିପାଇଁ ଏକମନ ଏକପ୍ରାଣ ହୋଇ ଆନନ୍ଦ ପାଇବା ଉଦ୍ଦେଶ୍ୟହିଁ ଏହି ସବୁ ସାର୍ବଜନୀନ ପୂଜା ମଣ୍ଡପ ତିଆରିର ମୂଳ ଲକ୍ଷ୍ୟ । ମାତ୍ର ଏବେ ଏହା ଅସଙ୍ଗତିର କାରଣ ହେଲା ପରି ଜଣାପଡ଼ୁଛି । ସବୁ ସାହିରେ ଦଳଦଳ ପିଲା ପକେଟରେ ରସିଦ ବହି ଧରି ସାହି ମେଢ଼ପାଇଁ ଚାନ୍ଦା ମାଗି ବୁଲୁଛନ୍ତି ଘର ଘର । ପୁଣି ରାସ୍ତାରେ ବାଡ଼ି ପକେଇ ଗାଡ଼ି ଅଟକାଇ ଥାଳିରେ ସିନ୍ଦୂର ଥୋଇ ମେଢ଼ପାଇଁ, ମନ୍ଦିରପାଇଁ, ଯଜ୍ଞପାଇଁ କେତେ ଭଳି ଚାନ୍ଦା ସଂଗ୍ରହ ଅଭିଯାନ ମଧ୍ୟ ଏବେ ନୂଆ ରୂପରେ କରୁଛନ୍ତି ।

 

ହଁ–ମନକୁ ଆମର ବୁଝେଇବା କଥା । ଏ ପିଲେ ତ ଆମରି । ଚାକିରି ପାଇଲେ ନାହିଁ, ବେକାର ସବୁ । ନିଜେ କିଛି ଉତ୍ପାଦନ କରି ନିଜ ଗୋଡ଼ରେ ଠିଆ ହେବେ ସେ ସୁବିଧା କିଏ ଦେଉଛି ? ହଣାକଟା ମାରପିଟ କରନ୍ତେ, ପାପ କରନ୍ତେ, ମଦ ଗଞ୍ଜେଇ ନିଶା ଆଦି ଖାଇ ଅବାଟକୁ ଯାଆନ୍ତେ ମନଦୁଃଖରେ ପଡ଼ି, ସେ କ’ଣ ଭଲ ହୁଅନ୍ତା ? ଭଲ କାମ ତ କରୁଛନ୍ତି ।

 

ଯା'ହେଉ ଦିଅଁଙ୍କ ସେବାପାଇଁ ତ ଲାଗିଛନ୍ତି । ଦିଅଁ ଭଲ ବୁଦ୍ଧି ଦିଅ ପିଲାଙ୍କୁ । ଆମ ଭଳି ମାଆ ମାଉସୀମାନଙ୍କ ମନ ଏତିକିରେ ଟିକିଏ ଖୁସି ହୋଇଯାଏ । ତାଙ୍କୁ ଆମ ରୋଜଗାରକୁ ଚାହିଁ ଆମେ ଯାହା ଯିମିତି ମନ ଖୁସିରେ ଦେଇଦେଉ । ହେଲେ ଯାହାର ବାସି ଓଳିକି ଦାନା ନାହିଁ, ପିଠିକୁ କନା ନାହିଁ, ରିକ୍ସା ଟାଣି ଦଶପ୍ରାଣୀ କୁଟୁମ୍ବ ରୋଗୀ ବୁଢ଼ାବୁଢ଼ୀ ପୋଷୁଛି, ତା’ଠୁବି ଜୁଲୁମ ! ଏଇ କି କଥା ! ଦେଲେ ହଇରାଣ, ନ ଦେଲେ ଆହୁରି ବିପଦ । ଏଣୁ ମାଇଲେ ଗୋହତ୍ୟା ତେଣୁ ମାଇଲେ ବ୍ରହ୍ମହତ୍ୟା । ସାହିରେ ପିଲାଛୁଆ ଧରି ଘର କରୁଛେଟି ! ‘ନଈ ମଝିରେ ଥାଇ କୁମ୍ଭୀର ସଙ୍ଗେ ଶତ୍ରୁତା’ କ’ଣ ଆପଦ ବିପଦ ପଡ଼ିଲେ ଏଇ ମଜଭୁତିଆ ସାହିର ଯୁଆନ ପିଲେ ସିନା ପିଠିରେ ପଡ଼ିବେ; ଆଉ ଉପଦେଶ ଭାଷଣ ଦେଲାବାଲା ତ ଦୁଆରବନ୍ଧ କରି ଘରେ ରହିବେ । ତମେ କହୁଛ ଦୀପ ତେଜିଲେ ହାତ ସଡ଼ । ସେମାନେ ଦିଅଁଙ୍କ ପଇସା ମାରୁଛନ୍ତି । ଓହୋ ! ଚାଲୁଣି କହୁଛି ଛୁଞ୍ଚି ତୋର କଣା । ଭଲା, ତୁମ ରାଜ୍ୟରେ କିଏ ସେ ଭଲ କହିଲ ଆମକୁ ? କ’ଣ କହନ୍ତି ନି “କୋଉଟି ସାଧୁ, ଯାହାକୁ ଛୁଇଁଲି ତା’ଠି ଯାଦୁ !” ପିଲେ ନିଅନ୍ତୁ । ଟିକିଏ ମନଖୁସି ହେଉ । ‘ଘିଅ କାହିଁରେ ପଡ଼ିଲା ନା ମୃଗ ତିଅଣରେ !’ ଆମ ପିଲେ ଯାତ୍ରା ଖର୍ଚ୍ଚ କରିବେ ତ କ’ଣ ଏମିତି ଭାସିଗଲା ଯେ । ତୁମର ତ ଦୋକାନ ବଜାର ନିତି ନିତି ଆଖି ପିଛୁଳାକେ କେତେ ରଙ୍ଗରେ ବଢ଼ୁଛି-। କେତେ ଲୋଭ ଦେଖାଉଛି । ହେଇ, ଦେଖୁନ କାର୍ତ୍ତିକ ପୂନେଇଁ ଠଉଁ ବସିଛି ବାଲିଯାତ୍ରା । ଭଲ-। ଆମ ଶିଳ୍ପ, କାରିଗରୀ ଜ୍ଞାନ ସବୁ ଦେଖାହେଉଛି । ଆଉ ଠୋଲାପୁରୀ, ଛେନା ତରକାରୀ, ଚାଟ, ଦହିବରା, ଜାତିଜାତିକା ଖାଇବା ଦରବ କେତେ ଭଳି କେତେ ସଜରେ ଭଲା ବିକ୍ରି ନ ହେଉଛି-

 

ଲାଉଡ଼୍‍ସ୍ପିକର୍ ବୋଲି ଯନ୍ତ୍ରଟେ କିଏ କରିଥିଲା ତା’ ସାତପୁରୁଷକୁ ଶ୍ରାଦ୍ଧ କରୁ କରୁ ଆମ ମାଆ ମାଉସୀଙ୍କ ଦିନ ସରୁ ନାହିଁ । ବୟସ ଗଡ଼ିଗଲେ ସିନା କାନକୁ ଶୁଭନ୍ତା ନାହିଁ, ଆମେ କାଲୁଣୀ ହୁଅନ୍ତେ–ହେଲେ ଏଇ ଯନ୍ତ୍ର କୋପରୁ କି ତପରୁ ମାଆ ଗଙ୍ଗେ ଜାଣନ୍ତି–ଦିନ ନାହିଁ ରାତି ନାହିଁ ଅଷ୍ଟପ୍ରହରୀ କୀର୍ତ୍ତନ ଭଳି ଜାତିଜାତିକା ସିନେମା ଗୀତ ଶୁଣୁଛୁ । ପୁଣି ସିନେମା ଲୋକଙ୍କ ତୁଣ୍ଡର କଥା ସାହି କମ୍ପେଇ ଦେଉଛି । ଏକା ସାଥିରେ କେତେଭଳି ବାଜା ବାଜିଲା ଭଳି ସାତ ପ୍ରକାର ଗୀତ କାନ ଫଟେଇ ଦେଉଛି । କୁଆଡ଼େ ଗଲେ ଭଲା ଏ ମାଇକ୍‌ ମାୟାରୁ ମାଇପେ ରକ୍ଷା ପାଆନ୍ତେ । ଘରେ ଦୁଆର ବନ୍ଦ କରି ବସିଲେବି ବିଜ୍ଞାନ ତିଆରି ଏ ଯନ୍ତ୍ରଟିକୁ ସଜରେ ରୋଷାଇଶାଳରେ ପଶିଯାଉଛି । ପାଲାମଣ୍ଡପ, ଡାକ୍ତରଖାନା, ସ୍କୁଲ୍, ସଭା, ଯାତ୍ରା ଚଉଦିଗରେ ସେ ସ୍ଵର ପହଞ୍ଚି ପାରୁଛି । ଧନ୍ୟ କହିବ ତା’ ପାରିବାରପଣ ।

 

‘ତୁଣ୍ଡବାଇଦ ସହସ୍ର କୋଶ’ ବୋଲି ସେବେ କହୁଥିଲେ ଯେ ଏବେ ମାଇକ୍‍ ବାଇଦ ମାଇଲ ମାଇଲ କମ୍ପେଇ ଦେଉଛି । କିଏ ନ ଜାଣୁଛି କହ ? ମୁଠେ ଟଙ୍କା ସାରି ଆମେ ଯାହାଙ୍କୁ ପାଠ ପଢ଼େଇଲୁ, ଯିଏ ଡିଗ୍ରୀମାଳ, ଗୋଟାକୁ ଗୋଟା କାଗଜ ଥାକ ପରି ସାଇତିଛନ୍ତି, ସରକାର ତ ସେହି ପିଲାଙ୍କୁ ଆମର କାମ ଖଣ୍ଡେ ଯୋଗେଇ ଦେଇ ପାରିଲେ ନାହିଁ । ମନକୁ ବ୍ୟାଙ୍କ୍‍ରୁ ଋଣ ନେଇ ବେଉସା କର କହି ତାଙ୍କ ହାତକୁ ଟଙ୍କା ବଢ଼େଇ ଦେଇ ନିଶ୍ଚିତ । ଏଣେ ବିଜୁଳିକୁ ଆୟତ୍ତକୁ ଆଣିଲେ ଏ ବଳ ନାହିଁ । ଆଜି ବିଜୁଳି କାଟ, କାଲି ବନ୍ଦ ହେଲାଣି ବାଟ । ତା’ ଆରଦିନୁ ଟ୍ରକ୍ ବନ୍ଦ ତ ପୁଣି ପାଣି ବନ୍ଦ । ଶିଳ୍ପପାଇଁ ନା ମିଳୁଛି କୋଇଲା, ଲୁହା, କଞ୍ଚାମାଲ । ଯୁଆଡ଼େ ଶୁଣ ଧର୍ମଘଟ । ‘ଧର୍ମ’ କ'ଣ ଘଟରେ ପଶିଗଲା କି ?

 

ହଇହେ, କେଉଟ ତ ପୁଣି ତା’ ଧର୍ମ ମାନି ରାମଚନ୍ଦ୍ରଙ୍କୁ କହିଲା–ମୋ ଡଙ୍ଗା କାଳେ ଝିଅଟେ ହୋଇଯିବ, ମୋ କୁଟୁମ୍ବ ମୁଁ ପୋଷିବି କିମିତି ? ମୋ ଡଙ୍ଗା ମୋ ଦିଅଁ ? ସେଇଥିପାଇଁ ପ୍ରଭୁ ରାମଚନ୍ଦ୍ର ସିନା ତା’ର ହୋଇଗଲେ । ଛାର କେଉଟକୁ ଗୋଡ଼ ବଢ଼େଇ ଦେଲେ ଧୋଇବାପାଇଁ । ପୁରାଣରେ କେତେ ଭଳି ଏଇ କଥା ଲେଖା ନ ହୋଇଛି, ତମ ବୃତ୍ତି ତମ ଦିଅଁ । ମାଂସବିକାଳି ପୁଣି ଜ୍ଞାନୀ ବୋଲାଇଲା କିମିତି ଯେ । ଏବେ ଅଲାଜୁକ ଯୁଗରେ କଥାକଥାରେ ପାଞ୍ଚ ଲୋକ ମିଶି ଦଳ ଗଢ଼ି ଧର୍ମଘଟ କଲେ । ଦଳ ଭାରି ଭଲ । ଯୋଡ଼ାକୁ ଘୋଡ଼ା ସରି ନୁହ । ମିଳିମିଶି ସବୁରି ଦୁଃଖ ନିଅନ୍ତ ସିନା, ସଭିଙ୍କି ଦୁଃଖ ଦେଲ ? ଚିଠି ଖଣ୍ଡେଦେଲେ ମିଳୁନି, ବେଳ ସଅଳରେ । ‘ଘରବୁଡ଼ି ପାଣି ଆଣ୍ଠୁଏ ।’ ଟେଲିଗ୍ରାମ୍ ଯାଉ ଯାଉ ବାଟରେ କୁଉଠି ଅଟକି ରହୁଛି ପଚାରିଲେ କେହି ହାରିଗୁହାରି ନାହାନ୍ତି । କ’ଣ ନା ଧର୍ମଘଟ । ଏ ଦେହ ଘଟ ଭଲା ଚଳିବ କିମିତି-? “ଆପଣା ହାତେ ଜିହ୍ଵା ଛେଦି, କେ ଅଛି ତା’ର ପ୍ରତିବାଦୀ ।”

 

ତମେ ପରା ଆମ ସରକାର । ସ୍ଵାଧୀନ ଦେଶରେ ଏଇମିତି ସବୁ ଅଘଟଣ କିଏ କଲା-? କିଏ ସବୁ ହାତକାମୁଡ଼ା ଚୋରକୁ ଶିଖେଇଲା । ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ଏତେ ତଳକୁ ଆଣିଲା କିଏ ? ଏବେ ‘କଙ୍କଡ଼ାକୁ ଗୋଳି ପାଣି ସୁହାଇଲା’ ବୋଲି ଗାଳି ଦେଉଛ କୁ ମୁହଁରେ-। ସିଏ ସହଜେ ଯୁବକ, ଯୁବତୀ ତହିଁରେ ବେକାର । ପାଠ ପଢ଼ି, ଡିଗ୍ରୀ ଥାଇ ଚାକିରି ନାହିଁ, ତହିଁକି ନିତି ଉତ୍ସବ । ଭୋଗଦରବ କେତେ ଭଳି ତାଙ୍କ ଆଗରେ ତମେ ନଚେଇବ । ସେମାନେ ଯଦି ମନ କଲେ ଆଉ ସେଇଥିପାଇଁ ଫନ୍ଦି କରି ଦିପଇସା କଳେ ବଳେ କଉଶଳେ ହାତପଇଠ କଲେ, ତେବେ ଦୋଷ କାହାର ? ପୁଣି ଯାତ, ମଉଛବ, ପୂଜାପାର୍ବଣ ନାଁରେ ସେତକ ଏବେ ସେ ଉଡ଼େଇ ଦେଲେ କି ଆନନ୍ଦ କଲେ, ସେଥିପାଇଁ କ’ଣ ଜଣେ ଦାୟୀ ନୁହ ।

 

ବୁଝିଲ–“ଚୋର ମାଆ ଲାଜେ ନ କାନ୍ଦେ, ଯେବେ କାନ୍ଦେ ଦୁଆର ଦେଇ କାନ୍ଦେ ।” ଯାହା ହେଉ–ଦିଅଁଙ୍କ ନାଁ କହି ଟିକିଏ ମନଖୁସି କରୁଛନ୍ତି ତ ! ତମେ ବାଇ ହାତରେ ନିଆଁଲୁଣ୍ଡା ଧରେଇ ଦେବ, ଏଣେ ତୁଣ୍ଡ କରିବ–ଆହେ ଘରପୋଡ଼ି ଦେଲାହେ, ଘରପୋଡ଼ି ଦେଲା ସିଏ । ଏକାଳ ଦେଖାଶିଖା ଓଡ଼ିଶା, ବଡ଼ ନାଆ ଯୁଆଡ଼େ ସାନ ସିଆଡ଼େ, ମୁଠେ ପଇସା ସାରି ପାଠପଢ଼ି ଯଦି ଏଇଆ ତାଙ୍କ କପାଳେ ଘଟିଲା । ତେବେ ଆଉମାନେ ପାଠ ନ ପଢ଼ି ବୁଲିଲେ କାହାକୁ ଦୋଷଦେବା ? ପାଠ ନ ପଢ଼ି ବୁଲିଲେ ଜାଣିବେ କ’ଣ କହ ? ଭଲମନ୍ଦ, ଭବିଷ୍ୟତ ବିପଦ କଥା ଭାବି ପାରୁ ନାହାନ୍ତି । ସେଥିକି ତମେ ଛତୁ ଫୁଟିଲା ଭଳି ଆଖି ଫୁଟିଗଲା ଭଳି, ପିଲା ମନକୁ ଚହଲାଇ ଦେବା ପରି ଭଳିଭଳି ଛବି ଦେଖାଉନ ? ଗୁଣ୍ଡିଚା ଭିଡ଼ଠୁ ବଳି ଭିଡ଼ କରି ଦାଣ୍ଡ ଲୋକଙ୍କ ଯିବା ଆସିବା ଅଟକେଇ ଦେଉଛି ସିନେମା ଘର । ରଙ୍ଗ, ଢଙ୍ଗ ବେଶ ପଡ଼ି କେତେ ଚିତ୍ର କାନ୍ଥରେ ମାରି ଆମ ସୁଧାର ପିଲାଙ୍କୁ ତମେ ସବୁ ଭେଟଣା କରୁନା ?

 

ଏଣେ ହୋଟେଲ, ତେଣେ ମଦଦୋକାନ । ଏଣେ କହୁଛ କ’ଣ ନା ଖରାପ କଥା ଦେଖ ନାହିଁ, ଖରାପ କଥା ଶୁଣ ନାହିଁ, ଭଲ କାମ କର । ହେଲେ କେମିତି ? ଏମାନେ ମନ୍ଦ କାମ ନ କରି ଆପଣା ସାହିରେ ମେଳାମଉଛବ ପାଇଁ ଚାନ୍ଦା ମାଗୁଛନ୍ତି । ହେଲେ କ’ଣ ଏମିତି ପାପ କଲେ ଯେ–“ଏକେଇ ବାଈ, ତହିଁ ପାଳିଜର ଗଞ୍ଜେଇ ଖାଇ ।” ସହଜେ ବୟସ ଦିନ ତାଙ୍କର । ତହିଁରେ ତାଙ୍କୁ କେହି ବାଟ ଦେଖାଉ ନାହାନ୍ତି । ତାଙ୍କ ଦୁଃଖ କଥା କେହି ଶୁଣୁ ନାହାନ୍ତି । ପାଠ ପଢ଼ିଲେ, ଚାକିରି ନାହିଁ । ତାଙ୍କୁ ଗୁଣ୍ଡା କରିବାକୁ ନିର୍ବାଚନବେଳେ ତାଙ୍କ ହାତରେ ଟଙ୍କା ଗୁଞ୍ଜିଲ । ତାଙ୍କୁ ପଇସା ଲୋଭ, ଖାଇବା ଦରବ ଲୋଭ ଦେଖାଇଲ । ସିଏ ଅବାଟକୁ ଗଲେ । ତମେ ସବୁ ଗାନ୍ଧୀ ବୁଢ଼ା ଗଲା ପରେ ରାଇଜଟାକୁ ରାବଣ ରାଇଜ କରିଦେଲଣି । ଗାନ୍ଧୀ ‘ରାମ’ଙ୍କୁ ନେଇଗଲେ ପରା-। ଏ ରାଜ୍ୟକୁ କେହି ରଖି ପାରିବେ ନାହିଁ । ସେହି ଦିଅଁଙ୍କୁ ଡାକ । ପିଲାଙ୍କ ଦୁଃଖ ଦେଖି, ମୁହଁଶୁଖା ଦେଖି ଛାତି ଫାଟିଯାଉଥ‌ିବା ମାଆ ମାଉସୀ, ଆଈମାନେ ଏଇମିତି ବିଚାରି କାନି ଫିଟେଇ ଚାନ୍ଦା ଦିଅନ୍ତି ।

 

ଭଲ କଥା । ଭଗବାନଙ୍କ ଚିନ୍ତା କରିବା କଥା । ହେଲେ କାହିଁ ? ବାଲିଦ୍ୱୀପକୁ ଯାତ୍ରା କଲେ ସାଧବ ପୁଏ । ବହୁତ ଧନଦରବ ଆଣିଲେ, ବାଣିଜ୍ୟ କରି ଦେଶ ଧନ ବଢ଼େଇଲେ । ଭଲ ଜିନିଷ ଦେଇ କାହିଁ ଦୂର ଦେଶରେ ଏ ଦେଶ ଟେକ ରଖିଲେ । କଳିଙ୍ଗ ଅସଲ ରାଜ୍ୟ । ଆମେ ସେ ସ୍ମୃତି ମନେ ପକାଉଛୁ କି ? ଘରେ କଳି, ଚୁଲି ଜଳୁନି, ସଭିଏଁ ବାଲିଯାତ୍ରାରୁ କିଣି ଖାଇବେ ଧୂଳିପକା ଦରବ, କିଣିବେ ଫେସନ ଜିନିଷ, ଏଣେ ଘରେ ରୋଗୀ ବାପ, ମାଆ ପଡ଼ିଥାନ୍ତୁ, ରାତିଅଧ ସରି ପାହାନ୍ତା ହେଲା, ଉତ୍ସବରେ ମନ ମଜି ବଉଁଶକୁଟୁମ୍ବ ବାଲିଯାତ୍ରା ପଡ଼ିଆରେ ବୁଲୁଥ‌ିବେ ।

 

ଗୁରୁବାର ଆସିଲା, ପରିଷ୍କାର ରଖ ଘର । ଗୋବରର ବିଶୋଧନ ଶକ୍ତି ଅଛି । ଘରକୁ ଚିତା ଦେଇ ସୁନ୍ଦର କର । ଲକ୍ଷ୍ମୀ, ଯିଏ କର୍ମୀ, ପରିଶ୍ରମୀ, ନିର୍ମଳ ମନ ଯାହାର ତା’ ପଦ୍ମରେ ପାଦ ଥୁଅନ୍ତି । ଶ୍ରୀୟା ଚଣ୍ଡାଳୁଣୀ କଥା ଆଉ କିଛି ନୁହେଁ । ସବୁଠୁ ବଡ଼ ଧର୍ମ ପବିତ୍ର, ନିର୍ମଳ ଘର ବାହାର ଓ ମନ । ଜାତି ସବୁ କର୍ମକୁ ନେଇ, ଅଥଚ ଆମେ ସେ କଥା ବୁଝିଲେ କି ? କଳାବଜାରରେ ଘିଅ କିଣିବ, ମଉଛବ କରି ପୂଜା କରିବ, ଭକ୍ତି ନଥିବ, ପାଟି ସୁଆଦ, ଅଥଚ ପେଟକୁ ଖରାପ ଜିନିଷ ଖାଇବ, ଏଣେ ରୋଗ ଭୋଗିବ ।

 

ପଦ୍ମ ପଙ୍କରୁ ଜାତ ପବିତ୍ର । ପବିତ୍ର କର ଘରଦୁଆର ଓ ମନ ମନ୍ଦିର । ଉଦ୍ୟୋଗ କଲେ ଲକ୍ଷ୍ମୀ ଆସିବେ । ଆଉ କାମ ନ କରି ଖାଲି ଉତ୍ସବ ନାଁରେ ମଉଜ କରି ଅଳସୁଆ ହେଲେ ଲକ୍ଷ୍ମୀ ଶୁଣିବେଟି ?

✽✽✽

 

ଦୂର ପରବତ ସୁନ୍ଦର

 

ଆମ ଗାଁ ଗହଳରେ ଏହି ଢଗ ପଦିକ ଏତୁଣ୍ଡରୁ ସେ ତୁଣ୍ଡକୁ ବୁଲି ବୁଲି ଊଣାଅଧିକେ ସବୁରି ମନରେ ବସା ବାନ୍ଧିଛି । ବିଭାଘର କଥା ପଡ଼ିଲେ ମା’ମାଉସୀମାନେ ଆଗେ କହିପକାନ୍ତି–‘ଆଲୋ, ଦୂରପରବତ ସୁନ୍ଦର, ଦୂର ବନ୍ଧୁ ସୁନ୍ଦର, ଗାଁ କନିଆଁ

 

ଶିଙ୍ଗାଣି ନାକୀ । ଦୂର ପରବତ ସୁନ୍ଦର, ହେଲେ ପାଖରୁ ପରବତକୁ ଦେଖିଲେ କେମିତି ଦିଶେ ? ବୁଦିବୁଦିକିଆ ଘାସ, ଆବଡ଼ା–ଖାବଡ଼ା ମାଙ୍କଡ଼ା ପଥରମାଳ । ସୁନ୍ଦରପଣ ବାରି ହୁଏନାହିଁ, ହେଲେ ଦୂରରୁ ଦେଖ–କେଡ଼େ ସୁନ୍ଦର ନେଳିଆ ଚିତା ଲେଖିଲା ପରି ସମାନ ହୋଇ ମାଳମାଳ ପାହାଡ଼ ଲମ୍ବି ଯାଇଥିବ । ଏକଲୟରେ ଚାହିଁଥିବ । ଆଖିରେ ପଲକ ପଡ଼ିବନାହିଁ । ସତେ ଯେମିତି କେଉଁ ବଡ଼ ଚିତ୍ରକର କେତେ କୌଶଳରେ ମାପିଚୁପି ଆଙ୍କି ଦେଇଛି ଅବା । କଥାଟି ସତ, ଦୂର ପରବତ ସୁନ୍ଦର–

 

‘ଦୂରରୁ ସୁନ୍ଦରଲୋ ପରବତ ମାଳ

ଗାଁକୁ ସୁନ୍ଦରଲୋ ନଡ଼ିଆ ଗୁଆ ତାଳ ।

ସଭାକୁ ସୁନ୍ଦରଲୋ ପ୍ରଧାନ ସାନଭାଇ

ଗୋଠକୁ ସୁନ୍ଦରଲୋ ଦୁହାଁଳିଆ ଗାଈ ।

ବନ୍ଧୁରେ ସୁନ୍ଦରଲୋ ଦିଶଇ ଦୂରବାଟ

ସିନ୍ଧୁକୁ ସୁନ୍ଦରଲୋ ଲହଡ଼ି, ଭଙ୍ଗା ଘାଟ ।’

 

ଏହି ଲୋକଗୀତର ଚଳନ୍ତି ପଦ ଆମେ କଥାକଥାକରେ ଆଉଡ଼େଇ ଥାଉ । ସତେ କ'ଣ ଅନୁଭୂତିରୁ ଏ କଥାଟି କୁହାଯାଇଛି ? ଏହା ନିତିଦିନିଆ ଜୀବନରେ ଅଙ୍ଗେ ଲିଭାଇଥିବା ଘଟଣାରୁ ବିଚାର କରିବା କଥା । ଜୀବନ ସଉଦା, ମାନେ ବରକନ୍ୟା ସମ୍ବନ୍ଧ କଥା ବିଚାରକୁ ଅଣାଗଲାବେଳେ ଏହି ‘‘ଦୂର ପରବତ ସୁନ୍ଦର” କଥାଟିର ଥୋକେ ଭିନ୍ନ ଭିନ୍ନ ଅର୍ଥ କରିଥାନ୍ତି । କେତେକ କହନ୍ତି, “ମଲା ମୋର, ଏ ସତ କଥା ନା, ବନ୍ଧୁ ପରି ବନ୍ଧୁ ବାନ୍ଧିବ । ସାତପୁରୁଷକୁ ବନ୍ଧୁ । ସେ ସିନା ସୁନ୍ଦର ଦିଶିବା ପରି କରିବ । କ'ଣ ବଡ଼–ବଡ଼ିଆ ମିଛରେ କହିଛନ୍ତି ‘ଗାଁ କନିଆ ଶିଙ୍ଘାଣିନାକୀ ? ଦୂର ପରବତ ସୁନ୍ଦର, ଦୂରବନ୍ଧୁ ସୁନ୍ଦର । ଆଉ କ’ଣ ଏକା ଗାଁରେ ଦାଣ୍ଡଦୁଆରକୁ ବାଡ଼ିଦୁଆର, ରାତିପାହିଲେ ଦେଖାହେବ, ସେମିତି ବନ୍ଧୁ କଲେ କି ସମ୍ମାନ ରହିବ ? ତାଙ୍କ ଛିଙ୍କରୁ, କାଶରୁ ସବୁ ଶୁଭିବ । ନିତି ରାତି ପାହିଲାବେଳକୁ ମୁହଁ ଦେଖାଦେଖି ହୋଇ ଚିଟା ଲାଗିଯିବ । ହାତଘସା ଦେହଘସା ହୋଇଗଲେ ବନ୍ଧୁ କ’ଣ ସୁନ୍ଦର ଦିଶିବେ ? ଜମାନୁହେଁ, ଜମାନୁହେଁ, ଯେତେ ଦୂରରେ ବନ୍ଧୁହେବ ସେତେ ସୁନ୍ଦର, ଦେଖୁନ ଦୂର ପରବତ କେତେ ସୁନ୍ଦର । ପଡ଼ିଶା ଘରେ ଝିଅ କେବେ ଦେବ ନାହିଁ ।’’

 

ଆଉ, ଥୋକେ ଟିକିଏ ତଳେଇ କରି ତେରେଚ୍ଛା କଥା କହନ୍ତି:–ସତ, ଦୂରକୁ ବନ୍ଧୁ ସୁନ୍ଦର, ଦୂରକୁ ପର୍ବତ ସୁନ୍ଦର, ହେଲେ ପାଖରୁ ଦେଖ‌ିଲେ–କେଉଁଠି କଣ୍ଟାବୁଦା, କେଉଁଠି ଗାତ, କେଉଁଠି କୁଦ, ସେ କ’ଣ ଦୂରରୁ ଦିଶୁଥ‌ିବା ସମୁଦ୍ର ଲହଡ଼ି ଭାଙ୍ଗିଲା ପରି ପର୍ବତ ମାଳା ସତରେ ସମାନ ? ଦୂର ବନ୍ଧୁସିନା ଦୂରରୁ ଜଳଜଳ ହୋଇ ଦିଶୁଛି । ପାଖରୁ ଯେତେବେଳେ ଦେଖିବେ ସବୁ ଅବଗୁଣ ଜଳଜଳ ହୋଇ ଦିଶିବ ଯେ । ବୁଝି ସାବଧାନ, ପାଖରୁ ଦେଖିଚାହିଁ ବନ୍ଧୁ କରିବ । ଭଲମନ୍ଦ ଆପଦ ବିପଦକୁ ପାଖରେ ଆସି ଠିଆହେବେ, ସାହାହେବେ । ତାକୁ ପାଖରୁ ଦେଖିବନି-?

 

କେତେ ଗହୀରକୁ ଚାଷକରି ଏକଥା କୁହାଯାଇଛି । ଏହା ଅଙ୍ଗେ ଲିଭାଇବା ଲୋକଙ୍କ ମୁହଁର କଥା, ଆଉ ବାହାଘର କ୍ଷେତ୍ରରେ ଅନୁଭୂତିର କଥା । ଏହି ଦୂର ବନ୍ଧୁ ସୁନ୍ଦର କଥାଟିକୁ ଆହୁରି ମନଭୁଲାଣିଆ, ସୁନ୍ଦର କରିଦିଅନ୍ତି “ମଧ୍ୟସ୍ଥି” ନାମକ ମାମଲତ୍‍କାର ମଣିଷ ଜଣକ । ବନ୍ଧୁଘର ଯେତିକି ଦୂର ହେବ ମଧ୍ୟସ୍ଥିଙ୍କ ପାଇଁ ସେତିକି ଲାଭର ସମ୍ଭାବନା ରହିଛି ।

 

‘ମଧ୍ୟସ୍ଥି’ କଥାଟିକୁ ଭାରିସୁନ୍ଦର କରି କହିପକାନ୍ତି–‘ଆଜ୍ଞା ବିବାହ ସମ୍ବନ୍ଧଟି, ବଡ଼ବଡ଼ିଆ ଯାହା କହିଛନ୍ତି ଅକ୍ଷରେ ଅକ୍ଷରେ ସତ–‘ବନ୍ଧୁକୁ ସୁନ୍ଦରଲୋ ଦିଶଇ ଦୂରବାଟ’ ଆହା କି ଦୂରଦୃଷ୍ଟି, କି ଚିନ୍ତା ପଣ୍ଡିତଙ୍କ କଥା । କାହିଁ କେଉଁଠି ନମିଳିଲା ପରି ଏଇ ପାଖ ଗାଁରେ ଯାଇ ପଶିବେ । ଛିଃ–ଛିଃ–ଛିଃ– । ଏ ଝିଅ ପରା ସାକ୍ଷାତ ଦେବୀ ଦୁର୍ଗା ପରି ରୂପ, ଏଇ ଝିଅଟିକୁ ବିଭା କରିବେଟି ? ଏଇଥିପାଇଁ ଆପଣଙ୍କର ଏତେଚିନ୍ତା ? ତାଳୁରୁ ତଳିପା ଯାଏଁ ବାଛିବାକୁ ନାହିଁ । ଗୋଟିଏ ଚାଉଳରେ ଗଢ଼ା, ଶୁଣିବାକୁ ବିଚାରିଲେ ଘଡ଼ିଏ ବିଚାରିବାକୁ ହେବ । ପାଠଶାଠ କେଉଁଥିରେ ଭଲା କିଛି ବାରିବ ? ହେଁ, ହେଁ ଆପଣ ଆଚ୍ଛା କଥା କହୁଛନ୍ତିତ, ଏଭଳି ପାତ୍ରୀକୁ ପାତ୍ର ନମିଳିଲା ଭଳି ନେଉଳ ଧାଉଡ଼ି କିଆ ବାଡ଼ ଯାଏଁ ଗଲା ନ୍ୟାୟରେ ଧାଇଁ ଧାଇଁ ଶେଷକୁ ଏଇ ପଡ଼ିଶା ଘରଟାରେ ବନ୍ଧୁ ବାନ୍ଧିବେ ? ଚିହ୍ନାଜଣା ଘର ବୋଲି ଏଇ ଗାଁରେ ଝିଅକୁ ଦେବେ ? ଗାଁ କନିଆ ଶିଙ୍ଘାଣି ନାକୀ-। କେହି ମାନ ସମ୍ମାନ ଦେବେନାହିଁ । ମନକୁ ପାଉନାହିଁ ଆଜ୍ଞା, ‘ଦୂର ବନ୍ଧୁ ସୁନ୍ଦର ।’

 

କନ୍ୟାପିତା ଦୋଦୋପାଞ୍ଚ ହୋଇ ପଚାରିବେ, ‘ଆଚ୍ଛା, ସେଭଳି ପ୍ରସ୍ତାବ କିଛି ଆପଣଙ୍କ ନଜରରେ ଅଛି କି ? ଟିକେ ଦେଖନ୍ତେ, ଠିକଣା ଦିଅନ୍ତେ ।’

 

କଥା ଗୁଡ଼େଇ ଦେଇ ମଧ୍ୟସ୍ଥି କହିବେ–‘ପଚାରୁଛନ୍ତି ଆଜ୍ଞା, ପଚାରୁଛନ୍ତି, ଅଛି ବୋଲି ଅଛି, ବଢ଼ିଆ ପ୍ରସ୍ତାବ । ସଂସାରରେ ଲୋକେ ଯେମିତି ଖୋଜନ୍ତି ଠିକ୍‌

 

ସେହିଭଳି, ମନଲାଖି ପ୍ରସ୍ତାବ । ମୋ ଆଖିରେ ପରା ଯୋଡ଼ିଟା ଦିଶିଯାଇଛି । ମତେ ଲାଗୁଛି ଷଠିଦୁଶେଇ ସେଇଠି ଏଝିଅକୁ ଖଞ୍ଜିଛନ୍ତି । ଆଜ୍ଞା ବାପା ମା’ ଅନ୍ଧ, ପ୍ରଜାପତି ସମ୍ବନ୍ଧ, ଘର ଯେମିତି ବର ସେମିତି । ବେଶ୍‌ ଥିଲାବାଲା । ପାତ୍ରଟିର ଖୁବ୍‌ ଭଲ ଚାକିରି ଦେଖି କେତେ ଲୋକ ଯେ ମୋ ପଛରେ ଲାଗିଛନ୍ତି କହିଲେ ନସରେ, ହେଲେ ଆପଣଙ୍କ ଝିଅଟିକୁ ଦେଖିଲାବେଳଠୁ ମତେ ଲାଗୁଛି ବୋଧେ ସେହି ବଡ଼ଘର ୟାରିପାଇଁ ପାଣିଛଡ଼ା ହୋଇ ଥୁଆହୋଇଛି, ଝିଅର କପାଳ ବେଶ୍‌ଟେକ । ଖୁବ୍‌ ସୁନ୍ଦର ପ୍ରସ୍ତାବଟି ଆଜ୍ଞା, ମୋ ମନକୁ ପାଇଛି ।’

 

ଆଡ଼େ ମଧ୍ୟସ୍ଥିଙ୍କ ସ୍ତ୍ରୀ କଥାରେ କଥା ପକାଇ ଉପରେ ପଡ଼ି କହନ୍ତି, ‘କାହା କଥା କହୁଛହେ ? ଓହୋ, ସେ ଟାଟାର ଅମୁକଙ୍କ ଘର ? ଯାହା କହ କେଉଁକଥାରେ ଭଲା ଶୁଣିବାକୁ ଥାଆନ୍ତା, ପରିବାରଟିର, ହାଁ ଛୋଟ ପରିବାର । ଗୁଡ଼େ କୁଟୁମ୍ବ ନୁହେଁ । ଲେହେ କି ଲେଞ୍ଜରା କିଛି ନାହିଁ । ବାସ୍‌, ବାଣ୍ଟିକୁଣ୍ଟି ଦେଲାପରି ଯୋଡ଼ିଏ ପୁଅକୁ ଯୋଡ଼ିଏ ଝିଅ, ଝିଅ ଯୋଡ଼ିକୁ ପଠାଇଦେବ, ଝିଅ ଯୋଡ଼ିକୁ ଘରକୁ ଆଣିବ ।’

 

କନ୍ୟାର ମା’ ପ୍ରଶ୍ନ କରନ୍ତି, ‘ହେଲେ ଝିଅ ଯୋଡ଼ିଏ ମୁଣ୍ଡ ଉପରେ ଅଛନ୍ତିଟି ପରଘରକୁ ଯିବାକୁ ?

 

ମଧ୍ୟସ୍ଥିଙ୍କ ଘରଣୀ ଗାଲରେ ପାନଖିଲେ ପୂରେଇ ଦେଇ ରଙ୍ଗ ଦାନ୍ତରେ ଅଳପ ହସି କହନ୍ତି, ‘ଉଁହୁଁ, ତୁମ ଝିଅ ଦେହକୁ କିଛି ଲାଗିବ ନାହିଁ ମ । ଝିଅ ଯୋଡ଼ିକ ପରା କୋଉ କାଳୁ ପରଘରକୁ ଗଲେଣି । ବେଶ୍‌ ଭଲରେ ଅଛନ୍ତି, ୟାଙ୍କ ଉପରେ କିଛି ଭାର ନାହିଁ, ବଡ଼ ଅଫିସର ବର, ତାଙ୍କ ସମ୍ପତ୍ତି କହିଲେ ନସରେ । ସେ କିଆଁ ବାପ ଘରକୁ ଅନେଇ ଯିବେ ?'

 

ଝିଅ ମା’ ପୁଣିଟିକେ ଉଖାରି ପଚାରନ୍ତି, ଆଉ ପୁଅ କଥା ? ଦେଖିବାକୁ କେମିତି, ଗୁଣ–ସ୍ଵଭାବ–ବଡ଼ଘର ପିଲେ ଟିକେ....... (ଝିଅମା’ ଅଟକି ଯାଆନ୍ତି ଅଧାରୁ) ଏଣେ ମଧ୍ୟସ୍ଥି କହିବା ଆଗରୁ ତାଙ୍କ ପତ୍ନୀ କଥା ମଝିରୁ କହିପକାନ୍ତି । ୫' ଫୁଟ୍ ୧୦ ଇଞ୍ଚ୍; ବେଶ୍ ସ୍ମାର୍ଟ, ଚାକିରି ପରି ଚାକିରି, କମ୍ପାନୀ ଚାକିରି ଖୁବ୍‌ ମୋଟା ଦରମା ।”

 

ମଧ୍ୟସ୍ଥି ତାଙ୍କ ସ୍ତ୍ରୀଙ୍କ ତୁଣ୍ଡରୁ କଥା ଛଡ଼େଇ ନେଇ କହନ୍ତି ଶ୍ଵଶୁରବି କମ୍ପାନୀ ଚାକିରିଆ, ଅତି ଉତ୍ତମ ମଣିଷ, କି ବିନୟ ! ହେଇଟି ଆପଣା ମୁଲକ ଛାଡ଼ି ଏ ବିଦେଶ ଭୂଇଁରେ ଚାକିରି ଯୋଗୁଁ ପଡ଼ିଲୁ । ହେଲେ ଆମ ଓଡ଼ିଶାରୁ ଭଲ ଝିଅଟିଏ ବୋହୂ କରିବାକୁ ଆମ ମିସେସ୍‍ଙ୍କର ଭାରିମନ । ଏମ୍.ଏ. ନିହାତି ପଢ଼ିଥିବ, ଆଉ ଭଲ ଛାତ୍ରୀ ହୋଇଥିବା ନିହାତି ଦରକାର । ସର୍ଭିସ୍‌ କରୁଥିବା ଝିଅ ମୋ ପୁଅର ବେଶୀ ପସନ୍ଦ । ଖୁବ୍‌ ସୁନ୍ଦର ହେବା ଦରକାର, ନହେଲେ ପୁଅ ସଙ୍ଗେ ମ୍ୟାଚ୍‌ କରିବ ନାହିଁ । ଏଥିରୁ ଜାଣନ୍ତୁ ପାତ୍ରର ରୂପକଥା, ସେ କ’ଣ କହିଲେ ମତେ, ଶୁଣନ୍ତୁ–ମନ ଦେଇ ଶୁଣନ୍ତୁ । –କହିଲେ ରଙ୍ଗତ ଆମ ସମସ୍ତଙ୍କର ଗୋରା, ଘର ସଙ୍ଗେ ମିଶିବା ତ ଦରକାର, ଡେଙ୍ଗା ପତଳା ଝିଅଟି ସ୍ମାର୍ଟ ଦିଶେ, ହେଲେ ତା’ ମା’ର ଇଚ୍ଛା ଯେ ଗୁଣ ସୁନ୍ଦର ଆଉ ଧୀରସ୍ଥିର ଝିଅଟିଏ ବୋହୂ କରି ଆଣିବ । ତା’ ମା’ ମନକୁ ଆଗ ପାଇବା ଦରକାର, ସିଏ ବୋହୂ କରିବଟି ? ଘରର ଲକ୍ଷ୍ମୀ ହେଲା ବୋହୂ–ବଂଶର ଗର୍ବ ମର୍ଯ୍ୟାଦା ସେ । ଏ କଥା ଶୁଣି ପୁଅମା’ କ’ଣ କହିଲେ ଶୁଣନ୍ତୁ–ହସିଲେ ମଧ୍ୟସ୍ଥି, ମନଖୋଲା ହସ–କହିଲେ–ବୁଦ୍ଧିମତୀ, ଚାଲାକ ଚତୁର ଝିଅଟିଏ ନହେଲେ ପୁଅସଙ୍ଗେ ବାହାର ଦୁନିଆରେ ଚଳିବ କେମିତି ? ପୁଣି ବନ୍ଧୁପରି ବନ୍ଧୁ ହେବତ ? ମୋ ପୁଅ ପୁଣିଯାଇ ଶ୍ୱଶୁର ଘରେ ବସିବଟି ? ସବୁ ଆଡ଼ୁ ଦେଖିଚାହିଁ କରିବାକୁ ହେବ । ଭଲ ଘର, ଭଲ ବଂଶର ଝିଅ ପ୍ରସ୍ତାବ ପକାଇବେ । ଟୋକାଟା ମତେ ଆଗରୁ କହିସାରିଛି ସ୍ଵାସ୍ଥ୍ୟବତୀ ଝିଅ ତା’ର ଜମା ପସନ୍ଦ ନୁହେଁ ।

 

ପୁଅର ମା' ଅଳ୍ପ ହସି ପୁଣି ଯୋଡ଼ନ୍ତି, ‘ହେଲେ ବୁଝିଲେ, ଆମ ବଂଶର ବଡ଼ ବୋହୂ ହେବ ସିଏ । ସଂସ୍କାର ସଣ୍ଠଣା ଲୋଡ଼ା । ଘରକୁ ଦାଣ୍ଡକୁ, ଦିପଟକୁ ପାଇବ ଯେମିତି ଦେଖିବେ । ଆମେ ତ ଏତେଦୂରରେ ରହିଲୁ । ଅକାଳେ ସକାଳେ କଟକ ଭୁବନେଶ୍ୱରକୁ ଗଲୁ, ଆପଣମାନେ ସେପଟେ ଅଛନ୍ତି, ନଜରରେ ଭଲ ପ୍ରସ୍ତାବ ପଡ଼ିଲେ ଆମକୁ ଆଗ ଖବର ଦେବେ । କାଗଜରେ ବିଜ୍ଞାପନ ଦେବାକୁ ଜମା ସୁଖ ଲାଗେ ନାହିଁ । ଆମେ ସିନା ଏପଟେ ସ୍ଥାନୀୟ ବାସିନ୍ଦା । ଆପଣ ତ ଓଡ଼ିଶାରୁ ଯା–ଆସ କରୁଛନ୍ତି, ଆମପାଇଁ ଟିକେ ମଧ୍ୟସ୍ଥି ହୁଅନ୍ତୁ ନା ।’

 

ଭାରି ଆମୋଦିଆ ମଣିଷ ଆଜ୍ଞା, ମଧ୍ୟସ୍ଥି ବଖାଣି ବସନ୍ତି । ଆମକୁ ଥଟାକରି କହିଛନ୍ତି ଆଉ ସେକାଳ ପରି ଗୋଡ଼ ଧୋଇବାକୁ କଂସା ଢାଳ ମିଳିବ ନାହିଁ । ତା’ର ପ୍ରତିବଦଳରେ ମିଳିବମ’–ଡରନ୍ତୁ ନାହିଁ ଜମା, ହଁ ସଫାରି ସୁଟ୍‌ ମିଳିବ, ମିସେସ୍‌ଙ୍କ ପାଇଁ ବରହମ୍‌ପୁରୀ ବା ସମ୍ବଲପୁରୀ ପାଟଶାଢ଼ି । ଲାଗି ପଡ଼ନ୍ତୁ ଟିକେ । କ'ଣ ଆଜ୍ଞା ଶୁଣିଲେଟି ? ପୁଣି ହସିଲେ ମଧ୍ୟସ୍ଥି–ଏହିଭଳି ଖୋଲାମେଲା ମଣିଷ, ଭାରି ସୁନ୍ଦର ଡ୍ରଇଂରୁମ୍‍ରେ ଆମକୁ ନେଇ ବସାନ୍ତି, କି ସମ୍ମାନ ! ସଜ୍ଜନ ଲୋକ । ବେଶ୍‌ ବଡ଼ବଡ଼ ରସଗୋଲା ସବୁ ଆସି ଥୁଆ ହୁଏ, ସୁନ୍ଦର କପ୍‌ରେ କଫିରୁ ଫେଣ ବାହାରି ଆସୁଥାଏ । ଯେତେବେଳେ ଯାଏଁ ମନ ବସିଥା, ଗପ କରୁଥା, ତାଙ୍କ ମୁହଁରେତ ହସ ଲାଗିରହିଥିବ । ସୁସଜ୍ଜିତ ଡ୍ରଇଂରୁମ୍‌ରେ ଡନ୍‌ଲପ୍‌ ସୋଫାରେ ବସି ରଙ୍ଗିନ ଟିଭି ଦେଖୁଥାଅ । ମିକ୍ସିରେ ୨ ମିନିଟ୍‌ରେ ତିଆରି ଥଣ୍ଡା ଲହୁଣିଦିଆ ପୁରି, ଲକ୍ଷ୍ମୀ ଟକିଜ୍‌ ପାଖ ଲସି ପରି ଲସି ଚମତ୍କାର ଟ୍ରେରେ ଆସି ବିଜୁଳି ବେଗରେ ଥୁଆ ହୋଇଯିବ । ନଚେତ୍‌ ଓଭନରୁ ଓହ୍ଲା ହେଉଥିବା ଗରମ ଗରମ କେକ୍‌ ରଙ୍ଗୀନ ପ୍ଲେଟ୍‍ରେ ଆସି ଥୁଆ ହୋଇଯିବ । ଖାଅ ମନଇଚ୍ଛା । ଜାଣିଲେ–ବଢ଼ିଆ ଘରଣୀ, ସବୁ ଘର ତିଆରି । ମନ ପସନ୍ଦ ଗୀତସବୁ ଶୁଣୁଥାଅ, ପୁଣି ମନ ହେଲେ ତାକୁ ଟେପ୍‌ କରିନିଅ, ସେ ବ୍ୟବସ୍ଥାବି ଅଛି–ଘର ସଜା କଥା କ’ଣ କହିବି ? ଜାଣିଛନ୍ତିଟି ଆଜ୍ଞା, ସେ ହେଲେ ମୋ ପୁଅ କମ୍ପାନୀର ମାଲିକ, ଫୋନ୍‌ କରିବାକୁ ମନହେଲେ ମୁଁ ସେଠିକି ଧାଇଁଯାଏ । ଆମେ ଦିହେଁ ସବୁବେଳେ ଆଖି ବୁଲାଉଛୁ, ୟାଙ୍କ ପୁଅପାଇଁ ଆମ ପଟୁ ଭଲ ଝିଅଟିଏ ଦେଖନ୍ତେ ହେଲେ, ଆମେ ଦୁହେଁ ସବୁବେଳେ ପରା ଏଇ ଚିନ୍ତାରେ ଥାଉ ! ଚକାଡ଼ୋଳାଙ୍କର ଅପାର କରୁଣା-। ଏଇଠି ଷଠି ଗଢ଼ି ରଖିଛନ୍ତି, ଭେଟ ପଡ଼ିଗଲା “ଯାହାକୁ ଯିଏ, ବିରିକୁ ଚାଉଳ ତିନ୍ତେଇ ଦିଏ-।” ଖାସା ଯୋଡ଼ିହେବ, ହଇହୋ କ’ଣ କହୁଛ– ପତ୍ନୀଙ୍କୁ ତେରେଚ୍ଛି ଚାହାଁନ୍ତି ମଧ୍ୟସ୍ଥି । ଏଇ ରୀତିରେ ମଧ୍ୟସ୍ଥିଙ୍କର ଗୌରଚନ୍ଦ୍ରିକା, ଆରମ୍ଭ ହୁଏ ।

 

କାହା ବାହାଘରେ ଝିଅଟିଏ ଦେଖିଦେଲେ, ନଜର ପଡ଼ିଲା ପରି ଝିଅ–ସେମାନେ କଥା ପକେଇ ବସନ୍ତି ! ଭାର୍ଯ୍ୟା କହନ୍ତି ମାଇପି ମହଲରେ, ଆଉ ସ୍ଵାମୀ କହନ୍ତି ପୁରୁଷ ମହଲରେ । ମଧ୍ୟସ୍ଥି କହିବସନ୍ତି–ମୁଁ ଯାହାକଥା କହୁଛିନା ସେ ଖାଲି ଦୂରବନ୍ଧୁ ସୁନ୍ଦର ନୁହେଁ, ବନ୍ଧୁ ପରି ବନ୍ଧୁ । ବର ପାତ୍ରର ଉଚ୍ଛ୍ୱସିତ ପ୍ରଶଂସା କରନ୍ତି, ମଧ୍ୟସ୍ଥି ଓ ତାଙ୍କ ପତ୍ନୀ ମିଳିତ କଣ୍ଠରେ । ଯେ ଭାଗ୍ୟ କରିଥିବ ସେ ଘରେ ଝିଅଦେବ । ଆପଣଙ୍କ ଝିଅର କପାଳ ଭାରୀ ତେଜ । ସୁଲକ୍ଷଣୀ, ସର୍ବସୁଲକ୍ଷଣୀ ନହେଲେ ଏଭଳି ଶ୍ଵଶୁର ଘର ମିଳିପାରେ କି ? ହଁ ସତକଥା–ସୁନ୍ଦର, ପାଠ ପଢ଼ିଲା ଯୋଗ୍ୟ ଝିଅର ଅଭାବ ଆମ ରାଜ୍ୟରେ ନାହିଁ, ଖୁବ୍‌ ଭଲ ଝିଅ ମିଳିବେ, ହେଲେ ସବୁ ଗୋଟିଏ ପଟେ, ଦେବାନେବା ଆଉ ଗୋଟିଏ ପଟେ, ସମସ୍ତେ ତା’ ସଙ୍ଗେ ଆଉ ଗୋଟିଏ କଥା ଯୋଡ଼ିବେ ‘ଡିମାଣ୍ଡ୍’ । ଏ ବିଷୟରେ ସେମାନଙ୍କ ମନ ନଜାଣିଲେ କିଏ ଭଲା । ତରବର ହୋଇ ବିବାହ ପ୍ରସ୍ତାବ ପକାଇବାକୁ ସାହସ କରିବେ କହିଲେ ? ଭିତିରି ଭିତରି ସେତିକ ବୁଝିଛନ୍ତି ତ ?

 

ଆପଣା ମନଲାଖି ଝିଅର ମା' ଆଉ ରହି ନପାରି ବେଳକାଳ ଦେଖି ମନଖୋଲି କହି ପକାନ୍ତି ସତ କଥାଟା, ମା’ ମନତ ! କେତେ ସମ୍ଭାଳି ପାରିବେ ଯେ–ଖୋଲାଖୋଲି ପଚାରିଦେବା କଥା, ସତ କଥା ଏ ଯୁଗ ଯେ ବିଚିତ୍ର ଯୁଗ, ଆଉ କ'ଣ ସେ ଯୁଗର ‘‘କୁଳକନ୍ୟା କାଳିହେଉ, ତୀର୍ଥପାଣି ଗୋଳି ହେଉ’’ ନୀତି ଅଛି ?

 

–କଣ୍ଟା ଟିକେ ଏପଟ ସେପଟ ହୋଇଗଲେ କୋର୍ଟ କଚେରି ପର୍ଯ୍ୟନ୍ତ କଥା ଯାଉଛିଟି ? ସୁନାର ସଂସାର ଭାଙ୍ଗିଯାଉଛି, ନିତି ଖବରକାଗଜରେ ବାହାରୁଚି କରୁଣ କାହାଣୀ–ଯୌତୁକପାଇଁ ବଧୂ ହତ୍ୟା । ବୋହୂକୁ ଜିଅନ୍ତା ପୋଡ଼ି ମାରି ଦେଉଛନ୍ତି ।

 

କ’ଣ ନା ଯୌତୁକ ଊଣା ପଡ଼ିଗଲା । କେତେ ବୋହୂ ଶାଶୁଘରର ଅପମାନ ସହି ନପାରି ଆତ୍ମହତ୍ୟା କରୁଛନ୍ତି । ଆଇନ ସହାୟକ କେନ୍ଦ୍ର ପାଖରେ କେତେ ଦରଖାସ୍ତ ପଡ଼ୁଛି, ମୀମାଂସା ବୁଝାମଣା ମାସବର୍ଷ ଚାଲିଯାଉଛି–କି ହୀନସ୍ତା, ଲୋକହସା ।

 

ଶେଷକଥା ଯାଏଁ, ନହେଲାବେଳକୁ ଛାଡ଼ପତ୍ର, କେଉଁଟି ହେଲେ ସୁଖକର ନୁହ । ଫଟାମନକୁ ଯୋଡ଼ି ଚାଲିବାରେ କି ସୁଖ ? ମା’ ମନରେ ଝିଅ ବାହାଘର କଥା ପଡ଼ିଲେ ଏ ଯୁଗରେ ଏଇ ଡରଟି ଆଗ ଆସି ପଶେ–ନାହିଁଲୋ ମା’ ଆଗରୁ ଏସବୁ କଥାବୁଝି ଛିଣ୍ଡେଇ ପରେ ପ୍ରସ୍ତାବ ପକାଇବା କଥା, ତାଙ୍କ ସର୍ତ୍ତରେ ରାଜିହେବାକୁ ଆମର ସାମର୍ଥ୍ୟ ଥିଲେ ସିନା ଆଗେଇବା ! ତା’ ନହେଲା ମାନେ ଆମେ ଆଡ଼େଇ ଯିବା କଥା । ଯିଏ ଯେତିକି ମୁଣ୍ଡ ସିଏ ସେତିକିରେ ରହିଲେଭଲ–ଆଉ କ'ଣ ମ । ହାଣ୍ଡିରେ ନାହିଁ, ନା ଚିପୁଡ଼ିବାତ ସେତେବେଳେ ବେଦୀ ଉପରେ ବର ବସିଥିବ–ଯୌତୁକପାଇଁ ଅଡ଼ି ବସିଲେ–ଲେଡ଼ିଗୁଡ଼ କହୁଣୀକୁ ବୋହିଯାଇଥ‌ିବ । ଆଉ ବାଟଘାଟ କିଛି ନଥିବ ।

 

ଝିଅର ମା’ ସାହସ କରି କଥାଟା ପକାନ୍ତି–ଆଗ ଯୌତୁକ କଥା ତୁଟୁ । ତା’ପରେ ପ୍ରସ୍ତାବ ପକାଇବା କଥା । ଝିଅର ବାପା ହଠାତ୍‌ ରାଗି ଉଠନ୍ତି, କହନ୍ତି–ସବୁଥିରେ ଗୋଟିଏ କେଁ କାଢ଼ିବା ତମର ଅଭ୍ୟାସ । ଆଗ ଶୁଣିସାର, ନଈ ନଦେଖୁଣୁ ଉଚ୍ଛନ୍ନ କିଆଁ ?

 

ଝିଅର ମା’ଙ୍କର ସବୁବେଳେ ମନରେ ସନ୍ଦେହ ଥାଏ, କାଳେ ତାଙ୍କ ଗେଲବସରର ଝିଅକୁ କିଏ ଶାଶୁଘରେ ଉଲୁଗୁଣା ଦେବ ? ଯାହାକୁ ଧରି ଜୀବନଯାକ ଘର କରିବ କାଳେ ତା’ର କ’ଣ ଦୋଷ ଥିବ ? କାଳେ ଏଯୁଗ ଫେସନରେ ମଦ ପିଉଥିବ–କି ଆଉ କ'ଣ ? ଏ ବିଜ୍ଞାନ ଯୁଗରେ କିଏ କ’ଣ କରୁଛି ଭଲା ଜଣା ପଡ଼ିବକି ? ଏ କାଳରେ ତ କେତେଭଳି ନିଶା ବାହାରିଲାଣି କିଏ ଜାଣେ କାହାରବା ବଶ ହୋଇଥିବ ସିଏ । ସେଗୁଡ଼ାକତ ପୁଣି ବୁଝିବ । ଝିଅଟା ଶାଶୁଘରେ ଖୁଣ୍ଟା ଖାଇବ, ଅବୁଝାମଣା ବରକୁ ଧରି ଦୁଃଖ ପାଇବ ଏକଥା ଭାବିଲେ ଭଲା କେଉଁ ମାଆ ଦେହ ଧରି ରହିବ ସଂସାରରେ । “ମା’କୁ ଝିଅଟି, ଘା’କୁ ଘିଅ ।” ମରଦ ପୁଅତ ଉପରେ ଉପରେ ଭାସିବେ-। ଭଲମନ୍ଦ ସବୁ ବୁଝିଲେ ସିନା ଯାଇ ପ୍ରସଙ୍ଗ ପକାଇବ ! ଜୋଇଁର ଗୁଣ କେମିତି, ଯୌତୁକ ନିଶା କି ଆଉ କି ନିଶା ଅଛିକି ନାହିଁ, ଏ ଯୋଡ଼ିକ କଥା ଜାଣି ସାରିଲେ ଟୀପ୍ପଣୀ ଦେବା କଥା ବିଚାରିବା-। ତେଣିକି ଝିଅ ଦେଖା ଆଜିକାଲି ମୁଖା ପିନ୍ଧା ଯୁଗରେ ଲୋକଙ୍କ ଦୋମୁହାଁ ନୀତି ଦେଖି ଊଣାଅଧିକେ ସାଇପଡ଼ିଶାଙ୍କ ଅଭିଜ୍ଞତାରୁ ଶିଖି ଏବେ ସମସ୍ତେ ଚେତିଗଲେଣି ଯେ !

 

ଯାହା ପୁଅକୁ ସାପ କାମୁଡ଼େ ତା’ ମା’ ପାଳଦଉଡ଼ି ଦେଖ‌ିଲେ ଡରେ ! ଏହି ଯୌତୁକ ରାକ୍ଷସ ସବୁ ଗିଳିଦେବ । ବୁଝି ଖବରଦାର–କନ୍ୟାଘର ମଧ୍ୟସ୍ଥିକୁ ଗାଢ଼େ ମାଢ଼େ କରି ଧରନ୍ତି । “ହେଇଟି–ଆପଣ ଆଗେ ସେତକ ବୁଝିଲେ, ତା'ପରେ ସେମାନେ ଡିମାଣ୍ଡ୍ କରିବେନିତ ? ଏତେ ବଡ଼ଘରକୁ ପସନ୍ଦ ହେଲାଭଳି ଜିନିଷ ଆମେ କୁଆଡ଼ୁ ଦେବୁ ? ଆମର ସେ ଶକ୍ତି ନାହିଁ । ଫିଟାଇ କହୁଛି । ଆମେ ମଧ୍ୟବିତ୍ତ ପରିବାର, ମଧ୍ୟସ୍ଥି ମଧ୍ୟ ଏକଥା ମନରେ ଯେ ଧରି ନଥାନ୍ତି ଏମିତି ନୁହେଁ । ସେ କ’ଣ ଏ ଯୁଗରେ ନାହାନ୍ତି, ନା ପୁଅଝିଅ ଜନ୍ମ କରି ନାହାନ୍ତି ନା ଖବରକାଗଜ ଦେଖୁନାହାନ୍ତି, ନା କୋର୍ଟ–କଚେରି ହାଲ୍ ଶୁଣୁନାହାନ୍ତି ? ସେ ମଧ୍ୟ ବେଳକାଳ ଦେଖି ଏହି ନିଷିଦ୍ଧ, ଅଥଚ ଗୁରୁତ୍ଵପୂର୍ଣ୍ଣ କଥାଟି ପୁଅର ବାପା ମା’ଙ୍କ କାନରେ କଥା ଛଳରେ ପକାଇ ଦେଇ ଥାଆନ୍ତି–“ହେଇଟି ଆଜ୍ଞା, ଆପଣଙ୍କ ଘରକୁ ଚାହିଁ, ପୁଅର ରୁଚିକୁ ଚାହିଁ, ଗୋଟିଏ ଭାରି ସୁନ୍ଦର ପ୍ରସ୍ତାବ ଅଛି, ଏମ୍‌.ଏ. ପାଷ୍ଟ କ୍ଲାସ୍ । ବେଶ୍ ସୁନ୍ଦର ଝିଅଟିଏ–ନଜରରେ ଯାହାକୁ କହନ୍ତି ସଂସ୍କୃତିସଂପନ୍ନ ପରିବାର । ହେଲେ ଆଜ୍ଞା ଟିକିଏ କେଁ ଅଛି । ସେମାନେ କିନ୍ତୁ ଆଜ୍ଞା ଜମା ଡିମାଣ୍ଡ୍ ଦେବାକୁ ପ୍ରସ୍ତୁତ ନୁହଁନ୍ତି । ଆପଣଙ୍କର ଜ’ଣ ସବୁ ଡିମାଣ୍ଡ୍ ଅଛି ନଜାଣିଲେ– I'

 

ତୁଣ୍ଡରୁ କଥା ନସରୁଣୁ ଦୂର ବନ୍ଧୁ, ଉଚ୍ଚ ଅଫିସର ଅମୁକବାବୁ ପାଟି ନ ଫିଟାଉଣୁ ବାବୁଆଣୀ ଉପରେ ପଡ଼ି କହି ଉଠନ୍ତି–କ’ଣ କହିଲେ ଡିମାଣ୍ଡ୍ । ଆମେ କ’ଣ ଏତେ ଛୋଟଲୋକ ! ଦୁର୍ଭାଗ୍ୟ, ଆପଣଙ୍କର ଆମ ପ୍ରତି ଏଇ ଧାରଣା ? ଲୋକେତ ଫ୍ଲାଟ୍‌, ଫିଆଟ, ଫ୍ରିଜ୍‌ କେତେକଅଣ ଯାଚୁଛନ୍ତି । ରାଜ୍ୟରେ କ’ଣ ଏସବୁର ଅଭାବ ? ଦେଖୁ ନାହାନ୍ତି ମୋ ଏ ଭ୍ୟାନିଟିବ୍ୟାଗ୍‌ଟା ଖାଲି ଟୀପ୍ପଣା ଓ ଫଟୋରେ ଭରିଗଲାଣି । ପ୍ରସ୍ତାବ କ’ଣ କମ୍‌ ଆସୁଛି ? ଆମେ କିନ୍ତୁ ଡିମାଣ୍ଡ୍‍କୁ ଆଡ଼–ଆଖିରେ ଚାହୁଁନାହୁଁ । ଖାଲି ମନଲାଖି ଝିଅଟିଏ ଲୋଡ଼ା । ବାସ୍‌ । ଆଉ ଏମିତି କ'ଣ ଝିଅ ଜନମ କରି କିଏ ଖାଲି ଖାଲି ଝିଅ ଦେଲାଣି ? ମାନେ ସଂସାରରେ ଯାହା ଦିଅନ୍ତି ଝିଅଙ୍କୁ ତା’ ଭଲା କେଉଁ ସମ୍ଭ୍ରାନ୍ତ ପରିବାର ନଦେବେ କହିଲେ ?’ ଏଥର କଥା ଛଡ଼ାଇ ବାଧ୍ୟ ହୋଇ ମଧ୍ୟସ୍ଥି କହିଲେ–‘ହଁ, ହଁ, ତା’ ନୁହେଁ କ’ଣ ? ସେମିତି ସାଂସାରିକ ବିଧ‌ିବିଧାନ ଯାହା ଚଳି ଆସୁଥାଇ ପରମ୍ପରା, ସଂସ୍କୃତିସଂପନ୍ନ, ଲୋକେ ତାହା ଲଙ୍ଘନ କରିବେ କେମିତି ! ବୁନିଆଦି ଘର, କର୍ପୂର ଗଲେ କନା ପଡ଼ିଛି । ସମ୍ଭ୍ରାନ୍ତ ବଂଶଟି ସେ । ସଂସାରରେ ଯାହା ଦିଅନ୍ତି ତାଙ୍କୁ କ’ଣ ତାହା ଅଜଣା । ତହିଁରେ ପ୍ରଥମ ଝିଅ, ଆପଣ ନିଶ୍ଚିତ ଥାଆନ୍ତୁ । ଝିଅ ଦେଖିଲେ ସମସ୍ତଙ୍କ ମନ ଖୁସି ହୋଇଯିବ । ଯାହା କହନ୍ତି Made for each other ସ୍ଵାମୀ ସ୍ତ୍ରୀ (ମଧ୍ୟସ୍ଥି ଓ ତାଙ୍କ ସ୍ତ୍ରୀ) ଦୁହେଁ ଆନନ୍ଦରେ ହସିଉଠନ୍ତି ନିଜ ରସିକତାରେ–‘ଆପଣ ତ ଫଟ ଦେଖ‌ିଲେ, ହେଲେ ଝିଅକୁ ଦେଖିଲେ ଆମକୁ ଖାଲି କହିବେ ।’

 

ହେଁ, ହେଁ, ହେଁ, ହସର ଲଘୁ ଜୁଆର ଭିତରେ ମଧ୍ୟସ୍ଥିଙ୍କ ମନ କୁଣ୍ଡେ ମୋଟ ହୋଇଯାଏ, ଗଡ଼ ଜିଣିଛନ୍ତି ଅବା, ଆନନ୍ଦରେ କହିପକାନ୍ତି, ‘ବୁଝିଲେ ଆଜ୍ଞା ଆମ ରାଜ୍ୟରେ ଏ ସେବା କାର୍ଯ୍ୟପାଇଁ ସ୍ଵେଚ୍ଛାସେବୀ, ସାମାଜିକ ଅନୁଷ୍ଠାନମାନେ ଆଗେଇ ଆସୁନାହାନ୍ତି, ଫଳରେ ଦେଖନ୍ତୁ କେତେ ସାମାଜିକ କ୍ଷତି ହେଉଛି । ଦୂରରେ ସମ୍ବନ୍ଧ ପକାଇବେ ନାହିଁ, ଲୋକକ ମନୋବୃତ୍ତି ସମ୍ବନ୍ଧରେ ଅନୁଧ୍ୟାନ କରିବେ ନାହିଁ ଯୋଗାଯୋଗ ପାଇଁ ସମୟ ଦେବାକୁ ଏମାନେ ପ୍ରସ୍ତୁତ ନୁହଁନ୍ତି, ଅଥଚ କିଛି ନଜାଣି ଗୋଟାଏ କଟୁ ମନ୍ତବ୍ୟ କରିଦେଲେ–କ’ଣ ନା ଡିମାଣ୍ଡ୍ ଚାଲିଛି । କେବଳ ଟଙ୍କା ଥିଲେ ଏ ଯୁଗରେ ବାହାଘର ହେଉଛି । ଧନ ନଥିଲେ ଆଉ ସବୁର କିଛି ମୂଲ୍ୟ ନାହିଁ ବୋଲି ସିଧା କହିଦେବାକୁ ଏମାନେ ମଧ୍ୟ ପଶ୍ଚାତ୍‍ପଦ ହେବେ ନାହିଁ । କିଏ କହେ ବିବାହ ବଜାରରେ ଖାଲି ବିକାକିଣା ଚାଲିଛି ? ଏଭଳି ବିଭ୍ରାନ୍ତିକର ସମ୍ବାଦ ପରିବେଷଣ ନିମନ୍ତେ ବାସ୍ତବିକ ଦଣ୍ଡ ବିଧାନ ହେବା ଉଚିତ । ଲୋକେ ଜାଣନ୍ତୁ ଏବେ ମଧ୍ୟ ଏ ରାଜ୍ୟରେ ଏଭଳି ଉଦାରମନା, ବିତ୍ତଶାଳୀ ଭଦ୍ର ପରିବାର ଅଛନ୍ତି, ଯେଉଁମାନେ ବିନା ଡିମାଣ୍ଡ୍‍ରେ କେବଳ କନ୍ୟାକୁ ଦେଖି ବିବାହ ସମ୍ବନ୍ଧ ସ୍ଥିର କରନ୍ତି । ରାଶି ରାଶି ଉଦାହରଣ ରହିଛି, ସେଗୁଡ଼ାକ ଅନ୍ଧକାରରେ ରହିଯାଉଛି । ପ୍ରଚାର ହେଉନାହିଁ ଆଜ୍ଞା, ଭଲ କଥାର ପ୍ରଚାର କାହିଁ ? ଖାଲି ଦୁର୍ଗୁଣର ପ୍ରଚାର ଯୁଗ ଇଏ !

 

ଏ ସମସ୍ତକଥା ମଧ୍ୟସ୍ଥି କନ୍ୟାର ପିତାମାତାଙ୍କ ଆଗରେ ବେଶ୍‌ ନାଟକୀୟ ଭାବରେ ମଧ୍ୟ ପ୍ରକାଶ କରନ୍ତି । କହନ୍ତି “ଶୁଣିଲେ, ବଡ଼ ଅଫିସର ଅମୁକବାବୁଙ୍କ କଥା, ତାଙ୍କ ସ୍ତ୍ରୀଙ୍କର ଭାରି ଖୋଲା କଥା, ପରିଷ୍କାର କହିଦେଲେ ଗୋଟିଏ ସର୍ତ୍ତ । ବରଯାତ୍ରୀଙ୍କୁ ଖୁବ୍‌ ଭଲ ଚର୍ଚ୍ଚା କରିବାକୁ ପଡ଼ିବ । ସେଥିରେ ଯେମିତି ଊଣା ନହୁଏ । ହଁ ଆଜି ସଂସାରରେ ଯାହା ଦିଅନ୍ତି, ବାସ୍‌ ଆଉ ଅଧିକ କିଛି ପ୍ରୟୋଜନ ନାହିଁ । ମନଲାଖି ଝିଅର ବାପାତ ଏପ୍ରକାର କଥାଶୁଣି ଯେ ସନ୍ତୋଷ ହେବେ, ଏଥିରେ ବା ଆଶ୍ଚର୍ଯ୍ୟ କ'ଣ ? ହେଲେ ମା’ ମନ ସବୁଥିରେ କୁନ୍ଥୁକୁନ୍ଥୁ–ସନ୍ଦେହ । ଝିଅର ବାପା ଆଶ୍ଚର୍ଯ୍ୟ ହୁଅନ୍ତି, ଆଚ୍ଛା ମୁସ୍କିଲ୍ କଥା, ଏତେ କଥା ଶୁଣିଲ ସବୁ ବୁଝେଇ କହିଲେ, ତଥାପି ଏତେ କୁନ୍ଥୁକୁନ୍ଥୁ କାହିଁକି ଶୁଣେ ? ମନସ୍ଥିର କରି ଜଣାଇବୁ ବୋଲି କହି ମଧ୍ୟସ୍ଥିକୁ ବିଦା କରନ୍ତି କନ୍ୟାର ପିତାମାତା । ସ୍ଵାମୀ, ସ୍ତ୍ରୀ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଚାଲେ । ଯୁକ୍ତିଚାଲେ, କଥା କଟାକଟି ହୁଏ ଆଗତ ଭବିଷ୍ୟତ ଭଲମନ୍ଦ–ସମ୍ଭାବନା ସବୁ ବିଚାର ଚାଲେ ।

 

ସ୍ତ୍ରୀ କହନ୍ତି ଉଁହୁଁ, ହେଲାନି–‘‘ସଂସାରରେ ଯାହା ଦିଅନ୍ତି’’ କଥାଟାତ ଜମା ପରିଷ୍କାର ନୁହେଁ । ଏଇଟା ଭାରି ଇଲାଷ୍ଟିକ ଟର୍ମ୍ । ସ୍ଥିତିସ୍ଥାପକ–ସଂସାର ଘଡ଼ିଘଡ଼ି ବଦଳୁଛି–ଯୁଗ ବଦଳୁଛି, ସଂସାରରେ କିଏ କ’ଣ ଦିଅନ୍ତି ? ସମସ୍ତେ କ'ଣ ସମାନ ଦିଅନ୍ତି । ଚାହିଦା ଦେଖୁନ କେମିତି ବଦଳିବାରେ, ବଢ଼ିବାରେ ଲାଗିଛି । ସ୍ଵାମୀ ରାଗି ଯାଇ କହନ୍ତି ଅର୍ଥନୀତି ପାଠ ପଢ଼ିଛ ବୋଲି ସବୁର ଅନର୍ଥ କାଢ଼ୁଛତ । ହୋପ୍‌ଲେସ୍, ଠିକ୍‌ ଅଛି, ତୁମେ ବୁଝି ତୁମ ଝିଅର ବାହାଘର ଠିକ୍‌ କର । ମତେ ଆଉ କିଛି କହିବ ନାହିଁ । ଏଥିରେ ମା’ ତୁନିହୋଇ ଯାଆନ୍ତି ସିନା, କିନ୍ତୁ ମନରେ ସବୁବେଳେ ଶଙ୍କାଥାଏ, ଦକଦକ, ପ୍ରକୃତସ୍ଵରୂପ ଆଖ‌ିରେ ଦେଖି ଆସିବାକୁ ହେବ । “ଯାହା ନଦେଖିବ ବେନି ନୟନେ, ପରତେ ନଯିବ ଗୁରୁ ବଚନେ ।”

 

କନ୍ୟା ଦେଖା ସରୁସରୁ ଝିଅ ମା’ଙ୍କ ଚାପରେ ବାପା ବାଧ୍ୟହୋଇ ବରଙ୍କ ଘର ଓ ମଣିଷଙ୍କୁ ନିକଟରୁ ଦେଖି ଆସିବାକୁ ଯାଆନ୍ତି । ସତେ ଯେମିତି ସିନେମା । ମାତ୍ର ଅଧଘଣ୍ଟା ଭିତରେ ବଡ଼ଲୋକ ଘରସ୍ଵରୂପ ଦେଖିବା ଯୋଜନା ରଖିଯାଆନ୍ତି । ବଡ଼ଲୋକଙ୍କ ବେଭାର ଆଖ‌ିରେ ଦେଖିଆସି ଝିଅ ବାପାଙ୍କ ଛାତି କୁଣ୍ଡେ ମୋଟ । ଘରେ ପହଞ୍ଚୁ ନପହଞ୍ଚୁଣୁ ସାର୍ଟିଫିକେଟ୍ ଦେଇ ଦେଲେଣି–ଖୁବ୍‌ ଭଲବନ୍ଧୁ । ବଢ଼ିଆ ଲୋକ ସବୁ ଗୁଣ ଏବେ ପଦଟି କଥାରେ, ସତମଣିବତ ! ‘ଆରେ ବାବୁ ତମେ ଦେବ କ’ଣ ? କ'ଣ ନାହିଁ ତାଙ୍କର ଯେ ତୁମେ ତାଙ୍କୁ ଖାଲି ଦେଇ ପକାଇବ ? କାହିଁକିବା ଚାହିଁବେ ସେମାନେ କହ ସେମାନେ ଭାରି ଭଦ୍ର, ପଲିସଡ଼୍ ସମ୍ଭ୍ରାନ୍ତ ପରିବାର । Well behaved । ପିଲାଟିର ଚେହେରା ଆମ ମୁନାପରି । ବେଶ୍‌ Smart, ଭାରି ଭଲ ଲାଗିଲା ମତେ l ଗାଡ଼ିବେଳ ହୋଇଯାଉଥିଲା । ଅଧଘଣ୍ଟାଏ ମୁଁ ତା’ ସହିତ ଗପିଛି । ଏତେ ସୁନ୍ଦର ବ୍ୟବହାର, ମୁଁ ମୁଗ୍ଧ ହୋଇଗଲି ।

 

କନ୍ୟା ମାତା ନୀରବ ! ସିଦ୍ଧାନ୍ତ ହୋଇଗଲା । ବିବାହ ଦିନ ସ୍ଥିର ହୋଇଗଲା । ଗୋଟିଏ ଅଧ୍ୟାୟ ଏଇଠି ସମାପ୍ତି ଘଟିଲା । ପରବର୍ତ୍ତୀ ଅଧ୍ୟାୟପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ । କିନ୍ତୁ ଏଥର ଚାଲିଲା ମଧ୍ୟସ୍ଥିଙ୍କ ଭାଳେଣି–ବରଯାତ୍ରୀ ମର୍ଯ୍ୟାଦା କଥାଟା ପୁଣି ସ୍ଥିତିସ୍ଥାପକ ନୁହେଁତ, ମାନେ Elastic ? ସେ ବଡ଼ଲୋକଙ୍କ ଘରକୁ ଚାହିଁ ଦେବା ଯେ ନିହାତି ଦରକାର । ସେମାନେତ ଆଉକିଛି ମାଗୁନାହାନ୍ତି । ଏଇ ବାଟ ଖର୍ଚ୍ଚଟା ତ ନିହାତି ଦେବାକୁ ହେବ । ଏଇଟା ବନ୍ଧୁ ମର୍ଯ୍ୟାଦା ଯେ ଆଉଯେ ଶହେଜଣ ବରଯାତ୍ରୀ ଆସିବେ, ସେମାନଙ୍କ ପାଇଁ ବନ୍ଧୁସମ୍ମାନ, ମର୍ଯ୍ୟାଦାରଖି ଲୁଗାତ ଦେବେ । ନଦେବେ କେମିତି ? କନ୍ୟାପିତା କୁହନ୍ତି, ବିଧି ଅଛି ଟୋକନ ଦିଆଯାଏ । ଏକଟଙ୍କା ସହ ଫୁଲ ସତ୍ତାକୁ ଆମନ୍ତ୍ରଣ, ଆଉ ଆପଣ କ'ଣ କହିଲେଣି ସମସ୍ତଙ୍କ ପାଇଁ ଲୁଗା ?

 

କନ୍ୟାପିତା ମନେମନେ ମଧ୍ୟସ୍ଥଙ୍କ ଉପରେ ଗରଗର ହୁଅନ୍ତି ରାଗରେ–ଆଚ୍ଛା ବିପଦରେ ପକାଇଲେ ମତେ ଏବେ ଆଉ ଉପାୟ ବା କ’ଣ ! ହେଉ ଏତିକି ସୋ ଯଦି ବାହାର ଲୋକଙ୍କ ପାଇଁ ଦରକାର ତେବେ ଆଡ଼୍‍ଜଷ୍ଟ କରିବା ବଜେଟ ଭିତରୁ । ଛାଡ଼ । କ’ଣ ହେଲା ୨୦୦ ଲୋକଙ୍କପାଇଁ ଥଣ୍ଡାପାନୀୟ ଦେବା ବ୍ୟବସ୍ଥା ? କନ୍ୟାପିତାଙ୍କ ମୁଣ୍ଡ ବିଗିଡ଼ିଗଲା । ଆପଣ ମତେ ଆଚ୍ଛା ଝାମେଲାରେ ପକାଇଲେ । ନାଇଁ ନାଇଁ ମୁଁ ସ୍କ୍ୱାସ୍‌ ସରବତ ବ୍ୟବସ୍ଥା କରିଛି । ଆମ ନିତୁର କଲେଜ ସାଙ୍ଗମାନେ ସେ ଦାୟିତ୍ୱରେ ଅଛନ୍ତି । ଶସ୍ତା, ସୁଲଭ, ମଜଭୁତ, ଆମେ କାଚଗ୍ଲାସ୍‌ ବ୍ୟବସ୍ଥା କରିଛୁ ? ମଧ୍ୟସ୍ଥିଙ୍କ ଅବସ୍ଥା ଖରାପ । କ’ଣ କରିବେ ଆଉ ? ସେଇ ଗୋଟିଏ ଚୁକ୍ତିତ ବର ପିତାଙ୍କର । ଘରେ ନପଶୁଣୁ ଚାଳବାଜିଲେ ଆଉ କଥା ରହିବଟି ? ଓହୋ ଆଉ କଥା ରହିବଟି ?

 

କଥାରେ ଅଛି ସାକ୍ଷୀ ବାକି, ମଧ୍ୟସ୍ଥିକ ଦୁଃଖ କହିଲେ ନସରେ । କେଡ଼େ ସତ ଏକଥା ପଦକ । ମଧ୍ୟସ୍ଥି ସ୍ଵାମୀ ସ୍ତ୍ରୀ ଦୁହେଁ ମୁହଁ ଚୁହାଁଚୁହିଁ ହୁଅନ୍ତି, ‘ଆ ବଳଦ ମତେ ବିନ୍ଧ,’ ଯାହା କରି ବସିଲି ମୁଁ ଏବେ ଫଳ ପାଉଛି । ‘ହଇହୋ, ସୁସ୍ଥ ଦେହକୁ ମିଛରେ ବ୍ୟସ୍ତ କରିବା ସାର ହେଲା ସିନା, ନିଜେତ ଅରଜିଛି ଏବେ ସମ୍ଭାଳ । ମୁଁ କହୁଛି ବାବା ଆମର କି ଦରକାର–କ’ଣନା ଭାଇଭଉଣୀ ପରି ଯୋଡ଼ି ଦିଶିବେ । ଏବେ ପାଅ ଫଳ ।’ ରାଗରେ ମଧ୍ୟସ୍ଥି ସ୍ତ୍ରୀଙ୍କ ଉପରେ ସବୁ ରାଗ ଛିଣ୍ଡାନ୍ତି–ସେତିକିତ ଅଧିକାର, ବଳ । ଏମାନେ ହେଲେ ଜୀବନ ଗାଡ଼ିର ‘ସକ ଅବ୍‌ଜରଭପ’ ଏଣେ ସ୍ତ୍ରୀଙ୍କ ମୁହଁ ଶୁଖି ଏଡ଼ିକିଟିଏ ହେଲାଣି । ଡରି ଡରି କହନ୍ତି, ‘ହେ ଶୁଣ ! ରାଗିବନି ମୋ ଉପରେ, କଥାଟିଏ କହିବି ଯେ ମତେ ଡର ଲାଗୁଛି । ଦେଖିଲତ ପୁଅର ମା' ଏବେବି ଷୋହଳପଟ ଲେଖା ସୁନା ଚୁଡ଼ି ପିନ୍ଧିଛନ୍ତି ହାତରେ । ଆଉ ଏ ଝିଅଘର କ’ଣ ବାହୁଟି ଚୁଡ଼ ଅଳ୍ପ ସୁନାରେ

ଦି’ପଟ ଲେଖା ଝିଅ ହାତକୁ କରିଛନ୍ତି । ମତେତ ପାପ ଛୁଇଁଲାଣି । ଆମେ ଶେଷକୁ ଦି’ପଟୁ ଗାଳି ଶୁଣିବା । ଦୋଷୀ ହେବା, କେତେକରି ବୁଝାଇଲି ଯେ, ସେ ସଫାସଫା କହିଦେଲେ ଆମ ଶକ୍ତିକୁ ଚାହିଁ ଆମେ ଦେବୁନା, କାହିଁ ସେ କ'ଣ ଡିମାଣ୍ଡ୍ କରିଥିଲେ କି ? ହେ ମା' କଟକ ଚଣ୍ଡୀ, ସର୍ବଶୁଭରେ ଏ ବାହାଘରଟି ସରିଯାଉ । ତତେ କଳାଶାଢ଼ି ଦେବି, ମା’ଲୋ କାନମୋଡ଼ି ଚଟକଣା ଖାଉଛି, ଆଉ ନୁହ ନୁହ ନୁହ, କାଦୁଅରେ ପଶିବି ନାହିଁ କି ଗୋଡ଼ ଧୋଇବି ନାହିଁ ?'

ସ୍ଵାମୀ ରାଗି ଯାଇ କହନ୍ତି, ‘ହଁ ହଁ ତାହାନୁହେଁ କ'ଣ । ଆଉ ବୋଦା ଯାଚିଲ ନାହିଁ । ତମେ ସବୁ ନାଟର ଗୁରୁ ଗୋବର୍ଦ୍ଧନ ହଇହେ ! ଆମେ ବୁଢ଼ାବୁଢ଼ୀ ଦି'ଟାତ ଭଲରେ ଥିଲେ । ଏଲୀଳା ଲଗେଇବାକୁ ଇଚ୍ଛା ତମକୁ ଦିଏ କହୁଥିଲା ଶୁଣେ ? କ'ଣନା ଓଷଦ ଖାଇଶୁଅ । ଆଉ ଶୋଇବି କୁଆଡ଼ୁ ? ଯାଏଁ ଆଗ ଦେଖେ । ସିଗାରେଟ, ପାନ, ବଙ୍ଗଳା, ସର୍କିଟ୍‌ ହାଉସ୍‌ ରିଜର୍ଭେସନ୍ କଲେକି ନାହିଁ ? ଭଲ ଡେକୋରେଟରକୁ ଯଦି ନ ଡାକିଥ‌ିବେ ନା ମାନମହତ ସବୁ ଯିବ । ଆଚ୍ଛା ମୁସ୍କିଲ୍‌ରେ ପଡ଼ିଲା ମଣିଷ ।’ ଏମିତି ଚାଲିଲା ମଧ୍ୟସ୍ଥିଙ୍କ ଭାଳେଣି । ଦୁଃଖ କାହାଣୀ ଗାଇଲେବି ନସରେ–

ଏତେ କରିବି ନିସ୍ତାର ନାହିଁ, ବରଘର ପକ୍ଷରୁ କ୍ରମାଗତ ଛୁଟୁଛି ଅଗଣିତ ପ୍ରଶ୍ନବାଣ ? କ’ଣ ଏଇଆ ଉଚ୍ଚକୋଟୀର ବରଯାତ୍ରୀ ଚର୍ଚ୍ଚା ? ଦେଖନ୍ତୁ ଦେଖନ୍ତୁ ପାନରୁ, ଚୂନରୁ, ଚଉକିରୁ, କ୍ଷୀରରୁ, ମାଛରୁ ଯାବତ୍ ଦୋଷ ଦେଖାଇ ଗାଳି, ଏସବୁ ଅନୁମାନ କରିନେବା କଥା, ସେଗୁଡ଼ାକ ଆଉ ନକହିଲେ ଚଳିବ !

 

ମଧ୍ୟସ୍ଥି ଧୈର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ ହୋଇଥିବେ । ସବୁ ଶୁଣି ଏକାନରେ ପୂରେଇ ସେ କାନରେ ବାହାର କରିବା ହେଲା ମଧ୍ୟସ୍ଥିଙ୍କ କାମ । ଖାଲି ଯୋଡ଼ହସ୍ତ, ହେଁହେଁ ମିଛ ମିଛ ହସ, ସମସ୍ତଙ୍କୁ ନମସ୍କାର, ପଦିଏ କଥା–ସବୁ ଠିକ୍ ହୋଇଯିବ । ପ୍ରଭୁଙ୍କ ଦୟାରୁ ସବୁ ଭଲରେ ହୋଇଯିବ । ବାସ୍‌ ଏତକ ନକଲେ ରକ୍ତଚାପ ବଢ଼ିବ । ହୃଦ୍‌ରୋଗ ମଧ୍ୟ ଆକ୍ରମଣ ହେବାର ସମ୍ଭାବନା, ‘ଗଣ୍ଡାର ଚମଡ଼ା ଘୋଡ଼ିହୁଅହେ ମଧ୍ୟସ୍ଥି, ନହେଲେ ପାଇବ ଅନେକ ଶାସ୍ତି । ଏ ହେଲା ମଧ୍ୟସ୍ଥିଙ୍କ ପ୍ରଶସ୍ତି !

 

ବଦମାସ ଗଲେ ଏବେ କୁଆଡ଼େ ? ଖସିଗଲେଟି ? ଗଛରେ ଚଢ଼େଇ ଦେଇ ମୂଳ କାଟିବା ବ୍ୟବସ୍ଥା ! ଏଗୁଡ଼ାକ ଭଦ୍ରଲୋକ, ହୁଁ ହୁଁ, ଚାଲିଲା ଟୀପ୍ପଣୀ । ସବୁଆଡ଼ୁ ତଳୁ ଉପର ଯାଏଁ, ସବୁ ଦୋଷ ମଧ୍ୟସ୍ଥିଙ୍କର–ହେ ପ୍ରଭୁ ମୂକ କର, ବଧିର କର । କି ଯମଯନ୍ତ୍ରଣାରେ ବାବା, କାହାର କି ଲାଭ ହେବ ? ଦେଖିଲାବେଳକୁ ମଧ୍ୟସ୍ଥି ଉପରେ ସବୁ ମାଡ଼ ଦିପଟରୁ । ବାଛବିଚାର ନାହିଁ । ଭଲରେ ନା ଖାଇପାରିଲା, ନା ଶୋଇପାରିଲା, ନା କଥାପଦେ କହିବାକୁ ସାହସ, ଦମ୍ଭ ଧରିପାରିଲା-। କ’ଣ କହିଲେ ପୁଣି ସେଥିରୁ କ’ଣ ବାହାରି ଯିବ ଯଦି, ଥାଉ ବାବା ଥାଉ । ହାତଗଣ୍ଠିଟା ଭଲରେ ଭଲରେ ଆଗ ପଡ଼ିଯାଉ । ଭୟାନକ ବିଚିତ୍ର ଅନୁଭୂତି ।

 

ଆପଣଙ୍କର ମଧ୍ୟସ୍ଥିଙ୍କ ଅନୁଭବ ଅଛିକି ? ଯଦି ଅନୁଭବୀ ହୋଇଥିବେ ତେବେ ବୁଝିବେ ‘ବନ୍ଧୁ ତୁତ ଅନୁଭବୀ ନୋହୁ’ । ମଧ୍ୟସ୍ଥିର ତପ ଦୁଃଖ ଅନୁତାପ, ଯିଏ ଜାଣେ ସିଏ ବହୁ, ମଧ୍ୟସ୍ଥି ତୁମେ ଧନ୍ୟ ! ଭଲା ଏତିକିରେ ଯଦି ସରିଯାଇଥାନ୍ତା ଝାମେଲା ତେବେ ଆଉ କଥା ନଥିଲା ।

 

ଦିଅଁ ଡାକ ଶୁଣନ୍ତି । ବାହାଘର ସରେ । ମାତ୍ର ବିଭାଘର ସରିବାର ଚାରିଦିନ ଯାଉ ନଯାଉଣୁ ‘ଦୂର ପରବତ ସୁନ୍ଦର’ର ସ୍ଵରୂପ ଦିଶିଯାଏ । ମଧ୍ୟସ୍ଥି ମଲେଟି ? ଯାଆନ୍ତି କୁଆଡ଼େ ? ବେକରେ ଗାମୁଛା ପକାହୋଇ ଓଟରା ହେବେ । ‘ଯେ ଖୁଆଇଛି ମାଣ୍ଡିଆ ଜାଉ, ହାତ ଧରିକରି ବାଡ଼ିକି ନେଉ ।’ ମଧ୍ୟସ୍ଥିଙ୍କ କପାଳରେ ଅସ୍ଵସ୍ତି ଲେଖା, ଆଶ୍ଵସ୍ତି କାହିଁ ? ପ୍ରଶସ୍ତି କାହିଁ ! ସ୍ଵସ୍ତିକାହିଁ ? ଖାଲି ହୀନସ୍ତା !' କାହିଁ ଆସ୍ଥା !

 

ରାଗରେ ଗରଗର ହୋଇ ଝିଅର ବଡ଼ଭାଇ ଝିଅକୁ ଶାଶୁଘରେ ଛାଡ଼ି ଆସି ଘରେ ଗୋଡ଼ ଦେଢ଼ ନଦେଉଣୁ ଆଟାଚି ଖଣ୍ଡିକ ଖଟ ଉପରେ ଫିଙ୍ଗିଦେଇ ଦୁଲ୍‌କିନା ବସିଯାଆନ୍ତି । ଲମ୍ବା ଲମ୍ବା ନିଃଶ୍ଵାସ ପକାନ୍ତି ।

 

ହୋପ୍‌ଲେସ୍ ହୋପ୍‌ଲେସ୍, ଗୋଟାଏ ବିରାଟ ଭୁଲ କଲ ତମେ ।

 

ପୁଅ ଆସିଛି ବୋଲି ବାପା, ମା’ ଭାଇ ଭଉଣୀ ଚାରିପଟେ ଘେରି ଠିଆ ହୁଅନ୍ତି । କଥା କ’ଣ ? ଆଉ କପାଳ ମନ୍ଦକୁ ଯଦି ଠିକ୍‌ ସେତିକିବେଳେ ହତଭାଗ୍ୟ ମଧ୍ୟସ୍ଥି ଆସି ପହଞ୍ଚି ଯାଆନ୍ତି (ସ୍ତ୍ରୀ କେତେ କରି ମନାକରୁଥିଲେଟି । ଟିକିଏ ହେଲେ ତାଙ୍କ କଥା ଶୁଣିଥାନ୍ତେ କାନ ନୋଳି ପୋଡ଼ରେ) ଆଉ ଦଶା ଦେଖେ କିଏ ? ମାତୃଭରଣ ପାହୁଲାଏ କହିଲେ ଚଳେ । ସଣ୍ଡୁଆସି ଆକ୍ରମଣ ଚାରିପଟରୁ–ଲକ୍ଷ୍ୟ ମଧ୍ୟସ୍ଥି ।

 

‘ଛୋଟଲୋକଗୁଡ଼ାକ.......So much । କୌଣସି ଜିନିଷପତ୍ର ଭିତରକୁ ନେଲେନି । ତମେ ଯେଉଁ ଝିଅ ଜିନିଷ ଖାତାଟା ଦେଇଥିଲ ମୋଠୁ ସେଇ ଖାତାଟା ଟାଣିନେଇ ତା’ ଉପରେ ଆଖିବୁଲେଇ ଦେଇ ଚାଲିଗଲେ । ମୋର କ'ଣ ପ୍ରେଷ୍ଟିଜ୍ ନାହିଁ ? ମୁଁ କ'ଣ ବେଠିଆ ? ଭାରି ପଇସାବାଲା ଲୋକ ସେ, ବଡ଼ପଣିଆ ଦେଖାଉଛନ୍ତି ? ରଖହୋ ତମ ବଡ଼ଲୋକୀ, ମୁଁ ସେଠି ଜିନିଷଗୁଡ଼ା କାଢ଼ି ଠିଆ ହୋଇଥିବି ଘଣ୍ଟା ଘଣ୍ଟା ଧରି ? ଏତେବାଟ ମୁଁ ଟ୍ରେନ୍‌ରେ ଯାଇଛି ଏତେ ଲଗେଜ୍‌ ଧରି, ଯିବା କ’ଣ ପାଖରେ ପଡ଼ିଛି ? ଟିକିଏ ସୌଜନ୍ୟ ନାହିଁ ? ଭଦ୍ରତା ଅଛି ? ଛିଃ, ଛିଃ, ଯାହା କମେଣ୍ଟନା ଶୁଣି ତୁମ ଝିଅର ମୁଣ୍ଡ ପାଗଳ ହୋଇ ସାରିବଣି ?

 

ପୁଅ ତୁଣ୍ଡରୁ କଥା ନସରୁଣୁ ମା’ଙ୍କ ଆଖିରୁ ଧାରାଶ୍ରାବଣ ଝରିବା ଆରମ୍ଭ ହୋଇ ସାରିଲାଣି । ଅଭିମାନ, ରାଗ, ଅପମାନ, ପୁଣି ପାଖରୁ ଅନ୍ତର ହୋଇଥିବ । ଆଦରିଣୀ ଝିଅପାଇଁ ବ୍ୟାକୁଳତା । ସେ କି ଭୟଙ୍କର ମାନସିକ ଯନ୍ତ୍ରଣା । ଆପଣ ଯଦି ଝିଅର ମା’ ହୋଇଥିବେ ଓ ଝିଅ ଶାଶୁଘରୁ ଖୁଣ୍ଟା ଶୁଣୁଥିବେ ତେବେ ଅନୁମାନ କରିପାରିବେ ଆଜ୍ଞା–ତା’ ନହେଲେ ବୁଝିବାକୁ ଚେଷ୍ଟା କଲେବି ତଉଲି ପାରିବେ ନାହିଁ ମାଆ ମନଦୁଃଖ–

 

ଏଣେ ବଡ଼ପୁଅ ଉତ୍ତେଜିତ ହୋଇ କହିଚାଲିଛି, ପାଟିରେ ବାଟୁଳି ବାଜୁନାହିଁ । କ’ଣ କହୁଥିଲେ ଶୁଣୁଥା ‘ମା’ ଦଳେ ଜାପାନୀ କଣ୍ଢେଇ ପରି ଫେସନବାଲୀ ଝିଅ ହସିହସି ଲୋଟି ପଡ଼ୁଛନ୍ତି । ‘ଏମା’ ଦେଖ ଶିଳ ଶିଳପୁଆ ଦେଇଛନ୍ତି । ଏ ଯୁଗରେ କିଏ ଶିଳରେ ବାଟୁଛି ? କି ମଫ-! କାହିଁ ସୁମିତ ମିକ୍ସିତ ନାହିଁ ଲିଷ୍ଟରେ ? ଏମା', ଷ୍ଟେରିଓବି ଦେଇନାହାନ୍ତି । କଲର ଟିଭିପାଇଁ କେତେ ଟଙ୍କା ଦେଲେ, ହିରୋହୋଣ୍ଡା ପାଇଁ କେତେ ଟଙ୍କା ଦେଲେ ? କାହିଁ କିଛି ଲେଖା ହୋଇନିତ ଖାତାରେ । କି Below, standard furniture ? ଯେଉଁ କଥା ନା କାନରେ ଶୁଣିବନି । ଦୁଇ ନଣନ୍ଦଙ୍କ ମୁଦି ନାପସନ୍ଦ ହେଲା ବୋଲି ଫିଙ୍ଗି ଦେଇଛନ୍ତି ।

 

କଇଁକଇଁ ହୋଇ କାନ୍ଦିଉଠି ମା’ କହିଲେଣି ମୁଁ ଶୁଣି ପାରିବିନି ଆଉ । ଥାଉଁଥାଉଁ । ବାପ୍‌ରେ କାନ୍ଦ, ମୂର୍ଚ୍ଛା, ଆନୁସଙ୍ଗିକ ଯାବତୀୟ ଆଶ୍ଵସ୍ତିକର ପରିବେଶ । ବନ୍ଧୁବାନ୍ଧବ, ଦେଖଣାହାରିଙ୍କ ଭିଡ଼ । କଳ୍ପନା କରିନିଅନ୍ତୁ ମଧ୍ୟସ୍ଥିଙ୍କ ଅବସ୍ଥା ! କ’ଣ ଗଛରେ ଚଢ଼େଇ ଦେଇ ଏମିତି ଚେର କାଟନ୍ତି ଭଦ୍ରଲୋକ । ଆପଣ ନା ଭଦ୍ରଲୋକ ? ଝିଅର ମାମୁ କଲର ଧରିଲେଣି ମଧ୍ୟସ୍ଥିଙ୍କର ! ମଧ୍ୟସ୍ଥି ଥାଥା ମାମା ତୋଟି ଶୁଖିଗଲାଣି, ପାଟି ଖନିବାଜୁଛି । କୌଣସି ପ୍ରକାରେ କହିଲେ–ଏଭଳି Demandର ତ କୌଣସି ସର୍ତ୍ତ ନଥିଲା । ମାତ୍ର ଏ ହେଲା କ’ଣ ? ବ୍ୟସ୍ତ ବିବ୍ରତ ହୋଇ, ବୁଢ଼ା ବୟସରେ ବିନା ରିଜର୍ଭେସନ୍‍ରେ ରେଳରେ ଚଢ଼ି, ବିକଳ ଅବସ୍ଥାରେ ନୂତନ ଦୂର ବନ୍ଧୁଙ୍କ ପାଖକୁ କନ୍ୟାପିତାଙ୍କୁ ନେଇଯିବା ଛଡ଼ା ବିଚରା ମଧ୍ୟସ୍ଥିଙ୍କର ଭଲା ଉପାୟ ବା କ’ଣ ? ଏଣେ କନ୍ୟାର ମା’ ଯେ ପାଟିରେ ପାଣିଦେଉ ନାହାନ୍ତି–‘ମୁଁ କ’ଣ କଲି ? ମୁଁ କାହା କଥାରେ ମୋ ମାଆକୁ ଏତେ କଷ୍ଟଦେଲି ! ହେ ଭଗବାନ ! ମୁଁ କ’ଣ କରିବି ? ବୁଦ୍ଧିମତୀ ଶିକ୍ଷିତା ଜନନୀ ଯଦି ଏଭଳି ବିବ୍ରତ ହୋଇ ଘନଘନ ମୂର୍ଚ୍ଛାଯିବେ ତେବେ ଅବସ୍ଥା ସମ୍ଭାଳିବ କିଏ ? କନ୍ୟାର ପିତାତ କିଂକର୍ତ୍ତବ୍ୟବିମୂଢ଼ ! ଏତେ ବାଧିଛି ଯେ ପୂରା ମୂକ ହୋଇ ଯାଇଛନ୍ତି ! ଏଭଳି ସଙ୍କଟଜନକ ପରିସ୍ଥିତି ଭିତରେ ମଧ୍ୟସ୍ଥିଙ୍କ ଅବସ୍ଥା ବିଚାର କରନ୍ତୁ ! “ଦୂର–ବନ୍ଧୁ ସୁନ୍ଦର, ଦୂର ପର୍ବତ ସୁନ୍ଦର ।’ ଦୂର ବାଟକୁ ଯାଉଯାଉ କେତେ ଦିଅଁଦେବତାଙ୍କୁ ମାନସିକ କରିସାରିଲେଣି ମଧ୍ୟସ୍ଥି । ପ୍ରଭୁ ଆଉ କିଛି ଅନିଷ୍ଟ ନହେଉ ।

 

ଏକଦା ଅତି ପରିଚିତ ନୂଆ ବନ୍ଧୁ ଘରକୁ ଆସି ମଧ୍ୟସ୍ଥି ମଧ୍ୟ ନିଜକୁ ସମ୍ପୂର୍ଣ୍ଣ ଅପରିଚିତ ଭଳି ମଣନ୍ତି । କେତେ ଏଘରେ ରସଗୋଲା ଖାଇଛନ୍ତି, କିନ୍ତୁ ଏ କ’ଣ ? ବରପକ୍ଷଙ୍କ ମତିଗତି ବଡ଼ ବିଚିତ୍ର ଜଣାଯାଉଛି । ଦୟନୀୟ ଅବସ୍ଥା କନ୍ୟାପିତା ଓ ମଧ୍ୟସ୍ଥିଙ୍କର ! ନବବନ୍ଧୁ ଓରଫ୍ କନ୍ୟା ଆସି ଭୟଯୁକ୍ତା ବିନମ୍ର ପ୍ରଣାମ କରି ଚାଲିଯାଏ । ନୁଖୁରା ମୁହଁରେ ନୁଖୁରା ହସ । ଯଦିଓ ଧରାବନ୍ଧା ଉତ୍ତର “ହଁ ଭଲ ଅଛି ।–ସବୁ ଭଲ–ବେଶ୍ ଭଲ, ଘର ଖବର ଭଲତ ?’ ଛୋଟ ପ୍ରଶ୍ନ । ଏଯୁଗର ଶିକ୍ଷିତା ଝିଅ ସେ । ତୁଣ୍ଡ ଫିଟେଇ ଅତି ସହଜରେ ଆପଣାର ମାନ ଅପମାନ, କଷ୍ଟ ଓ ଯନ୍ତ୍ରଣା କଥା କାହା ଆଗରେ କହିପାରିବେ ନାହିଁ ଏମାନେ । କେହି ତାଙ୍କୁ ଦୟା କରୁ–ଏହା ସେମାନେ ସହ୍ୟ କରି ପାରିବେନାହିଁ । କାହା ମୁହଁରୁ ଆହାଃ–ଚୁଃ–ଚୁଃ ଟିକେ ଶୁଣିଲେ ଏମାନଙ୍କୁ ଅଧିକ ଅସ୍ୱସ୍ତି ଲାଗେ । ବିଷ ପଛେ ପିଇଦେବେ, ବିଷଜ୍ଵାଳାରେ ଜଳିଯିବେ, ମୁହଁ ଖୋଲିବେ ନାହିଁ, ଆତ୍ମସମ୍ମାନ ଜ୍ଞାନ ଅଧିକ ।

 

ଛାତି ତଳେ ଥାକଥାକ ବେଦନା ଧରି ଶାଣିତ ବାକ୍ୟବାଣକୁ ସହିସହି କ୍ଷତବିକ୍ଷତ ହୃଦୟର ରକ୍ତକ୍ଷରଣକୁ ଲୁଚାଇ କେମିତି ହସିବାକୁ ହୁଏ, ସେ ସାଧନ ମଧ୍ୟ ଏ ଶିକ୍ଷିତ ଝିଅଙ୍କର ଅଛି-। ସୌଜନ୍ୟ ଦୃଷ୍ଟିରୁ ସେମାନେ ହସିବେ–ନରମ ହସ, ଅଭିନୟ କରିବେ–ଯେମିତି ତାଙ୍କପାଇଁ ସବୁ ଭଲ । ବଡ଼ ଯନ୍ତ୍ରଣାଦାୟକ ଏ ଜୀବନ, ମର୍ମନ୍ତୁଦ ଅନୁଭୂତି । ଆପଣ ଯଦି ଝିଅ ହୋଇଥିବେ ଓ ଶାଶୁଘରେ ଏଭଳି ଅସମ୍ମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥ‌ିବେ ତେବେ ବୁଝିନେବେ ଏ ଯୁଗର ଝିଅଙ୍କର ଯନ୍ତ୍ରଣାର ପ୍ରକୋପ ! ଦୁଃଖ କହିଲେ ଯାଏଁ, କିନ୍ତୁ ଏମାନେ କହିପାରିବେ ନାହିଁ-। ଏଣେ ସହିବି ପାରିବେ ନାହିଁ । ଫଳରେ ନିଜ ଉପରେ ଅବିଚାର କରିବା ଭଳି ସାଂଘାତିକ କର୍ମ ମଧ୍ୟ ବେଳେବେଳେ କରିବାକୁ ଏମାନଙ୍କ ଭିତରେ ଭୟଙ୍କର ଆଲୋଡ଼ନ ସୃଷ୍ଟିହୁଏ । ଯେଉଁଠି ମୂର୍ଖତା ସେ ରାଜ୍ୟରେ ଶିକ୍ଷିତା, ବୁଦ୍ଧିମତୀ ହେବା ଚିର ଅଭିଶାପ । ଅଜାଗା ଘା’ ଦେଖିହୁଏ ନାହିଁ କି ଦେଖାଇ ହୁଏନାହିଁ । ତଥାପି ମୁହଁ ବେଳେବେଳେ ବିଶ୍ଵାସଘାତକତା କରେ । ନୂଆହୋଇ ଏଘରକୁ ଆସିଥିବା ଝିଅଟିର ରସଶୂନ୍ୟ, ସରୁ ହସ ଟୋପାକରୁ ନିଗିଡ଼ି ପଡ଼ୁଥିଲା ଯେଉଁ ଅବ୍ୟକ୍ତ ଯନ୍ତ୍ରଣା ତାକୁ ଅନୁଭବ କଲେ ବାପା ଓ ମଧ୍ୟସ୍ଥି ମଧ୍ୟ । ବାପାଙ୍କ ଯନ୍ତ୍ରଣା ଅନୁମେୟ, କିନ୍ତୁ ମଧ୍ୟସ୍ଥିକ ଯନ୍ତ୍ରଣା ! ସେ ବଡ଼ ବିଚିତ୍ର, ଆଶ୍ଚର୍ଯ୍ୟ କି ବିଚିତ୍ର ଯୁକ୍ତି ଝିଅର ଶାଶୁରୂପିଣୀ ଭଦ୍ରମହିଳାଙ୍କର-! ଏ କ’ଣ ବାକ୍ୟବାଣ ନା ଆକ୍ରମଣ ନା ରୀତିମତ ଅଭିଯୋଗ ?

 

ଝାଞ୍ଜ ବାଜିବା ଗଳାରେ ସେହି ଅତି ନମ୍ର ହୋଇ କହୁଥିବା ଭଦ୍ରମହିଳା ପୁଣି ଏଭଳି କଥା କହିପାରନ୍ତି–‘ଆଜ୍ଞା କ’ଣ କହିଥିଲୁ ଆମେ ଆପଣଙ୍କୁ ଟିକେ ମନେ ପକାଇଲେ ? କହି ନଥିଲୁ ସଂସାରରେ ଯାହା ଦିଅନ୍ତି ସେତକ ଦେବେ । କୋଉ ଫିଆଟ ଗାଡ଼ି ମାଗିଛୁ ନା ଫ୍ଲାଟ୍ ମାଗିଛୁ ନା ନଗଦ ଟଙ୍କା ନା ଟାଟା ସହରରେ ଘରପାଇଁ ଜମି ? କିଏ କେତେ ଯାଚୁଥିଲେ, ଆମେତ ଡିମାଣ୍ଡ୍‍ର ଘୋର ବିରୋଧୀ । ଆମେ ସବୁ ମନାକରିଛୁ । ଝିଅକୁ ଘରସାର ଜିନିଷ ଯେଉଁ ଯୁଗକୁ ଚାହିଁ ଯେମିତି । ଅନ୍ତତଃ ସେତିକିତ ଦେବେ ।

 

କାନ କୁଣ୍ଡେଇ ମଧ୍ୟସ୍ଥି କହିଲେ–‘ଏମାନେ ଏସବୁ ସହରୀ ଚଳଣି ଜାଣିନାହାନ୍ତି ।’

 

କାହିଁକି ସେ ଯୁଗରେ ତ ନଣନ୍ଦ ପେଡ଼ି ଦେଉଥିଲେ, ଏମାନେ ପେଡ଼ି ଦେଲେନି, ସୁଟ୍‌କେଶ୍‌ କାହିଁକି ଦେଇଥିଲେ ? ଓଭେନ୍‌, ପ୍ରେସର୍ କୁକର୍, ମିକ୍ସି, ଫ୍ରିଜ୍‌, ଗ୍ୟାସ୍‌ ଚୁଲି, କଲର ଟିଭି, ଭି.ସି.ଆର., ଷ୍ଟେରିଓ, ଟୁ ଇନ୍‌–ୱାନ୍ ଓ ଫ୍ୟାନ୍‌ ଯୁଗରେ ତାଳପତ୍ର ବିଞ୍ଚଣା, ଶିଳ, ପନିକି, କୋରଣା-? ଏସବୁ ଦେବାକୁ ଟିକେ ଲାଜ ଲାଗିଲା ନାହିଁ ? ଏମାନେ ପୁଣି ଉଚ୍ଚଶିକ୍ଷିତ ! ମୋ ପୁଅ କେବେ ଜୀବନରେ ଧୋତି ପିନ୍ଧେ ? ଜମା ଦୁଇଟା ସୁଟ୍‌ ଦେଇଛନ୍ତି ! ସଂସାରରେ କ'ଣ ଚାଲୁଛି ଏମାନେ ସମ୍ଭ୍ରାନ୍ତ ପରିବାର ହୋଇ କିଛି ଦେଖୁନାହାନ୍ତି ?

 

ମଧ୍ୟସ୍ଥି ଡରିଡ଼ରି କହନ୍ତି, ‘ନା ନା ସେମିତି ନୁହେଁ ଡନ୍‌ଲପ୍‌ ଗଦି, ଡ୍ରେସିଙ୍ଗ୍ ଟେବୁଲ୍‌, ଭଲଖଟ, ଡ୍ରଇଂରୁମ୍‌, ଡାଇନିଙ୍ଗ୍‌ ରୁମ୍‌ ସେଟ୍, ଗଡ଼ରେଜ୍‌ ଆଲମାରି ସବୁ ଦେଇଛନ୍ତି ।

 

ଓହୋ ଏଗୁଡ଼ାକ ଭଲା ଏଯୁଗରେ କିଏ ନଦେଉଛି ଶୁଣେ । ଇଲିଆଲି ଘରେ ତ ଦେଉଛନ୍ତି । କ’ଣ ଦରକାର ଥିଲା ଦେବା ? ଗଡ଼ରେଜ କମ୍ପାନୀକୁ ଅର୍ଡ଼ର ଦେଇଦେଇଥିଲେ ଆମେ ଆମ ପସନ୍ଦରେ ସବୁ ଏଇଠୁ କରି ନେଇଥାନ୍ତୁ । ଛାଡ଼ନ୍ତୁ, ଛାଡ଼ନ୍ତୁ, କ’ଣ କହିବେ କୁହନ୍ତୁ, କମ୍ବଳଯାକ ତ ବାଳ । ଆମକୁ ଆମ ବନ୍ଧୁବାନ୍ଧବ ଛିଃ ଛିଃ କହୁଛନ୍ତି । ଛୋଟକଥାଗୁଡ଼ାକ ତୁଣ୍ଡରେ ଧରିବାକୁ ମୋତେ ଘୃଣା ଲାଗୁଛି । ଖୁବ୍‌ ଭଲ ବନ୍ଧୁ କରାଇ ଦେଲେ । ଚମତ୍କାର । ଆଚ୍ଛା ଆପଣ ଆମ ଘରର ଚଳଣି ଦେଖି ସଂସାରରେ କାହିଁ ନମିଳିଲା ଭଳି ଏମିତି ବନ୍ଧୁ କରାଇଦେଲେ କେମିତି-? ସମ୍ମାନ କେମିତି କରିବାକୁ ହୁଏ ଆପଣତ ଅନ୍ତତଃ ଆମକୁ ଦେଖି ଜାଣିଛନ୍ତି ।”

 

ଶୁଣନ୍ତୁ କଥା–ଝିଅର ବାପ ହୋଇଥିଲେ କେମିତି ଲାଗନ୍ତା ? ଝିଅର ବାପ ନୀରବ, ଗମ୍ଭୀର ଭାବ, ଲେଶହୀନ ଦୃଷ୍ଟି, ସମ୍ମାନ କରି ସୋଫାରେ ବସାଇଲେଣି ବରପିତା ବେଶ୍‌ ବିଦ୍ରୂପ କରି ହସ ହସି ବରପିତା ଆରମ୍ଭ କରନ୍ତି–‘ଆପଣତ ଭଦ୍ରଲୋକ, ଆପଣଙ୍କୁ କିଛି କହିବାକୁ ଇଚ୍ଛା ହୁଏ ନାହିଁ । ମୋ ସ୍ତ୍ରୀ ଭୁଲ୍‌ ବୁଝିଛନ୍ତି, କ୍ଷମା କରିବେ । ଯିଏ ମଝିରେ ରହିଲେ ସେ ସବୁ ଲାଭତକ ହାତସଫେଇ କରିନେଲେ ବୋଲି ବୁଝିବାକୁ ହେବ । ଅପ୍ରିୟ ହେଲେ ମଧ୍ୟ ଏଭଳି କଥା କହିବାକୁ ବାଧ୍ୟ ହେଲି । ଆମ ବିଷୟରେ ଆପଣଙ୍କୁ ସେ କିଛି କହିନାହାନ୍ତି । ତା’ ନହେଲେ ଏଘରକୁ ଏଭଳି ଊନବିଂଶ ଶତାବ୍ଦୀରେ ବ୍ୟବହାର ହେଉଥ‌ିବା ଜିନିଷପତ୍ର ଆପଣ ଦେଇ ନଥାନ୍ତେ । ଏସବୁ ଆମର କୌଣସି କାମରେ ଲାଗିବ ନାହିଁ । ବରଂ କିଛି ମନେ ନକରନ୍ତି ଯଦି ଫେରାଇ ନେଇପାରନ୍ତି ।

 

ବେଶ୍‌ ଭଦ୍ର ସଂଯତ ପ୍ରସ୍ତାବ । କିନ୍ତୁ ମଧ୍ୟସ୍ଥିଙ୍କ ପ୍ରତି......ସେ ଯେଉଁ ଦୃଷ୍ଟି ସତେ ଯେମିତି ଗୋଟାପଣେ ଜାଳିଦେବେ । ବିଚରା ମଧ୍ୟସ୍ଥି । ହାୟ ହାୟ, କାହିଁ ଗଲା ମିକ୍ସିରେ ପ୍ରସ୍ତୁତ ଫେଣଯୁକ୍ତ ଥଣ୍ଡାଲସି, କାହିଁଗଲା ଗରମ କେକ୍‌, କୋଲଡ଼ କଫି, ଗରମାଗରମ ମାଂସ ଚପ୍‌, ଏ ଖାଲି ଗରମାଗରମ କଟୁବାକ୍ୟ ! ପୁଣି ଅପମାନ ଦେବାର ନୂତନ କାଇଦାଟି ମଧ୍ୟ ବେଶ୍‌ ଚମତ୍କାର, ଅଭିନବ ନାରୀ ନିର୍ଯାତନାର ନବୀକରଣର ଜ୍ଵଳନ୍ତ ନମୁନା ।

 

ନରମ ଗଳାରେ ଝିଅ ଶାଶୁ କହିଲେ ‘ଆପଣ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ । ଏଠା ବଜାରରେ ଏସବୁ ବିକ୍ରି ହୋଇଯିବ । ନିମ୍ନ ମଧ୍ୟବିତ୍ତ ପରିବାରର ଲୋକମାନେ ତାଙ୍କ ଝିଅ ବାହାଘର ପାଇଁ ଏଗୁଡ଼ାକ କିଣିନେବେ । ଆପଣଙ୍କ ଟଙ୍କା ଆପଣ ଫେରିପାଇବେ । ବିଶେଷ କିଛି କ୍ଷତି ହେବନି । ମଧ୍ୟସ୍ଥିଙ୍କ ସଙ୍ଗେ ଆପଣ ସେ ବିଷୟ ବୁଝାମଣା କରନ୍ତୁ । ଆମ ଘରକୁ ଯେତେବେଳେ ଆସିଛନ୍ତି ନା, ନା, ମନାକଲେ ଚଳିବନି । ନୂଆ ବନ୍ଧୁ ମୁହଁ ମିଠାତ କରିବେ । ନିଅନ୍ତୁ ରସଗୋଲା’ ।

 

ମଧ୍ୟସ୍ଥିଙ୍କ ପାଦତଳୁ ମାଟି ଖସିଖସି ପଡ଼ିଲାଣି, ଏ କ’ଣ ଶୁଣୁଛନ୍ତି ସିଏ । ଉଭୟ ପଟୁ ଦୋଷାରୋପ, ଏହି ଧନୀ ଭଦ୍ର ପରିବାରଟିକୁ ଥରେ ଦୁଇଥର ଆସି ଦୂରରୁ ଏମାନଙ୍କ ଡ୍ରଇଂରୁମ୍‌ର ସ୍ଵରୂପ ଦେଖି ଏମାନଙ୍କ ସ୍ୱରୂପ ଓ ଭିତରର ଆବର୍ଜନା ସମ୍ପର୍କରେ ଟିକିଏବି ଅନୁମାନ କରିପାରିଲେ ନାହିଁ ସିଏ । ଧିକ୍‌ ଧିକ୍‌ ତାଙ୍କୁ... । ସୁଶିକ୍ଷିତ, ଭଦ୍ର ପରିବାରର ଉଚ୍ଚଶିକ୍ଷିତା, ଲାବଣ୍ୟମୟୀ ଝିଅଟିଏ-। ଦେଖିଦେଲେ ମନ ଭରିଯାଉଛି । ବିତ୍ତଶାଳୀ ଏହି ଦମ୍ପତିଙ୍କର ଆଉକି ସମ୍ପତ୍ତିରେ ପ୍ରୟୋଜନ ଥିଲା ? ବିଚିତ୍ର ଲୋକ ଚରିତ୍ର । ବାହାର ଓ ଭିତରେ ଏତେ ତଫାତ୍‌ ଏଇ ମୁଖା ପିନ୍ଧା ଭଦ୍ରସମାଜର ! ହାୟ ପ୍ରଭୁ ଏଦେଶକୁ ରକ୍ଷାକର ।

 

ଏତିକିରେ ଯଦି ସରି ଯାଇଥାନ୍ତା ଏ ଅଧ୍ୟାୟ, ବୋଧହୁଏ ନିଃଶ୍ଵାସ ମାରିଥାନ୍ତେ ମଧ୍ୟସ୍ଥି । କିନ୍ତୁ ମଧ୍ୟସ୍ଥିକୁ ଯେ ବହୁପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ଋଣଗ୍ରସ୍ତ କନ୍ୟା ପିତାଙ୍କୁ । ବର କର୍ତ୍ତା ଓ କର୍ତ୍ତ୍ରୀଙ୍କୁ ବିଶେଷରେ ଅଯଥା ଅପମାନ ଜର୍ଜରିତ ବିଦୁଷୀ, ବୁଦ୍ଧିମତୀ, ସଦା ଆତ୍ମସଚେତନଶୀଳା, ନିରପରାଧିନୀ, ବ୍ୟକ୍ତିତ୍ଵସଂପନ୍ନା, ଲାବଣ୍ୟମୟୀ ନବବଧୂକୁ ? ଆଉ ନବବଧୂର ସ୍ଵାମୀ ? ସେ କ’ଣ ‘ବିୟୋଗାନ୍ତ ନାଟକର ନୀରବ ଦର୍ଶକ ନା ମୁଖା ପିନ୍ଧା ରାମ 'ବେଶଧାରୀ ରାବଣ ? ଦ୍ଵିଧା–ବିଭକ୍ତ ବ୍ୟକ୍ତିତ୍ଵ ନା ସିଧାସଳଖ ସଚ୍ଚୋଟ ମଣିଷଟିଏ ? ଚିହ୍ନିବାକୁ କେତେକାଳ ଲାଗିବ ? ମଧ୍ୟସ୍ଥିଙ୍କ ରକ୍ତଚାପ ଭୟଙ୍କର ବଢ଼ିଉଠେ । ଆଖିରୁ ନିଆଁହୁଳା ବାହାରେ । ସମସ୍ତ ଶକ୍ତିଦେଇ ଶାଳୀନତା ରକ୍ଷା କରିବାର ପ୍ରୟାସ କରନ୍ତି ସେ । ଅବସ୍ଥାକୁ ଆୟତ୍ତାଧୀନ କରିବାକୁ ହେବ । ଭଦ୍ରସମାଜର ପଦ୍ଧତି ଅନୁସରଣ ! ୟାପରେ ଯଦି ଖବରକାଗଜରେ ପୃଷ୍ଠା ମଣ୍ଡନ କରି ଏହି ବ୍ୟକ୍ତିତ୍ଵସଂପନ୍ନ ଝିଅଟିର ଫଟୋ ସହ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ପ୍ରକାଶ ପାଏ–ଅନ୍ତରାତ୍ମା ନିକଟରେ ତା’ର କି କୈଫିୟତ ଦେବେ ସେ ? ସେ ଯେ ମଧ୍ୟସ୍ଥି ! ଅତି ନିକଟରୁ ବହୁ ଗର୍ତ୍ତଯୁକ୍ତ ପର୍ବତର କୁତ୍ସିତ ରୂପ, ମୁଖା ଖୋଲା ବନ୍ଧୁଙ୍କ ସ୍ଵରୂପ ଦେଖିଲାପରେ କେମିତି ସେ କହିବେ ଦୂରପରବତ ସୁନ୍ଦର, ଦୂର ବନ୍ଧୁ ସୁନ୍ଦର ?

 

ମଧ୍ୟସ୍ଥି ତୁମର ଖାଲି ଅସ୍ୱସ୍ତି । ଦି’ପଟୁ ମିଳିବ ଖାଲି ଶାସ୍ତି, ନମିଳିବ କିଛି ପ୍ରଶସ୍ତି । ସୁନାମ ଆଶାରେ ବୁଲୁଥିଲ ସିନା ଜାଣିଥା ପ୍ରଶଂସା ନାସ୍ତି, ନାସ୍ତି, ନାସ୍ତି ।

 

ହେ ମଧ୍ୟସ୍ଥି ! ଯଦି ହୋଇଥାଏ ବସ୍ତି,

ତେବେ ହୋଇଯିବ ଧସ୍ତାଧସ୍ତି ।

ଗାଳି ବରଷିବ, ମାଡ଼ ବରଷିବ

ସୁଖ ନାହିଁ ଖାଲି ମିଳିବ ନିନ୍ଦା ଶାସ୍ତି ।

ଲୋଭ କରୁଥିଲ ଲାଭ ପାଇଯିବ

ଜାଣିଥା, ଲାଭ ନାସ୍ତି, ନାସ୍ତି, ନାସ୍ତି ।

 

ଏ ଖାଲି ‘ବଡ଼ଘର ବଡ଼ ଗୁମର କଥା’ ନୁହେଁ, ସମାଜର ସବୁ ସ୍ତରରେ ଊଣା ଅଧିକେ ଏ ମୁଖା ପିନ୍ଧା ଲୀଳାଖେଳା ଚାଲିଛି । କେତେ ପ୍ରତିଭା ଅକାଳରେ ମଉଳି ଯାଉଛନ୍ତି; ତା'ର ହିସାବ ରଖୁଛି କିଏ ?

✽✽✽

 

ଅବୁଝା ରାଜା

 

ଖାଲି ପାଠପଢ଼ିଲେ ଯେ ଶିକ୍ଷିତ ହୁଅନ୍ତି, ତା’ ନୁହେଁ । ଆମ ଗାଁର ନିରକ୍ଷରା ମା’ମାଉସୀ, ଆଈମାନେ ଅତି ଶିକ୍ଷିତା ଥିଲେ ବୋଲି ମୁଁ ଯଦି କହେ ଆପଣମାନେ ପରତେ ଯିବେଟି ? ହେଲେ ଜାଣିଥାନ୍ତୁ ଆଜ୍ଞା, ସେମାନେ ଇଂରାଜୀ ପାଠ ଜାଣନ୍ତି ନାହିଁ, ମୋଜା ଜୋତା ପିନ୍ଧି ହାତରେ ଭ୍ୟାନିଟିବ୍ୟାଗ୍ ଧରି ‘ହାଏ’ କହି ଶିଖିନାହାନ୍ତି, କେଉଁ କଲେଜର ଡିଗ୍ରୀ କାଗଜ ତାଙ୍କ ହାତବାକ୍ସ ଭରୁନାହିଁ । ସେମାନେ ‘କେଶବ କୋଇଲି’ ବୋଲନ୍ତି, ଭାଗବତ ପଢ଼ିଛନ୍ତି । ରାତି ପାହିଲାବେଳୁ ରାତି ହେବା ପର୍ଯ୍ୟନ୍ତ ଚରଖି ପରି ଘର କାମରେ ଖଟୁ ଥାଆନ୍ତି । ବନ୍ଧୁବାନ୍ଧବ, ଆଶ୍ରିତ, ଦୁଃଖୀ ଦରିଦ୍ର ଏମିତି ଘର ଗୋଟାକର ଗଲାଅଇଲା, କୁଣିଆ ମଇତ୍ର, ବୁଢ଼ା ବୁଢ଼ୀ, ପିଲା–କବିଲା, ସବୁରି କଥା ବୁଝୁଥାନ୍ତି, ଅଥଚ ସ୍କୁଲ୍ ଦୁଆର ମାଡ଼ିନାହାନ୍ତି, ହେଲେ ସେମାନେ ଜୀବନ–ପାଠ ପଢ଼ିଛନ୍ତି । ସେଇ ବୁଢ଼ୀ ମା’ମାଉସୀଙ୍କ ତୁଣ୍ଡରୁ ଶୁଣାକଥା ପଦିକ ମନେ ପକାଇଲାବେଳେ ଭାବୁଛି କେଡ଼େ ଆଗକୁ ସେମାନେ ଦେଖିପାରୁଥିଲେ, ସେମାନଙ୍କ ବିଚାର କେତେ ନିର୍ମଳ ଥିଲା । ମଣିଷପଣିଆ ଚିହ୍ନିଥିଲେ । କେତେ ସତକଥା, ଯାହା କାଳକାଳକୁ ସତ, ସେମାନେ ଢଗଢ଼ମାଳି ଛଳରେ ସେ ସବୁ କହି ମଣିଷକୁ ବାଟ ଚିହ୍ନାଇ ଦେଉଥିଲେ ।

 

ଏବେ କଥାଟି କହେ । ଏବ କାଳର ଶାସକମାନଙ୍କୁ ସୁହାଇଲା ପରି କଥାଟି ହେବଟି ? ରାଜା ଅବୁଝା ହେଲେ ଗତି କୁଆଡ଼େ ? ଯିଏ ଶାସକ–ସିଏ ସମସ୍ତଙ୍କୁ ବାଟ ଦେଖାଇ ଆକଟ କରି ଚଳାଇବା କଥା । ସିଏ ଯଦି ଅବୁଝା ହେଲେ କାହାକୁ କହିବ ? କପାଳରେ କର ଥୋଇବ ।’ ରାଜା ରାଇଜ କଥା, ରାଜା ଗୋଜା, ଯାହା ବୁଝିଥିବେ ସେଇଆ ବୋଲି କଥା ଅଛି, ସେ ମଣିଷ ଚରାନ୍ତି, ତାଙ୍କୁ ତିଆରି କରି କହିବ କିଏ ?

 

“ସରଗକୁ ନିଶୁଣି ନାହିଁ, ରାଜାକୁ ଉତ୍ତର ନାହିଁ” ।

 

ଦିନକର କଥା । ଗୋଟିଏ ଚୋର ଦଳ ଧରା ହୋଇ ରାଜାଙ୍କ ଦରବାରକୁ ଆସିଲେ । କେଡ଼େ କଥା ହେଲା । ଏତେ ଜଗୁଆଳି ଦିନରାତି ପହରା ଦେଉଛନ୍ତି, ତାଙ୍କ ରାଜ୍ୟରେ ପୁଣି ଚୋର ପଶି ଚୋରୀ କରୁଛି ! ତାଙ୍କ ରାଜ୍ୟରେ ନାହିଁନଥିବା, ଅଲୌକିକ ଘଟଣା ଏଇ ପହିଲି ଥର ଘଟିଲା-। ଅଧ ରାତିରେ ସିନ୍ଧି କାଟି ଚୋରମାନେ କେଉଁ ଥିଲାବାଲା ଘରେ ପଶିଥିଲେ କେଜାଣି, ଦଇବ ଯୋଗକୁ ସିନ୍ଧି ଖୋଳୁ ନ ଖୋଳୁଣୁ କାନ୍ଥଟା ଦୁଲ୍‌କିନା ଚୋରମାନଙ୍କ ଉପରେ ପଡ଼ିଲା-। ଭାଗ୍ୟକୁ ବଡ଼ବଡ଼ିଆ ପୋଖତ ଚୋରଯାକ ବର୍ତ୍ତିଗଲେ । ହେଲେ ନୂଆ ଚୋରଟିଏ ଖସିବା ଜାଣିନାହିଁ-। କାନ୍ଥତଳେ ଚାପି ହୋଇ ପ୍ରାଣ ହରାଇଲା । କାନ୍ଥ ଏତେ ଜୋରରେ ପଡ଼ିଲା ଯେ ତାହା ଚାରିଦିଗକୁ ଶୁଭିଲା କି କ'ଣ, ଆଖପାଖ ଲୋକଙ୍କ ନିଦ ଭାଙ୍ଗିଗଲା ।

 

କାନ୍ଥ ପଡ଼ିବା ଶବ୍ଦରେ ସାଇର ଲୋକମାନେ ଅଧରାତିରେ କ’ଣ ହେଲାକି, ବୋଲି ଧାଇଁଆସି ଶେଷକୁ ଠିକଣା ଜାଗାରେ ଜମା ହୋଇଗଲେ । ଫଳରେ ଚୋରଦଳ ଚଉକିଆ ହାବୁଡ଼ରେ ପଡ଼ିଗଲେ, ଆଉ ଖସିଯାଇ ପାରିଲେ ନାହିଁ । ଚଉକିଆ ଆପଣାର ବଡ଼ପଣିଆ ଦେଖାଇବା ପାଇଁ ସିଧା ଚୋରମାନଙ୍କୁ ଧରି ନେଇ ଆସିଲା ରାଜଦରବାରକୁ । ସେମାନଙ୍କର ବିଚାର ହେବ, ଠିକ୍ ଦଣ୍ଡ ମିଳିବ । ଯୋଡ଼ହସ୍ତରେ ଠିଆ ହୋଇଛନ୍ତି ଚଲାକ ଚତୁର, ବଡ଼ବଡ଼ ଚୋରମାନେ । ଏ ବିଦ୍ୟାରେ ସେମାନେ ପାରଙ୍ଗମ, ହେଲେ କାନ୍ଥଟା ପଡ଼ିଗଲା ବୋଲି ସେମାନେ ଏମିତି ଧରାପଡ଼ି ଅସୁବିଧା ଭୋଗିଲେ, ହଉ, ଦେଖାଯାଉ–‘କ୍ଷେତ୍ରେ କର୍ମ ବିଧିୟତେ’ ।

 

ସବୁ ଶୁଣି ରାଜା ଟିକିଏ ରହିଗଲେ । କହିଲେ–‘ମୋ ରାଜ୍ୟରେ ପୁଣି ଚୋରୀ !’ ହୁକୁମ ଦେଲେ–‘କଟୁଆଳ ! ଦଳର ନେତାଙ୍କୁ ନେଇ ଶୂଳିରେ ବସାଅ’ ହଁ, ତାକୁ ମୃତ୍ୟୁଦଣ୍ଡ ଦିଆଯିବ । ତେବେ ଯାଇ ଲୋକଙ୍କର ଚେତା ପଶିବ, ଆଉ ଯେମିତି କେହି ଏଭଳି ହୀନ କାର୍ଯ୍ୟ ମୋ ରାଜ୍ୟରେ ନକରନ୍ତି । ଆରେ, ମୋ ରାଜ୍ୟରେ ପୁଣି ଏଭଳି ଦୁଃସାହସ କାମ ! ଲୋକଙ୍କ ଧନ ଚୋରୀ କରିବ, ରାତିଅଧରେ ପୁଣି ଗୃହସ୍ଥ ଘରେ ପଶିବ ? ମୃତ୍ୟୁଦଣ୍ଡହିଁ ଦିଆଯିବ, ହଁ, ହଁ, ଏହାହିଁ ଉପଯୁକ୍ତ ଶାସ୍ତି । ସ୍ଵୟଂ ରାଜାଙ୍କ ଆଦେଶ କିଏ ଅନ୍ୟଥା କରିବ, ଏଡ଼ିବାକୁ ପୁଣି ଚାରା କାହାର ?

 

ଚୋର ଦଳର ଦଳପତି ହାତ ଯୋଡ଼ି କହିଲେ–‘ମଣିମା ! ଆପଣ ଧର୍ମାବତାର ମହାଧାର୍ମିକ, ପରମଜ୍ଞାନୀ, ବିଚାରବନ୍ତ, ମୁଣ୍ଡ ରଖିଲେ ତୁଣ୍ଡ କହିବ, ଆପଣ ମତେ ଅଭୟ ପ୍ରଦାନ କଲେ, ଦୟା କରି ଆଜ୍ଞା ଦେଲେ ଛାମୁରେ ପଦୁଟିଏ କଥା ବାଢ଼ିବି ।’

 

ରାଜା କହିଲେ–‘ହଉ, ହଉ, ଅଭୟ ଦେଲି, ଶୁଣାଅ ତମ କଥା । ତମେ ତ ସଂସାରରୁ ବିଦାୟ ନେବ, ଯାହା ଦରକାର ଅଛି ମନଖୋଲି ନିର୍ଭୟ ହୋଇ ପ୍ରକାଶ କର, ଆମ୍ଭେ ମନ ଦେଇ ଶୁଣିବା, କଥା ଦେଲୁ ।’

 

ବଡ଼ ଚୋର କହିଲା–‘ଆଜ୍ଞା ! ଆମ ନାଁ ଚୋର, ତେଣୁ ନାମ ଅନୁସାରେ ‘ଚୋରୀ’ କରିବାହିଁ ଆମ ଧର୍ମ, ଲୁଚାଛପା ନୁହେଁ, ଚୋରୀ କରିବା ଆମ ବୃତ୍ତି, ଆମେ ଆମ ବୃଦ୍ଧି କରୁଥିଲୁ । ବୃତ୍ତି ପାଳନ ନ କଲେ ଦଣ୍ଡ, ହେଲେ ଯେ ନିଜ ବୃତ୍ତି କରେ ନିଷ୍ଠାରେ, ତା’ର ଦୋଷ ରହିଲା କେଉଁଠି ? କିନ୍ତୁ କାନ୍ଥ ପଡ଼ି ଯେଉଁ ଗୋଟିଏ ନିର୍ଦ୍ଦୋଷ, କର୍ତ୍ତବ୍ୟରତ ଚୋରଟି ଅକାଳରେ ଏଭଳି ଦୁର୍ଲଭ ପ୍ରାଣ ହରାଇଲା କୁହନ୍ତୁ ଏଥିପାଇଁ ଦାୟୀ କିଏ ? ଯାହା ଘରର କାନ୍ଥ ପଡ଼ି ଆମର କର୍ତ୍ତବ୍ୟନିଷ୍ଠ, ବୃତ୍ତି ପ୍ରତି ସମ୍ମାନ ଥିବା ବନ୍ଧୁଜଣକ ଅଧା ବୟସରେ ପରିବାରବର୍ଗକୁ ଦାଣ୍ଡରେ ବସେଇ ସଂସାରରୁ ବିଦାୟ ନେଲେ ସେ ବ୍ୟକ୍ତି ସିନା ଶୂଳି ପାଇବା କଥା । ଧର୍ମାବତାର ବିଚାର କରନ୍ତୁ ।’

 

ରାଜା ଚିନ୍ତାରେ ପଡ଼ିଲେ । ଆଚ୍ଛା ଏମନ୍ତ ! ସତେ ତ ଚୋରମାନେ କ’ଣ ପୂଜାପାଠ କରନ୍ତେ ? ସେମାନେ ତ ତାଙ୍କ ଧନ୍ଦା କରୁଥିଲେ, କାନ୍ଥ ପଡ଼ିଲା କାହିଁକି ? ଏ ଦୋଷ ପ୍ରକୃତରେ କାନ୍ଥର, କିନ୍ତୁ କାନ୍ଥଟି କାହାର । ହଁ, ତାହା ତ ଘର ମାଲିକର, ଯେମିତି କଥା ସେମିତି କାମ, ରାଜାଙ୍କ ଆଦେଶରେ ସଙ୍ଗେ ସଙ୍ଗେ ସେହି ଘର ମାଲିକ ଜଣକ ରାଜଦ୍ଵାରକୁ ଧରା ହୋଇ ଆସିଲେ-। ତାଙ୍କୁ ଶୂଳି ଦଣ୍ଡ ଦିଆଯିବ, ଅବଶ୍ୟ ଦିଆଯିବ ।

 

ବାସ୍ତବରେ ତାଙ୍କରି ଅପରାଧ ଯୋଗୁଁ ଅକାଳରେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଜଣକ ପ୍ରାଣ ହରାଇଲା । ସେ ହିଁ (ଘରମାଲିକ) ଯଥାର୍ଥରେ ଅପରାଧୀ ।

 

ଏଣେ ଘର ମାଲିକ ହାତଯୋଡ଼ି କହିଲା–‘ଆଜ୍ଞା ! ଯାହା ଟଙ୍କା ଖର୍ଚ୍ଚ ହେବା କଥା ମୁଁ ସବୁ ଦେଇଛି, ଭଲ କରି କାନ୍ଥ ତିଆରି କର ବୋଲି ବାରମ୍ବାର କାମ କରୁଥିବା ମିସ୍ତ୍ରିମାନଙ୍କୁ ଡାକି କହିଛି, ଆଗୁଆ ମଜୁରି ଦେଇ ମଧ୍ୟ ସେମାନଙ୍କୁ ଚେତାଇଛି, ମୋର କି ଦୋଷ ? କାନ୍ଥ ଯିଏ କରିଛି ତା’ର ଦୋଷ, ମୁଁ କାନ୍ଥ ତିଆରି କରିନାହିଁ ଆଜ୍ଞା । ତିଆରି କଲାବାଲା ବୃତ୍ତି ପ୍ରତି ବିଶ୍ୱସ୍ତ ହୋଇନାହିଁ-। ଦୋଷ ତା’ର ।’

 

କାରିଗର ଧରା ହୋଇ ଆସିଲା–‘ତୁ କାନ୍ଥ ଏମିତି ତିଆରି କରୁ ଯେ ଏତେ ବଡ଼ କାନ୍ଥ ଟଳି ପଡ଼ିଲା ଓ ଲୋକ ମଲା, ତୁ ନିଶ୍ଚୟ ଶୂଳିରେ ଚଢ଼ିବୁ ।’

 

କାରିଗର ହାତଯୋଡ଼ି କହିଲା–‘ଆଜ୍ଞା, ମାନୁଛି ମୁଁ କାନ୍ଥ ବଙ୍କା କରିଛି । ହେଲେ ହଜୁର ଧର୍ମାବତାର ! ଦିନରାତି ନଖାଇ ନପିଇ ପିଲାକୁଟୁମ୍ବ ଛାଡ଼ି କାନ୍ଥ ତିଆରି କରିଛି । କୁଆଡ଼କୁ ଚାହିଁନାହିଁ । ଏକଲୟରେ ଲାଗିଛି, ଯେତେହେଲେ ଆଜ୍ଞା, ମୁଁ ମରଦପିଲା । ମୋରି ଆଖିଆଗରେ ନଗର ନଟୀମାନେ କେତେଭଳି ବେଶହୋଇ ଝୁଣୁଝୁଣୁ ପାଦର ନୂପୁର ବଜେଇ ସେଇବାଟେ ଯାଉଥିଲେ । ଆପଣ ଆଜ୍ଞା ମା’ବାପ । କହିଲେ, ସେମାନଙ୍କୁ ଚାହିଁଦେବା କ'ଣ ମୋ ଦୋଷ ? ନୂପୁର ଶବ୍ଦରେ ମୋ’ମନ ଚହଲିଗଲା, ଆଖି ବୁଲିଗଲା, ହାତ ଥରିଗଲା, କାନ୍ଥ ବଙ୍କା ହୋଇଗଲା । ବୁଝନ୍ତୁ ମଣିମା ପୁରୁଷପୁଅ ମୁଁ । ଦୋଷ କ’ଣ ମୋର, ଦୋଷ ନୂପୁର ପିନ୍ଧିଥିବା ନଟୀମାନଙ୍କର ।

 

ରାଜାକହିଲେ, ‘ସତକଥା, ଏତ ପୁରୁଷର ଧର୍ମ । ମରଦପୁଅ । ଆଖି ପଡ଼ିବା ସ୍ଵାଭାବିକ-। ଧରିଆଣ ସେ ନଟୀମାନଙ୍କୁ ସେମାନେ ଶୂଳିରେ ବସିବେ । କାହିଁକି ସେବାଟେ ଯାଉଥିଲେ-? ଗଲେ ତ ଗଲେ, ରୁଣୁଝୁଣୁ ନୂପୁର ପିନ୍ଧିଥିଲେ କାହିଁକି ? ନୂପୁର ଶବ୍ଦ ହେଲାରୁ ସିନା କାରିଗରର ଲୟ ଭାଜିଗଲା । ତା'ର କି ଦୋଷ ? ନର୍ତ୍ତକୀ ଦୋଷୀ ।’

 

ସୁଲଳିତ କଣ୍ଠରେ ହାତଯୋଡ଼ି କହିଲେ ଶ୍ରେଷ୍ଠ ନର୍ତ୍ତକୀ–‘ମଣିମା, ଆମେ ଲଳନା । ଅଳଙ୍କାର ପିନ୍ଧିବା ଆମର ଧର୍ମ । କିନ୍ତୁ ପାଉଁଜିରେ କାରିଗର ଏତେ ବଡ଼ବଡ଼ ଘୁଙ୍ଗୁର ଲଗାଇଦେଲା ଯେ ରୁଣୁଝୁଣୁ ଶବ୍ଦରେ ଚଉଦିଗ କମ୍ପିଲା, ଦୋଷ ସେ

 

କାରିଗରର, ଯିଏ ନୂପୁର ଗଢ଼ିଛି । ଏତେ ଘୁଙ୍ଗୁର ଲଗାଇବାରୁ ସିନା ଶବ୍ଦ ହେଲା । ଶବ୍ଦ ନ ହୋଇଥିଲେ ଭଲା କାରିଗର କିଆଁ ଜାଣିଥାନ୍ତା ଆମେ ସେ ବାଟେ ଯାଉଛୁ ବୋଲି ?’ ରାଜା କହିଲେ–‘ଠିକ୍‌, ଠିକ୍‌, ଠିକ୍‌, ସେମାନେ ରମଣୀ । ଅଳଙ୍କାରରେ ତାଙ୍କର ପ୍ରୀତି । ନୂପୁର ପିନ୍ଧିବା ଦୋଷ ନୁହେଁ । ତାଙ୍କ ଧର୍ମ ସିଏ ପାଳିଲେ ! ହେଲେ ସେ ବଦମାସ ବଣିଆ ଏତେ ଘୁଙ୍ଗୁର ଦେଉଥିଲା କାହିଁକି ? ରୁଣୁଝୁଣୁ ଶବ୍ଦ ହେବାରୁ ସିନା କାନ୍ଥ ପଡ଼ିଲା । ଧରିଆଣ ସେ ବଣିଆକୁ । ସେହିଁ ଶୂଳିରେ ଚଢ଼ିବ ।’

 

ବଣିଆର ଚାରିଖଣ୍ଡ ହାଡ଼, ଚମ ଧୁଡ଼ୁଧୁଡ଼ୁ, ଅଣ୍ଟା ନଇଁଗଲାଣି, ହେଲେ ଖାସା କାରିଗର-। ବିଚରା ରାଜାଦେଶ ପାଇ ଡରରେ ଗୋଟାପଣେ ଥରିଲାଣି । ତା’ତୁଣ୍ଡକୁ ଆଉ କାହା ମୁଣ୍ଡରେ ଦୋଷ ପକାଇଲା ଭଳି ଭାଷା ପଇଟୁନାହିଁ । ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର ।’ ଶେଷରେ ଦୋଷହେଲା କଳାକାରର, ଶିଳ୍ପୀର ? ‘ହେ ଠାକୁର ! ତମେ ଭରସା । ତମେ ରଖିଲେ ରଖିବ-। ମାରିଲେ ମାରିବ ।’

 

ରାଜା କହିଲେ, ‘ନୂପୁର କିଏ ଗଢ଼ିଲା ? ଘୁଙ୍ଗୁର କାହିଁକି ଲଗାଇଲ ? ତମେ ମଣିଷ ମାରିଛ । ତମର ସବୁଦୋଷ । ତୁମକୁ ଶୂଳି ଦିଆଯିବ । ରାଜାଜ୍ଞା, ବୁଝିଲ ।’

 

ବଣିଆ କହିଲା–‘ହଜୁର, ଯେ ଆଜ୍ଞା’ । ଆଖିରୁ ତା’ର ଜୁଳୁଜୁଳିଆ ପୋକ ବାହାରିଲାଣି-। ହେ ଦିଅଁ ! ତୁମେ ବୁଦ୍ଧି ଦିଅ ।’

 

ରାଜା ପୁଣି ପଚାରିଲେ କ’ଣ ଚାହୁଁଛ କିଛି କହିବ ? କୁହ !

 

ଡରଡ଼ର ଥରଥର ହାତଯୋଡ଼ି ଅଳଙ୍କାର ଗଢ଼ିଥିବା କାରିଗରଟି କହିଲା–‘ମଣିମା ! ଆପଣଙ୍କର ଶୂଳି ସାଧାରଣ ଇଲିଆଲି ଲୋକର ଶୂଳିନୁହେଁ । ରାଇଜ ରାଜାଙ୍କ ଶୂଳିରେ ବସିବାକୁ ମୋ’ଭଳି ଛାର ନୁଡ଼ୁବୁଡ଼ିଆ ଲୋକଟିଏ ଭାଜନ କି ? ଫୁଙ୍କିଦେଲେ ଟଳି ପଡ଼ିବି । ଶୂଳିକାଠରେ ଲାଗିଯିବ ହାଡ଼ ଚମ ଦିଖଣ୍ଡ । କ'ଣ ଶୋଭା ଦିଶିବ ? ମାଛିକି ମାଇଲେ ହାତ ଗନ୍ଧାଏ । ରାଜା ମାରିବେତ ବାଘ ଶିକାର କରିବେ । ମଣିମାଙ୍କ ଶୂଳିରେ ମୋଟା ମୋଟା ଦିବ୍ୟ ଶରୀର ବ୍ୟକ୍ତି ବସିଲେ ସିନା ଶୋଭାପାଇବ, ଶୂଳିକାଠ ସାର୍ଥକ ହେବ । ମୋ’ଭଳି ଗରିବ, ମଳିଚିଆ, ଢେମଣା, କୁଜା ଲୋକଟିଏ ଶୂଳିରେ ବସିଲେ ଛାମୁଙ୍କ ଶୂଳିର ଅମର୍ଯ୍ୟାଦା ହେବ । ଛାର ପ୍ରାଣୀଟିଏ ହୋଇ ଏଡ଼େବଡ଼ ଆସନ ଚଢ଼ିବାକୁ ମୋର ଦମ୍ଭ ପାଉନାହିଁ । ଏଥକୁ ଧର୍ମାବତାର ବିଚାର କରନ୍ତୁ ।’

 

ରାଜା କାରିଗରର ଗୋଡ଼ରୁ ମୁଣ୍ଡଯାଏ ଚାହିଁଗଲେ । ସତ କଥାତ । ଏଡ଼େବଡ଼ ରାଜାଙ୍କ ଶୂଳିରେ ବସିବ ଏଇ ଛାର ମଣିଷଟାଏ ? କାହିଁ, ତାଙ୍କ ରାଜ୍ୟରେ କ’ଣ ହୃଷ୍ଟପୁଷ୍ଟ, ସୁସ୍ଥ, ସବଳ ମଣିଷ ଅଭାବ ଅଛନ୍ତି, ଯିଏ ବସିଲେ ଶୂଳି ପୂରିଯିବ, ଶୂଳିସୁନ୍ଦର ଦିଶିବ ?

 

ଯଥା ଚିନ୍ତା ତଥା କର୍ମ । ସଙ୍ଗେ ସଙ୍ଗେ ଆଦେଶ ହେଲା–‘ମନ୍ତ୍ରୀମହୋଦୟ ଶୀଘ୍ର ନିର୍ଦ୍ଦେଶ ଦିଅନ୍ତୁ କାଲି ସକାଳୁ ସୁସ୍ଥ, ମାଂସଳ ବପୁ ଥ‌ିବା ଦିବ୍ୟପୁରୁଷ ଖୋଜି ଆଣି ଏଠାରେ ହାଜର କରାଇବ ଶୂଳିରେ ଚଢ଼ିବା ନିମନ୍ତେ । ନିରପରାଧ ଚୋର କାନ୍ଥପଡ଼ି ମଲା । ନିଶ୍ଚୟ କେହିନା କେହି ଶୂଳିରେ ଚଢ଼ିବେ ।’

 

ଖୋଜି ଖୋଜି ବିପୁଳ ଶରୀର, ଥନ୍ତଲ ପେଟ, ଲଣ୍ଡା ମୁଣ୍ଡ, ସୁଦୀର୍ଘ ଚୁଟି, ଗୌରକାନ୍ତି ମହନ୍ତ ମହାରାଜକୁ ଧରିଆଣି ପହଞ୍ଚିଗଲେ କଟୁଆଳ । ସାଥିରେ ଅଛନ୍ତି ଅନୁରୂପ ବପୁବନ୍ତ ଯୁବକ ଚେଲା । ଗେରୁଆ ବସନ, ହସହସ ମୁହଁ କାନ୍ଦୁରା ପାଲଟି ଯାଇଛି ଶୂଳି ଡରରେ । ଗୁରୁ ଚେଲା ଦୁହେଁ ଦୁହିଁଙ୍କୁ ଧରାଧରି ହୋଇ ଠିଆ । ମନେମନେ ଇଷ୍ଟ–ମନ୍ତ୍ର ଜପୁଛନ୍ତି, ହରିହେ, ବିପଦରୁ ଉଦ୍ଧାର କର !

 

ଦରବାରରୁ ସମସ୍ତ କଥା ଶୁଣିଲେ ମହନ୍ତ ମହାରାଜ ଓ ଚେଲା । କାହିଁକି ମହନ୍ତ ଶୂଳିପାଇବେ ସେହିଦିନ, ତାହା ମଧ୍ୟ ବୁଝାଇଦେଲେ ମହାମନ୍ତ୍ରୀ । ମହନ୍ତ ଚେଲାଙ୍କୁ ଚାହିଁଲେ, ଚେଲା ମହନ୍ତଙ୍କୁ ଚାହିଁଲେ । ଦୁହେଁ ଫୁସ୍‌ଫୁସ୍‌ ହୋଇ କ'ଣ କଥାବାର୍ତ୍ତା ହେଲେ । ଚେଲା ହାତଯୋଡ଼ି କହିଲେ ‘ପ୍ରଭୁ ! ମୁଁ ଥାଉଁଥାଉଁ ଆପଣ ଶୂଳିରେ ଚଢ଼ିବେ । ମୋତେ ଆଜ୍ଞା ଦିଅନ୍ତୁ, ମୁଁ ଶୂଳିରେ ଚଢ଼ିବି ।’ ମହନ୍ତ ଭାବବିହ୍ଵଳ ହୋଇ କହିଲେ–‘‘ବତ୍ସ ଏଭଳି ଅନୁରୋଧ କରନାହିଁ । ମୁଁ ତୁମକୁ ଗୁରୁଦକ୍ଷିଣା ମାଗୁଛି, ମୋତେ ଶୂଳିରେ ଚଢ଼ିବାକୁ ସ୍ଵଇଚ୍ଛାରେ ଅନୁମତି ଦିଅ । ଏ ସୁଯୋଗ ମୋର ପ୍ରାପ୍ୟ, ତୁମକୁ ମୁଁ ଦେଇପାରିବି ନାହିଁ ବତ୍ସ ।”

 

ଚେଲା କହିଲା–‘ନାହିଁ ଗୁରୁଦେବ, ମୁଁ ଶୂଳିରେ ଚଢ଼ିବି । ମୁଁ ସାନ, ଆପଣ ବଡ଼ । ମୋ କଥା ରଖନ୍ତୁ । ମତେ ସୁଯୋଗ ଦିଅନ୍ତୁ ।’ ମହନ୍ତ ରାଗିଯାଇ ଚେଲାକୁ ଠେଲିଦେଲେ । କହିଲେ, ଭାକ୍‌ ଭାକ୍‌, ଭାରି ସିଆଣିଆ । ରାଜା ମତେ ଡାକିଛନ୍ତି, ତତେ ନୁହେଁ, ମୁଁ ହିଁ ଶୂଳିରେ ଚଢ଼ିବାକୁ ଯୋଗ୍ୟ । ଚେଲା ନେହୁରା ହୋଇ କହିଲା–‘ଗୁରୁଦେବ ! ଆପଣଙ୍କ ଗୋଡ଼ତଳେ ପଡ଼ୁଛି, ନେହୁରା ହେଉଛି, ମତେ ଶୂଳିରେ ଚଢ଼ିବାକୁ ଅନୁମତି ଦିଅନ୍ତୁ । ନହେଲେ ହାତାହାତି ହୋଇଯିବ ।’

 

ସଭାସଦ୍‌ଗଣ କାବାହୋଇ ଚାହିଁଛନ୍ତି, ପଲକ ପଡ଼ୁନାହିଁ । ରାଜାଙ୍କ ମନରେ ଘୋର ସନ୍ଦେହ ହେଲାଣି । ନିଶ୍ଚୟ ଏହା ଭିତରେ କିଛି ରହସ୍ୟ ଅଛି । ଶୂଳିରେ ଚଢ଼ିବାକୁ ପୁଣି ବାଡ଼ିଆପିଟା ? ଜୀବନ ଦେବାକୁ ପୁଣି ଏତେ କଳିତକରାଳ ? ଏହାର ରହସ୍ୟ କ'ଣ । ରାଜାଙ୍କର ସବୁଥିରେ ସନ୍ଦେହ ।

 

ରହସ୍ୟ ଜାଣିବାପାଇଁ ଆଗ୍ରହର ସୀମା ନାହିଁ । ରାଜା ଆଦେଶ ଦେଲେ ଦୁଆରକିଳା ବୈଠକ ବସିବ ରାଜା ଓ ମହନ୍ତ, ପୁଣି ରାଜା ଓ ଚେଲାଙ୍କ ମଧ୍ୟରେ, ତା’ପରେ ସିଦ୍ଧାନ୍ତ କିଏ ବସିବ ଶୂଳିରେ । ଉଭୟଙ୍କ ଯୁକ୍ତି ନିରୋଳାରେ ଶୁଣିବେ ଖୋଦ୍‌ ରାଜା ! ଆଉ ମନ୍ତ୍ରୀ ନୁହନ୍ତି, ମନ୍ତ୍ରୀଙ୍କ ମନ୍ତ୍ରଣା କାଟୁ କଲାନାହିଁ । ନିଷ୍ପତ୍ତି ନେବେ ଖୋଦ୍‌ ରାଜା ବୋଲି ଘୋଷଣା ହେଲା । ବନ୍ଦ କୋଠରୀରେ ରାଜା ପଚାରିଲେ–‘ସତକଥା କହନ୍ତୁ ମହନ୍ତ ମହାରାଜ । ହୃଦୟ ଖୋଲି କହନ୍ତୁ, ମରିବାକୁ ତ କେହି ଭଲ ପାଏନାହିଁ । ଆପଣ ଶୂଳିରେ ବସିବାକୁ ଏତେ ଉଚ୍ଛନ୍ନ କାହିଁକି ? ପୁଣି ଆପଣଙ୍କ ଚେଲା ତରୁଣ ଯୁବକ । ଜୀବନଟା ପଡ଼ିଛି ସେ ମଧ୍ୟ ଶୂଳିରେ ବସିବାପାଇଁ ଏତେ ଜିଗର କରୁଛି କାହିଁକି ? ଏହା ଭିତରେ କି’ରହସ୍ୟ ଅଛି ଖୋଲିକରି କୁହନ୍ତୁ । ମହନ୍ତ ତୁଣ୍ଡ ଚୁପ୍‌କରି ରହିଲେ । ଉଁ କି ଚୁ କହିଲେ ନାହିଁ । ହେଲେ ରାଜା ଛାଡ଼ନ୍ତେ କେତେକେ ? ସେ ପରା ରାଜା, ଯେନତେନ ପ୍ରକାରେଣ ପ୍ରହାରେଣ ଧନଞ୍ଜୟ ରୀତିରେ ମହନ୍ତକୁ କଥା କୁହାଇ ଛାଡ଼ିଲେ ।

 

ମହନ୍ତ କହିଲେ–‘ମହାରାଜ, ଆଜି ଶୁକ୍ଳପକ୍ଷ ଦ୍ଵାଦଶୀ ତିଥି । ପବିତ୍ର ବୈଶାଖ ମାସ । ଅମୃତବେଳା, ଏ ବେଳାରେ ଯିଏ ଶୂଳିରେ ଚଢ଼ି ପ୍ରାଣଦେବ ସେ ଅବଶ୍ୟ ସ୍ଵର୍ଗରେ ଇନ୍ଦ୍ରପଦ ପାଇବ-। ଇନ୍ଦ୍ରଙ୍କ ଆସନ ଖାଲି ପଡ଼ିଛି । ସଚ୍ଚି ଅଛନ୍ତି, ଇନ୍ଦ୍ର ନାହାନ୍ତି । ଏହି ମହାର୍ଘ ମୁହୂର୍ତ୍ତ କୋଟିଏ ତପ ଫଳରେ ମିଳେ । ଏହି ପୁଣ୍ୟଯୋଗ ଆପଣଙ୍କ କୃପାରୁ ମତେ ମିଳିଛି । କିଏ କ'ଣ ଛାଡ଼େ, ଆପଣ କୁହନ୍ତୁ ତ ପ୍ରଭୁ ! ମତେ ଯେଉଁ ଦୁର୍ଲଭ ଦାନ ସ୍ଵେଚ୍ଛାରେ ଦେଇଛନ୍ତି ସେ ମହାଦାନ ଫେରାଇ ନିଅନ୍ତୁ ନାହିଁ । ଆଉ ବିଳମ୍ବ କରନ୍ତୁ ନାହିଁ । ମାତ୍ର ଦୁଇଘଣ୍ଟା ସମୟ ରହିଲା । ପରେ ଅମୃତବେଳା ଚାଲିଯିବ । ପ୍ରାର୍ଥନା ରକ୍ଷା କରନ୍ତୁ ପ୍ରଭୁ !’

 

ରାଜା ତଟସ୍ଥ ହୋଇଗଲେ । ତଥାପି ସନ୍ଦେହ ମୋଚନପାଇଁ ଏକାନ୍ତରେ ଡାକି ପ୍ରଶ୍ନକଲେ । ଚେଲାଙ୍କଠାରୁ ଅନୁରୂପ ଉତ୍ତର ଓ ଶୂଳିରେ ଚଢ଼ିବାପାଇଁ ବିକଳ ପ୍ରାର୍ଥନା ଶୁଣି ରାଜାଙ୍କ ବିଶ୍ଵାସ ଦୃଢ଼ ହେଲା ।

 

ମୁହୂର୍ତ୍ତକେ 'ରାଜା' ସିଦ୍ଧାନ୍ତ ନେଇଗଲେ । ମନ୍ତ୍ରୀଙ୍କ ପରାମର୍ଶ ଲୋଡ଼ିଲେ ନାହିଁ । ସ୍ଵର୍ଗର ଇନ୍ଦ୍ରପଦ ରାଜ୍ୟର ରାଜପଦଠାରୁ ଅଧ‌ିକ ଗୌରବମୟ ! ଏହା କାହାକୁ ମିଳେ ? ସ୍ଵର୍ଗର ଅଖଣ୍ଡ କ୍ଷମତା, ଏ ଦୁର୍ଲଭ ସୁଯୋଗ ସେ କାହାକୁ ଦେବେନାହିଁ, ସ୍ଵୟଂ ଗ୍ରହଣ କରିବେ । ସଙ୍ଗେ ସଙ୍ଗେ ସୁସଜ୍ଜିତ ଶୂଳିରେ ସ୍ଵୟଂ ରାଜା ବସିବାପାଇଁ ସିଦ୍ଧାନ୍ତ ନେଇଛନ୍ତି ବୋଲି ଘୋଷଣା ହୋଇଗଲା । ସ୍ଵର୍ଗପୁରରେ ଇନ୍ଦ୍ରଙ୍କ ଆସନରେ ରାଜା ବସିଲେ କି ନାହିଁ ସେ ଖବର ଆମକୁ ଜଣାନାହିଁ । କିନ୍ତୁ ରାଜାଙ୍କର ଶୂନ୍ୟ ଆସନପାଇଁ ମହନ୍ତ ଓ ଚେଲାଙ୍କ ମଧ୍ୟରେ ଯେଉଁ କନ୍ଦଳ ଲାଗିଲା ତାହା ସମଗ୍ର ରାଜ୍ୟରେ ବ୍ୟାପିଗଲା । ରାଜାଙ୍କ ଶୂନ୍ୟ ଆସନରେ ବସିବ କିଏ ? ଦୋଷ କଲା କିଏ, ଦଣ୍ଡ ପାଇଲେ କିଏ ? ସୁଧୀଜନ ବିଚାର କରନ୍ତୁ । ଯଥା ରାଜା ତଥା ପ୍ରଜା.......

✽✽✽

 

ହାଣ୍ଡିଶାଳରୁ ରାଜଦରବାର

ଘରର ଶିରୀ ଶାଶୁ–ବୋହୂ

 

ଆମ ଓଡ଼ିଆରେ ଗୋଟିଏ ଚଳନ୍ତି ଢଗ ଅଛି,–

 

‘ପିଢ଼ାକୁ ସୁନ୍ଦର ଲାଉ

ଘରକୁ ସୁନ୍ଦର ଘରଣୀ ଯିଏଲୋ

ସହିଯାଏ ଘର ଦାଉ ।’

 

ଘରଣୀ ଘରର ସବୁ ଦାଉ ସହିନେଇ ଘରକୁ ସଜାଡ଼ି ଜାଣିଥିବ । ଆଗ କାଳରେ ଏଇ ଘରଣୀ ପଦଟି ଶାଶୁପାଇଁ ପାଣିଛଡ଼ା ହୋଇ ରହୁଥିଲା । ଘରର ଘରଣୀ ସିଏ, ସିଏ ସର୍ବେସର୍ବା । ଘରର ଚାବିମୁଠା ତାଙ୍କ କାନିରେ, ଭାର ତାଙ୍କ ମୁଣ୍ଡରେ । ସେଇଥିପାଇଁ ଝିଅଟିଏ ବାହା ହୋଇ ପରଘରକୁ ଆସିଲେ ଲୋକେ କହନ୍ତି ଶାଶୁଘରକୁ ଗଲା । ସେ କାଳରେ ଶାଶୁଙ୍କର ଅଖଣ୍ଡ ପ୍ରଭାବ ଥିଲା । ଶାଶୁମାନେହିଁ ବୋହୂକୁ ଚଳାଉଥିଲେ, ବତାଉଥିଲେ, ଶିଖାଉଥିଲେ, ଆକଟ କରୁଥିଲେ, କେତେକ ଜାଗାରେ ଗଞ୍ଜଣାବି ଦେଉଥିଲେ । ଆହୁରି ମଧ୍ୟ ଘରର ଭଲମନ୍ଦ ଦାଉବି ସମ୍ଭାଳୁ ଥିଲେ-। ତେଣୁ ଘରଣୀ ହେଉଥିଲେ ଶାଶୁ । ବୋହୂ ତାଙ୍କରି ଇଚ୍ଛାରେ ବୋଲ ମାନି ଚଳୁଥିଲା-। କୁହାଯାଉଥିଲା–

 

‘ଶାଶୁ ନାହିଁ ଘରେ ପଡ଼ିଛି ପାଗ,

ଲିଆ କୁଲା ଧରି ବସିଛି ଆଗ ।’

 

ମାଲିକିଆଣୀ ହେବା ସୁଖଟିକେ ମିଳିଥାଏ ଶାଶୁଙ୍କ ଅନୁପସ୍ଥିତିରେ । ଶାଶୁ ନ ଥାଇ କି ଘର ? ଭଲ ଘର କହିଲେ ବୁଝାଯାଉଥିଲା ଶାଶୁ, ଶଶୁର, ନଣନ୍ଦ, ଦିଅର ଥାଇ ଘର ହୋଇଥିବ, ଆଉ ଝିଅ ଯଦି ସେ ଘରର ବଡ଼ ବୋହୂ ହେଲା ତାହାହେଲେ ତା’ର ଟେକ ସବୁଠୁ ବେଶୀ । ମୁଣ୍ଡ ଉପରକୁ ଶାଶୁ ଅଛନ୍ତିଟି ? ବରଗଛ ଛାଇତଳେ ଝିଅ ମୋର ଅଚିନ୍ତା ହୋଇ ରହିବ ବୋଲି ବିଚାରୀ ମା’ମାନଙ୍କ ମନ ଆନନ୍ଦ ହୁଏ । କହନ୍ତି–

 

ଶାଶୁ ଶଶୁରରେ ଘର

ସୁନା ଖମ୍ବ ପରି ଚାରି ଦିଅରଲୋ

ଚନ୍ଦ୍ରଉଦିଆ ବର ।

ସୁନାନାକି ପୁଣି ନଣନ୍ଦ କଡ଼ାକ

ସେ ପରା ଘର ସୁନ୍ଦର ।’

 

ଏଥିରୁ ଜଣା ପଡ଼ୁଛି ଶାଶୁ, ଶଶୁର, ନଣନ୍ଦ ଦିଅର ସମସ୍ତଙ୍କୁ ନେଇ ପରିବାରଟିକୁ ସମସ୍ତଙ୍କର ପସନ୍ଦ । ସେଭଳି ଘରେ ଆନନ୍ଦରେ ଝିଅଟିଏ ବୋହୂହୋଇ ଚଳେ, ସ୍ନେହ ଶ୍ରଦ୍ଧା ପାଇ ମଣିଷପଣିଆ ଶିଖେ । ପୁଣି ସେ ବି ତା’ ଦିନକାଳ ଆସିଲେ ସେମିତି ଶାଶୁପଣିଆ କରେ । ଘରଟିକୁ ସୁଖଶାନ୍ତିରେ ଚଳେଇ ନେବାର ପାଠଶାଳା ଏଇ ଶାଶୁଘର । ପିଲାହୋଇ ଝିଅମାନେ ଆସନ୍ତି, ଏଇଠି ଶିଖନ୍ତି । ତଥାପି ବେଳେବେଳେ ଶାଶୁ ପଦଧାରୀ ପ୍ରଭାବଶାଳୀ ମହିଳାଙ୍କ ଖାସ୍‌ ଶାସନରେ ରହିରହି ବୋହୂ ମଧ୍ୟ ବ୍ୟତିବ୍ୟସ୍ତ ହୋଇପଡ଼େ । ପ୍ରତିବାଦ କରିବାକୁ ସୁଯୋଗ ନ ମିଳିବାରୁ ଆପଣା ପିଲାଙ୍କ ଉପରେ ରାଗ ଝଡ଼ାଏ । ତେଣୁ କୁହାଯାଏ–

 

‘ଶାଶୁ ମାରୁଥାଏ ବୋହୂକୁ,

ବୋହୂ ଛାର ହୋଇ କାହାକୁ ମାରିବ

ମାରୁଥାଏ ଚୁଲି ମୁହଁକୁ ।’

 

ଘରର ରୀତିନୀତି ମାନିବା ସଙ୍ଗେ ସଙ୍ଗେ ପରିବାରର ସମସ୍ତଙ୍କ ପାଇଁ ତ୍ୟାଗ କରିବା, ସମସ୍ତଙ୍କ ସୁଖସୁବିଧାରେ ଭାଗୀହେବା, ସବୁରି ମର୍ଯ୍ୟାଦା ରକ୍ଷା କରିବାକୁ ଶିଖିବା, ଘରକୁ ବୈକୁଣ୍ଠ ସମାନ କରିବାପାଇଁ ପାଠଶାଳା ହେଲା ପରିବାର । ପରିବାରର ମୁଖ୍ୟ ଶାଶୁ ମହାଗୁରୁ–ପରିବାରର କାହାରି ପ୍ରତି ପାତରଅନ୍ତର କରିବ ନାହିଁ, ଘରର ପୁରୁଷମାନଙ୍କ ସୁଖସୁବିଧାକୁ ଆଗ ବିଚାର କରି ସହିସମ୍ଭାଳି ଚଳିଯିବ, ଯେମିତିକି ଘରେ କଳିକଜିଆ ହେବନାହିଁ, ସୁଖଶାନ୍ତି ରହିବ । ଶାଶୁ–ବୋହୂ ସମ୍ପର୍କ ନେଇ ଘର ସୁନ୍ଦର ହେଉଥିଲା ।

 

ଯୁଗ ଅନୁସାରେ ସମାଜ ବଦଳିଲା, ଆଧୁନିକ ଯୁଗର ଆଗକାଳ ଭଳି ଶାଶୁ, ବୋହୂ, ନଣନ୍ଦ, ଦିଅର ଥାଇ ଏକାନ୍ନବର୍ତ୍ତୀ ପରିବାର ପ୍ରାୟ ରହିଲା ନାହିଁ । ସମସ୍ତେ ଊଣାଅଧିକେ ମଧ୍ୟ ପାଠ ପଢ଼ିଲେ, ଚାକିରିବି କଲେ । ଝିଅଙ୍କୁ ଟିକିଏ ସ୍ଵାଧୀନତା ମଧ୍ୟ ମିଳିଲା । ବାହାଘର ପରେ ଶାଶୁ ଶଶୁରଙ୍କ ପାଖେ ବିଧିରକ୍ଷା କରି କେତେଦିନ ମାତ୍ର ରହି ପ୍ରାୟ ଅଧିକାଂଶଙ୍କୁ ସେମାନଙ୍କ ଆପଣା ସଂସାର କରିବାକୁ ପଡ଼ିଲା । ଏକୁଟିଆ ସଂସାର । ସେଭଳି ସ୍ଵାଧୀନ ସଂସାର ମଧ୍ୟ ଏ ଯୁଗର ପାଠଶାଠ ପଢ଼ିଲା ଝିଅମାନଙ୍କୁ ବେଶୀ ପସନ୍ଦ ହେଲା । ଆପଣା ରୁଚିରେ ଆପଣା ଘରଟିକୁ ସେମାନେ ସଜାଡ଼ିବେ । ପିଲାଙ୍କୁ ବଢ଼େଇବେ, ପାଠ ପଢ଼େଇବେ, ଖାଦ୍ୟପେୟ, ଜାତି ଜାତିର ରାନ୍ଧଣା ରାନ୍ଧିବେ, ତାଙ୍କ ମନ । ସେମାନେ ହେଲେ ଘରଣୀ, ସବୁ ଘରକରଣା ନିଜ ହାତକୁ ନେବେ-। ନିଜେ ମୁରବି ହେବାପାଇଁ ସେମାନଙ୍କର କ’ଣ ଶିକ୍ଷାଦୀକ୍ଷା ଯୋଗ୍ୟତା ନାହିଁ ଯେ ସେମାନେ ପୁଣି ଆଉ ଜଣକ କଥାରେ ସବୁମାନି ଚଳିବେ ? ଶାଶୁ କଟକଣା ମାନି ପାଠଶାଠ ପଢ଼ା, ସ୍ଵାଧୀନଚେତା ଝିଅମାନେ ଚଳିବାକୁ ଆଦୌ ପସନ୍ଦ କଲେନାହିଁ । ଅବସ୍ଥାଚକ୍ରରେ ପଡ଼ି ଘରର ସୁଖଶାନ୍ତି ରକ୍ଷା କରିବା ଦୃଷ୍ଟିରୁ ଯେଉଁ ଝିଅମାନେ ମଧ୍ୟ ଶାଶୁଙ୍କ କଟକଣାରେ ରହିଲେ ସେମାନେବି ବ୍ୟତିବ୍ୟସ୍ତ ହେଲେ । ମୁହଁରେ କିଛି ନ କହିଲେ ମଧ୍ୟ ମନରେ ଆନନ୍ଦ କି ସୁଖ ରହିଲା ନାହିଁ । ଏହାର କାରଣ ହେଲା ବୁଝାମଣାର ଅଭାବ । ସେମାନଙ୍କୁ ତାଙ୍କର ସେକାଳର ଶାଶୁ

 

ବୁଝିପାରୁନାହାନ୍ତି । ଏ ଯୁଗର ଝିଅଙ୍କର ଯାହା ପସନ୍ଦ, ଯିମିତି ଚଳଣିକୁ ସେମାନେ ସୁଖ ପାଆନ୍ତି, ତାଙ୍କ ସ୍ଵାମୀମାନଙ୍କ ମାଆମାନେ, ଓରଫ୍ ଶାଶୁଙ୍କ ଆଖ୍ୟାରେ ସେ ଚଳଣି ଯାଏନାହିଁ । ସେମାନେ ନାପସନ୍ଦ କରନ୍ତି, ଫଳରେ ସଂଘର୍ଷ ଲାଗେ, ମୁହଁ ଫୁଲାଫୁଲି ହୁଏ । ବିଚରା ସ୍ଵାମୀଟି ଦୁଇଟି ସ୍ତ୍ରୀଲୋକଙ୍କୁ ଖୁସି କରିବାକୁ ଯାଇ ବଡ଼ ବିପଦରେ ପଡ଼େ । ଜଣେ ଗର୍ଭଧାରିଣୀ ଜନନୀ, କେତେକଷ୍ଟ କରି ପେଟରୁ କାଟି, ଓଷାବ୍ରତ କରି, ଜୀବନସାରା କେତେ କଷ୍ଟ ସହି ପାଳିପୋଷି ମଣିଷ କରିଛନ୍ତି । ଏଣେ ଆଉ ଜଣେ ପ୍ରିୟତମା ପତ୍ନୀ । ବାପଘରର ସବୁ ସ୍ନେହମମତା ତୁଟେଇ, ସ୍ଵାମୀର ସୁଖସୁବିଧା ପ୍ରତି ଧ୍ୟାନ ଦେଇ ସେ ପୁଣି ପରଘରକୁ ନିଜର ଘରମଣି ଏଠି ଚଳୁଛିଟି ? ତା’ର କ’ଣ କମ୍ ଅବଦାନ ! ସନ୍ତାନମାନଙ୍କର ସେ ପୁଣି ଜନନୀଟି । କିଏ ସେ ଊଣା ? ସ୍ତ୍ରୀ ମୁହଁ ଶୁଖେଇଲେ ସହି ହେବନାହିଁ । ଏଣେ ମାଆ ଅସନ୍ତୁଷ୍ଟ ହେଲେ ପୁଅ ପ୍ରାଣକୁ ବାଧିବ । ସ୍ଵାମୀଟି ବିଚରା କରିବ କ’ଣ । ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା–ଅବସ୍ଥା ଅଠାଠିକ୍‌, ଏଇଠି କି ଉପାୟ କରାଯିବ । ପ୍ରଶ୍ନ ଉଠେ ପରିବାରର ସୁଖସୁବିଧା ପାଇଁ ଶାଶୁ ବୋହୂଙ୍କ ଭିତରେ ବୁଝାମଣା ଠିକ୍‌ରୂପେ ହୋଇ ପାରିବାହିଁ ସମାଧାନର ବାଟ ।

 

ବୁଝାମଣା ଠିକଣା ନହେଲେ ଘରର ସୁଖଶାନ୍ତି ପୂରା ନଷ୍ଟ ହେବ, ସ୍ଵାମୀ ଓରଫ୍ ପୁଅ ନାମଧାରୀ ବ୍ୟକ୍ତିଙ୍କ ଦୁଃଖ ଆଉ କାହାଣୀ ଗାଇଲେବି ସରିବ ନାହିଁ ।

 

ଉଦାହରଣସ୍ୱରୂପ ଏ ଯୁଗର ଶାଶୁ, ବୋହୂ ପ୍ରସଙ୍ଗଟିକୁ ଟିକିଏ ବିଚାର କରାଯାଉ । ଯୁଗ ଅନୁସାରେ ପୁଅର ପସନ୍ଦରେ ଶାଶୁଘରକୁ ବୋହୂ ଆଣିଲେ । ଜଣକ ରୋଜଗାରରେ ଏଯୁଗରେ କୁଟୁମ୍ବ ଚଳାଇବା କଷ୍ଟ । ବୋହୂତ ପାଠ ପଢ଼ିଛି, ସ୍କୁଲ୍‍ରେ ଶିକ୍ଷୟିତ୍ରୀ ହୋଇଛି, କଞ୍ଚାପଇସା ଘରକୁ ଆଣୁଛି । ହଉ, ଏବେ ମନକୁ ନ ପାଇଲେବି ପଇସା ମୁହଁକୁ ଚାହିଁ ସେ କାଳର ଶାଶୁଙ୍କୁ ସୁଖ ଲାଗୁ କି ନ ଲାଗୁ ସେଭଳି ବୋହୂକୁ ବାଛି କରି ଘରକୁ ଆଣିଲେ । ଏଣେ ଚାକିରି କରିବା କଥାକୁ ମାନିନେଲେ । ଶାଶୁ ତାଙ୍କ ବୋହୂଦିନେ ତାଙ୍କ ଶାଶୁଙ୍କୁ ଯେଉଁଭଳି ସେବା ଯତ୍ନ କରୁଥିଲେ, ଯେଭଳି ଶାଶୁଙ୍କ କଥାରେ ବସଉଠ ହେଉଥିଲେ ତାଙ୍କ କଥା ତଳେ ପକେଇ ଦେଉ ନଥିଲେ ସେଇ ଭଳି ଆଶା, ନେଇ ବୋହୂସେବା, ବୋହୂ ପରଶା ଖାଇବାକୁ ମନେମନେ ଚାହିଁବସିଲେ, ଏଣେ ବୋହୂର ରୋଜଗାର ଟଙ୍କା ଲୋଡ଼ା–ତେଣେ ମନ, ବୋହୂ ପଣତ ଦେଇ ଘରେ ବସୁ, ସମସ୍ତଙ୍କୁ ଆଡ଼ ହେଉ, ସବୁରି ବୋଲ ମାନି ଘରସଂସାର ଶାଶୁଙ୍କ ନିର୍ଦ୍ଦେଶମାନି ସମ୍ଭାଳୁ-! ଏଣେ ବୋହୂ ନିଜ ରୁଚିରେ ଆପଣାର ସୁବିଧା ଅସୁବିଧା ଯୁଗକୁ ଚାହିଁ ବିଚାର କରି ସବୁବେଳେ ଚଳିବାପାଇଁ ପସନ୍ଦ କରେ । ଇଏ କି କଥା ଯେ–ସବୁ ପଚାରୁଥିବ ? ପ୍ରତି କଥାରେ ଆଉ ଜଣଙ୍କୁ ପଚାରି କାମ କରିବା ଅଭ୍ୟାସ ନାହିଁ, ପୁଣି ବେଳ କାହିଁ ଏ ସବୁ ମନଧରା କାମ ବସି କରିବାପାଇଁ-। ଏପଟେ ଘରକାମ, ସେପଟେ ବୃତ୍ତି, ଚାକିରି । ତେଣୁ ସକାଳୁ ଉଠି ତରବର ହୋଇ ଯେତେ କମ୍ ସମୟରେ, ଯେତେ ସୁବିଧାରେ ରନ୍ଧାବଢ଼ା ସବୁ ହୋଇପାରିବ ପିଲାଙ୍କ କାମ ଠିକଣାରେ ହେବ, ସେ ଚିନ୍ତା । ଘର କାମ ସାରି ସେ ଠିକଣାବେଳେ ସ୍କୁଲ୍ କଲେଜ ବା ଅଫିସ୍‍କୁ ଯାଇପାରିବ କିମିତି, ଏ ହେଲା ନୂଆ ଘରଣୀର ଚିନ୍ତା । ସେ କଥା ବିଚାର କରି ସେ ତା’ର କାମ ତାଲିକା ନିଜେ ଠିକ୍‌ କରିନିଏ । ସେ ସ୍ଵୟଂ ସମ୍ପୂର୍ଣ୍ଣା, ସେ ଘରଣୀ । ଏଠି ଆଉ ଶାଶୁ ଘରଣୀ ହୋଇ ରହନ୍ତି ନାହିଁ-। ଘରଣୀ ହୁଏ ବୋହୂ । ଶାଶୁଙ୍କ ସପନ ସପନରେ ରହେ । କେତେ ତୁନି ହୁଅନ୍ତେ ? ଅନେକ ସ୍ଥଳରେ ମାନିନେଇ ପାରନ୍ତି ନାହିଁ । ମୁରବିପଣିଆର ସଂଘର୍ଷ ଘଟେ । ଏଣେ ଆତ୍ମନିର୍ଭରଶୀଳା ଆଜିକାଲିକା ଝିଅମାନେ ସବୁକଥାରେ ଅନ୍ୟ ଉପରେ ନିର୍ଭର କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ଶାଶୁଙ୍କ ପ୍ରତିପତ୍ତି ଊଣାହୁଏ । ତାଙ୍କ ଦୁଃଖ ଅଭିମାନ ବଢ଼େ । ବୋହୂର ଯୁକ୍ତି ହେଲା, ବୋଉ ତାଙ୍କ ଜୀବନଯାକ ଘର ସମ୍ଭାଳିଲେ, ଏବେ ବିଶ୍ରାମ କରନ୍ତୁ । ମୁଁ ତାଙ୍କର ଯେତିକି ସାହାଯ୍ୟ ଲୋଡ଼ିବି ସେ ସେତିକି କରିବେ । ବାକି ମୋ କାମ, ମୋ ଦାୟିତ୍ଵ ମୁଁ ସମ୍ଭାଳିବି । ପ୍ରେସର୍ କୁକର୍, ଗ୍ୟାସ୍‍ଚୁଲି, ଫ୍ରିଜ୍ ଯୁଗରେ କର୍ମତତ୍ପର ଏକାଳ ଝିଅଙ୍କୁ ଏ କାଳରୀତିରେ ରାନ୍ଧିବାଢ଼ି ଥୋଇଦେଇ ବେଶଭୂଷା ହୋଇ କାମକୁ ଯିବାକୁ ବେଶୀ କଷ୍ଟ ହୁଏନାହିଁ । ସେଇ ରୁଟିନ୍ ଭିତରେ ଶାଶୁଙ୍କୁ ଖାଇବା ଯଚାହୁଏ । ଶାଶୁ ଯଦି ନ ଆସିଲେ ତେବେ ରହିଲା ଫ୍ରିଜ୍‍ରେ କହିଦେଇ ଘଡ଼ିବେଳ ଦେଖି ବୋହୂକୁ ଅଫିସ୍ ବା ସ୍କୁଲ୍‍କୁ ଯିବାକୁ ହୁଏ । ପୁଣି ଯୁଗ ଅନୁସାରେ ବୋହୂର ଫେସନ, ବାବୁରି ବାଳକଟା, ଏକୁଟିଆ ଏଣେତେଣେ ଯିବା ଶାଶୁଙ୍କ ମନକୁ ଜମା ପାଏନାହିଁ । ସବୁଥିରେ ମୁରବିପଣିଆ କରିଆସୁଥିବା ଶାଶୁ ଅଣଆଡ଼ିଆରେ ରହିଗଲେ ବିଚାରୀ ଅସ୍ୱସ୍ତିରେ ଅଣନିଃଶ୍ଵାସୀ ହୋଇଯାଆନ୍ତି । କିନ୍ତୁ ଶାଶୁ ଯଦି ଏ କ୍ଷେତ୍ରରେ ଆପଣା ଶାଶୁପଣିଆ ପୁଣି ଜାହିର କରନ୍ତି ତେବେ ଘରେ ଅଶାନ୍ତି, ଅସନ୍ତୋଷର ସୂତ୍ରପାତ ହୁଏ । ଆତ୍ମସମ୍ମାନ ସମ୍ପର୍କରେ ଅଧିକ ସଚେତନ ଥିବା ଏକାଳର ଝିଅ ସାଧାରଣତଃ ଏସବୁ ସହନ୍ତି ନାହିଁ । କହନ୍ତି, 'ଠିକ୍ ଅଛି, ମୁଁ ତାହାହେଲେ ଚାକିରି ଛାଡ଼ିଦେଉଛି, ଓଢ଼ଣା ପକେଇ ଘରେ ବସୁଛି, ତମେ ସବୁ ବାହାରର କାମଯାକ, ଯାହାସବୁ ମୁଁ କରୁଛି, ତୁମ ମାଆଙ୍କ କଥାନୁସାରେ ନିଜେ କର । ଏ ଘରେ ଯେତେ କାମକଲେ ତାହା ଆଖିକି ଦିଶେନାହିଁ ।' କିନ୍ତୁ ପାଠପଢ଼ି ହୁଏତ ମନୋବିଜ୍ଞାନରେ ବେଶ୍ କୃତିତ୍ଵର ସହ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ରଖି ପାସ୍ କରି ବୋହୂହୋଇଥ‌ିବା ଏହି ବୋହୂମାନେ ଆପଣାର ସେକାଳର ଶାଶୁଙ୍କ ଇଚ୍ଛା, ସରାଗ, ଭଲପାଇବାପଣିଆ, ଅଭିମାନ, ଦାବି, ଆତ୍ମସମ୍ମାନବୋଧ ଓ କ୍ଷୋଭକୁ ସମ୍ବେଦନଶୀଳ ଦୃଷ୍ଟିରେ ନିରେଖିଲେ ବେଶ୍ ତଉଲିପାରନ୍ତେ । ଶାଶୁଙ୍କ ଯୁଗରେ, ଶାଶୁଙ୍କ ଜାଗାରେ ଆପଣାକୁ ରଖି ଆଶା ଆକାଂକ୍ଷାକୁ ବିଚାର କଲେ ତାଙ୍କ କଥାରୁ ଦୋଷ ଧରନ୍ତେ ନାହିଁ କି ଏଭଳି ଭୁଲ ବୁଝାମଣା ହୁଅନ୍ତା ନାହିଁ, ପାଠପଢ଼ିଲା ଝିଅଟି ସେକାଳରେ ଏକାକର ସୁଖସୁବିଧା ସବୁଥିରୁ ବଞ୍ଚିତା ଥିବା ସେକାଳର ବୋହୂ ଓ ଏବର ଶାଶୁଙ୍କର ମନକୁ ବୁଝି ତାଙ୍କୁ ଟିକିଏ ବୁଝେଇ ଦେବାକୁ ବିଚାରବି କରିପାରନ୍ତେ । ମନୋବିଜ୍ଞାନ ଜାଣିଥିବା ଝିଅ ସମ୍ବେଦନଶୀଳ ଭାବରେ ଚେଷ୍ଟା କଲେ ଶାଶୁଙ୍କୁ ବୁଝେଇ ଦେଇ ସମାଧାନ କରିବା କଥାଟି କେଡ଼େ ସହଜ ହୋଇ ନଯାଆନ୍ତା । ଢେଉ ମାଡ଼ି ଆସିଲାବେଳକୁ ଟିକିଏ ମୁଣ୍ଡ ନୁଆଁଇ ଦେଲେ ଢେଉଟା ଚାଲିଯାଏ । ଧର ଯଦି ଶାଶୁ ତାଙ୍କୁ ତାଙ୍କ ଶାଶୁପଣିଆରୁ ସମସ୍ତେ ବଞ୍ଚିତ କରୁଛନ୍ତି ବୋଲି ବିଚାରୁଛନ୍ତି, ତାଙ୍କ ଆସନ ଆଉ କିଏ ମାଡ଼ିବସିଲା ବୋଲି ରାଗୁଛନ୍ତି, ତେବେ ତାଙ୍କ ମନକୁ ଖୁସି କଲା ଭଳି ସବୁ କଥାରେ ତାଙ୍କ ଅନୁମତି ମାଗି ନେଲେ ବା ତାଙ୍କ ମତ ପଚାରି ବୁଝିସାରି ତାଙ୍କୁ ଟିକେ ଅଧିକ ଗୁରୁତ୍ଵ ଦେଇ ଦେଲେ କ’ଣ କ୍ଷତିବା ହୋଇ ଯାଆନ୍ତା ?

 

ତା’ପରେ ସ୍ନେହ ଓ ଅଧିକାର ବଳରେ ଶାଶୁଙ୍କ ମନକିଣି ତାଙ୍କୁ ପୁଣି ନିଜ ମତରେ ପ୍ରଭାବିତ କରିବାକୁ ଚେଷ୍ଟାକଲେ କ'ଣ ବେଦ ଅଶୁଦ୍ଧ ହୋଇଯାଆନ୍ତା ? ଉଦାହରଣସ୍ୱରୂପ ଶାଶୁ ବଢ଼ିଆ ପୋଡ଼ପିଠା କରୁଥିଲେ । କରେଇରେ ନିଆଁ ଦେଇ ପତ୍ର ପକେଇ, ରାତିଟାଯାକ ଅଳପ ଜାଳରେ ଚୁଲିରେ ବସେଇ ଗୁଡ଼, ନଡ଼ିଆ, ଗୁଜୁରାତି, ଗୋଲମରିଚ ସବୁ ପକେଇ ବଢ଼ିଆ ପିଠା କରୁଥିଲେ ବୋଲି ତାଙ୍କର ଆତ୍ମସନ୍ତୋଷ । ଏଇମିତି ପିଠା ତାଙ୍କ ପୁଅକୁ ସୁଖ ଲାଗୁଥିଲା । ଏବେବି ସେହି ପିଠା ସେ ଖାଆନ୍ତା–ଶାଶୁଙ୍କ ମନ ! ବୋହୂ ଓଭେନ୍‌ରେ ପିଠା କରୁଛନ୍ତି । ସୁବିଧା, ଅଳପ ସମୟରେ ହେବ, ହେଲେ ଅଭିଜ୍ଞ ଶାଶୁଙ୍କଠାରୁ ପିଠୋଉର ଆଣ ବିଷୟରେ ଟିକେ ପରାମର୍ଶ ନେଇଗଲେ ସେ କେତେ ଖୁସି ନ ହୁଅନ୍ତେ । ‘ବୋଉ ! ତମେ ତ ବଢ଼ିଆ ପୋଡ଼ପିଠା କର । କେତେ ବିରି, କେତେ ଚାଉଳ, କେତେ ଗୁଡ଼, ନଡ଼ିଆ, ଅଦା ପଡ଼ିବ–ଏ ଭାଗମାପ ତମକୁ ଯେମିତି ଜଣା ଏମିତି କ'ଣ ଆମକୁ ଆସିବ ? ତମେ ଟିକିଏ ମତେ ବତେଇ ଦିଅ । ଏ ଯୁଗରେ ଏବେ ଭଲ ଜିନିଷ ବାହାରିଛି, ଏଇ ଓଭେନ୍‌ । ତା’ରି ଭିତରେ ପିଠା ରଖିଦେଲେ ଅଳ୍ପ ସମୟ ଭିତରେ ଖାସା ପୋଡ଼ପିଠା ହୋଇଯିବ, ଆମ ଚାକିରିଆଙ୍କ ପାଇଁ ଏଇ ଯନ୍ତ୍ର ଆସିଛି । ଏଥ‌ିରେବି ସୁଆଦ ଲାଗିବ, ହେଲେ ତମକୁ ଯେମିତି ବିରି ଫେଣି ଆସିବ ମତେ ସେମିତି ଜମା ଆସିବ ନାହିଁ । ଏଇଠି ପିଢ଼ାରେ ବସି ତୁମ ବେଳ ପୋଡ଼ପିଠାର ସବୁ ଭାଗମାପ (ଯାହା ୟାଙ୍କୁ ଭାରି ସୁଖ ଲାଗେ) ଏବେ ମତେ ସବୁ ବତେଇ ଦିଅ । ମୁଁ ଶିଖିନେବି ଯେ ବୋଉ, ତା’ପରେ ଓଭେନ୍‌ରେ ପୋଡ଼ପିଠା କରିବି । ଶାଶୁ ଏତିକିରେ ତ ଖୁସି ହୋଇଯିବେ । ତାଙ୍କର ‘ଇଗୋ’ ବା ଶାଶୁପଣିଆ ଆଘାତ ପାଇବ କାହିଁକି ? ବରଂ ଆଗ୍ରହରେ ସବୁ ବତେଇବେ ପୁଣି ପ୍ରଶଂସାବି କରିବେ, ଆପଣାକୁ ଅଦରକାରୀ, ଅପମାନିତା, ଉପେକ୍ଷିତା ବୋଲି ବିଚାରିବେ ବା କାହିଁକି ? ମନକୁ ମନ ଖୁସି ହୋଇ ସେହି ଶାଶୁ କହିବେ, ଆଲୋ ମା’ ! ମତେ ଦେ, ମୁଁ ବିରି ଫେଣି ଦେଉଛି । ପିଠଉ ସଜିଲ କରି ଦେଉଛି । ତୁ ତୁମର ଏକାଳର ଖିସିମିସ, ବାଦାମ, ଯାହା ଗୋଳାଉଛୁ ଯୁଗକୁ ଚାହିଁ ଗୋଳା । କେମିତି ଇଲେକ୍‌ଟ୍ରିକ୍ ମେସିନ୍‌ରେ କରୁଛୁ ଟିକେ ମୁଁ ଦେଖିବି । ଆମକାଳରେ ଏଗୁଡ଼ାକତ ନଥିଲା । ଘଷି ଜାଳି, କରେଇରେ ପାଉଁଶ ଥୋଇ ମୋ ବୋହୂ ଦିନରେ ମୁଁ କେତେ ହୀନସ୍ତା ହୋଇ ପହିଲି ରଜ ବୋଲି ପାଞ୍ଚ ସାତଟା ପୋଡ଼ପିଠା କରୁଥାଏ । ଗଲାଅଇଲା ଯିଏ ଆସିବେ ସଭିଏଁ ଖାଇବେ, ସାଇ ବଣ୍ଟା ହେବ । ପାଚିଆରେ ପୂରାଇ ଶିକାରେ ଥୋଇବାକୁ ହୁଏ, ଏକାଳ ପରି ଶୀତଳ ଆଲମାରି, ଆଲୋ ତମରି ଫ୍ରିଜ୍‌, ସେ କାଳରେ ନଥିଲା । ସେ କାଳ ନିଆରା ଥିଲା । ଯୋଉ କାଳକୁ ଯୋଉ କଥା ଭିଆଣ କରିଛି ବିଧାତା ।”

 

ଉଚ୍ଚ ଶିକ୍ଷିତା ବୋହୂଟି ଯଦି ନରମ କରି ହସି ଶାଶୁଙ୍କର ସେକାଳର ସୁଖଦୁଃଖ କାହାଣୀ ଟିକେ ଆଗ୍ରହରେ ଶୁଣନ୍ତା ଏବଂ ତାଙ୍କ ବତେଇବା କଥାକୁ ଗୁରୁତ୍ୱ ଦିଅନ୍ତା, ତେବେ କେତେ ଅଳ୍ପ ପରିଶ୍ରମରେ ସେ ଗୁରୁଜନଙ୍କୁ ସନ୍ତୁଷ୍ଟ କରି ନ ପାରନ୍ତା । ଶାଶୁ ଆପେଆପେ ନରମି ଯାଆନ୍ତେ । ନିଜ ତୁଣ୍ଡରେ କହନ୍ତେ, “ଏ କାଳ ଝିଅ କେତେ କାମ କରିବେଲୋ, ଦାଣ୍ଡକୁ ଯାଇ ଅଣ୍ଡିରା ପୁଅ ପରି ରୋଜଗାର କରିବେ । ପୁଣି ବୋହୂପଣିଆ କରି ଗଲାଅଇଲା କୁଣିଆ ଚର୍ଚ୍ଚାକରିବେ, ରାନ୍ଧିବାଢ଼ି ପରଶିବେ । ତୁ ଏତେ କଲବଲ ହ’ନି ମା’ । ଶୀତଳ ଆଲମିରାରୁ କାଢ଼ି ତିଅଣ ଉଷୁମ କରିଦେ । ମୋର ଚଳିଯିବ । ବେଗାବେଗି କାମସାରି ତୁ ଘଡ଼ିଏ ଶୋଇ ପଡ଼ିଲୁ । ପୁଣି ରାତି ପାହିଲେ ତ ଚରକି ପରି ଧାଇଁବୁ ।” ସକାଳ ଶାଶୁମାନେ ମଧ୍ୟ ଏମିତି କହନ୍ତି । ବୋହୂଙ୍କୁ କେତେ କାମରେ ସାହାଯ୍ୟ କରନ୍ତି । ଶାଶୁଙ୍କ ପ୍ରତି ଯଦି ସମ୍ମାନ ରଖି ବ୍ୟବହାର କରିବ, ଆପଣାର ବୋଲି ତାଙ୍କୁ ବିଚାରିବ, ବୁଝାଇ କରି କଥା କହିପାରିବ, ତେବେ ସେ ମଧ୍ୟ ଜିଦ୍‌ ଧରି ବସିବେ ନାହିଁ, ଆଣ୍ଟପଣ କରିବେ ନାହିଁ, ବରଂ ହସି ହସି ପିଲାଙ୍କ ସଙ୍ଗେ ମିଶିଯିବେ, ପିଲା ହୋଇଯିବେ–ଇଏ ଅଙ୍ଗେ ଲିଭାଇବା କଥା ।

 

‘ଚିହ୍ନିବାକୁ ଶିଖି ନାହିଁ ଶାଶୁମନ, ସେକି କେବେ ବୋହୂପଣକୁ ଭାଜନ ।' “ଏକାଳରେ ବହୂଘରେ ମଧ୍ୟ ଏଭଳି ଆଧୁନିକ ବୋହୂ ଓ ଶାଶୁ ଏକାଠି ରହି ବେଶ୍ ସୁବିଧାରେ ଚଳନ୍ତି । ନାତି ନାତୁଣୀ ଜେଜେମା, ପାଖେ ସୁଖ ଶାନ୍ତିରେ ଚଳୁଛନ୍ତି । ଖାଲି ବ୍ୟବହାର, ବୁଝାମଣା ମନକୁ ଚିହ୍ନି ଜାଣି ଜାମ କରିପାରିବାକଥା, ସବୁଠାରୁ ବେଶୀ ହେଲା ଶାଶୁଙ୍କ ‘ଇଗୋ’କୁ ସମ୍ମାନ କରିବା । ଏମିତି ଢଙ୍ଗର ସମ୍ମାନ କରିବାକୁ ହେବ ଯେ ଯେମିତି ଶାଶୁ ଛାଏଁ ଛାଏଁ ସ୍ନେହ ଆଦର ସୁଅରେ ଇଗୋତକ ଆପଣା ହାତରେ ଭସେଇ ଦେବେ, ବାଡ଼ ଭାଙ୍ଗିଯିବ, ବୋହୂ ଝିଅ ହୋଇଯିବ, ବୁଦ୍ଧିମତୀ ବୋହୂ ପାଖରେ ଶାଶୁବି ବେଳେବେଳେ ଝିଅ ହୋଇଯିବେ । ଉଚ୍ଚଶିକ୍ଷିତା, ବୁଦ୍ଧିମତୀ ବୋହୂ ପାଖରେ ଏତକ କରିବା ଆଦୌ କଷ୍ଟ ନୁହେଁ । ଖାଲି ଅହଂକାର, ବଡ଼ପଣିଆ ଓ ପାଠପଢ଼ାର ଅଭିମାନକୁ ଛାଡ଼ି ଦେଇପାରିଲେ ହେଲା । ଆଜିକାଲି ବହୂ ଝିଅଙ୍କ ମନରେ ଆମେ ସବୁ ଜାଣୁ, ଏଭଳି ଅହଂକାର ରହିଯାଉଛି ‘ପୁରୁଣା ସବୁ ଖରାପ ଓ କୁସଂସ୍କାରରୁ ଜାତ, ଏଭଳି ଭ୍ରମ ଧାରଣା ମଧ୍ୟ ରହିଯାଉଛି, ଯାହା ଫଳରେ ସେମାନେ ସଂସ୍କାର ଓ କୁସଂସ୍କାରର ତଫାତ୍‌ ବାରି ପାରୁ ନାହାନ୍ତି । ସ୍ଵାଭିମାନ ଓ ସ୍ୱେଚ୍ଛାଚାରିତାର ପାର୍ଥକ୍ୟ ଚିହ୍ନିବା ତାଙ୍କପାଇଁ କଷ୍ଟକର ହେଉଛି, ତେଣୁ ଆମକୁ ଆମ ଦାବି ପୂରଣ କରିବାକୁ ସୁବିଧା ଦିଆହେଲା ନାହିଁ ବୋଲି ବିଚାରି ଅଯଥା ଭୁଲ ବୁଝାମଣା ସୃଷ୍ଟି କରୁଛନ୍ତି ଆପଣା ଘରେ । ଭଲ ପାଇଲେ, ବଡ଼ମଣିଷଙ୍କୁ ତାଙ୍କର ପ୍ରାପ୍ୟ ଠିକଣା ଭାବରେ ଦେଇ ଜାଣିଲେ, ସ୍ନେହ ଓ ଆଶୀର୍ବାଦ ମଧ୍ୟ ସେପଟୁ ଠିକ୍‌ ନିଶ୍ଚିତରେ ମିଳିବ । କିଛି ପାଇବାକୁ ହେଲେ କିଛି ଦେବାକୁ ହୁଏ–ଏତକ ଦେଇ ନ ଶିଖିଲେ ପାଠୁଆ ବୋହୂ ଘରକୁ ଶିରୀ, ବୋଲି ପ୍ରମାଣ ମିଳିବ କେମିତି ? ଶାଶୁମାନେ ମଧ୍ୟ ଏ କାଳକୁ କେତେ ବଦଳିଲେଣି । ତାଙ୍କ ଶାଶୁପଣିଆ ପ୍ରତି ଟିକିଏ ଧ୍ୟାନ ଦେଲେ–ଚଳେଇ ଜାଣିଲେ ପାଠୋଇ ଝିଅ, ରୋଜଗାରିଆ ବୋହୂ ଘରକୁ ଆନନ୍ଦ ଭବନ ଖୁବ୍‌ ସହଜରେ କରିପାରିବେ ।

✽✽✽

 

କହିଲେ କୁଳ କୁଟୁମ୍ବଙ୍କୁ ଲାଜ

 

–ଆଜ୍ଞା, ଆପଣ କେବେ ଠକେଇରେ ପଡ଼ିଛନ୍ତି ?

–ଆଜ୍ଞା, ଆଚ୍ଛା ପ୍ରଶ୍ନଟିଏ ପଚାରିଦେଲେତ ଆପଣ ?

 

ବାବୁ, କହିଲେ ମଲି, ନ କହିଲେବି ମଲି । ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା, ଶାସ୍ତ୍ର ନିର୍ଦ୍ଦେଶ ପରା, ଠକେଇରେ ପଡ଼ିଲେ ଆପଣ ବୁଦ୍ଧିମାନ ହୋଇଥିଲେ କାହାକୁ ସେ କଥା ଫିଟେଇ କହିବେ ନାହିଁ । କୁହାଯାଇଛି–“ଅର୍ଥ ନାଶମ୍, ମନସ୍ତାପମ୍; ଗୃହେ ଦୁଃଶ୍ଚରିତାନିଚ, ବଞ୍ଚନମ୍‌, ଚାପମାନମ୍‌ଚ ମତିସ୍ମାନ୍‌ ନ ପ୍ରକାଶୟେତ୍‌ ।”

 

ବୁଦ୍ଧିମାନ ଲୋକ ଅର୍ଥନାଶ ହେବା, ଭୁଲ କାମକରି ପଛରେ ମନସ୍ତାପ କରିବା, ଘରେ କିଛି ଅଘଟଣ ଘଟିବା, ଯଥା–ଗୃହ କଳହ ଆଦି ବା କାହାଠାରୁ ଅପମାନ ପାଇବା କିମ୍ବା ଠକେଇରେ ପଡ଼ିବା କଥା କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଏ ପରା ପଣ୍ଡିତଙ୍କ ବଚନ ।

 

ଏ ପଦୁଟିଏ ମନରେ ବିଚାରି ଯଦି ଆପଣ ପ୍ରଶ୍ନକର୍ତ୍ତାଙ୍କୁ ନାସ୍ତିବାଚକ ଉତ୍ତର ଦେଇ ଦେଲେ, ତେବେ ସିଧାସଳଖ ମିଥ୍ୟା କଥନର ପାପରେ ଭାଗୀ ହେବେଟି ?–ବଡ଼ ଅଡ଼ୁଆ କଥା ! କରିବେ କ’ଣ ? ତେଣୁ ଏଭଳି ପ୍ରଶ୍ନଟିଏ ଶୁଣି ଦେଲେ ଆପଣ ନିଶ୍ଚୟ ହଡ଼ବଡ଼େଇ ଯିବେ । ଅବଶ୍ୟ ଅବସ୍ଥାକୁ ଚାହିଁ ଟିକେ ନମ୍ର ହୋଇ କହିପାରନ୍ତି–, ‘‘ଆଜ୍ଞା ବଡ଼ ମୁସ୍କିଲ୍‍ରେ ପକାଇ ଦେଲେ, ଗୋଳମାଳିଆ କଥାଟିଏ ପଚାରି ଦେଲେ, ଅଜାଗା ଘା’ ଦେଖିହୁଏ ନାହିଁ କି ଦେଖାଇ ହୁଏ ନାହିଁ, ଅଥାନରେ ଘା’ ହେଲେ କାହାକୁ ଭଲା ଦେଖାଇବ ? ଲାଜକଥା, ଯଦି ବା କିଏ ଠକେଇରେ ପଡ଼ିଗଲା (ଅବଶ୍ୟ ନିଶ୍ଚୟ ଠକେଇରେ ସିଏ ପଡ଼ିଥିବେ, ଏଥ‌ିରେ ସନ୍ଦେହ ନାହିଁ) ସେ କଥା ଭଲା ସିଏ କେମିତି ଦାଣ୍ଡରେ ପକେଇବ ? ହାଟରେ ହାଣ୍ଡି ଭାଙ୍ଗିବ, ରାମ–ରାମ–ରାମ, ଏଗୁଡ଼ା କଥା ଅବସ୍ଥା, ଆପଣାର ଓଲାପଣିଆ ଜଣାପଡ଼େ ସିନା ! ଡାକି ଡାକି ଲୋକହସା ହେବା ସାର ହେବ, ଏସବୁ ବିଚାରି ଆପଣ ଟିକିଏ ଗମ୍ଭୀର ହୋଇ ଶାସ୍ତ୍ରରୁ ଉପରୋକ୍ତ ଶ୍ଳୋକଟି ପଢ଼ି ପ୍ରଶ୍ନକର୍ତ୍ତାଙ୍କ ମୁହଁ ବନ୍ଦ କରିବାକୁ ଖୋଜିବେ, ଚାଲାକି କରି ତାଙ୍କୁ ଓଲଟି ପ୍ରଶ୍ନ କରିବେ, କହିବେ–ଆପଣ ଆଜ୍ଞା ଏତେ ସମସ୍ୟା ସଂସାରରେ ଥାଉଁଥାଉଁ ଏଭଳି ଗୋଟେ ପ୍ରଶ୍ନ ପଚାରିଲେ ବା କାହିଁକି ? ଆପଣ ଅଭିନୟ କରିଛନ୍ତି କି ? ଆପଣ ରାଜନୀତିରେ ଭାଗ ନେଇ ନିର୍ବାଚନରେ ଠିଆ ହୋଇଛନ୍ତି କି ? ଆପଣ ଖେଳୁଆଡ଼ ହୋଇ ନାଁ କରିଛନ୍ତି କି ? ଆପଣଙ୍କ ହବି କ'ଣ ? ଏଭଳି ବହୁ କୌତୂହଳପ୍ରଦ ଯୁଗୋପଯୋଗୀ ପ୍ରଶ୍ନତ ପଚାରି ପାରିଥାଆନ୍ତେ, ଯାହା ଏବେ ସମ୍ବାଦପତ୍ରରେ, ଟେଲିଭିଜନରେ, ସାକ୍ଷାତ୍‌କାରମାନଙ୍କରେ ବଡ଼ବଡିଆ ଲୋକଙ୍କୁ ପଚରା ହେଉଛି । ଅଥଚ ଆପଣ, ଏ ସମସ୍ତ ଚରାଚରିତ ପ୍ରଶ୍ନ ନ ପଚାରି ଏମିତି ଗୋଟେ କଥା ପଚାରି ଦେଲେ ଯେ ‘କହିଲେ କୁଳ କୁଟୁମ୍ବକୁ ଲାଜ’ । ବୁଦ୍ଧିମାନ ପ୍ରଶ୍ନକର୍ତ୍ତା କିନ୍ତୁ ପାଳି ଧରିବେ–ହାଁ, ହାଁ, ହାଁ, ଆଜ୍ଞା ଆର ପଦଟି ଛାଡ଼ିଗଲେ, ‘ନକହିଲେ କୁଳ ଭାସି ଯାଉଛି ଯେ’ କେମିତି ଜାଣିବା, ଶୁଣିବା ଲୋକେ ଏ ଯୁଗରେ ଠକେଇରେ ପଡ଼ୁଛନ୍ତି, ତାହା ଜନସାଧାରଣ ନ ଜାଣିଲେ ଭଲା ବୁଦ୍ଧି ଶିଖିବେ କିପରି ? ଦେଖା–ଶିଖା ଓଡ଼ିଶା, ବୁଦ୍ଧି ଶିଖେ ପଡ଼ିଶା ! ଲୋକେ ଠିକିଲେ ଶିଖନ୍ତି, ଆପଣ ଏଇ ଜନମଙ୍ଗଳ କାର୍ଯ୍ୟଟି ଟିକେ ନିଃସ୍ୱାର୍ଥପର ହୋଇ କଲେ, ଭଲା କେତେ ଲୋକଙ୍କୁ ଠକେଇରେ ପଡ଼ିବାରୁ ରକ୍ଷା କରି ପାରନ୍ତେ ? କେତେ ପବିତ୍ର କାମ ! ଏହା ପ୍ରକାରାନ୍ତରେ ଏକ ଉଚ୍ଚକୋଟୀର ଯୁଗୋପଯୋଗୀ ଦେଶ ସେବା ନୁହେଁ କି ? ନାହିଁ ଯଦି ସତକୁସତ ଜୀବନରେ ଆପଣ କେବେ ଠକେଇରେ ପଡ଼ିନାହାଁନ୍ତି ତେବେ ସେ କଥା ନିଆରା ! ତା’ବି ଯଦି କହିଦେଲେ ଠିକ୍‌ ତେବେ ଆପଣହିଁ ଏ ଦେଶର ନେତା ହେବେ । ହେଲେ ନେତା ସମସ୍ତଙ୍କୁ ସବୁବେଳେ ଠକନ୍ତି, କେବେକେବେ ତାଙ୍କୁବି କିଏ କିଏ ହେଲେ ଠକି ଦିଅନ୍ତି । ଯା’ହଉ ଆଜ୍ଞା ଆପଣ ବ୍ୟସ୍ତ ହୁଅନ୍ତୁନି, ଯଦି ନକହିବେ ନାହିଁ, ମୁଁ ଭୁଲ୍‌ ନମ୍ବରକୁ ଡାଏଲ୍‌ କରି ଦେଇଥିଲି ! ରଙ୍ଗ୍ ନମ୍ବର ! ଦୁଃଖିତ, ମୋର ଅନୁମାନ ଠିକ୍‌ ନୁହେଁ ? ଭୁଲ୍‌ ମାନି ନେଉଛି ଆଜ୍ଞା ! ଏ ଧରଣର କଥା ଶୁଣି ଆପଣ ଟିକେ ନରମି ଯିବେହିଁ ଯିବେ, ଥଙ୍ଗଥଙ୍ଗ ହୋଇ ଛେପ ଢୋକି କହିବେ–‘ବୁଝିଲେ ଆଜ୍ଞା, ସତକଥା କହିବାକୁ ଗଲେ, ଆଜିକାଲି ଏ ଦୁନିଆରେ କିଏ ଭଲା ଠକେଇରେ ନପଡ଼ିଛି ବା ନ ପଡ଼ୁଛି । ହଁ, କିଏ ଫିଟେଇ କହୁଛି, କିଏ ମନଭିତରେ ସାଇତି ରଖୁଛି...ଏତିକି ତଫାତ୍‌ ! ଦାଣ୍ଡକୁ ବାହାରିଲେ, ପାଞ୍ଚ ଲୋକ ସହ ମିଶିଲେ, କୋର୍ଟ, କଚେରି, ଅଫିସ୍‌, ସ୍କୁଲ୍‌, କଲେଜ, ସଂଘ, ଅନୁଷ୍ଠାନ ଯେଉଁଠି କାମ କରନ୍ତୁ, ଏମିତିକି ଟଙ୍କା କେଇଟାର ଦରବ ଜିଣିଲେବି ବେଳେବେଳେ ଅବସ୍ଥା ଅଠାଠିକ୍‌ ହେଉନି କି ? ଏପରିକି ଘର ଭିତରେ ପାଞ୍ଚଟାକୁ ନେଇ ଏକାଠି ଚଳିଲେ, ସଭାଟିଏ, ଉଚ୍ଛବଟିଏ ଯୋଗାଡ଼କଲେ, କାମ ସରିଗଲା ପରେ ଆସି ଦେଖିବେ ଯେ ଆପଣ ଠିକ୍‌ ଠକେଇରେ ପଡ଼ି ଯାଇଛନ୍ତି । କିଏ ଊଣା, କିଏ ଅଧିକ, କିଏ ସାତ, କିଏ ସତର, ଖାଲି ମାତ୍ରାରେ ଯାହା ଫରକ, ଅବଶ୍ୟ ମାନୁଚୁ ଆପଣା ମହତ ରଖିବାକୁ ମୁହଁଟାଣ କରି ହୁଏତ ଆପଣ ବଡ଼ପାଟିରେ କହିବେ–ଆରେ ଯା, ଯା, ମତେ ପୁଣି କିଏ ଠକେଇବ ? ମା’ ପେଟରୁ ଏଯାଏଁ ଜନ୍ମ ହୋଇନି ଏଭଳି ବଚ୍ଚା, ମତେ ଚିହ୍ନିଚୁଟି ? ମତେ ଚିହ୍ନିନାହିଁ, ସବୁରି ଫିସାଦି ମୁଁ ହାଡ଼େହାଡ଼େ ଚିହ୍ନେ । ଭିତର, ବାହାର ମୋତେ କିଛି ଅଛପା ନୁହ । ଶୁଣିଥାଅ, ମୁଁ କଂସାରି ଘରର ପାରା, ମୋତେ ପୁଣି କୁଲା ଢାଉଁ ଢାଉଁରେ କିଏ ଡରାଇଲାଣି ?

 

ମୋ ଆଖ‌ିରେ ଧୂଳି ଦେବା ଏତେ ସହଜ ନୁହେଁରେ ଧନ ! କିଏ ଡାଳେ ଡାଳେ ଗଲେ ମୁଁ ପତ୍ରେ ପତ୍ରେ ଯିବା ଲୋକଟି । ସବୁ ଅନ୍ଦି, କନ୍ଦି, ଫନ୍ଦି, ଫିକର ମୋ ନଖଦର୍ପଣରେ, କୋଉ ଖବର ଭଲା ମୋତେ ଅଛପା ? ମୋର ସଞ୍ଚାଣ ଦୃଷ୍ଟି । ମୋ ଆଖିରେ ଜଣେ ବାଦ୍‌ ଯିବେ ନାହିଁ, ମୋ ଆଖିରେ ଭଲା ଏଯାଏଁ କିଏ ପକ୍ଷୀ ଲଗେଇ ପାରିଲାଣି, ନା ପାରିବ ? ମୋତେ ପୁଣି ଠକିବ-? ହୁଁ ! ଏଇଭଳି ବଡ଼ପଣିଆ କରି କଥାଗୁଡ଼ାକ ଢମରେ କହିବା ମଧ୍ୟ ଏକପ୍ରକାର ଅନ୍ୟକୁ ଠକେଇରେ ପକେଇ ଦେବା ବାଟ ନୁହେଁ କି ? ଇଏ ମଧ୍ୟ ଠକେଇ କାମ ! ହଁ, ଆପଣ ଏଇଭଳି କହି ଅନ୍ୟକୁ ଠକିଦେଇ ପାରନ୍ତି । ସମ୍ଭାବନା ଅଛି, କିନ୍ତୁ ଏକଥାଟା ଯେ ସତ୍ୟ ନୁହେଁ, ଏହା ଆପଣଙ୍କ ସହିତ ଅନ୍ୟମାନେ ସମସ୍ତେ ଜାଣନ୍ତି,

 

ସେଇଠି ମଜା ରହିଗଲା କଥାର ।

 

ଆଚ୍ଛା, ଆପଣ ଆମ ଓଡ଼ିଆ ପିଲାଟି ? ମନେ ପଡ଼ୁଛି ପିଲାଦିନ କଥା, ବାପ, ମା’, ଆଈଠୁ ଶୁଣିଥିବ କଥା ଓ ଖେଳୁଥିବା ଖେଳ କ’ଣ ପାଶୋର ଗଲେଣି ? ଆପଣ ଯେତେବେଳେ ଗାଁରେ ଥିଲେ, ସାନପିଲା ହୋଇଥିଲେ, ଆପଣଙ୍କ ଘରେ କିମ୍ବା ପଡ଼ିଶା ଘରେ ଅବଶ୍ୟ ଦେଖିଥ‌ିବେ, ଶୁଣିଥ‌ିବେ, ଅଙ୍ଗେବି ଲିଭେଇଥ‌ିବେ । ଆପଣା ପିଲାଦିନର କଥା ମନେ ପଡ଼ୁ ନଥିଲେବି, ଆପଣଙ୍କ ପୁଅଝିଅର ପିଲାଦିନ କଥା ଅନ୍ତତଃ ମନେଥ‌ିବତ ?

 

ଫୁର୍‍ରେ ବାୟା’ ଗୀତ ମନେ ପଡ଼ୁଛି ? କୁନି ପିଲାଙ୍କ ପାଞ୍ଚ ଆଙ୍ଗୁଠି ଧରି ବୁଢ଼ୀମା, ଆଈମାନେ ଫୁର୍‌ରେ ବାୟା ଗୀତ ବୋଲି ଖେଳ ଶିଖାନ୍ତି । କୁନି ପିଲାଙ୍କ କୁନି, କୁନି, ପାଞ୍ଚ ଆଙ୍ଗୁଠିକୁ ଧରି ଏଇ ଖେଳଟି ଖେଳାଯାଏ । କାଣି ଆଙ୍ଗୁଠିରୁ ଆରମ୍ଭ ବୁଢ଼ାଆଙ୍ଗୁଠିର ଖେଳ ଶେଷ ।

 

କାଣି ଆଙ୍ଗୁଠିକୁ ଧରି ବୁଢ଼ୀମା ବୋଲନ୍ତି–

 

ଏଉଟି ବୋଇଲା କିସ ଖାଇବା ? ଏଉଟି ବୋଇଲା କାହୁଁ ଆଣିବା ? ଏଉଟି ବୋଇଲା ଋଣ କରିବା, ଏଉଟି ବୋଇଲା କାହୁଁ ଶୁଝିବା ? ଚାରୋଟି ଆଙ୍ଗୁଳିର କାମ ସରିବାପରେ ବୁଢ଼ାଆଙ୍ଗୁଠିକୁ ହଲେଇ, ହଲେଇ, ପାକୁଆ ପାଟିରେ ହସି, ହସି, ବୁଢ଼ୀମା ମଜା କରି କହନ୍ତି–ବୁଢ଼ା ମିଆଁ ଥାଇ କହିଲା, ଖାଇବା, ପିଇବା ସବୁରିକି ଠକି ଦେଇ ଫରୁର୍‌ କିନା ଉଡ଼ିଯିବା । ଫୁର୍‌ରେ ବାୟା କହୁ କହୁ ପାଞ୍ଚ ଆଙ୍ଗୁଠିଯାକ ଉପରକୁ ଉଠି ଯାଆନ୍ତି, ସତେ ଅବା ଡେଣା ମେଲାଇ ଉପରକୁ ଉଡ଼ିଗଲେ ସମସ୍ତେ । ବୁଢ଼ୀ ପିଲାମାନେ ହସି ହସି ଗଡ଼ି ଯାଆନ୍ତି । କି ସୁନ୍ଦର କିରିକିରି ହସ ବରଷ ପୂରୁ ନଥିବା ଶିଶୁଟିଏ ମଧ୍ୟ ଏକଥା ଶୁଣିଦେଇ ସୁନ୍ଦର ହସଟିଏ ହସିଦିଏ, ଭାରି ମନକୁ ପାଏ ତା’ର ଏଇ ଖେଳ । ସେ କହେ ‘ଆଉ’–ଅର୍ଥାତ୍‌ ଆଉଥରେ କହ । ଏମିତି ବେଶ୍‌ କିଛିବେଳ ଧରି ଚାଲେ ଖେଳ, ବୁଢ଼ୀ ଆଉ ନାତି, ନାତୁଣୀଙ୍କ ଭିତରେ । ଟିକିଏ ବଡ଼ ପିଲା ହେବା ଯାଏଁ ଫୁର୍‌ରେ ବାୟା ଶୁଣୁଥାଆନ୍ତି, ଆଉ ବଡ଼ ହୋଇଗଲା ପରେ, ଆଈମା’ କାହାଣୀ ପେଡ଼ିରୁ ଡୁମା, ଡୁମା, ଗପ ଶୁଣିଥିବେ, ଓଡ଼ିଆ ଘରର ସବୁପିଲା ନିଶ୍ଚେ ଶୁଣିଥିବେ,

 

ଆପଣଙ୍କର ମନେ ପଡ଼ୁଛିଟି–

 

“ଡୁମା, ଡୁମା, ବୋଲି ଡାକୁଥିଲା,

ମୋଅରି ହାତରୁ ନେଇଗଲା ।

ଆହା କେତେ ବାଜା ବାଜୁଥିଲା,

ଠକି ନେଲା, ଭାଇ, ଠକିନେଲା,

 

ଚତୁର ଚୋର ସର୍ଦ୍ଦାର କାଇଦା କରି ସମସ୍ତଙ୍କୁ ନିଶା ଧରେଇ ଦେଇଛି, ନିଶାରେ ନଚେଇଦେଇ, ସୁନା, ରୁପା ଭରା ଝୁଲାମୁଣି, ମା’ ହାତରୁ ତା’ ହାତକୁ ନଚେଇ ବେଶ୍‌ ନିଶାଖେଳଟିଏ ଧରେଇ ଦେଇଛି ।

 

ବାଜା ବାଜୁଛି, ଏଣେ ଝଣ୍‌, ଝଣ୍‌, ଶବ୍ଦରେ ସବୁରି ମନ ଖୁସି, ଡୁମା, ଡୁମା, କହି ସମସ୍ତେ ଦୁମୁ, ଦୁମୁ ହୋଇ ନାଚୁଛନ୍ତି, ଧନ ସମ୍ପତ୍ତି ଖେଳ କାହାକୁ ଭଲା ସୁଖ ନଲାଗେ ମନରେ ନିଶା ନ ଲାଗେ ? ନିଶାଟା ଠିକ୍‌ ଘାରି ଆସିଲାବେଳକୁ ଠକ ସର୍ଦ୍ଦାର ବେଳକାଳ ଉଣ୍ଡି, ସୁନା, ରୁପା ମୁଣିଟି ମାରିନେଇ ଦେ ଚମ୍ପଟ, ଆଉ ଏମାନେ ନିଶାରେ ଘାରି ହୋଇ ତାଳି ମାରି ଡୁମା, ଡୁମା ହୋଇ ନାଚୁଛନ୍ତି । ନାଚୁ ଥାଆନ୍ତୁ । କେମିତି, କେଜାଣି ଜଣେ ତରକି ଯାଇ କହି ଦେଲ–

 

“ଆରେ–ଆରେ ଭାଇ ଠକିନେଲାରେ, ଠକିନେଲା ।”

 

ଡୁମା, ତୁମା ବୋଲି ଡାକୁଥିଲା ।

ମୋଅରି ହାତରୁ ନେଇଗଲା ।

ଠକି ନେଲା ଭାଇ, ଠକି ନେଲା ।

ଧାଁ, ଧାଁ, ଧାଁ, ଖୋଜ୍‌, ଖୋଜ୍‌, ଖୋଜ୍‌,

କୁଆଡ଼େ ଗଲା, ସବୁତକ ନେଇ ସେ ଛୁଉ ।

 

ଏ ଟିକିଏ ବଡ଼ଦିନ ଖେଳ । ହାତପାଆନ୍ତାକୁ ଥରେ ଖସିଗଲେ, ଆଉ ସହଜରେ କ’ଣ ଧନ ମିଳିଲାଣି ? ପୁଣି ଏ ମହାକଳିକାଳ ଯୁଗରେ ? ଏଠି ଖାଲି ଗୋଳ, ଆଜ୍ଞା ଏ ଅତି ବିଷମ କାଳ । ସବୁ ଚିକ୍କଣ । ସବୁ ଚଟାପଟ ହାତରୁ ଖସିଯିବ ତୁମେ କି କଳି କଳିବ କାହାର ବଳ ? ଏ କୁଇଜ୍‌ ସିଲଭର ଯୁଗ ! ଆଣ୍ଟ କରି ଜକଟ୍‌, ମକଟ୍‌ କରି ଗଣ୍ଠି ପକେଇ ନ ଧରିଲେ ହାତରୁ ଖସିଯିବ-! ଆପଣଙ୍କର ଘର, ଚାକିରି, ପଦବୀ, ଗାଦି, କ୍ଷମତା ସବୁ ଆଜ୍ଞା, ସବୁ ଖସିଯିବ ।

 

ଏଥର ଶୁଣିଲେଟି ! କ’ଣ ସତକଥା ନୁହେଁ ? ଆମେ ଆମରି ଜୀବନରେ ଏଇଭଳି ଘଟଣାକୁ ନିତିପ୍ରତି କେତେ ନ ଦେଖୁଛୁ ? କହିଲେ ଭଲା ପିଲାଦିନ ଖେଳ ମନେ ପକାଉଛୁ କି ? ପିଲାଦିନ ଖେଳ ଭଳି ଘଟଣା ଘଟୁଛି । ଦଳେ ଚତୁର ଲୋକ ଅଛନ୍ତି, ବୁଢ଼ାଆଙ୍ଗୁଠି ପରି ଖାଇ, ପିଇ, ହେଣ୍ଡିମାରି ବେଳକାଳ ଉଣ୍ଡି ସବୁରିକି ଠକି ଦେଇ ଫୁର୍‌କିନା ଉଡ଼ିଯାଉଛନ୍ତି । ନୁହେଁ–ଆଉ ଧରାଛୁଆଁର ବାହାରକୁ ପଳାଉଛନ୍ତି ! କ’ଣ ନା–

 

“ଖାସା ମାନିଛି, ପୋଷାକ ମୋର,

ଏ ଥର ଆମେ ନୋହୁଁ କାହାର,

ଉଡ଼ି, ଉଡ଼ିଗଲୁ ଆମରି ପୁର

ତୁମ ମନ ହେଲେ, ଆମକୁ ଝୁର ।”

 

ଅନ୍ୟକୁ ଠକି ଏମାନେ ଭାରି ଆନନ୍ଦରେ ବେଳକାଳ ଦେଖି ଭଲରେ ଯାଆନ୍ତି । ଚିତା କାଟି ଚମ୍ପଟ । ଏ ଦଳଙ୍କର ସଂଖ୍ୟା କିନ୍ତୁ ଏବେ କ୍ରମଶଃ ବଢ଼ୁଛି । ଚିତା କାଟିବାରେ ଏମାନେ ଏତେ ଧୁରନ୍ଧର ଯେ କୁହା ନଯାଏ । ଆଉ ଦଳେ ଅଛନ୍ତି ପାଣିରେ ସର ପକେଇ କଥା କହିବା କଳା ଜାଣିଛନ୍ତି । କିଏ ସିନା ଦୁଧରେ ସର ପକାଏ, ଏଇ ସିଆଣିଆ ଲୋକମାନେ ତୁଚ୍ଛା ପାଣିରେ ସର ପକାଇ ଜାଣନ୍ତି । ମନକୁ କିଣିନେଲା ପରି ଚହଟ ଚିକ୍କଣ କଥା ମାନ କହନ୍ତି, ସତେ ଯେମିତି ଗୋଟାପଣେ ଏମାନେ ଖାସ୍‌ ତୁମରି ପରା । ତୁମପାଇଁ ତାଙ୍କ ଛାତି ଫଡ଼ାଫଡ଼ା ହୋଇ ଫାଟିଯାଉଛି–ଏମିତି ଭାବ । ତୁମ ଭଲପାଇଁ ନିଆଁକୁ ଡେଇଁ ପଡ଼ିବେ, ତୁମ ସୁଖପାଇଁ ତାଙ୍କ ଆପଣା ଜୀବନକୁ ସେ ପାଣି ଛଡ଼ାଇ ଦେଇଛନ୍ତି ପରା ।

 

ଆହାଃ–ଚୁ, ଚୁ, ଚୁ, ନାଇଁ, ନାଇଁ, ତୁମ ଦୁଃଖ କେବେ ରହିବ ନାହିଁ, ଖାଲି ମୋ ପେଁକାଳିଟାଏ ବଜେଇ ଦିଅ, ହାତୀ ଦେବ, ଛତି ଦେବ, ମୋ ପେଁକାଳିଟା ବଜେଇ ଦେ, ପ୍ରତିଶ୍ରୁତିର ମାଳ ଲମ୍ବିଯାଏ, ଶୁଣିବାବୁ, ତୁମର ସବୁ ଦୁଃଖ ଆଖି ପିଛୁଳାକେ ଉଭାନ କରିଦେବି, ଦେଖୁଥାଆ, ଆରେ ମୋ କଥା ଓ କାମ ସବୁ ପୂରା ସମାନ ଯେ !

 

ଏବେ ଗଣତନ୍ତ୍ର ସରକାର, ସାବାଳକ ଭୋଟ ପ୍ରଥା, ଲୋକ ପ୍ରତିନିଧି ନିର୍ବାଚନ, ଏବେଳେରେ ପେଁକାଳି ବଜେଇବା ପାଇଁ ବହୁଲୋକ ଦରକାର ହେଉଛନ୍ତି, ବହୁଲୋକ । ତେଣୁ ଖଟିଖିଆ, ସାଧାରଣ ମଳିମୁଣ୍ଡିଆ, ମୁଣ୍ଡ ଝାଳ ତୁଣ୍ଡରେ ମାରି ଢୋକେ ପିଇ, ଦଣ୍ଡେ ଜିଇଁ ରହୁଥ‌ିବା ମଣିଷମାନେ ସବୁ କବାଟ କଣରେ ପଡ଼ି ସବୁଥିରେ ନିଉନ ହୋଇ, ଦୁଃଖରେ ସଢ଼ି ସବୁରି ଗାଳି ସହି ହନ୍ତସନ୍ତ ହେଉଥିବା ମାଇପୀ ଲୋକେ, ଅଳ୍ପ ପାଠ ପଢ଼ି ବହୁକୁଟୁମ୍ବକୁ ପୋଷିବାକୁ ହାଇଁପାଇଁ ହେଉଥିବା ଗାଁ ଗହଳର ଟୋକାଟାକାଳିଆମାନେ, ପୁଣି ବେଶ୍‌ ପାଠଶାଠ ପଢ଼ି ସଉକିନିଆ ବେକାରିଆମାନେ, ହତାଶ ହୋଇ ବୁଲୁଥିବା ତରୁଣ ଦଳ, ଅଧିକରୁ ଅଧିକ ଏଇ ହାତୀଛତି ନିଶାରେ ଘାରି ହୋଇ ବାଟବଣା ହେଉଛନ୍ତି ରାଜନୀତି ନିଶାରେ ମାତାଲ ହୋଇ ପେଁକାଳି ବଜାଇବା କାମରେ ଆଖି ବୁଜି ଅହୋରାତ୍ର ଲାଗିପଡ଼ୁଛନ୍ତି, ଏ ପରା ଗଣତନ୍ତ୍ରର ଯୁଗ ! ଲୋକ ପ୍ରତିନିଧି ଶାସନ ! ଗଣତନ୍ତ୍ର–ଯନ୍ତ୍ର, ଦଳ ନାମ ଜପ ମନ୍ତ୍ର । ଯେଝାମତେ ଯିଏ ।

 

ଖାଲି ପ୍ରଚାର ପ୍ରଚାର, ନରଖ କିଛି ବାଛବିଚାର । ହାଁ ଯେତେ ଦମ୍‌ ଅଛି, ସବୁ ଲଗେଇ, ପ୍ରାଣପଣେ ବଡ଼ ଜୋରରେ ପେଁକାଳି ବଜାଅ । ଯିମିତି ସବୁ ପେଁକାଳିକୁ ଟପିଯିବ, ଏମାନେ ପେଁକାଳି ବଜାଉଥିବା ଦଳ ସାଥେ ସାଥେ କିଛି ଲାଭ ଅବା ପାଇଥିବା ନିଶାରେ ଘାରି ହୋଇ ସବୁ ବଳ ଖଟେଇ ପେଁକାଳି ବଜେଇଲେ । ହଁ, ପେଁକାଳି ବାଜିଲା । ମିଳିତ କଣ୍ଠରେ ଆଖଡ଼ା ଘରେ । ଖୁବ୍‌ ଜୋରରେ । ହାଁ । ବୁଝି ଖବରଦାର୍‌ ଆହୁରି ଦମ୍‌ ଲଗେଇ ବଜା, ବଜାରେ ବଜାରେ ପେଁକାଳି ବଜା, ଖଣ୍ଡମଣ୍ଡଳ ଭାରି ଜୋରରେ ପେଁକାଳି ଶବ୍ଦରେ ଭରିଗଲା । ଚଉଦିଗ ଗୋଟାପଣେ କମ୍ପିଲା-। ପଡ଼ିଲା ଉଠିଲା, ଖବରକାଗଜରେ ଜକଜକ ଦିଶିଲା–ନାଁ ଝଟକିଲା–ଅମୁକଙ୍କ ନାଁ । ଅମୁକଙ୍କ ପେଁକାଳି, ସମୁକଙ୍କ ପେଁକାଳିଠାରୁ ବାଜଣାରେ ଖୁବ୍‌ ଟପି ଯାଇଛି, ସିଏ ଏବେ ନିର୍ବାଚନରେ ଜିଣିଗଲେ । ଲୋକେ ତାଙ୍କୁ ବାଛି ନେଲେ, ସେ ଆସନ ଅଳଙ୍କୃତ କଲେ, ଜୟ ଜୟକାର ପଡ଼ିଲା, ସେ ଭୋଟରେ ଜଣିଗଲା ବୋଲି ଜଣାପଡ଼ିଲା । ଏଣେ ଅଣନିଃଶ୍ଵାସୀ ହୋଇ ଭୋକ ଉପବାସରେ ଜୀବନ ବିକଳରେ ପେଁକାଳି ବଜାଉଥିବା ଅତି ସାଧାରଣ ସରଳ ମଣିଷଗୁଡ଼ାକଙ୍କର ଆନନ୍ଦ ଦେଖେ କିଏ ଆଉ ? ଖୁସି, ମଉଜ, ପାଟିତୁଣ୍ଡରେ ତ ଦାଣ୍ଡ କମ୍ପୁଛି, ହେଇଟି, ମୁଁ ବଜେଇଛି, ଆମେ ବଜେଇଛୁ ।

 

ମୁଁ ହାତୀ ପାଇବି, ମୁଁ ଛତି ପାଇବି, ମୁଁ ବତି ପାଇବି, ମୁଁ ପତି ପାଇବି, ମୁଁ ଖତି ପାଇବି, ମୁଁ ସମ୍ପତ୍ତି ପାଇବି, ଏଇଭଳି ନିଶାରେ ସଭିଏଁ ଭୋଳ, ଯେତକ ବତୀ ପେଲା ଦଳ, ସେମାନଙ୍କ ଧାଁ ଧପଡ଼ ଲାଗିଛି । ଡୁମା, ଡୁମା ନିଶାରେ ଅମୁକ ପେଁକାଳି ବଜାଇବା ଦଳ ନାଚିଲେ, ଦୁମ୍‌ଦୁମ୍‌ ହୋଇ ପାଦ ପକେଇଲେ, ସ୍ଲୋଗାନ୍‌ ଦେଲେ, ହାମାରା ନେତା କୈ ସା ହୈ ? ଅମୁକ୍‌ ଜୈସା ହୈ-? ଜିତିଥିବା ନେତା ସବୁ ନେତାଙ୍କଠାରୁ ଶ୍ରେଷ୍ଠ ନିଶ୍ଚୟ, କାରଣ ସିଏ କଥା ଦେଇଛନ୍ତି ଯେ ମୋ' କଥା ତା’ଙ୍କୁ ଲାଗିଛି ପରା । ଆଉ ଏ ଅନ୍ଧାର ରହିବ ନାହିଁ !

 

“ଏଥର ଜଳିବ ଉଜ୍ଜ୍ୱଳ ବତୀ

ହେଉ ପଛେ ତାହା ବତୀ ଦୁର୍ନୀତି

ଟେକିଥିଲୁ ଆମ୍ଭେ ତାଙ୍କରି ଛତି

ଆମେ ପାଇଯିବା ଅସଲ ପତି”

 

ଆଲୋ, ଶାଗ ତୋଳା, ତୁମ ନେତା ହେଇଛନ୍ତି ଚଉଧୁରୀ, ଆମକୁ ଟିକେ ଧରି କରି ନିଅ, ଆମ ଗୋଡ଼ ତଳେ ଲାଗୁନାହିଁ, କିନ୍ତୁ ହେଲା କ’ଣ ?

 

‘‘କାହାଘରେ ଜଳିଲା ବିଜୁଳି ବତୀ

କାହା ଘରେ ଉଆଁସ ଅନ୍ଧାର ରାତି” ।

 

ଠକି ଦେଲାରେ, ଠକି ଦେଲା ? କଲେ କ’ଣ ? ଏଁ–ସତେ ? ଯେ ପଖାଳ ଖାଇଛି–ସେ ତବତ ପାଇଲା । ଯେ କିଛି ନ ଖାଇଛି–ସେ ଚୁଲିକି ଗଲା, ଏଇ ନୀତି ? ଏଣେ ସ୍ଲୋଗାନ୍‌ ଦେଇ ନିଶାରେ ନାଚି ନାଚି ହାଲିଆ ହେଇଯିବା ମଣିଷମାନେ ଭବିଷ୍ୟତ ଆଶାରେ ଆଉ ଘେରାଏ ନାଚି ଯାଆନ୍ତି ସବୁ ବଳ ଖଟେଇ ! ଆମେ ଏଥର ସବୁକିଛି ପାଇଯିବୁ ଭାବିଥ‌ିବା ଭୋଟରଙ୍କୁ ପୂରା ଚିତା କାଟି ଦେଇ ଭୋଟ ଜିଣିଥ‌ିବା ତଥାକଥିତ ନେତା ଦଳ ମଧୁର ମନଭୁଲାଣିଆ ବଚନ କହନ୍ତି–ବଚନ ସର୍ବସ୍ଵ ନିର୍ବାଚନ ଯେ !

 

“ମଣିଷ ଦଳ, ମୋଅର ବଳ,

–ଆଁ କରିଥା ଖାଇବୁ ଫଳ”

 

କିହୋ ? ଫଳ କାହିଁ ? ପୁଷ୍ପ କାହିଁ ? ଆରେ, ଆରେ, ଆରେ–

 

“ଡୁମା, ଡୁମା ବୋଲି ଡାକୁଥିଲା

ଆମରି ହାତରୁ ଘେନିଗଲା

ଭୋଅଟ୍‌ ବାକ୍‍ସ ଭରିଦେଲା,

ଠିକି ଦେଲା ଭାଇ, ଠକି ଦେଲା”

 

କିଏ ଏ ଠକ ? ଆଜ୍ଞା, ସେ ହେଲେ ଲୋକ ପ୍ରତିନିଧି, ସେ ହେଲେ ନିଧି, ସେ ହେଲେ ବିଧି ! ଆଜ୍ଞା, ସତ କହିଲେ, ଏ କ’ଣ ଠକାମୀରେ ପଡ଼ିବା କଥା ନୁହ ? ଏଭଳି ଠକେଇରେ ଏ ଯୁଗରେ କିଏ ବା ନ ପଡ଼ିଛି କହିଲେ ?

 

ହଁ–ଆଶା ବୈତରଣୀ ନଦୀ, ଲୋକଙ୍କର ଭଲା ମନେରଖିବା ଶକ୍ତି କେତେ ? ପଛକଥା ବେଳେବେଳେ ପାଶୋରି ପକାନ୍ତି । କଅଁଳ କଥାରେ ଭୁଲିଯାଇ, ଆପଣା ମନକୁ ବୁଝାଇ ପୁଣି ହୁଅନ୍ତି ସଜବାଜ, ପେଁକାଳି ବଜାଇବା ଲୋକମାନେ ପୁଣି ମନ ଆଣ୍ଟ କରି ଅମୁକଙ୍କ ଦୁଆରେ ଆସି ଠିଆହୁଅନ୍ତି । ମଧୁର ବଚନ, ସରୁହସଟିଏ ଓଠରେ ଧରି ନେତାଏ ଭାଷନ୍ତି–ହାଃ, ହାଃ, ହାଃ, ଠିକ୍ ହେବ ! “କିହୋ ! କ’ଣ ହବ ? କେତେବେଳେ ? କାହିଁ ? ହାତୀ କାହିଁ ! ଛତି କାହିଁ ! ବତୀ କାହିଁ ! ଭଲା ପ୍ରୀତି କାହିଁ” ! କିଏ–କିଏ ତୁମେ ? ବାହାର, ବାହାର ।

 

ଖାଲି ଭୀତି ଯେ, ଏମାନଙ୍କ ପାଇଁ ହାତୀ, ଛତି, ବତୀ, ପ୍ରୀତି ନାହିଁ ! ଦୂର୍‌ଦୂର୍‌ ମାର୍–ମାର୍‌, ତେଙ୍ଗା ବଳବାନ୍‌ । ଖାଲି ଭୀତି ! ଆଉ ସହିବାକୁ ହେବ କ୍ଷତି, ବହୁତ କ୍ଷତି ! ଅଧୋଗତିହିଁ ଅଛି ! ନେତାଙ୍କ କାନରେ କାହାରି ଗୁହାରି ପଡ଼େ ? ସିଏ ଖରାପ କଥା ଶୁଣନ୍ତି ନାହିଁ । ଆଡ଼ନୟନରେ ଚାହାନ୍ତି କି ! କିଏ ତାଙ୍କ ପାଦତଳେ ଗଡ଼େ, ଗଡ଼ୁ, ଖରାପ କଥା ଦେଖିବୁ ନାହିଁ, ଖରାପ କଥା ଶୁଣିବୁ ନାହିଁ ! ପୁଣି ଖରାପ କଥା କହିବୁ ନାହିଁ ବୋଲି ଗାନ୍ଧିଜୀଙ୍କ ତିନି ମାଙ୍କଡ଼ଠୁଁ ଏମାନେ ଶିଖିଛନ୍ତି । ତେଣୁ ଜିଣିବା ନେତାଏ, ଲୋକେ ଦୁଃଖ ପାଉଥିବା ଖରାପ କଥାଗୁଡ଼ାକ ଜମା କାନରେ ଶୁଣନ୍ତି ନାହିଁ ! ଲୋକଙ୍କ ଦୁଃଖ ଦେଖନ୍ତି ନାହିଁ, ଲୋକଙ୍କୁ ମିଛ ବୋଧ ଦିଅନ୍ତି । ଖରାପ କଥାବି କହନ୍ତି ନାହିଁ, ଭଲ କଥା କହନ୍ତି, ଏଇଟା ନେତାଗୁଣ–ଚାଲାକି–ବିଚିତ୍ର ଠକେଇର ନମୁନା ପରା । ହଉ, ହଉ, ଦେଖ‌ିବା, ଦେଖିବା, ଭୋଟର ନାରାୟଣ, ତମର ଜୟ,

 

ତମେହିଁ ଗଣ, ତମେହିଁ ପ୍ରାଣ, ତୁମରି ଜୀବନ ଧନ୍ୟ, ଧନ୍ୟ । ତୁମେ’ତ ରଖିଲ ଦେଶ ସମ୍ମାନ । କିମିତି ସୁଝିବି ତୁମରି ଋଣ ? ତୁମ ହାତେ ଟେକି ଦେଲି ଜୀବନ !

 

ବାବା ! ପ୍ରଭୁ ତୁମର ମଙ୍ଗଳ କରିବେ, ତୁମରିହିଁ ବିଜୟ, ଗରିବ ଲୋକଙ୍କର ବିଜୟ ଇଏ-। ମୁଁ ତାଙ୍କରି ହାତର ଖେଳନା, ତାଙ୍କରି ଯୋଗେ ଉଡ଼େ ମୋ ବାନା । ଏମିତି କହି ଦେଖ‌ିବା, ଦେଖିବା, ଟିକେ ଅପେକ୍ଷା କର, ମୁଁ ଟିକେ ଥଇଥାନ ହୁଏ, ଦମ୍ଭଧରି ବସେ, ତୁମ କଥା ଆଗ ବୁଝିବି, କିନ୍ତୁ ଏମାନଙ୍କ ନୀତି ହେଲା :–

 

“ଦେବା, ଦେବା, ସବୁ କରିଦେବା–

ନାହିଁ ନ ଦେବାତ ନ କହିବା

ବେଳକାଳ ଦେଖି ଠକିଦେବା,

ଏ ନୀତି ମାନିଲେ ନେତା ହେବା ।”

 

ବୁଝିଲେ, ସତକୁସତ ଆପଣ ନୀତି ଖୋଜୁଛନ୍ତି ? ତେବେ ଭାଷାକୋଷ ଦେଖନ୍ତୁ, ପାଇବେ–ଆଉ ଏ ରାଜନୀତିରେ ? ଛି–ଛାତି କରତି ହେବ, ଛତି ଜମା ନ ମିଳିବ, ହଁ–ଯେତିକି କରିବ ଆଉଁଷା, ଘଷା, ସେତିକି ଦିନକୁ କୁଟୁମ୍ବ ପୋଷା । ଅବା ଦିଦିନକୁ ! ଟୁଉକୁ ପତର ଦାନ–ଚୁଲି ମୁଣ୍ଡକୁ ଅନା ଅବସ୍ଥା ଯେ ! ଦେଖନ୍ତୁ ଆଜ୍ଞା–ଏ ଠକାମୀର ହିସାବ ଖୋଜିବସିଲେ ଆଉ ଏକ ପୋଥି ଲେଖିବାକୁ ହେବ, ତେବେ ଠକିଦେଲେ ବୋଲି ବିଚାରୁଥିଲେ ମଧ୍ୟ ନିଲଠା ହୋଇ ନେତାଙ୍କ ଦେହରେ ଅଠା ଭଳି ଲାଖି ଯାଆନ୍ତି, ଦଳେ ଭୋଟର ଦାନ୍ତ ନିକୁଟି କହନ୍ତି ପୁଣି–ପେଁକାଳି ଆମେ ବଜେଇଥିଲୁ ଯେ–ଆଜ୍ଞା, ନିଃଶ୍ୱାସ ବନ୍ଦ ହୋଇଗଲା, ଆଜ୍ଞାଙ୍କ ଦେହରେ ଅସଲ ଛାପ ଲାଗିଲା । ସେ ଛାପର ଏ ଗଣତନ୍ତ୍ର ଯୁଗରେ କେଡ଼େ ବଡ଼ କରାମତି,

 

ଗାଦି ଥିଲେ ଯେତେ, ଗଲେବି ସେତେ !

ଜୀବନଯାକ ପାଇଁ ଆପଣଙ୍କର ରହିଲା ଭତ୍ତା,

 

ଆମେ ସବୁ ହେଲୁ ଭକୁଆ, ଆମପାଇଁ ଆପଣ ହେଲେ ବାଆକୁ ବତା,

ହେଲେ ଏମାନଙ୍କ କଥା ଶୁଣେ କିଏ ?

 

“ନେତାଙ୍କ କାନରେ ଠିପି

ଦେ ତୋଟିକି ଚିପି ।”

 

ତାଙ୍କ ପାଇଟି ସରିଗଲା, ତାଙ୍କ ପାର୍ଟି ଜିଣିଗଲା, ସିଏ ହେଲେ ପ୍ରତିନିଧି, ତାଙ୍କୁ ମିଳିଗଲା ଅଜଣାନିଧି, ତୁମେ ଡାକୁଆ କପାଳ ଲିଖନ ବିଧି, ସେ ପରା ଶାସକ, ଏବେ ହେବେ ପୁଣି ଶୋଷକ : ତୁମେ ହେବ ଡାହୁକ : ସେ କରୁଥିବେ କୁହୁକ ।

 

ରଡ଼ି, ରଡ଼ି ଶୁଖିବ ତୁମର ତୋଟି, ତୁମପାଇଁ ପଡ଼ିବ ତାଙ୍କରି ତାଟି, ତୁମେ ମିଛକୁ କରୁଥା ପାଟି–କିଏ ଶୁଣୁଛି ? ଆଜ୍ଞା ନାହିଁ ନାହିଁ, ତାଟି ନୁହେଁ–ସିଂହଦ୍ଵାର, ଦରୁଆନ ଆଉ ଆଲ୍‌ସିସିଆନ୍‌ କୁକୁର । ଠକି ଦେଇଥ‌ିବା ପରିବାରଙ୍କର କଚେପୁଅ ବାର ।

 

‘‘ସେମାନେ ଚଳିଲେ ଦିଲ୍ଲୀ ନଗର

ଖାସା ମାନିଗଲା, ପଦବୀ ସାର ।”

 

ଏ ଗଣତନ୍ତ୍ର, ଭୋଟତନ୍ତ୍ର ଯୁଗରେ, ଏ ରାଜନୀତି ଠକେଇକଥା କାହାକୁ ଅଜଣା ? ଏ ହେଲା, ଏ ଯୁଗର ନବୀନ ଗଣତାନ୍ତ୍ରିକ ଯାନ୍ତ୍ରିକ, ମାନ୍ତ୍ରିକ, ନେତୃତ୍ୱ ଠକେଇ, ଆତସବାଜିର ହାବେଳି ବାଣ । ହେଲେ ମନେ ରଖିଥାଅ, ଯେତିକି ଉପରକୁ ଉଠିବ–ସେତେ ତଳକୁ ଖସିବ, ଦିନ ଆସିବ, ଏମାନେବି ଠକିଯିବେ ଯେ ।

 

“ଯେତେ ଖାଇଥିବେ ଛେନା ଗଇଁଠା,

ଧନ୍ୟ ସହିଯିବେ ବିଧା ଗୋଇଠା ।

ଯେତେ ପିଇଥ‌ିବେ ନବାତ ପଣା,

ଧନ୍ୟ ସହିଯିବେ ଚୁଟି ଝିକଣା ।”

 

କେବେ ଫୁଲମାଳ ତ ଜୋତା ମାଳ । ଏ ଯେଉଁ ରାଜନୀତିରେ ଠକେଇ ଖେଳ ଚାଲିଛି, ସେଥିରେ ଏଇ ଖେଳୁଆଡ଼ମାନେ ମଧ୍ୟ ବେଳେବେଳେ ଚତୁର ଭୋଟରମାନଙ୍କଦ୍ଵାରା ଠକେଇରେ ପଡ଼ିଯାଆନ୍ତି । ହେଲେ ଏମାନେ ଗଣ୍ଡାର ଚମଡ଼ା ଯୋଡ଼ି ହୋଇଯାଆନ୍ତି, ଢେଉ ଆସିଲେ ଗୋଡ଼ ପୋତିଦିଅନ୍ତି, ସମୟକୁ ଅପେକ୍ଷା କରନ୍ତି, ଏ ରାଜନୀତିର ପାଲାରେ ଆମେ ସବୁ ଭାରତବାସୀ ଊଣା ଅଧିକ ପଡ଼ି ନାହୁଁକି, ସବୁ ରାଜନୀତିକ ଦଳ ସମାନ, କିଏ ଊଣେଇଶ ଓ କିଏ ବିଶ୍‌ !

“ସେହି ମଣିଷ, ସେହି କାମ ।

ବେଳକାଳ ଦେଖି ଧରନ୍ତି ସିଏ ନୂଆ ନାମ”

ଠକିବାପାଇଁ ନାମ ବଦଳ ହୁଏ, ଆଉ ଭୋଟରଙ୍କ ଅବସ୍ଥା କଥା ପଚାରୁଛନ୍ତି ?

ମୁଁ ଯାହାକୁ ବୋଇଲି ଆଈ,

ମୋତେ ସିଏ ଗୋଡ଼ାଇଲା ଖାଇ,

ମୁଁ ମିଛରେ ତା’ପାଇଁ ବାଇ,

ଆହା କେତେ କାହିଁଗଲି ଧାଇଁ ॥’

“ଠକି ଏବେ ହୁଏ ହାଇଁପାଇଁ

ଲାଜେ କା’ ଆଗେ ନ ପାରେ ଗାଇ ।

ଏବେ ଆଉ ପାରୁନାହିଁ ସହି ।”

ଏବର ସବୁ ରାଜନୈତିକ ଜଗତର ନେତାଙ୍କଠାରୁ କିଏ, କିଭଳି, କୁ ସଜରେ କେତେବେଳେ କେମିତି ଠକି ହୋଇଛି, ନ ହୋଇଛି, ତାହା ଅନ୍ତର୍ଯ୍ୟାମୀହିଁ ଜାଣନ୍ତି, କେଜାଣି ଗୁପ୍ତରେ ଚିତ୍ର ନେବା, ଯେଉଁ ଧର୍ମଦେବତାଙ୍କ ମନ୍ତ୍ରୀ ଚିତ୍ରଗୁପ୍ତଙ୍କ କାମ ଥିଲା, ଏବେ ଯଦି ସିଏ ସେଭଳି କର୍ତ୍ତବ୍ୟନିଷ୍ଠ ହୋଇଥିବେ, ଅବା ସେପୁରରେ ଥାଇ ସେ ମଧ୍ୟ ସବୁରି ଫଟୋ ଉଠେଇ ରଖିଥ‌ିବେ, ଏସବୁ ଆଜ୍ଞା ଅଜାଗା ଘାଆର କୋପ । କାହାକୁ ଦେଖେଇବୁ କହ ?

ନେତାଙ୍କ ସିଲାବସ୍‍ରେ ଜନତା ସେବାର ଯେଉଁ ପୁରୁଣା କୋର୍ସ ଥିଲା ଏବେ ସେ ସବୁ ବଦଳି ଯାଇଛି, ନୂଆ ସିଲାବସ୍‌ ! ନୂଆ ପାଠ ପଶିଛି, ଦରିଦ୍ର, କୃତଜ୍ଞ, ଆଶ୍ରିତ ବ୍ୟକ୍ତିଙ୍କପାଇଁ ଶାସକ ଶିବି ରାଜ ତୁଲ୍ୟ ଜୀବନ ଦାନ କରିବେ, ଅର୍ଥାତ୍‌ ନେତା, ଶାସକ, ପ୍ରତିନିଧ‌ିଙ୍କ ଜୀବନ ଭୋଟରଙ୍କ ହିତପାଇଁ । ଏ ଥିଓରୀ ଏବେ ସିଲାବସ୍‌ ବହିର୍ଭୂତ, ଓଲଡ଼୍ କୋର୍ସ ପରା ଆଉ ଚଳୁନି, ଏଯୁଗରେ ଚଳୁନି ! ଆପଣ ନୂଆ ସିଲାବସ୍‌ ଦେଖନ୍ତୁନା । ପ୍ରାଜ୍ଞ ଲୋକମାନେ ଧନ ଓ ଜୀବନକୁ ଅନଶ୍ଚିତ ଜାଣି ପରପାଇଁ ସର୍ବଦା ନିଜକୁ ଉତ୍ସର୍ଗ କରିଥାନ୍ତି, କାରଣ ବିନାଶଶୀଳ ଯାହା ତା’କୁ ସତ୍‍କାର୍ଯ୍ୟରେ ବିନିଯୋଗ କରିବା ଉଚିତ । ଏଇ କଥା ତ ? ଏ ନୀତି ଭାରତବର୍ଷର ନେତାଙ୍କ ପୁରୁଣା ସିଲାବସ୍‌ରେ ଥିଲା, ଅବଶ୍ୟ । କିନ୍ତୁ ଏବର ରାଜନୀତି ପାଠ୍ୟକ୍ରମରେ ଏସବୁ ଆଉଟ୍‌ ଅଫ୍‌ କୋର୍ସ । ଏବେ ରାଜନୀତିର ଅର୍ଥ–ବାଜନୀତି, ଅର୍ଥାତ୍ ଛଞ୍ଚାଣ ନୀତି । ଯାହା ପାରୁଛ ଝାମ୍ପିନିଅ । ତେଣୁ ଏବେ ସବୁ ରାଜନୈତିକ ଲୋକମାନେ ଊଣା ଅଧ‌ିକ ତାଙ୍କ ନୂଆ କୋର୍ସରେ ଥିବା ଠକେଇ ବିଦ୍ୟାରେ ପାରଙ୍ଗମ ହେବାକୁ ବାଧ୍ୟ । ତା’ ନହେଲେ ସେମାନଙ୍କର ରାଜନୀତିରେ ପ୍ରବେଶ ନଦାରଦ୍‌ । ହଁ କିଏ ଏବେ ଠକେଇ ବେଶୀ ଜାଣେ–କିଏ ଟିକିଏ ଊଣା । ପୁଣି ଏଇ ଚାଲାକି ବିଦ୍ୟା ଏବର ଧର୍ମପରା, ସମସ୍ତେ ଏହାକୁ ଗଣ୍ଠିଧନ କଲେ । ଏ ଚାଲାକି ବିଦ୍ୟା ମଧ୍ୟ ଭୋଟରଙ୍କ ସିଲାବସ୍‌ରେ ଏବେ ପଶିଗଲାଣି, ଯେ । ଆଜିକାଲି ଖୁବ୍‌ କୌଶଳୀ, ଚତୁର ଲୋକେ ମଧ୍ୟ ପେଁକାଳି ମାଲିକଙ୍କୁ ବେଳ ଦେଖି ଖାସା ପାନେ ଦେଇ ବେଶ୍‌ ଠକି ଦେଉଛନ୍ତି । ଟଙ୍କା, ପଇସା, ଧନ ଦରବ ସବୁ ପକେଟରେ ପକେଇ ଦେବ, କାଳ ଦେଖି ଠକିଦେଇ କାଇଦାରେ ଠେକିଏ ପାଣି ପିଆଇ ଦିଅନ୍ତି, ତା’ପରେ ଛୁଉ–

“ବଚନ ମଧୁର କଥାଟି ସରୁ

ଜାଣିଥିବ ଇଏ ଠକଙ୍କ ଗୁରୁ”

 

ଲୋକଙ୍କ ମନ ଜିଣିବାପାଇଁ ସବୁଠାରୁ ଶସ୍ତା ଔଷଧ ମଧୁର ବଚନ । ଖା, ଭୁଞ୍ଜ, ଗିଳି, ସିଏ ଏକା କଥା–ଅଭିଧାନରେ ଏକା ଅର୍ଥ । ହେଲେ କେମିତି କହିଲେ ଲୋକଙ୍କ ମନକୁ ପାଇଯିବ, ତାହା ଠଉରେଇବା ହେଲା ଟ୍ୟାକ୍‌ଟିସ୍‌ । ଏହାହିଁ ନୂତନବିଦ୍ୟା ପେଁକାଳି ବଜାଇବା ଦଳ ଓ ପେଁକାଳି ମାଲିକଙ୍କ ଭିତରେ ଯେଉଁମାନେ ଯୋଗସୂତ୍ର ସ୍ଥାପନ କରନ୍ତି, ସେମାନେ ହେଲେ ସୂତ୍ରଧର !

 

“ଡାକନାମ ଟାଉଟର,

ସେମାନେ ମାମଲତ୍‌କାର ।,

ମାରିନେବାରେ ପାରିବାର,

ଲୋକଙ୍କୁ କରନ୍ତି ହରବର ।”

 

ବେଳ ପଡ଼ିଲେ ପେଁକାଳି ମାଲିକଙ୍କୁ ଏଇ ଦଳଟା ବେଶ୍‌ ଆଚ୍ଛା କରି ଠକିଦିଅନ୍ତି ଯେ । ଆପଣାକୁ ମୁଁ ଆପଣଙ୍କ ପାଇଁ ପୂରାପୂରା ପାଣି ଛଡ଼େଇ ଥୋଇ ଦେଇଛି । ଲୁଣ ଖାଇଛି, ଗୁଣ ଗାଇଛି ଆଜ୍ଞା, କୃତଘ୍ନକୁ ନରକବାସ, ହାଁ, ଜାଣିଥା ! ରାତି ନାହିଁ, ଦିନ ନାହିଁ” ବିଶ୍ରାମ ନାହିଁ, ବାସ ନାହିଁ, ବସା ନାହିଁ, ବାତଚକ୍ର ପରି ଘୂରୁଛୁ, ଅର୍ଜୁନ ମାଛ ଆଖିକୁ ଚାହିଁଲା ପରି–ଆମର ଗୋଟିଏ ଦୃଷ୍ଟି–ଆପଣଙ୍କ ନିର୍ବାଚନରେ ଆପଣ କେମିତି ଜିଣିବେ, ଆଜ୍ଞା, ଆପଣହିଁ ଆମର ନିଧି । ହେବେ ପ୍ରତିନିଧି, ଆପଣଙ୍କ ପେଁକାଳି ଯଦି ନ ବଜେଇଛୁ, ଏ ତୁଣ୍ଡ ଗଡ଼ଗଡ଼ ହୋଇ ଛିଡ଼ି ପଡ଼ିବ । ଗାଁ, ଗାଁ, ହୋଇ ଉଦୁଉଦିଆ ଖରାରେ ଗୋଡ଼ ଫୋଟକା କରି ଏଇ କଥା କହୁଛୁ ଆଜ୍ଞା, ଆପଣଙ୍କ ଗୁଣ ଗାଉଛୁ । ଲୋକଙ୍କୁ ଶୁଆପରି ଘୋଷାଉଛୁ, ଏଇ ନେତା ତାରିବେ, ଚଢ଼େଇ ଚିରଗୁଣୀଙ୍କ ପେଟ ଚିହ୍ନନ୍ତି, ସାକ୍ଷାତ୍‌ ବିଷ୍ଣୁରୂପ ଧରି ଆମକୁ ଉଦ୍ଧରିବେ ବୋଲି ଏ ନେତା ଏ ଅପନ୍ତରା । ଥାନରେ ଜନ୍ମ ହୋଇଥିଲେ । ଅପାଠୁଆ ଲୋକେ ଏବେ ବୁଝିଲେଣି ପରା । ଆପଣଙ୍କ ପେଁକାଳିହିଁ ବାଜିବ, ବାଜିବ, ବାଜିବ । ପଞ୍ଚଜନ୍ୟ ଶଙ୍ଖକୁ ଟପିଯିବ, ବାଜିଲେ ଆମ ଦୁଃଖ ସବୁ ଘୁଞ୍ଚିବ, ଘୁଞ୍ଚିବ। ପୁଣ୍ୟଭୂମିରେ ମଣିଷ ବଞ୍ଚିବ, ବଞ୍ଚିବ, ବଞ୍ଚିବ । ହେଁ ହେଁ ହେଁ ବୁଝିଲେ ଆଜ୍ଞା–ସବୁ ଠିକ୍ ହେବ, ଖାଲିହେଁ ଖାଲି ଏତିକିମ ! ଏ ଦୁର୍ବଳିଆ ଗରିବଗୁରୁବାଙ୍କ ତୁଣ୍ଡରେ ଖାଲି ଟିକେ ‘ଭିଟାମିନ୍‌ ଏମ୍‌ ପଡ଼ିଯାଉ–ମନି ବା ଟଙ୍କା ସେତିକି ଭିଟାମିନ୍‌ ! ସେତକ ପାଇଗଲେ ଏଗୁଡ଼ା ପରା ତାଜା ହୋଇ ଧାଇଁବେ ଭୋଟ କେନ୍ଦ୍ରଆଡ଼େ, ଆଜ୍ଞା ଆପଣ ତ ଦାତା, ଯାଚକର ମନ ଜାଣନ୍ତି, ଧନ୍ୟ ଯେ ହାତା ଜାଣେ ଯାଚକ ମନ’ ଟଙ୍କା । ଯିଏ ସୂର୍ଯ୍ୟ କିରଣଠୁଁ ଉଜ୍ଜ୍ୱଳ, ମହୁଠୁଁ ମିଠା, ସିଏ ହେଲା ସୁଆଦ ପିଠା, ପାଖରେ ଟଙ୍କା ଥିଲେ ଆଉ ବା ଶଙ୍କା କ’ଣ ? ଆପଣଙ୍କ ଜିତାପଟ ଥୁଆ ।

 

ଆପଣ ପ୍ରଶଂସା ଶୁଣି ଫୁଲିଫାଟି ଗଦ୍‌ଗଦ୍‌ ହୋଇ ଭବିଷ୍ୟତର ଶାସକ ସୂତ୍ରଧର ହାତରେ ଗୁଞ୍ଜି ଦିଅନ୍ତି ନୋଟ୍‍ବିଡ଼ା । ଖାଲି ଏ କାମଟା ବଢ଼ିଯାଉ । ପେଁକାଳି ବଜାଇବାର ଏଇ ପର୍ବଟା ସରୁ । ମୁଁ କୂଳରେ ଲାଗିଯାଏ, ଟିକେ ! ଶୁଣ–ଠିକ୍ ତୁମ ମୁଣ୍ଡରେ ପାଟ ଶାଢ଼ି ବାନ୍ଧିବି ।

 

ପେଁକାଳି ବାଜିବ । ବଜାଇବା ଲଗ୍ନ ଆସିଗଲା । ଭିଟାମିନ୍‌–ଏମ୍‌କୁ ଆଖିବୁଜି ଢାଳିଥିବା ନେତାଙ୍କ ଆଖି ଖୋସି ହୋଇଗଲା । ହେଲା କ’ଣ ? ବାଜିଲା ଆଉ ଜଣଙ୍କ ପେଁକାଳି ?

 

ଏ ଚରଣଚୁଟିଆଙ୍କୁ ମୁଁ ବିଶ୍ଵାସ କଲି ? ଖାସା ଠକ ଠକିଲେ ଯେ, ବୋହିଲେ, ଖାଇଲେ, ପିଇଲେ, ପୁଣି ବୁଢ଼ାମିଆଁ ପରି ଫୁର୍‌କିନା ଉଡ଼ିଗଲେ ସବୁ ? ଆଉ କାହାକୁ କହିବେ ? ଲାଜରେ ଦୁଆର ଦେଇ କାନ୍ଦିବା କଥା, ଚୋର ମାଆ ତ ! ଏଇ ରାଜନୈତିକ ଠକେଇରେ ଭାରତର ଗଣତନ୍ତ୍ର ହନ୍ତସନ୍ତ ! ଆଜ୍ଞା କ’ଣ ହେଉଛି କି ନାହିଁ ? ଏଥର ଆପଣଙ୍କ ପାଳି–ଟିକେ ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ତ । ଜାଣେ–ଦେବେ ନାହିଁ, କାରଣ ଆପଣ ଲୁଣ ଖାଉଛନ୍ତି, ନେତାଙ୍କ ଗୁଣ ନ ଗାଇ ଆଉ ଯିବେ କୁଆଡ଼େ ?

 

“କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ,

ଖଣ୍ଡିଆ ପଥୁରି ଧୋଇବି ନାହିଁ,

ତାଟି କିଳା ଭାତ ଖାଇବି ନାହିଁ ।”

 

ତେଣୁ ସବ୍‌ ସେ ଭଲା ଚୁପ୍‌, ନଚେତ୍‌ ବନ୍ଧୁ ବିଚାର ନ କରି–ତୋଷାମଦ ପର୍ବ ପାଲା ଚଳାଇ ରଖିବା ଧନ୍ଦାହିଁ ସାର । ସବୁକଥା ଫିଟେଇ କହିଲେ ଏ ରାଜ୍ୟରେ ଠିଆ ହେବାକୁ ଥାନ ମିଳିବଟି ? ଏବେ ଆପଣଙ୍କ ପ୍ରଶ୍ନର ଉତ୍ତର ଆପଣ ପାଇଲେଣି । ଠକେଇରେ ସବୁ ଚାଲିଛି । ଠକେଇରେ ସଭିଏଁ ପଡ଼ିଛନ୍ତି ଊଣା ଅଧିକେ । କିସମ କିସମ ଠକେଇ ! ଅସରନ୍ତି ଠକେଇ, ପୁଣି ଶ୍ରେଣୀବିଭାଗ ଅଛି । ରାଜନୈତିକ ଠକେଇ, ସାଂସ୍କୃତିକ ଠକେଇ, ଅର୍ଥନୈତିକ ଠକେଇ, ସମବାୟ ଠକେଇ, ସାମାଜିକ ଠକେଇ, ଆଧ୍ୟାତ୍ମିକ ଠକେଇ, ପାରିବାରିକ ଠକେଇ, ଜୀବନ ସଉଦାର ମଧ୍ୟ ଠକେଇ, କେଉଁ ଟିକି ଛାଡ଼ିବେ ? ଠକେଇରେ ତୋ ଅପବାଦ–ରାତ୍ର ଦିବସ ମତେ ନ ଲାଗେ ନିଦ-

 

“ଯେଣିକି ଗଲି, ସଖି ଠକେଇ ଦେଖିଲି ।

ଖାତାରେ ନ ଲେଖି ତାକୁ ମନରେ ଲେଖିଲି ।’’

✽✽✽

 

ଅତି ସଂପଦ ଏବେ ହେଲା ବିଷମ

 

ବିଜ୍ଞାନ ଅଗ୍ରଗତିର–ସ୍ମାରକ, ଛୋଟ ଅଥଚ ସୁଦୃଶ୍ୟ ଯନ୍ତ୍ରଟିଏ । ପିଲାଙ୍କଠାରୁ ବଡ଼ଯାଏ କି ଧନୀ କି ଦରିଦ୍ର, ଶିକ୍ଷିତ ଅଶିକ୍ଷିତ ସମାଜର ସବୁଠାରୁ ଉଚ୍ଚସ୍ତରରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଏ ଯୁଗରେ ସମସ୍ତେ ଏହି ଯନ୍ତ୍ର ସହ ବିଶେଷ ପରିଚିତ । କିଏ ରାସ୍ତା ଉପରେ ଠିଆ ହୋଇ ଦୋକାନ ଭିତରେ ଥ‌ିବା ଏହି ଯନ୍ତ୍ରଟିକୁ ଦେଖୁଛି ତ, କିଏ ଶୀତତାପ ନିୟନ୍ତ୍ରିତ ବହୁମୂଲ୍ୟ ଗାଲିଚାରେ ପାଦ ଥୋଇ ବିଳାସଖଚିତ ଡ୍ରଇଂରୁମ୍‍ରେ ବସି ଏକାଗ୍ର ଦୃଷ୍ଟି ନିବଦ୍ଧ କରିଛି, ଘଣ୍ଟା ଘଣ୍ଟା ଧରି କ୍ଳାନ୍ତ ହେଉନାହିଁ । କିଏ ବା କ୍ଲବ୍ ଘର ଆଗରେ ଧାଡ଼ି ବାନ୍ଧି ବସି ଦିନ ଦିନ ରାତିରାତି ଚାତକ ଚଢ଼େଇ ପରି ଏହି ପ୍ରିୟ ଯନ୍ତ୍ରଟିକୁ ଚାହିଁ ରହିଛି–ପଲକ ପଡ଼ୁନାହିଁ । ଶିଶୁଠାରୁ ଆରମ୍ଭ କରି ଶତାୟୁ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏବେ ଆମ ଦେଶରେ ଊଣାଅଧିକେ ପ୍ରିୟ ହୋଇଛି ଟେଲିଭିଜନ ।

 

ବେଶିଦିନର କଥା ନୁହେଁ; ଆବାଳବୃଦ୍ଧବନିତା ସମସ୍ତଙ୍କର ଚିତ୍ତଜୟୀ ମାଧ୍ୟମ ଏହି ଟେଲିଭିଜନ ସହ ଭାରତବାସୀ ପରିଚିତ ହୋଇଛନ୍ତି ବିଗତ କେତେବର୍ଷ ହେଲା । ୧୯୭୬ ସାଲ ବେଳକୁ ଭାରତର ବଡ଼ବଡ଼ ସହରରେ ଟେଲିଭିଜନ ପହଞ୍ଚିଥିଲା । ପୂର୍ବରୁ ୧୯୬୦ର ଶେଷଭାଗରୁ ଦିଲ୍ଲୀରେ ପ୍ରଥମଥର ପାଇଁ ଦୂରଦର୍ଶନ କେନ୍ଦ୍ର ତିଆରିହେଲା । ଆଞ୍ଚଳିକ ନେଟ୍‍ୱାର୍କ କରିବାପାଇଁ ପୂରାପୂରି ଦଶବର୍ଷ ଲାଗିଗଲା । ସର୍ବଭାରତୀୟ କ୍ଷେତ୍ରରେ ସତୁରି ଦଶକର ଶେଷ ଭାଗରେ ଦୂରଦର୍ଶନ ଦେଖାଦେଲା କହିଲେ ଚଳେ । ଆମ ଦେଶ ଲୋକେ ବିଶ୍ଵ ଅଲମ୍ପିକ ଖେଳବେଳେ ପ୍ରଥମେ ଟେଲିଭିଜନର ସ୍ଵାଦ ଚାଖିଲେ । ସମ୍ବାଦ ପ୍ରଚାର କାର୍ଯ୍ୟକ୍ରମ ସହିତ କେତେକ ରାଷ୍ଟ୍ରିୟ ଆଞ୍ଚଳିକ କାର୍ଯ୍ୟକ୍ରମ ଦେଖିବାର ସୁବିଧା ମିଳିଲା । ଦୂରଦର୍ଶନ ଦୂରଦୃଷ୍ଟିର ସହ ଏଭଳି କାର୍ଯ୍ୟକ୍ରମ ଦେଖାଇବ, ଯାହା ଲୋକଙ୍କୁ ଏକାଧାରରେ ଶିକ୍ଷାଦେବ, ଦେଶର ଉପକାର ପାଇଁ ଯୋଗ୍ୟ କରାଇବ, ମନୋରଞ୍ଜନ କରାଇବ । ଏହା ସଙ୍ଗେ ସଙ୍ଗେ ଆମ ଦେଶର ସଂସ୍କୃତି, ପରମ୍ପରା ସହ ଯୋଗସୂତ୍ର ସ୍ଥାପନ କରି ଆଧୁନିକ ଜଗତ ସହ ସାଧାରଣ ମଣିଷକୁ ପରିଚିତ କରାଇବା ପାଇଁ ଦୃଶ୍ୟ ମାଧ୍ୟମରେ ଜ୍ଞାନ ବିତରଣ କରୁଥିବା ଯନ୍ତ୍ରଟି ସବୁଠାରୁ ଜନପ୍ରିୟ ଗଣମାଧ୍ୟମ ହେବ ବୋଲି ବିଚାର କରି କାର୍ଯ୍ୟକ୍ରମ କ୍ରମାଗତ ପ୍ରସ୍ତୁତ କରାଯାଉଥିଲା I ଟେଲିଭିଜନରେ ‘ମହାଭାରତ’ ଏତେ ଅଧିକ ଲୋକପ୍ରିୟ ହେଲା ଯେ ତାହା ଦୂରଦର୍ଶନ ପ୍ରତି ସାଧାରଣ ଲୋକଙ୍କ ସମ୍ମାନ ଶତଗୁଣ ବଢ଼ାଇଦେଲା । ବୁଦ୍ଧିଜୀବୀମାନେ ମଧ୍ୟ ଟେଲିଭିଜନ ଉପରେ ଆସ୍ଥା ରଖିଲେ ଯେ ବୈପ୍ଳବିକ, ସାମାଜିକ ପରିବର୍ତ୍ତନ ଆଣିବାରେ ଏଇ ଅତ୍ୟାଧୁନିକ ଇଲେକ୍‍ଟ୍ରୋନିକ୍‍ସ ମିଡ଼ିଆ ଅବଶ୍ୟ ପ୍ରଧାନ ଭୂମିକା ନେଇପାରିବ । ଭାରତରେ ଟ୍ରାନ୍‌ଜିଷ୍ଟର ବିପ୍ଳବ ୧୯୬୦ ସାଲରେ ଆରମ୍ଭ ହୋଇଥିଲା । ସରକାର ରେଡ଼ିଓ ସେଟ୍‌ ପ୍ରତି ଅନ୍ତଃଶୁଳ୍କ ବା ଏକସାଇଜ ଡିଉଟିର ହାର ମଧ୍ୟ ଆଖିଦୃଶିଆଭାବେ କମାଇ ଦେଇଥିଲେ ଏବଂ ଫଳସ୍ଵରୂପ ରେଡ଼ିଓ ବିକ୍ରି ରାତାରାତି ବଢ଼ି ଯାଇଥିଲା-। ଟିଭି କ୍ଷେତ୍ରରେ ଯଦିଓ ସରକାର ସେଭଳି କିଛି ପଦକ୍ଷେପ ନେଇନାହାନ୍ତି, କ୍ରେତାଙ୍କ ସଂଖ୍ୟା ଆଶାନୁରୂପ ନ ବଢ଼ିଲେ ମଧ୍ୟ ଟିଭି ଦର୍ଶକଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଛି, ଏହା ଅସ୍ଵୀକାର କରାଯାଇ ନପାରେ ।

 

ପରିସଂଖ୍ୟାନ ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରାୟ ୯୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷରେ ଟିଭି ଦର୍ଶକଙ୍କ ସଂଖ୍ୟା ଦଶ କୋଟି । ଏଣେ ଭାରତର ଅର୍ଥମନ୍ତ୍ରୀ ଡଃ ମନମୋହନ ସିଂହ ମଧ୍ୟ କହିଛନ୍ତି ଯେ ଦୂରଦର୍ଶନରେ ବାର୍ଷିକ ହାରାହାରି ୨୫୦ କୋଟି ଟଙ୍କାରୁ ଅଧିକ ଲାଭ ହେଉଥ‌ିବାରୁ ଭାରତ ସରକାର ଆଉ ଟିଭିକୁ ଆର୍ଥିକ ସାହାଯ୍ୟ ଦେବେନାହିଁ । ନିଜସ୍ଵ ସ୍ଵତନ୍ତ୍ର ସ୍ଵୀକୃତିପାଇଁ ଲାଭମାତ୍ରାକୁ ବଢ଼ାଇବା ଦୃଷ୍ଟିରୁ ଖେଳ, ମିସ୍‌ ୟୁନିର୍ଭସ, ସିନେମା ଆଦି ଲାଇଫ୍ ବ୍ରଡ଼କାଷ୍ଟ ଦେଖାଇ ଦୂରଦର୍ଶନ ସମସ୍ତଙ୍କର ପ୍ରିୟ ହେବାପାଇଁ ଚେଷ୍ଟା କରୁଥିଲାବେଳେ ହଠାତ୍‌ ମେଟ୍ରୋ ଚାନେଲ୍‌ର ଆବିର୍ଭାବ ଘଟିଲା ବିଭିନ୍ନ ବୟସର ଟେଲିଭିଜନ ଦର୍ଶକମାନଙ୍କ ନିକଟରେ ।

 

ମେଟ୍ରୋ ଚାନେଲ୍ ଏବେ ସର୍ବାଧ‌ିକ ପ୍ରିୟନାମ ହୋଇଥିବା ଦେଖାଯାଉଛି । ଟିଭି ସିରିଆଲ ସୋପ୍‌ ଅପେରା ବା ଧାରାବାହିକ, ଯାହା ପ୍ରଥମେ ହମ୍‌ଲୋକ୍‌ ନାମରେ ପ୍ରଚାର ହେଉଥିଲା । ତାହା ବାସ୍ତବଧର୍ମୀ ଏବଂ ଲୋକପ୍ରିୟ ହୋଇପାରିଥିଲା । ୧୯୮୦–୮୧ ବେଳର କଥା । ତା’ପରେ ବାର ଚଉଦବର୍ଷ ଭିତରେ ଯେଉଁସବୁ ଅଗ୍ରଗତି ଘଟିଛି ତାହାର ନୈତିକ ପ୍ରଭାବ କଥା ବିଚାରକୁ ଆଣି ନୈରାଶ୍ୟ ଆସୁଛି । ମନୋରଞ୍ଜନ, ଚିତ୍ତବିନୋଦନ ମାଧ୍ୟମ ଟିଭି ବୋଲି କହି ସବୁ ସହିନେବା ଆଦୌ ଶୁଭଙ୍କର ନୁହେଁ । ଏହା କ୍ରମଶଃ ଅଧିକରୁ ଅଧ‌ିକ ଅନୁଭୂତ ହୋଉଛି । ଟିଭି କାର୍ଯ୍ୟକ୍ରମରେ ଏଭଳି କିଛି ନାଟକୀୟ ପରିବର୍ତ୍ତନ ଘଟନ୍ତା, ଯଦ୍ଵାରା ଅପସଂସ୍କୃତି ପ୍ରବେଶ ନକରି, ନୈତିକ ମୂଲ୍ୟବୋଧ ଅତୁଟ ରଖି ନୂତନ ଶୈଳୀ ଅଣାଯାଇପାରନ୍ତା, ଦର୍ଶକମାନଙ୍କୁ ଶିକ୍ଷଣୀୟ, ଆଧୁନିକ ଯୁଗୋପଯୋଗୀ, ଶୋଭନୀୟ ଆନନ୍ଦ ତଥା ଜ୍ଞାନ ଓ ଜିଜ୍ଞାସାପାଇଁ ଉପାଦାନ ଯୋଗାଇ ଦିଆଯାଇପାରନ୍ତା । ଆଧୁନିକତା ନାମରେ ଅଶୋଭନୀୟ ଅପସଂସ୍କୃତି ପ୍ରବେଶ ନକରୁ, ଅଥଚ ଏଇ ଶକ୍ତିଶାଳୀ ମାଧ୍ୟମଟି ଶ୍ରେଷ୍ଠ, ଆଧୁନିକ, ରୁଚିକର କାର୍ଯ୍ୟକ୍ରମ ପରିବେଷଣର ମାଧ୍ୟମ ହେଉ ଓ ଅଧ‌ିକରୁ ଅଧିକ ଜନପ୍ରିୟତା ହାସଲ କରୁ, ଏକଥା କିଏବା ନ ଚାହେଁ ? କୁଇଜ୍‌ ପ୍ରୋଗ୍ରାମ, ଇଣ୍ଟରଭିଉ, ସମାଜର ଯଥାର୍ଥ ଚିତ୍ର, ବିଜ୍ଞାନଭିତ୍ତିକ ବହୁ ଜାଣିବା କଥା ଉଚ୍ଚକୋଟୀର ନାଟକ, ସିନେମା, ସିରିଆଲ ଓ ସର୍ବୋପରି ପୃଥ‌ିବୀର ସମ୍ବାଦ ପରିବେଷଣଦ୍ଵାରା ଟିଭି ମାଧ୍ୟମରେ ଯେତିକି ଉପକାର ସାଧିତ ହୋଇଛି ସେକ୍ସ୍ ଓ ଅରୁଚିକର ବିବିଧ କାର୍ଯ୍ୟକ୍ରମ ମଧ୍ୟରେ ଆମୋଦ ଦେଇ ଯୁବଚିତ୍ତକୁ ବିଭ୍ରାନ୍ତ କରିବାରେ ଏହା ପ୍ରାୟ ସେତିକି ସଫଳକାମ ହୋଇପାରିଛି । ଏହି ପରିପ୍ରେକ୍ଷୀରେ ଉପାର୍ଜନକ୍ଷମ ମଧ୍ୟ ହୋଇପାରିଛି ।

 

ବିଜ୍ଞାପନଦାତାମାନଙ୍କର ପଣ୍ୟନାମକୁ ବସାଇବା ପାଇଁ ଏବଂ ବିନା ପଇସାରେ ଦୁଇମିନିଟ୍‌ ବିଜ୍ଞାପନ ଦେଖାଇବା ସମୟ କିଣିବାପାଇଁ ଯେଉଁ ବ୍ୟବସ୍ଥା ହେଉଛି, ତା’ର ସୁଦୂରପ୍ରସାରୀ ପରିଣତି ସମ୍ପର୍କରେ ବିଚାର କରାଯାଇ ସଂଖ୍ୟା ବଢ଼ାଇବାକୁ ହେଲେ କିଶୋର କିଶୋରୀମାନଙ୍କୁ ଭଲ ଲାଗୁଥିଲା ଭଳି ପ୍ରୋଗ୍ରାମର ମାତ୍ରା ବଢ଼ାଇବାକୁ ହେବ । ବୋଧେ ଏଇଥିପାଇଁ ସୁପରହିଟ୍‌ ‘ମୁକାବିଲା,’ ‘ମିର୍ଚ୍ଚି ମସାଲା’, ‘ଦିୱାନ୍‌’, ‘ସମ୍‌ଲକେ’, ‘ଜୁନୁନ୍‌’ ଏବଂ ‘କାନୁନ୍‌’, ପ୍ରଭୃତି କାର୍ଯ୍ୟକ୍ରମ ମେଟ୍ରୋ ଚ୍ୟାନେଲର ଚମକପ୍ରଦ ମନୋରଞ୍ଜନ କାର୍ଯ୍ୟକ୍ରମଭାବେ ଆତ୍ମପ୍ରକାଶ କରିଛି ।

 

ରବିବାର ରାତି ୯ଟା ବାଜିଲେ ସାଟେଲାଇଟ ଚ୍ୟାନେଲକୁ ଭୁଲିଯାଇ, ସବୁ କାମକୁ ଫିଙ୍ଗିଦେଇ, ଟିଭି ଦର୍ଶକମାନେ ଯଦି ସୁପରହିଟ୍‌ ଦେଖିବାକୁ ବସିଯାଆନ୍ତି ତେବେ ଦେଶ ଯିବ କୁଆଡ଼େ ? କିନ୍ତୁ ଅତି ଦୁଃଖର କଥା ଯେ ଲୋକେ ପ୍ରାୟ ତାହାହିଁ କରୁଥିବା ଦେଖାଯାଉଛି । ‘ଜୁନୁନ୍‌’ର ଜନପ୍ରିୟତା ପାଇଁ ଦ୍ଵିପ୍ରହର ନେଟ୍‌ୱାର୍କରେ ମଧ୍ୟ ଏହି କାର୍ଯ୍ୟକ୍ରମ ପୁନଃ ପ୍ରଦର୍ଶନ କରାଯାଉଥିବା ଏହାର ନମୁନା । ପୁସ୍ତକପାଠ ଆଉ ମନୋରଞ୍ଜନର ମାଧ୍ୟମ ବୋଲି ଗଣାହେଉନାହିଁ । ଏହା ଘଟୁଛି କାହିଁକି ? ଯଦି ମନୋରଞ୍ଜନ ପ୍ରଦାନକାରୀ, ଅଥଚ ଯୁବଗୋଷ୍ଠୀକୁ ବିପଥଗାମୀ ନକରିବା ପାଇଁ ଉଦ୍ଦିଷ୍ଟ ଉପଯୁକ୍ତ ବଦଳି ଆମୋଦ ବ୍ୟବସ୍ଥା ହୋଇପାରନ୍ତା, ତେବେ ମେଟ୍ରୋ ଚ୍ୟାନେଲପାଇଁ ଲୋକେ ଏଭଳି ବାୟା ହୁଅନ୍ତେ ନାହିଁ । ଭଲ ଜିନିଷ ସମସ୍ତଙ୍କୁ ଭଲ ଲାଗେ, ତା’ର ପ୍ରମାଣ ‘ମହାଭାରତ’ । ଏହି ପରୀକ୍ଷିତ ସତ୍ୟକୁ ଆଧାର କରି ଦୂରଦର୍ଶନ ଭାରତର ଉଚ୍ଚକୋଟୀର କାର୍ଯ୍ୟକ୍ରମ ସେହି ପ୍ରସିଦ୍ଧ ଅଭିନେତା ଅଭିନେତ୍ରୀଙ୍କୁ ନେଇ କରୁନାହିଁ କାହିଁକି ?

 

ସୁନ୍ଦର ଆମୋଦ ବ୍ୟବସ୍ଥା ଅର୍ଥ କ’ଣ କେବଳ ପାଶ୍ଚାତ୍ୟ ଢଙ୍ଗର ନାଚ ବା ଉତ୍ତେଜନାକାରୀ ଚିତ୍ରାବଳୀ ପ୍ରଦର୍ଶନ ? ସମାଜର ଭବିଷ୍ୟତକୁ ଆଖି ଆଗରେ ରଖି ଦୂରଦ୍ରଷ୍ଟାର ଭୂମିକାରେ ଥାଇ ଭାରତୀୟ ଦୂରଦର୍ଶନ ବିଚାରପୂର୍ବକ ସିଦ୍ଧାନ୍ତ ନେବା ଉଚିତ ନୁହେଁକି ? ବିଜ୍ଞାପନ ସର୍ବସ୍ଵ ହେଲେ ଉପଭୋଗର ମାତ୍ରା ଦେଶରେ ବଢ଼ିବହିଁ ବଢ଼ିବ, ଏଥ‌ିରେ ସନ୍ଦେହର ଅବକାଶ ନାହିଁ-। ଏତେବଡ଼ ଶକ୍ତିଶାଳୀ ଗଣମାଧ୍ୟମ ଥାଉଁଥାଉଁ ଏହାକୁ ଯଦି ସାମାଜିକ ପରିବର୍ତ୍ତନ ପାଇଁ ମାଧ୍ୟମ କରା ନ ଯାଏ ତେବେ ଭାରତୀୟ ଦୂରଦର୍ଶନର ସର୍ବାଙ୍ଗୀନ ଉନ୍ନତି ହେବ କି ?

ଏ ସଂକ୍ରାନ୍ତରେ ଗୋଟିଏ ପ୍ରଚଳିତ କଥାର ଉଦାହରଣ ଦିଆଯାଇପାରେ । ଜଣେ ଖୁବ୍‌ ଉଚ୍ଚକୋଟୀର ପ୍ରତିଭାବାନ କବି ‘କଲମ ଯାହାଙ୍କର ପୋଷା ମାନିଥିଲା’’ ତାଙ୍କ ପରଲୋକ ହୋଇଗଲା । ତାଙ୍କ ଲିଖିତ ପୁସ୍ତକମାନଙ୍କର କ୍ରେତାଙ୍କ ସଂଖ୍ୟା ସର୍ବାଧ‌ିକ, ଏହା କାହାରିକୁ ଅଛପା ନଥିଲା । ଯଥାସମୟରେ ଚିତ୍ରଗୁପ୍ତ ମୃତ୍ୟୁ ଦେବତା (ଯମଦୂତ) ନୂତନ ଆସାମୀଙ୍କୁ ନେଇ ନରକରେ ଏକ ମହାନ୍ କୁଖ୍ୟାତ ଦସ୍ୟୁ ପାଖରେ ରଖିଲେ । କହିଲେ ଯମରାଜଙ୍କ ନିର୍ଦ୍ଦେଶକ୍ରମେ ନରକରେ ଏହି ସ୍ଥାନଟି ଆପଣଙ୍କ ପାଇଁ ସଂରକ୍ଷିତ ହୋଇ ରହିଲା । ଯଥାସମୟରେ ଯମରାଜା ସ୍ଵୟଂ ଆପଣଙ୍କୁ ସାକ୍ଷାତର ସୁଯୋଗ ଦେବେ । ବହୁ ହାତତାଳି ଓ ଫୁଲମାଳ ପାଉଥିବା ଅହଂକାରୀ କବି ରାଗି ନିଆଁ ହୋଇଗଲେ । ସେ କହିଲେ–‘ସ୍ଥାନ ସଂରକ୍ଷଣ ! ଆପଣଙ୍କ ରିପୋର୍ଟଟି ରଙ୍ଗ୍‌ । ନିଶ୍ଚୟ ମୋ ଫାଇଲ୍ ହଜିଛି । ମୁଁ ଭାବୁଥିଲି ପୃଥ‌ିବୀରେହିଁ ଫାଇଲ୍ ହଜେ । କିନ୍ତୁ ଜାଣିଲି ଯମରାଜାଙ୍କ ପାଖରେ ମଧ୍ୟ ଫାଇଲ୍ ହଜୁଛି, ଏହା ତାହାର ପ୍ରତ୍ୟକ୍ଷ ନମୁନା । ଦ୍ୱିତୀୟ ସୃଷ୍ଟିକର୍ତ୍ତାଭାବେ ଖ୍ୟାତିଲାଭ କରିଥିବା କ୍ରାନ୍ତିକାରୀ କବିର ସ୍ଥାନ କେଉଁଠି ହେବା ଉଚିତ ଜାଣନ୍ତି ? ସ୍ଵୟଂ ସୃଷ୍ଟିକର୍ତ୍ତାଙ୍କର ବାମ ଦିଗରେ । ଏକାଧାଡ଼ିରେ ବସିବାକୁ ସେ ସମ୍ପୂର୍ଣ୍ଣ ଯୋଗ୍ୟ । ଆପଣ ତାଙ୍କୁ ଆଣି କୁଖ୍ୟାତ ଦସ୍ୟୁ ସର୍ଦ୍ଦାର ପାଖେ ରଖିଛନ୍ତି ? ସ୍ଵର୍ଗ କାହିଁ ? ଏ ଯେ ନରକ ! ଏ ଦୁର୍ଗନ୍ଧରେ ମୋ ନାସାରୁଦ୍ଧ ହେଉଛି । ମୁଁ ବିକ୍ଷୋଭ କରିବି । ଏହା ଅକ୍ଷମଣୀୟ ଅନ୍ୟାୟ । ସୃଷ୍ଟିକର୍ତ୍ତା ଯମରାଜାଙ୍କୁ ଶୀଘ୍ର ସିଂହାସନଚ୍ୟୁତ କରିବାକୁ ହେବ । ସେ ଜଣେ ଚରମ ଅପାରଗ, ଦୁର୍ନୀତିଗ୍ରସ୍ତ, ପ୍ରିୟାପ୍ରୀତି ତୋଷଣକାରୀ ବିଫଳ ପ୍ରଶାସକ । ହେ ଚିତ୍ରଗୁପ୍ତ ! ତୁମେ ଗୁପ୍ତରେ କି ଚିତ୍ର ଉଠାଇଛ ? ତୁମ ଫିଲ୍ମ ଠିକ୍‌ ଥିଲାଟି ? ସବୁ ଭୁଲଭାଲ ଚିତ୍ର । ଯେ ନନ୍ଦନକାନନରେ ଦେବତାଙ୍କ ସହ ବିଚରଣ କରିବା କଥା ତାଙ୍କୁ ଆଣି ଚୋରି କରି ଧନଜୀବନ ନଷ୍ଟ କରିଥିବା ନରକପୁରର ଚୋର ସର୍ଦ୍ଦାର ପାଖରେ ରଖିଲ ? ମୁଁ ଦାବି କରୁଛି ମୋ ଫାଇଲ୍ ପଢ଼ା ହୋଇନାହିଁ । ମୁଁ କିଭଳି ଜନପ୍ରିୟ ସ୍ରଷ୍ଟା ଜାଣିନ । ପରିସଂଖ୍ୟାନ ରିପୋର୍ଟ ଆପଣଙ୍କୁ ଜଣାନାହିଁ । ହଁ ହଁ, ଜଣାନାହିଁ ।’

ଥରିବାକୁ ଲାଗିଲେ ନରକପୁରରେ ଦଣ୍ଡାୟମାନ ହୋଇଥିବା ସଦ୍ୟ ମର୍ତ୍ତ୍ୟରୁ ଆଗତ କବି ।

ଅତ୍ୟନ୍ତ ଧୀର ଭାବରେ ଉତ୍ତର ଦେଲେ ସ୍ଥିତଧୀ ଚିତ୍ରଗୁପ୍ତ–“ଆପଣ ପ୍ରତିଭାବାନ ବ୍ୟକ୍ତି, ଆପଣଙ୍କୁ ପ୍ରଣାମ, ଆପଣ କବି, ବିଭୁ ଆଶୀର୍ବାଦର ଅଧିକାରୀ । ଆପଣଙ୍କର ଚରଣ ବନ୍ଦନା କରୁଛି । ହେ ମହାଭାଗ ! ଆପଣଙ୍କର ଅଫୁରନ୍ତ ଶକ୍ତି, ପ୍ରତିଭା, ଜ୍ଞାନ ଓ ସୃଜନକଳାକୁ ଆପଣ ପୃଥ‌ିବୀର ଅମଙ୍ଗଳ ପାଇଁ ଖର୍ଚ୍ଚ କଲେ କାହିଁକି ? ଯେତେ କବିତା ଲେଖିଲେ ତାହା ତରୁଣ ଯୁବଗୋଷ୍ଠୀକୁ ବିପଥଗାମୀ କଲା । ସେମାନଙ୍କୁ ଧ୍ଵଂସପଥକୁ ଟାଣିନେଲା; ଚିତ୍ତ ଉତ୍ତେଜନାକାରୀ ଆପଣଙ୍କ ରଚନାବଳୀ ମଦ ପରି ନିଶା ଆଣିବାରେ ସମର୍ଥ ହୋଇଥିବାରୁ ଲୋକେ ତାକୁ ଅଧିକ ସଂଖ୍ୟାରେ କିଣିଲେ । କିନ୍ତୁ ଯାହା ଅଧିକ କିଣାଯାଏ ତାହା ଭଲ ଓ ରୁଚିକର, ଏହା ସତ୍ୟ କି ? ଦୁଧବାଲା ଦ୍ଵାର ଦ୍ଵାର ବୁଲି ଦୁଧ ବିକେ, ଅଥଚ ଲୋକମାନେ ବେଶ୍ୟାଳୟକୁ ଯାଆନ୍ତି, ମଦବାରକୁ ଯାଇ କଷ୍ଟାର୍ଜିତ ଧନ ସ୍ଵଇଚ୍ଛାରେ ବ୍ୟୟ କରନ୍ତି । ଏଥ‌ିରେ ଯେତିକି ଅର୍ଥ ବ୍ୟୟ କରନ୍ତି, ଦୁଧ କିଣିବାରେ ସେତିକି ଅର୍ଥ ବ୍ୟୟ କରନ୍ତି କି ? କ୍ରେତାମାନଙ୍କର ସଂଖ୍ୟାରୁ ଦ୍ରବ୍ୟର ଉପଯୋଗିତା ନିରୂପଣ ହୁଏକି ? ତେବେ କୁହନ୍ତୁ–ଗୋମାତା ନମସ୍ୟ ନା ମଦ ବିକ୍ରେତା ନମସ୍ୟ ? ଦୁଗ୍ଧ ଉପାଦେୟ ନା ମଦ୍ୟ ଉପାଦେୟ ? ଆପଣଙ୍କ ପ୍ରତି ମୋର ସମ୍ମାନ ଅତୁଟ, ଯମ ରାଜାଙ୍କର ମଧ୍ୟ । କାରଣ ଆପଣ ପ୍ରତିଭାବାନ କବି । ଅଭୂତପୂର୍ବ ପ୍ରତିଭାଶାଳୀ ଆପଣଙ୍କର ଲେଖନୀ, ଆପଣ ସରସ୍ଵତୀଙ୍କର ବରପୁତ୍ର, କିନ୍ତୁ କଲେ କ'ଣ ? ଏତେ ବଡ଼ ଶକ୍ତିଶାଳୀ ମାଧ୍ୟମ ‘କଲମ’, ଯାହା ଆପଣଙ୍କ ଆୟତ୍ତରେ ଥିଲା, ତାକୁ ଏଭଳି ଅଶ୍ଳୀଳ ସାହିତ୍ୟ ରଚନା କରି ଦେଶର ଭବିଷ୍ୟତ ବୁଦ୍ଧିଦୀପ୍ତ ପ୍ରତିଭାବାନ କିଶୋର କିଶୋରୀଙ୍କୁ ଯୁଗଯୁଗ ପାଇଁ ବିପଥକୁ ଟାଣିନେଲେ ! ଫାଇଲ୍ ଠିକ୍‌ ଜାଗାରେ ଅଛି, ମୁଁ ଆଣି ଦେଖାଇ ଦେଉଛି । ଆପଣଙ୍କ ବହି ପଢ଼ି ସଂଖ୍ୟାଧିକ ପାଠକ ପାଠିକା ଗୋଷ୍ଠୀ (ତରୁଣତରୁଣୀ, କିଶୋର କିଶୋରୀ) କିଭଳି ଜୀବନର ସର୍ବଶ୍ରେଷ୍ଠ ସଂପଦ ଚରିତ୍ର ହରାଇଲେ, ସମୟର ଦୁରୁପଯୋଗ କଲେ, ବ୍ୟାଧି ଆମନ୍ତ୍ରଣ କଲେ, ବିଭୁଦତ୍ତ ପ୍ରତିଭାକୁ ସତ୍‌କାର୍ଯ୍ୟରେ ବିନିଯୋଗ କରିବାର ସୁଯୋଗ ଗ୍ରହଣ କଲେ ନାହିଁ, ଅକାଳରେ ସବୁ ଧ୍ଵଂସର କାରଣ ହେଲେ, ତା’ର ହିସାବ ଜାଣିଛନ୍ତି କି ? ସେପାଇଁ ଦାୟୀ କିଏ ? ନିଜକୁ ସଂଯତ ହୋଇ ପ୍ରଶ୍ନ ପଚାରନ୍ତୁ–ଆପଣ ନୁହନ୍ତି କି ? ଯେଉଁ ପରିମାଣରେ ଆପଣଙ୍କ ଲେଖନୀ ଏ ସୃଷ୍ଟିରେ ମାନବ ସମ୍ବଳର ଅପଚୟ ଘଟାଇଛି ଟିକିଏ ବିଚାରନ୍ତୁ ଆପଣଙ୍କ ପାଖ ରୁମ୍‌ରେ ବିଶିଷ୍ଟ ଚୋର ଜଣକ ସେହି ପରିମାଣରେ ଦେଶର ଧନ ରତ୍ନ ନଷ୍ଟ କରିଛନ୍ତି କି ? ଚୋର ଥରେ ଚୋରି କରି ଗୃହସ୍ଥକୁ ନିଃସ୍ଵ କଲା । ଗୃହସ୍ଥ ପୁଣି ପରିଶ୍ରମ କଲା । ବୁଦ୍ଧି, ବଳ, ବିଦ୍ୟା, ଖଟାଇଲା, ପୁଣି ଉପାର୍ଜନ କଲା । ଧନ ଆସିବ କିନ୍ତୁ ଚରିତ୍ର ଗଲେ ଆସିବ ନାହିଁ । ଆପଣ କାଗଜରେ ଛାପା ଅକ୍ଷରରେ ଲେଖିଦେଲେ, ଯିଏ ତାକୁ ପଢ଼ିଲେ ସେମାନଙ୍କ ବୁଦ୍ଧି ଜ୍ଞାନ ଫେରିଆସିଲା ନାହିଁ । ଅପସଂସ୍କୃତି ମାଡ଼ି ଆସିଲା । ଦେଶ ଯେଉଁ ମାନବ ସଂପଦ ହରାଇଲା ତାହା ଆଉ ଫେରିପାଇଲା ନାହିଁ । ପରବର୍ତ୍ତୀ ଯୁଗ ମଧ୍ୟ ଆପଣଙ୍କ ପାପର ଫଳ ଭୋଗ କଲେନି କି ? ଆପଣ ଜଣେ ବିପଥଗାମୀ ପଣ୍ଡିତ, ଶକ୍ତିଧର, ଅଥଚ ମାରାତ୍ମକ ଶକ୍ତିଧର, ଏକଥା ନିଶ୍ଚିତ । ଆପଣ କହନ୍ତୁ, ଦେଶ ଜାତି ଓ ସମାଜର ବେଶୀ କ୍ଷତିକଲା କିଏ ? ପରିସଂଖ୍ୟାନ ରିପୋର୍ଟ ଦେଖି ବିଚାର କରନ୍ତୁ । ମୁଁ ଦୁଇଜଣଙ୍କର ଫାଇଲ୍ ଆଣି ଦେଉଛି I ପଞ୍ଜିକାରେ ଅଦୃଶ୍ୟ ହସ୍ତ ସବୁ ଲେଖି ରଖିଛି । ଗୁପ୍ତରେ ଆପଣଙ୍କ କାର୍ଯ୍ୟ ଓ ତା’ର କ୍ରିୟା ପ୍ରତିକ୍ରିୟା, ସବୁର ଚିତ୍ର ଉଠାଇବା ମୋ ଦାୟିତ୍ଵ ହୋଇଥିବାରୁ ମୋ ନାଁ ଚିତ୍ରଗୁପ୍ତ । ଆପଣ ବିଚାର କରନ୍ତୁ । ମୋର ତ୍ରୁଟି ଥିଲେ ମୋତେ ସ୍ଥାନଚ୍ୟୁତ କରନ୍ତୁ । ଆପଣଙ୍କର ସ୍ଥାନ ମଧ୍ୟ ତଥ୍ୟ ଉପରେ ପର୍ଯ୍ୟବେସିତ କି ନୁହେଁ ପଞ୍ଜିକା ଦେଖି ବିଚାର କରିବେ । ତଥାପି ଆପଣ କବି, ତେଣୁ ଆପଣଙ୍କୁ ସ୍ଵତନ୍ତ୍ର ଅଧିକାର ଦିଆଯାଇଛି । ଆପଣ ସ୍ଵର୍ଗ ଦେଖିପାରିବେ । କିନ୍ତୁ ଆପଣଙ୍କ କର୍ମ ଯୋଗୁଁ ଆପଣ ସେଠାରେ ରହିପାରିବେ ନାହିଁ । ଆସନ୍ତୁ ! ଧର୍ମରାଜ ଯମଙ୍କୁ ସାକ୍ଷାତ କରି ନିଜେ ଜାଣନ୍ତୁ ନିକିତି କଣ୍ଟା ଟିକେ ଏପଟ ସେପଟ ହୋଇନାହିଁ । ଧର୍ମ ନିକିତିରେ ସବୁ ତଉଲ ହେଉଛି କି ନାହିଁ ପରୀକ୍ଷା କରନ୍ତୁ କବି !

ମନ୍ତ୍ରମୁଗ୍ଧ ପରି ବିଦ୍ରୋହୀ, ବିବ୍ରତ କବି ଚିତ୍ରଗୁପ୍ତ ପଛେ ପଛେ ଚାଲିଲେ କୁଆଡ଼େ ଯେ ଜାଣନ୍ତି ନାହିଁ । ଆଃ କି ସୁନ୍ଦର ସୁବାସ, କି ଶାନ୍ତ ପରିବେଶ ! କିଏ ଇଏ ଆରେ ? ଏ ଯେ ବ୍ୟାସଦେବ, ଜଗନ୍ନାଥ ଦାସ, ମହାକବି ବାଲ୍ମୀକି, କବୀର ଆଉ ଦେଖିପାରୁନାହାନ୍ତି, ଆଖିରୁ ଧାର ଧାର ହୋଇ ଲୁହ ଗଡ଼ି ଯାଉଛି କବିଙ୍କର । ହଁ ଆସ୍ଥାନ ପାଇଛନ୍ତି ସୃଷ୍ଟିକର୍ତ୍ତାଙ୍କର ବାମ ପାର୍ଶ୍ଵରେ ମଧୁମୟ ପରିବେଶ । ଶକ୍ତିଶାଳୀ ମାଧ୍ୟମ କଲମକୁ ଜଗତଜନର କଲ୍ୟାଣପାଇଁ ବିନିଯୋଗ କରିଛି କିଏ ?

ତା’ପରେ ଉଭୟଙ୍କର ଫାଇଲ୍ ତନ୍ନତନ୍ନ କରି ଦେଖିସାରି ପ୍ରତିଭାଶାଳୀ, ସମାଜକୁ ବିପଥଗାମୀ କରିଥିବା କବି ଜଣକ କ’ଣ କଲେ ମତେ ଜଣାନାହିଁ । ତେବେ ବୋଧହୁଏ ତାଙ୍କ ପ୍ରଶ୍ନର ଉତ୍ତର ତାଙ୍କୁ ମିଳିଯାଇଥ‌ିବ । କିନ୍ତୁ ସେତେବେଳକୁ ଫେରିବାର ଆଉ ବାଟ ନଥିଲା ।

 

ଚତୁର୍ଥସ୍ତମ୍ଭ ଭାବରେ ସଂପ୍ରତି ଖ୍ୟାତିଲାଭ କରିଥିବା ମାସ୍‌ମିଡ଼ିଆର ଶକ୍ତିଶାଳୀ ପରିପ୍ରକାଶ ଇଲେକ୍‌ଟ୍ରୋନିକ୍ ମିଡ଼ିଆ–ଟେଲିଭିଜନର ଭବିଷ୍ୟତ ସମ୍ପର୍କରେ ଚିନ୍ତା କଲାବେଳେ କବି ଉପାଖ୍ୟାନଟି ସ୍ମରଣକୁ ଆପେଆପେ ଆସିଯାଏ । ବେଳ ଥାଉଁଥାଉଁ ଆତ୍ମସମୀକ୍ଷା ଲୋଡ଼ା । କେତେ ଅଭୂତପୂର୍ବ କାଳଜୟୀ କୀର୍ତ୍ତି ଅର୍ଜନ କରିବାର ଶକ୍ତି କିଭଳି ଧ୍ଵଂସାତ୍ମକ କ୍ରିୟାରେ ଅପବ୍ୟୟ ହୋଇପାରେ ତାହା ଉପରୋକ୍ତ କାହାଣୀରୁ ସୂଚିତ । ଏହା ସ୍ମରଣ କଲେ ବିଚାରପୂର୍ବକ ପଦକ୍ଷେପ ନେବାର ସମୟ ଆଜି ଟେଲିଭିଜନ ପାଇଁ ଉପସ୍ଥିତ ବୋଲି ମନରେ ଦୃଢ଼ ପ୍ରତ୍ୟୟ ଜାତହୁଏନି କି ? ଏବେ ମଧ୍ୟ ବେଳ ଅଛି, ଏହି ଶକ୍ତିଶାଳୀ ମାଧ୍ୟମକୁ ଶୁଭଙ୍କର ଜନମତ ସୃଷ୍ଟିକାରୀ ମାଧ୍ୟମରୂପେ ବ୍ୟବହାର କରି ସୁସ୍ଥ ସାମାଜିକ ବିପ୍ଳବ ଆଣିବାପାଇଁ ତୁରନ୍ତ ବ୍ୟବସ୍ଥା ହେଉ ।

 

ସାଫଲ୍ୟର ସିଡ଼ିଦେଇ ଚିରନ୍ତନ ମୂଲ୍ୟବୋଧକୁ ଆଧାର କରି ମଧ୍ୟ ଖୁବ୍ ଉପରକୁ ଉଠିବା ସମ୍ଭବ । ଏହା ପ୍ରତିଦ୍ଵନ୍ଦ୍ୱିତାମୂଳକ ପୃଥ‌ିବୀରେ ସଂସ୍କାର, ସଂସ୍କୃତି ଓ ମୂଲ୍ୟବୋଧର ଭିତ୍ତିଭୂମି ଭାରତବର୍ଷରେ ବୈଜ୍ଞାନିକ ଯନ୍ତ୍ର ‘ଟେଲିଭିଜନ’ କରିବାକୁ ସମର୍ଥ । ଏକବିଂଶ ଶତାବ୍ଦୀ, ଯେଉଁଠି ନାରୀ ଭୋଗ୍ୟବସ୍ତୁରୂପେ ଆଉ ଗଣାହେଉନାହିଁ ‘ପ୍ରମଦା’ ଭୂମିକା ଛାଡ଼ି ସେ ଶକ୍ତିସଂପନ୍ନା ବ୍ୟକ୍ତି ଭାବରେ, ରକ୍ଷାକର୍ତ୍ତୀ ଜନନୀ ରୂପରେ ମାନବ ସମାଜର ମଙ୍ଗୁଆଳର ଦାୟିତ୍ଵ ବହନ କରିବ । ଭାରତର ଦୂରଦର୍ଶନର ଭବିଷ୍ୟତ ଦୂରଦ୍ରଷ୍ଟାମାନଙ୍କ ହାତରେହିଁ ନ୍ୟସ୍ତ ହେଉ–ଏହାହିଁ ତରୁଣ ତରୁଣୀଙ୍କର ଉଜ୍ଜ୍ୱଳ ଗୌରବମୟ ଭବିଷ୍ୟତ କାମନା କରିବା ଅବସରରେ ଐକାନ୍ତିକ ପ୍ରାର୍ଥନା ।

✽✽✽

 

କ୍ଷମତା ଉପାଖ୍ୟାନ

 

“କ୍ଷମତା କରେ ଅମରାମତ୍ତା ।” ତାକୁ କଟକଣା ଲାଗୁ ହୁଏ ନାହିଁ । ସବୁଯାକ ସତେ ବାଆକୁ ବତା ।

 

କ୍ଷମତା ପାଇଲେ ଏବକାଳରେ ଲୋକେ ଭିନ୍ନ ଆଚରଣ କରୁଛନ୍ତି । କ୍ଷମତାସୀନ ହୋଇଗଲେ ଉଠିଲେବି ଚୌକି ସହ ଉଠୁଛନ୍ତି ଓ ଚୌକି ସହ ବସୁଛନ୍ତି । ଝଡ଼ ପବନରେ, ଚଉକି ଓଲଟିଗଲେ ସେମାନେ ଚିତ୍‌ପଟାଙ୍ଗ ହୋଇ ପଡ଼ୁଛନ୍ତି ସିନା, ହେଲେ ଚଉକିରେ ଲାଖି ରହୁଛନ୍ତି । ଭୂମିକମ୍ପ ହେଲେ ଚଉକି ସହ ଉପରକୁ ଉଠୁଛନ୍ତି ଓ ଚଉକି ସହ ତଳକୁ ପଡ଼ୁଛନ୍ତି । ସତେ ଯେମିତି କ୍ଷମତା ତାଙ୍କ ଚମ ସହ ସିଲେଇ ହୋଇଯାଇଛି । ଟିକିଏ ଛାଡ଼ିଗଲେ ନିକୋପ୍ଲାଷ୍ଟ ଦେଇ ପୁଣି ତାକୁ ଲଗେଇ ଦେଉଛନ୍ତି । ଅସଲ କଥା ହେଲା–ଏହି କ୍ଷମତା ଅଇଗୁଣ ଥରେ ଛାଡ଼ିଗଲେ ଆଉ ଦେହରେ ଲାଖିବନି ଯେ । ବେଳ ଥାଉଁଥାଉଁ ତାଳିପକେଇ କେତେକାଳ ଯାଉଛି ଗଡ଼େଇ ନେବା ବୁଦ୍ଧିମାନର କାମ । କାରଣ ଯୁଗଟା ବଡ଼ ଗୋଳମାଳିଆ । ସିଂହାସନରୁ ଉଠିପଡ଼ିଲେ ସିଂହ ପାଟିରେ ପଡ଼ିଯିବ । ସିଂହ ଟାକି ବସିଛି । ତେଣୁ ହେ ରାଜା ! ସିଂହାସନରୁ ଉଠ ନାହିଁ I ସିଂହକୁ ଆୟତ୍ତ କରିବା କ୍ଷମତା ଯେଣୁ ତମର ନାହିଁ, ସିଂହକୁ ବଶୀଭୂତ କରିବାର ମନ୍ତ୍ର ତୁମକୁ ଜଣାନାହିଁ, ତୁମଭଳି ଲୁଡ଼ୁବୁଡ଼ିଆ ଜନ୍ତୁକୁ ସିଂହ ଟାକୁକିନା ପାଟିରେ ପକାଇଦେବ । ତେଣୁ ଏବର କ୍ଷମତାଧାରୀ ଓ ସେବର କ୍ଷମତାଧାରୀ ନିଆରା । ସେକାଳେ କ୍ଷମତା ସହିତ କ୍ଷମା ଲାଗି ରହୁଥିଲା । କ୍ଷମତାସୀନ ବ୍ୟକ୍ତି କ୍ଷମାରେ ପରିପୂର୍ଣ୍ଣ ଥିଲେ । ଦିନା ଦୋଷରେ କାହାରି କ୍ଷତି କରୁ ନଥିବା ନ୍ୟାୟବନ୍ତ ବ୍ୟକ୍ତି ହେଲେ ସମଗ୍ର କ୍ଷିତିର ଈଶ ହୋଇପାରିବେ । ରାଜାର ଗୁଣ ନଥାଇ କେହି ରାଜଗାଦିରେ ବସୁ ନଥିଲେ । ସେମାନେ ବାସ୍ତବରେ ନରସିଂହ ଥିଲେ ଓ ତାଙ୍କର ସିଂହ ପରି ବଳ ଥିଲା । ନରମାନଙ୍କ ମଧ୍ୟରେ ସିଂହ ଅର୍ଥାତ୍‌ ଶ୍ରେଷ୍ଠ ଥିଲେ । ସିଂହ ସହିତ ଲଢ଼େଇ ମଧ୍ୟ କରିପାରୁଥିଲେ, ସିଂହାସନରେ ବସୁଥିଲେ । ସିଂହ ଓ ସିଂହାସନ ଥିଲା ତାଙ୍କର ଆୟତ୍ତାଧୀନ । ହୁଏତ ପୁରୁଷ ସିଂହ, ନଚେତ୍‌ ସିଂହବାହିନୀ । ଦୁର୍ଗତିନାଶିନୀଙ୍କ ପାଇଁ ସିଂହାସନ ଉଦ୍ଦିଷ୍ଟ ଥିଲା । କ୍ଷମା, ସତ୍ୟ, ନ୍ୟାୟ ତିତିକ୍ଷା, ଶୁଦ୍ଧ ବିଚାର, ଜ୍ଞାନ ଓ ଉଦାରତା ଗୁଣରେ ଭୂଷିତ ନହେଲେ (ସେ ସ୍ତ୍ରୀ ହେଉ ବା ପୁରୁଷ ହେଉ) କେହି ସିଂହାସନ ଆରୋହଣ କରିବାକୁ କଦାପି ଭାଜନ ହେଉ ନଥିଲେ । ଏହା ଥିଲା ରାଜଧର୍ମର ନୀତି । ଦୈବାତ୍‌ ଆରୋହଣ କଲେ ଅଚିରେ ନିପତିତ ହେଉଥିଲେ । ଋକ୍‍ବେଦର ଆଶୀତିତମ ସୁକ୍ତରେ ସୁରାଜ୍ୟ ସମ୍ପର୍କରେ ୧୬ଟି ମନ୍ତ୍ର ରହିଛି । “ଇଥାହି ସୋମ ଇନ୍ନଦେ ବ୍ରହ୍ମାଚକାର ବର୍ଦ୍ଧନମ୍‌ । ଶବିଷ୍ଠ ବଦ୍ରିନ୍ନୋଦସ୍‌ ପୃଥିବ୍ୟା ନିଃଶଶା ଅହିମର୍ଟନ୍ନନୁ ସ୍ଵରାଜ୍ୟମ୍‌ ।” (୧)ଚକ୍ରବର୍ତ୍ତୀ ରାଜ୍ୟର ସାମଗ୍ରୀ ସଂଗ୍ରହ କରିବେ ଏବଂ ଏହାର ସୁରକ୍ଷାପୂର୍ବକ ବିଦ୍ୟା ଓ ସୁଖର ନିରନ୍ତର ବୃଦ୍ଧି କରିବେ । ଏହାହିଁ ସଦା କର୍ତ୍ତବ୍ୟ । ରାଜା କିଭଳି ଗୁଣଯୁକ୍ତ ହେବେ, ତାହା ମଧ୍ୟ ବର୍ଣ୍ଣିତ ହୋଇଛି ।

 

“ପ୍ରେହ୍ୟଭୀହି ଧୃଷ୍ଣୁହି ନ ତେ ବଦ୍ରୋନିୟଂସତେ । ଇନ୍ଦ୍ରନୃମଣଂ ହି ତେ ଶିବୋହନା ବୃତ୍ରଂ ଦୟା ଅପୋ ରନ୍ନନୁସ୍ଵରାଜ୍ୟମ୍‌ (୩)

 

ଅର୍ଥାତ୍‌ ଯେଉଁ ରାଜପୁରୁଷମାନଙ୍କର ସୂର୍ଯ୍ୟଙ୍କ ପ୍ରକାଶ ଭଳି କୀର୍ତ୍ତି ପ୍ରସିଦ୍ଧ ହୁଏ ସେମାନେ ରାଜୈଶ୍ଵର୍ଯ୍ୟ ଭୋଗୀ ହୁଅନ୍ତି । ଅର୍ଥାତ୍‌ ଅନ୍ୟମାନେ ହୁଅନ୍ତି ନାହିଁ । ପୁଣି ସେମାନେ କିଭଳି ଗୁଣର ଅଧିକାରୀ ହୋଇଥିଲେ ସିଂହାସନରେ ବସିବାପାଇଁ ଯୋଗ୍ୟ ହେବେ ତାହା ମଧ୍ୟ ସ୍ପଷ୍ଟଭାବରେ ବର୍ଣ୍ଣିତ ହୋଇଛି । “ନରିନ୍ଦ୍ରଭୂମ୍ୟା ଅଧିବୃତ୍ର ଜଘନ ନିର୍ଦିଃ ସୃଜ । ମରୁତ୍ୱତୀରବ ଜୀବଧନ୍ୟା ଇମା ଅପୋ ର୍ଚନ୍ନୟନୁ ସ୍ଵରାଜ୍ୟମ” (୪)

 

ଅର୍ଥାତ୍‌ ଯିଏ ରାଜ୍ୟ କରିବାକୁ ଇଚ୍ଛୁକ ସେ ବିଦ୍ୟା, ଧର୍ମ ଆଉ ବିନୟ ପ୍ରଚାରପୂର୍ବକ ଆଚରଣରେ ସ୍ଵୟଂ ଧାର୍ମିକ ହେଲେ ସମସ୍ତ ପ୍ରଜାବର୍ଗରେ ପିତା ସମାନ ହୋଇ ରହିବେ । ରାଜା–ସୂର୍ଯ୍ୟତୁଲ୍ୟ ହେବେ । ଏହାର ଅର୍ଥ କ’ଣ ? ସମଭାବରେ ସମସ୍ତଙ୍କୁ ସର୍ବବିଧ ସୁଖସ୍ଵାଚ୍ଛନ୍ଦ୍ୟ ବିତରଣ କରିବାକୁ ସର୍ବଦା ଯତ୍ନ କରୁଥିବେ ।

 

ସୂର୍ଯ୍ୟ ଯେଭଳି ସକଳ ଜଗତର ଉପକାରୀ, ସେହିଭଳି ସଭାଧ୍ୟକ୍ଷ ରାଜା (ଅର୍ଥାତ୍‌ ଏବର ଲୋକସଭାର ଅଧ୍ୟକ୍ଷ, ଶାସକ) ଠିକ୍‌ ସେହିପରି ହେବା ଉଚିତ । ଅନ୍ୟକଥାରେ କହିବାକୁ ଗଲେ ପ୍ରଜାଙ୍କ ସୁରକ୍ଷା ନିମନ୍ତେ ସୂର୍ଯ୍ୟଙ୍କ ତୁଲ୍ୟ ନିଜର ବଳ ଓ ନ୍ୟାୟ ବିଦ୍ୟା ପ୍ରକାଶ କରିବାକୁ ସମର୍ଥ ହେବେ, କପଟୀ ଲୋକଙ୍କୁ ଦଣ୍ଡ ଦେଇ ସୁବିଚାର କରିବେ, ଧାର୍ମିକ ଲୋକଙ୍କର ସତ୍କାର କରିବେ, ବିଦ୍ଵାନ ଲୋକଙ୍କୁ ସମ୍ମାନ ଦେବେ । ସେହିଭଳି ରାଜା ରାଜ୍ୟର ଉନ୍ନତି କରିବାକୁ ଓ ପ୍ରଜାଙ୍କଠାରୁ କରଲାଭ କରିବାକୁ ସମର୍ଥ ହୁଅନ୍ତି । ସ୍ଵରାଜସୁକ୍ତରେ ରହିଛି, କିଭଳି ବ୍ୟକ୍ତି ସଭାଧ୍ୟକ୍ଷ, ଶାସନାଧୀଶ ବା ନରପାଳ ହେବାକୁ ଯୋଗ୍ୟ ବିବେଚିତ ହେବେ । ଏବର ପାଠପଢ଼ିବା ଲୋକେ କହୁଛନ୍ତି, ସେଗୁଡ଼ିକ ପୁରୁଣାକାଳିଆ କଥା । ଯୁଗ ଅନୁସାରେ ଧର୍ମ । ଏ ଯୁଗରେ କଳେ ବଳେ କୌଶଳେ ‘ମୁରାରେ ତୃତୀୟଃ ପନ୍ଥା ।’ ଯୋଉ ବାଟ ସମସ୍ତେ ବତାଇଛନ୍ତି, ତାକୁ ଛାଡ଼ି ଅନ୍ୟବାଟ ଧରିବା ଆମ୍ଭେ ସବୁ । ଆମେ କିଏ କ'ଣ କହିଥିଲା, ତାକୁ ଧରି ବସିବା କିଆଁ ? ଆମ ପନ୍ଥାଟା ସଂସାର ପନ୍ଥାରୁ ବାହାର ହେଲେ ସିନା ଆମେ ବଡ଼ମଣିଷ ହେବା । ଆମେ ନୂଆ ବାଟ କାଢ଼ିବା । ସିଏ ଭଲ ହେଉ ଭେଲ ହେଉ । ତମେ ଯାହାକୁ ନୀତି ବୋଲି କହୁଛ, ଆମେ ସେ ନୀତିକୁ ମଧ୍ୟ ବଦଳେଇବା । ଆମେ ନୂଆ ନୀତି କାଢ଼ିବା, କଳିଯୁଗ ନୀତି । ସେଥିରେ କିଛି ଯଦି ନ କରିପାରିଲ ବଙ୍ଗଳାରେ କହିଲା ପରି ‘ନତୁନ୍‌ କିଛୁକର ଭାଇ ନତୁନ୍‌ କିଛୁ କର । କିଛୁ ଯଦି ନାକର୍ତ୍ତେ ପାରୋ, ମାକେ ଧରେ ମାରୋ ।” ମାଆକୁ ମାରିବା ଉଚିତ, ଏହା କେଉଁ ନୀତି ? ଆଉ ଯଦି କେଉଁ ନୂଆ ନୀତି ତମକୁ ନ ଦିଶିଲା ତେବେ ମାଆକୁ ଧରି ପିଟିବା ଆରମ୍ଭକର । ଇଏ କ’ଣ ନୂଆ କଥା ନୁହେଁ ? କେଉଁଠି ନଥିବା କାମ ଆମେ କଲୁ, ଦେଖିଲଟି । ଏବେ ସେମିତି ଯାଉଣୁ ଆସୁଣୁ ନାରୀ ନିର୍ଯାତନା ଚାଲିଛି, ଗଣଧର୍ଷଣ ଚାଲିଛି–ନୂଆ କଥା–ଏ କଥା କିଏ କାନରେ ଶୁଣିଥିଲା ? ନାରୀକୁ ମାର, ମାଆ ହେଉ, ଭାର୍ଯ୍ୟା ହେଉ ବା ଗୁରୁଜନ ଲଘୁଜନ ଯାହା ହେଉ । ନିର୍ଯାତନା, ଅବମାନନା, ଅପମାନ, ଅସମ୍ମାନ ସବୁ କର, କାରଣ ନୂଆ କରୁଛୁ ବୋଲି ଦେଖାଇବାକୁ ହେବ ଯେ ।

 

ଜଗତର ସବୁ ସ୍ତ୍ରୀମାନେ ଯଦି ଜଗଜ୍ଜନନୀ ହେଲେ ତେବେ ନାରୀମାନଙ୍କ ଉପରେ ଅତ୍ୟାଚାର କରିବା ମାଆକୁ ମାରିବା ସହିତ ସମାନ ନୁହେଁ କି ? ତେଣୁ ଏବର ଛତୁ ଫୁଟିଲା ପରି ଫୁଟି ପଡ଼ିଥିବା ନେତାମାନଙ୍କର ନୂଆ ନୀତି ହେଲା ତଳେ ଲମ୍ବ ହୋଇ ପଡ଼ିଯାଅ, ଦାନ୍ତ ନୁକୁଟା ହୁଅ, ନିରୋଳାରେ କାହା ଶ୍ରୀଅଙ୍ଗ ପଖାଳ, ବେଳ ପଡ଼ିଲେ ଟେକାଟେକି କର, ବେଳ ପଡ଼ିଲେ ଟେକା ମାର । ଓର ଉଣ୍ଡି, ଲୁହା କଅଁଳ ଦେଖି ବିଲେଇ ପରି କାମୁଡ଼ି ଦିଅ । କରେଇ ଉଷୁମ ଥିବା ଦେଖି ଆପଣା ପିଠାଟି ସେକି ନିଅ । ଲୁହା ଆଣ୍ଟ ଦେଖିଲେ ଦଶକୋଶ ଦୂରକୁ ପଳାଅ । ତାଙ୍କ ବିରୋଧୀକୁ ଗୁପତ କଥା କହି ହାତ କର । ଦୀପ ତେଜି ହାତ ସଡ଼ କର । ପୁଣି ଚିକ୍କଣ ହାତରେ ଏପଟରେ କ୍ଷମତାରେ ଥିବା ଲୋକଙ୍କର ଗୋଡ଼ ଆଉଁଷ, ମର୍ଦ୍ଦନ କର ।

 

ଆଗେ ଥିଲା ସମସ୍ତେ ଯେଉଁ ସ୍ଵର ଧରିଛନ୍ତି, ଯେଉଁ ବାଟରେ ଯାଉଛନ୍ତି, “ମହାଜନ ଯେନ ଗତଃ ସଃ ପନ୍ଥା” ବିଚାରି ସେଇବାଟେ ଯିବା । କିନ୍ତୁ ଏବେ ‘ମହାଜନ’ର ଅର୍ଥ ଅଲଗା । ‘ମହାଜନ’ ଅର୍ଥ ମହତ୍‌ ଜନ ନୁହେଁ । ଯେ ମହାଜନି କାରବାର କରିନ୍ତି, ଯାହାଙ୍କ ପାଖରେ ବହୁତ ପଇସା, ଯେ ବେଳ ପଡ଼ିଲେ ତୋଷନ୍ତି, ବେଳ ପଡ଼ିଲେ ଶୋଷନ୍ତି ସେହିଭଳି ମହାଜନମାନଙ୍କ ପଛରେ ଧାଇଁବା, ବେଳକାଳ ଉଣ୍ଡି ଓଲେଈ ଗାଈ ପରି ଏବାଡ଼ି ସେବାଡ଼ି ମୁହଁ ପୂରାଇବା ଆମର ରାଜନୀତି । ନୂଆ ପାଣି ପଡ଼ି ଗଜୁରୁଥିବା ଛତୁ ଫୁଟିଲା ପରି ନେତାଙ୍କର ଏଇ ହେଲା ଅସଲ ଧନ୍ଦା-। କଥାରେ କହିଛି– “ଛି ଛତୁ, ମେଘ ବରଷିଲେ କେତେ ଫୁଟନ୍ତୁ ।” ଛିରେ ନେତା–ଟଙ୍କା ବରଷିଲେ ଫୁଟି ପଡ଼ୁ ତୁଇ ବେତାକୁ ବେତା । କାଳିଗାଈର ଭିନ୍ନେ ଗୋଠ ପରି କଳାଧନବାଲାଙ୍କ ଭିନ୍ନେ ଗୋଠ । ତାଙ୍କର କିଛି ଜାତି, ପତି ନାହିଁ । “ବାର ଜାତି ତେର ଗୋଲା, ବୈଷ୍ଣବ ହେଲେ ସବୁ ଗଲା” ପରି ଏବେ ନୂଆ ନୀତି “ବାରଜାତି ବାରଶ ଗୋଲା, ରାଜନୀତି କଲେ ସବୁ ଗଲା-।” ନେତାଙ୍କର ହାତରେ ଛତା । କ୍ଷମତା ମଦରେ ଅମରମତ୍ତା । ତାଙ୍କ ତୁଣ୍ଡରେ ନଥାଏ ବାଡ଼ କି ବତା-। ଯୁଆଡ଼େ ବରଷା, ସିଆଡ଼େ ଭରସା । ସେମାନେ ବାରଦ୍ଵାର ଶୁଣ୍ଢି ପିଣ୍ଡା ହୁଅନ୍ତି ନାହିଁ, ବାରଭାୟାଙ୍କ ସାଙ୍ଗେ ମିଶନ୍ତି ନାହିଁ, ରାଜନୀତିର ମ୍ୟୁଜିକ୍‌ ଚେୟାର ପାଖରେ ଖାସ ଟହଲିଆ ହୋଇ ବୁଲୁଥାନ୍ତି, ନିଘା ରଖିଥାନ୍ତି । କ୍ଷମତାଧାରୀଙ୍କ ଆଖପାଖ ଲୋକ ଏମାନେ । ଛକି ଥାଆନ୍ତି । କେତେବେଳେ ଗାଦି ଖାଲିହେଲେ ଧାଇଁଯାଇ ଲଥ୍‌ କରି ବସି ପଡ଼ନ୍ତି । ଶ୍ରୀଅଙ୍ଗରେ ଶ୍ରୀଗାଦି ଲାଗିଯାଏ-। ଇଏ ନିକୋପ୍ଲାଷ୍ଟ ନୁହେଁ ଯେ ଛାଡ଼ିଯିବ । ପୂରା ଡାମ୍ଫଣରେ ସିଲେଇ ହୋଇଯାଏ । ମୁହଁରେ ଲମ୍ବା ଚଉଡ଼ା କଥା କହିବା–ଦୁନିଆଯାକ ଯାହା କରୁଛନ୍ତି, ଆମେ ତାହା କରିବା ନାହିଁ, କହନ୍ତି ନୂଆ କଥା କରିବାବେଳ ପଡ଼ିଲେ ତୋଟି ଫଟେଇ ଇମିତି ତହୁଁ ବଳି କ୍ଷମତାଧାରୀଙ୍କ ଗୋଡ଼ ତଳେ ଗଡ଼ନ୍ତି-। ପୁଣି ବିପଦରେ ପଡ଼ିଲେ, ମହାଗଧଙ୍କର ପାଦ ମଧ୍ୟ ଧରନ୍ତି । ଯେତେବେଳେ ଯାହାକୁ ଧଇଲେ, କ୍ଷମତା ସିଡ଼ି ଚଢ଼ି ହେବ, ତାଙ୍କୁ ବରନ୍ତି । ତାଙ୍କ ଗୁଣ କେତେ ଗାଇବା, ସେତ ଅସରନ୍ତି । ହେଲେ ଏଇ ମାର୍କାମରା ମଣିଷମାନଙ୍କର ମାର୍କାମରା ସ୍ଥାନ ବା ରିଜର୍ଭ୍‍ସିଟ୍‌ ଦରକାର । ସେଇ ସିଟ୍‌ର ଅନ୍ୟ ନାମ “କ୍ଷମତା”, ଯିଏ କରେ ଅମରମତ୍ତା ।

 

ଆଗେ କ୍ଷମତାରୁ କ୍ଷମା ଝରୁଥିଲା, ଏବେ କ୍ଷମତାରୁ କ’ଣ ଝରୁଛି ତାହା ନେଇ ପରୀକ୍ଷାନିରୀକ୍ଷା ଚାଲିଛି । ତାହା ତାହା ଏକ ବିଚିତ୍ର ରସ, ଯିଏ ତାକୁ ଯେଉଁ ନାଆଁ ଦେଲା । ଏଥିପାଇଁ ଯେଉଁ ମନ୍ତ୍ର ଦରକାର ସେଇ ମନ୍ତ୍ର ନଜାଣିଲେ ମନ୍ତ୍ରୀ ହୋଇ ପାରିବନି ଏ ଯୁଗରେ । ଅନୁଗ୍ରହରେ ଯେତେ ଉପରକୁ ଉଠିବ ଅନୁଶୀଳନରେ ସେତେ ଉପରକୁ ଉଠି ପାରିବନି । ଅନୁଶୀଳନ କଲେ ଅନୁତାପହିଁ ସାର ହେବ । ଯୋଗ୍ୟତା ବଳରେ କେହି ଚଞ୍ଚଳ ଉନ୍ନତି କରିପାରିବେ ନାହିଁ ଏଯୁଗରେ । ପର ଲୁଗା ପିନ୍ଧି ହାଟକୁ ଯାଉଥିବ, ପଚାରିଲେ ମୁଣ୍ଡ ଟୁଙ୍ଗାରୁଥିବ । ଅଧିକ କଥା କହିବ ନାହିଁ । ଗମ୍ଭୀର ହୋଇ ବସିଥିବ, ମୁଣ୍ଡକୁ ହଲାଉଥିବ, ଦବା ଦବା କହୁଥିବ । ନ ଦବ ନାହିଁ ନ କହିବ । ତୁଣ୍ଡରେ ଅମୃତ ପେଟରେ ବିଷ । ପେଟରେ ଯେତେ ବିଷ ଅଛି ଥାଉ, ତୁଣ୍ଡରେ ଅମୃତହିଁ କହିବ । ଆପଣା ଜାତିକୁ ଯେତେ ପଛୁଆ ଜାତି, ହତଭାଗା ଜାତି କହିପାରିବ ସେତେ ଭଲ, ସେତିକି ବଡ଼ବଡ଼ିଆଙ୍କୁ ପୋଷି ଆପେ ଦୋଷୀ ନ ହୋଇ ରହିଯିବ । ହଲିଲା ପାଣିକୁ ଗୋଡ଼ ବଢ଼ାଇବ ନାହିଁ । ଓରଉଣ୍ଡି ଅନ୍ୟଠୁ ଠିକଣାବେଳେ ଠିକଣା ଜାଗାରେ ନେଇ ଜାଣିଲେ ନେତା ହେବ । ଏମିତି ନେବ ଯେ କାଉ କୋଇଲିଟିଏବି ଜାଣିବେ ନାହିଁ । ବୁଡ଼ି ବୁଡ଼ି ପାଣି ପିଇବ, ଯେପରି ଦେବ ଦେବ ମହାଦେବଙ୍କୁ ଅଗୋଚର ହେବ । କୌଣସି କଥାରେ ଚିହ୍ନା ନ ପଡ଼ିବାପାଇଁ ସବୁ ବଳ, ବେଳ, ମନ, ଧନ ତନ ଇଗେଇଦେବ । ପାଣିକି ତ ଗୋଡ଼ ବଢ଼ାଇବ ନାହିଁ, କାଦୁଅ କଥା ଛାଡ଼ । ମନେ ରଖିଥିବ ଡେଙ୍ଗା ମୁଣ୍ଡରେ ଠେଙ୍ଗା ପଡ଼େ । ଜମା ଆଗକୁ ଯିବନାହିଁ, ଅଣଆଡ଼ିଆରେ ରହିବ । ହେଲେ ଡେଙ୍ଗାକୁ ତୋଷାମଦ କରିବାକୁ ପାଶୋରିବ ନାହିଁ । ଜଗି ରଖି କଥା କହୁଥିବ ।

 

କହି ନଜାଣିଲେ କଥା ଅଡ଼ୁଆ, ଧରି ନ ଜାଣିଲେ କ୍ଷମତା ଅଡ଼ୁଆ । ଇଏ ବଡ଼ ଚିକିଟା ମାଟି, ଜଗିରଖି ନ ଚଳିଲେ ଖାସାକଚଡ଼ା ଖାଇବାର ସମ୍ଭାବନା ରହିଛି । ତେଣୁ ଏସବୁକୁ ଦେଖିଚାହିଁ ଏକାଳର କ୍ଷମତା ବିଦ୍ୟାକୁ ହାସଲକରି ଜାଣିଲେ, ତମେ ଜାତି ସମାଜର ପ୍ରଗତି କରୁଛ ବୋଲି ଡେଙ୍ଗୁରା ବାଜିବ । ହେଲେ ଆପଣା ପରିବାର, ଆପଣା କୁଟୁମ୍ବ ଓ ଆପଣା ଆଶ୍ରିତ ଲୋକଙ୍କ ଉପକାରରେ ଦେଶ ଧନ ଲଗାଉଥିବ । ଏପରି କାଇଦାରେ ଲଗାଉଥିବ ଯେ ଦାଣ୍ଡଲୋକେ ଗନ୍ଧ ପାଇବେ ନାହିଁ । ଯଦି ଏତକ କରିବାକୁ ଦମ୍ଭ ନାହିଁ ତେବେ ନିଆଁ ପାଖେ ରହି ନିଆଁଧାସ ପାଇପାରିବ, ହାତ ଉଷୁମ କରିପାରିବ । କଥାରେ ଅଛି ‘ଯେତିକି କରିବ ଆଉଁଷା ଘଷା, ସେତିକି ହୋଇବ କୁଟୁମ୍ବ ପୋଷା ।’

 

ଆପେ ବଞ୍ଚିଲେ ବାପର ନାଁ । ଇଏ ହେଲା ଦଳେ ଲୋକଙ୍କର ବୃତ୍ତି । ଯେତେ ଭିନ୍ନେ ଭିନ୍ନେ ବାଟ କାଢ଼ନ୍ତୁ ନା କାହିଁକି ଉଦ୍ଦେଶ୍ୟ ଗୋଟିଏ । କ୍ଷମତାର ଡୋରିକୁ ଧରିବା, ଆଶ୍ରା କରିବା–କ୍ଷମତାରେହିଁ ମମତା । ସମତାରେ ବିଶ୍ଵାସୀ ସଜ୍ଜନ ଏଯୁଗରେ ଧରିପାରିବେ ନାହିଁ କ୍ଷମତା । ଏ ଯୁଗରେ ତ ମଣିଷପଣିଆର ମୂଲ୍ୟ ଊଣା । ମଳୟ ପବନ ଲାଗିଲେ ନିମ୍ବ ଚନ୍ଦନ ହୁଏ । ଚିରା କନାରେ ମୋତି ବାନ୍ଧିଥିଲେବି ମୋତିହିଁ ମୂଲ୍ୟବାନ । ପାଟକନାରେ ମହାଆଡ଼ମ୍ବରରେ ଗୋଡ଼ି ବାନ୍ଧିରଖିଲେ ମୁଖାଙ୍କିତ ମୂଲ୍ୟସିନା ଅଧିକ ହେବ ହେଲେ ଅନ୍ତର୍ନିହିତ ମୂଲ୍ୟ ରହିବ କି ? ଏକଥା ସବୁ କାଳେ ସତ୍ୟ– ହେଲେ ଏବେ ଅମଣିଷଙ୍କ ମେଳା ଭିତରେ ମଣିଷ ଅଣନିଃଶ୍ଵାସୀ । ‘ଦଣ୍ଡିବା ଶକ୍ତି ଯା’ର ଥାଇ, ସେ ପୁଣି କ୍ଷମା ଆଚରଇ ।’ ରାଜପଦରେ ବା ଶାସକ ପଦରେ ରହିବାପାଇଁ ବହୁ ସାଧନା କରିବାକୁ ହୁଏ । ରାଜାର ଜୀବନ ଏକ କଠୋର ସାଧନା । “ତବ ପତ୍ନୀରୂପେ ଭାଗ୍ୟେ ମତେ କିଛି ଜଣା ।” ଏ କଥା କହିଥିଲେ ସୀତା ଦେବୀ । ପ୍ରଜାପାଇଁ କଷ୍ଟ ସହି ରାଜା ଦଣ୍ଡବିଧାନ ନ କଲେ, ରାଜଧର୍ମଚ୍ୟୁତ ହେଲେ, ଯେଭଳି ପତିତ ହୁଅନ୍ତି, ପ୍ରଜାପାଳନ ନ କଲେ ସାଧୁ, ସନ୍ଥ, ମାତୃ ଜାତିର ରକ୍ଷଣ ନ କଲେ ମଧ୍ୟ ସେହିଭଳି ନିନ୍ଦିତ ହୁଅନ୍ତି ।' ରାଜାଙ୍କର ଦଣ୍ଡ ଦେବାର କ୍ଷମତା ରହିଛି, ମାର୍ଜନା କରିବାର କ୍ଷମତା ମଧ୍ୟ ରହିଛି । କେଉଁଠାରେ କି କାର୍ଯ୍ୟ ହେବ ଏ ବିଚାରବୁଦ୍ଧି ଯାହାର ନାହିଁ, ସେ ରାଜା ପଦବାଚ୍ୟ କି ?

Image